ଅମରପାଲି,୧୯।୧୧(ପୀତାମ୍ବର ସାହୁ):ଧାନ ଅମଳ ସମୟରେ ଚାଷୀଙ୍କ ଚିନ୍ତା ହାତୀ ଓ ବାର୍ହା ପଲ ବଢ଼ାଇଛନ୍ତି। ଜଙ୍ଗଲକୁ ଲାଗି ରହିଥିବା ଚାଷଜମିରେ ବନ୍ୟଜନ୍ତୁଙ୍କ ଉପଦ୍ରବ ଯୋଗୁ ଧାନ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକର ସୀମାନ୍ତ ଅଞ୍ଚଳର ଚାଷୀମାନେ ଏବେ ନିଜ କଷ୍ଟ ଉପାର୍ଜିତ ଫସଲକୁ ସୁରକ୍ଷା ଦେବା ପାଇଁ ଚିନ୍ତିତ ହୋଇପଡ଼ିଛନ୍ତି।
ଜିଲାର ଅଧିକାଂଶ ଲୋକ ଚାଷବାସ ଉପରେ ନିର୍ଭରଶୀଳ। ବିଶେଷକରି ବୀରମହାରାଜପୁର, ଉଲୁଣ୍ଡା ବ୍ଲକରେ ଧାନ ଓ କପା ଚାଷ କରାଯାଉଛି। ଏହି ଦୁଇ ବ୍ଲକର ଅଳ୍ପ କିଛି ଅଞ୍ଚଳକୁ ଜଳସେଚନ ସୁବିଧା ରହିଥିବାରୁ ଚାଷୀମାନେ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରନ୍ତି। ଚଳିତବର୍ଷ ଭଲ ବର୍ଷା ହୋଇଥିବାରୁ ଧାନ ଫସଲ ଭଲ ହୋଇଛି। ଏବେ ଧାନ ଅମଳର ସମୟ ହୋଇଥିବାରୁ ଚାଷୀଙ୍କ ମନରେ ଖୁସି ରହିବା କଥା। ମାତ୍ର ବନ୍ୟଜନ୍ତୁଙ୍କ ଉପଦ୍ରବ ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ବୀରମହାରାଜପୁର ବ୍ଲକର ଅମରପାଲି, ଗୌଡ଼ଗାଡ଼, ସାଗଜୋରୀ, ଦୁର୍ଜନତୈଲା, ଭାଲୁଡୁଙ୍ଗୁରୀ, ବିଶାଳପାଲି, ହାତିଲିମୁଣ୍ଡା, ଖଣ୍ଡହତା, ବଡ଼କିରାସିରା, ଚୁବକାଦାଦର, ସାହାଜଲଥା, ସଂଗ୍ରାମପୁର, କମିରା, ପିତାମହୁଲ, ସେରଗେଡ଼ା, ଲକ୍ଷ୍ନୀ, ଗରିଆମୁଣ୍ଡା ଓ ଡୁଲେଶ୍ୱର ଆଦି ଅଞ୍ଚଳ ଜଙ୍ଗଲକୁ ଲାଗି ରହିଛି। ସେହିପରି ଉଲୁଣ୍ଡା ବ୍ଲକର କୋଟସମଲାଇ, ନାକଡେଇଁ, ଖେମାଲୋଏ, ଉଲୁଣ୍ଡା, ସିଣ୍ଢୋଲ, ଜଉଁରାଭଉଁରା, ଏସ. ପତ୍ରାପାଲି, କଳାପଥର ଓ କାଦୋଦର ସମେତ ଅନେକ ଗ୍ରାମର ଚାଷଜମି ଜଙ୍ଗଲ ସଂଲଗ୍ନ ହୋଇ ରହିଛି। ପ୍ରତିବର୍ଷ ଧାନ ଅମଳ ସମୟରେ ଜଙ୍ଗଲରୁ ହାତୀ ଓ ବାର୍ହା ପଲ ଚାଷଜମିକୁ ପଶି ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଥାନ୍ତି। ଗତ ସପ୍ତାହରେ ଏକ ୮ ଟିକିଆ ହାତୀପଲ ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ତିଲେଇମାଲ ଗ୍ରାମରେ ପଶି ଧାନ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଥିଲେ। ସେହିପରି ବହଳପଦର ପଞ୍ଚାୟତର ଭାଲୁଡୁଙ୍ଗୁରୀ ଗ୍ରାମରେ ମଧ୍ୟ ଉକ୍ତ ହାତୀପଲ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ଦୁଇଦିନ ପୂର୍ବେ ଉଲୁଣ୍ଡା ବ୍ଲକର କାଦୋଦର ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମରେ ବାର୍ହା ପଲ ଧାନ ଫସଲ ନଷ୍ଟ କରିଥିବା ଚାଷୀ ଅଭିଯୋଗ କରିଛନ୍ତି। ବିଶେଷକରି କାଦୋଦର ଅଞ୍ଚଳରେ ହାତୀଙ୍କ ଅପେକ୍ଷା ବାର୍ହା ପଲଙ୍କ ଦ୍ୱାରା ଅଧିକ ଫସଲ ନଷ୍ଟ ହେଉଥିବା କୁହାଯାଉଛି। ଫସଲ ସୁରକ୍ଷା ପାଇଁ ଚାଷୀମାନେ ଏବେ ରାତିରେ ନିଜ ଚାଷଜମିରେ ଜଗି ରହୁଛନ୍ତି। କେତେଜଣ ଚାଷୀ ଗଛ ଉପରେ ରାତି କାଟୁଥିବା ବେଳେ ଆଉ କେତେଜଣ ସୋଲାର ଫେନ୍ସିଂ ବ୍ୟବସ୍ଥା କରିଛନ୍ତି। ଜଙ୍ଗଲ ସଂଲଗ୍ନ ଗ୍ରାମର ଲୋକେ ରାତିସାରା ଅନିଦ୍ରା ରହି ନିଅଁାହୁଳା ଦେଖାଇ ଓ ବାଣ ଫୁଟାଇ ବନ୍ୟଜନ୍ତୁଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷେ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଡ୍ରୋନ କ୍ୟାମେରା ସହାୟତାରେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କୁ ଘଉଡ଼ାଇବାରେ ନିୟୋଜିତ ଅଛନ୍ତି।
ଉଲୁଣ୍ଡା ବ୍ଲକ କାଦୋଦର ଗ୍ରାମର ଯୁବଚାଷୀ ଆନନ୍ଦ ବାରିକ କହିଛନ୍ତି, ଅଞ୍ଚଳରେ ବାର୍ହା ପଲ ବ୍ୟାପକ ଭାବେ ଧାନ ଫସଲ ନଷ୍ଟ କରୁଛନ୍ତି। ବନ ବିଭାଗ ବନ୍ୟଜନ୍ତୁଙ୍କୁ ଘଉଡ଼ାଇବାରେ ସଫଳ ହୋଇପାରୁନାହିଁ। ଅମରପାଲି ଗ୍ରାମର ଚାଷୀ ବିମ୍ବାଧର ସାହୁ କହିଛନ୍ତି, ପ୍ରତିବର୍ଷ ଧାନ ଅମଳ ସମୟରେ ହାତୀ ଓ ବାର୍ହା ପଲ ଆସି ଫସଲ ନଷ୍ଟ କରିଥାନ୍ତି। ଏଥିଯୋଗୁ ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି। ଫସଲକୁ ବଞ୍ଚାଇବା ପାଇଁ ରାତିରେ ଜଗି ରହି ବନ୍ୟଜନ୍ତୁଙ୍କୁ ଘଉଡ଼ାଉଛୁ। ବନ ବିଭାଗ ଏହାର ସ୍ଥାୟୀ ସମାଧାନ କଲେ ଚାଷୀମାନେ ଉପକୃତ ହୁଅନ୍ତେ। ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସାହାଜଲଥା ଗ୍ରାମର ଚାଷୀ ଆନନ୍ଦ ପ୍ରଧାନ କହିଛନ୍ତି, ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଗ୍ରାମବାସୀ ନିଜେ ଉଦ୍ୟମ କରୁଛନ୍ତି। ବନ ବିଭାଗ ଠିକ ଭାବେ କାର୍ଯ୍ୟ କରୁନାହିଁ। ଏପରିକି କ୍ଷତିଗ୍ରସ୍ତ ଚାଷୀଙ୍କୁ ମଧ୍ୟ ଠିକ ଭାବେ କ୍ଷତିପୂରଣ ମିଳିପାରୁନାହିଁ। ଏ ସମ୍ପର୍କରେ ସୁବଳୟା ବନପାଳ ନିରଞ୍ଜନ ପ୍ରଧାନଙ୍କୁ ପଚାରିବାରେ ଅଞ୍ଚଳକୁ ୮ ଟିକିଆ ହାତୀପଲ ଆସିଛନ୍ତି। ବନ ବିଭାଗ ପକ୍ଷରୁ ହାତୀପଲଙ୍କୁ ଟ୍ରାକିଂ କରାଯାଇ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି। ହାତୀ ଓ ବାର୍ହାଙ୍କ ଦ୍ୱାରା ଫସଲ ନଷ୍ଟ ହୋଇଥିବା ନେଇ ଅଭିଯୋଗ ମିଳିଲେ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେଉଛନ୍ତି। ସରକାରୀ ନିୟମ ଓ ବିଧିବ୍ୟବସ୍ଥା ଅନୁଯାୟୀ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି।
Dharitri – Odisha’s No.1 Odia Daily

