ବରଗଡ଼,୧୯।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସଡ଼କ ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି। ଜିଲାରେ ସଡ଼କ ଦୁର୍ଘଟଣା ଏବେ ସାଧାରଣରେ ପରିଣତ ହୋଇଛି। ଦିନକୁ ଦିନ ଏଠାରେ ଏହା ବଢ଼ି ଚାଲିଛି। ସଡ଼କ ଦୁର୍ଘଟଣାରେ କେହିନା କେହି ଜୀବନ ହରାଉଛନ୍ତି। କେହି ହାତ, ଗୋଡ଼ ହରାଇବା ସହିତ ଆହତ ହେଉଛନ୍ତି। ଏପରିକି ଏଭଳି ସ୍ଥିତିରେ ଆଉ କେହି ସାରା ଜୀବନ ପାଇଁ ପଙ୍ଗୁ ହୋଇ ଯାଉଛନ୍ତି। ଜିଲା ସଦର ମହକୁମା ତଥା ବରଗଡ଼ ସହର ତଥା ସହର ଉପକଣ୍ଠ ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ। ଏଠାରେ ମଧ୍ୟ ନିୟମିତ ସଡ଼କ ଦୁର୍ଘଟଣା ଘଟୁଛି। ବିପଦଶଙ୍କୁଳ ରାସ୍ତା, ବୁଲା ଗୋରୁ, ନିଶା ସେବନ କରି ବେପରୁଆ ଗାଡ଼ି ଚାଳନା, ବିନା ଫିଟ୍ନେସ୍ରେ ଗାଡ଼ି ଚଳାଚଳ ତଥା ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଗାଡ଼ି ଚଳାଉଥିବାରୁ ଏଭଳି ସଡ଼କ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ତେବେ ଟ୍ରାଫିକ ଅବ୍ୟବସ୍ଥା ଏଡ଼ଇବା ପାଇଁ ଉଠା ଦୋକାନୀକୁ ଉଚ୍ଛେଦ କରି ରାସ୍ତା ପ୍ରଶସ୍ତୀକରଣ, ନୂତନ ଟ୍ରାଫିକ ବ୍ୟବସ୍ଥା କରାଯିବା ସତ୍ତ୍ୱେ ଖୋଦ୍ ବରଗଡ଼ ସହର ମଧ୍ୟରେ ପୂର୍ୱାପେକ୍ଷା ସଡ଼କ ଦୁର୍ଘଟଣା ବୃଦ୍ଧି ଏଠାରେ ଚିନ୍ତାଜନକ ହୋଇ ପଡ଼ିଛି।
ବରଗଡ଼ ସହରରେ ରାସ୍ତା ପ୍ରଶସ୍ତୀକରଣ ଓ ଉନ୍ନତୀକରଣ ପାଇଁ ଅନେକ ଉଠା ଦୋକାନୀଙ୍କୁ ରାସ୍ତାପାର୍ଶ୍ୱରୁ ଉଚ୍ଛେଦ କରାଯାଇଛି। କେବଳ ସେତିକି ନୁହେଁ, ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପରେ ଅନେକ ଲୋକ ନିଜ ଘରଦ୍ୱାର ମଧ୍ୟ ହରାଇଛନ୍ତି। ଉଚ୍ଛେଦ ପରେ ଥଇଥାନ ହୋଇ ପାରି ନ ଥିବାରୁ ବହୁସଂଖ୍ୟକ ଉଠା ଦୋକାନୀ ଏବେ ମଧ୍ୟ ନିଜ ଜୀବିକା ହରାଇଛନ୍ତି ଏବଂ ସେମାନଙ୍କ ଜୀବନଯାପନ ଦୁର୍ୱିଷହ ହୋଇ ପଡ଼ିଛନ୍ତି। ସେହିପରି ବରଗଡ଼ ଗାନ୍ଧିଛକରେ ନୂତନ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ସେଠାରେ ରାସ୍ତା ଦୋହରୀକରଣ ସହିତ ପୂର୍ୱାପେକ୍ଷା ଅଧିକ ଟ୍ରାଫିକ ପୋଲିସ ମୁତୟନ କରାଯାଉଛି। ପୂର୍ୱରୁ ଗାନ୍ଧିଛକରେ ଗୋଟିଏ ସ୍ଥାନରେ ଟ୍ରାଫିକ ପୋଲିସ ମୁତୟନ ରହୁଥିଲେ। କିନ୍ତୁ ଏବେ ନୂତନ ଟ୍ରାଫିକ ବ୍ୟବସ୍ଥା ଯୋଗୁ ଗାନ୍ଧିଛକର ୩ସ୍ଥାନରେ ପୂର୍ୱାପେକ୍ଷା ୩ଗୁଣା ଟ୍ରାଫିକ ପୋଲିସ ମୁତୟନ ରହୁଛନ୍ତି। ରାସ୍ତା ପ୍ରଶସ୍ତୀକରଣ, ଉନ୍ନତୀକରଣ ଏବଂ ନୂତନ ଟ୍ରାଫିକ ବ୍ୟବସ୍ଥା ପରେ ସହର ମଧ୍ୟରେ ଦୁର୍ଘଟଣା ହ୍ରାସ ପାଇବ ବୋଲି ଲୋକେ ଆଶା କରିଥିଲେ। କିନ୍ତୁ ଏବେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତ କିଛିଦିନକୁ ଅନୁଧ୍ୟାନ କଲେ ସହର ଓ ସହର ଉପକଣ୍ଠରେ ପୂର୍ୱାପେକ୍ଷା ଅଧିକ ସଡ଼କ ଦୁର୍ଘଟଣା ଘଟୁଛି। ଗତ କିଛିମାସ ତଳେ ସହରସ୍ଥିତ କେନାଲ ଛକ ତଥା ଘରୋଇ ବସଷ୍ଟାଣ୍ଡ ନିକଟରେ ଏକ ଯାତ୍ରୀବାହୀ ବସ୍ ଧକ୍କାରେ ସାଇକେଲରେ ସ୍କୁଲକୁ ଯାଉଥିବା ସମୟରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ସେହିପରି ସୋମବାର ସହରସ୍ଥିତ ଗୁରୁଦ୍ୱାରା ଛକରେ ଦ୍ରୁତବେଗରେ ଯାଉଥିବା ଏକ ବାଇକ୍ ଧକ୍କା ଯୋଗୁ ଜଣେ ପଦଚାରୀଙ୍କ ଜୀବନ ଚାଲି ଯାଇଥିଲା। ବୁଧବାର ଗଣପତି ହୋଟେଲ ଛକରେ ଏକ କାର୍କୁ ଧକ୍କା ଦେଇଥିଲା ଏବଂ କାର୍ଟି କ୍ଷତିଗ୍ରସ୍ତ ହୋଇଥିଲେ ହେଁ କାର୍ ଭିତରେ ବସିଥିବା ୪ଖବରଦାତା ଅଳ୍ପକେ ରକ୍ଷା ପାଇ ଯାଇଥିଲେ। କିଛିଦିନ ତଳେ ସହର ଉପକଣ୍ଠ ଚକରକେନ୍ଦ ଛକରେ ଏକ ବାଇକ୍କୁ ଅନ୍ୟଏକ ଟ୍ରାକ୍ଟର ଧକ୍କା ଦେବା ଯୋଗୁ ବାଇକ୍ରେ ବସିଥିବା ଦମ୍ପତି ଗୁରୁତର ଆହତ ହୋଇଥିଲେ। ସେହିପରି ବରାହଗୋଡ଼ା ନିକଟରେ ଏକ ସ୍କୁଟି ଟ୍ରକ ଭିତରକୁ ପଶିଯିବାରୁ ଜଣଙ୍କର ଜୀବନ ଚାଲି ଯାଇଥିବାବେଳେ ବୁଧବାର ସନ୍ଧ୍ୟାରେ ବରଗଡ଼ ସହର ଉପକଣ୍ଠ ଡାଙ୍ଗ ନଦୀପଡ଼ା ଛକରେ ଏକ ଟ୍ରକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବା ଯୋଗୁ ତାର ଛିଣ୍ଡି ଯାଇଛି ଏବଂ ସମ୍ପୃକ୍ତ ଅଞ୍ଚଳ ଅନ୍ଧାର ହୋଇ ପଡ଼ିଛି। ଖବର ଲେଖାହେବା ସୁଦ୍ଧା(ରାତି ୭ଟା ୩୦ମିନିଟ୍ ପର୍ଯ୍ୟନ୍ତ) ଅଞ୍ଚଳବାସୀ ସମ୍ପୃକ୍ତ ଟ୍ରକ୍କୁ ଅଟକ ରଖିଥିବାବେଳେ ଚାପା ଉତ୍ତେଜନା ଲାଗି ରହିଛି।
ତେବେ ଏହା କେବଳ ଗୋଟିଏ ଲେଖାଏ ଦୃଷ୍ଟାନ୍ତ ମାତ୍ର। ସହର ସମେତ ଜିଲାରେ ଏଭଳି ଅନେକ ସଡ଼କ ଦୁର୍ଘଟଣା ଘଟୁଛି। ଦୁର୍ଘଟଣାରେ ଲୋକେ ମୃତାହତ ହେଉଛନ୍ତି। ଦୁର୍ଘଟଣାକୁ ନେଇ କେତେବେଳେ ମୃତକଙ୍କ ଶବ ରଖି ତ ଆଉ କେତେବେଳେ ସ୍ଥାନୀୟ ଲୋକେ ସମବେତ ହୋଇ ଆନ୍ଦୋଳନକୁ ଓହ୍ଲାଇ ରାସ୍ତାରୋକୋ କରୁଛନ୍ତି। ବିଭାଗୀୟ ଅଧିକାରୀମାନେ ସେତେବେଳେ ଘଟଣାସ୍ଥଳ କିମ୍ୱା ଆନ୍ଦୋଳନସ୍ଥଳକୁ ପହଞ୍ଚି ଚିରାଚରିତ ଢଙ୍ଗରେ ମୃତକଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ଏବଂ ସଡ଼କ ଦୁର୍ଘଟଣା ରୋକିବା ନେଇ ବିହିତ ପଦକ୍ଷେପ ନିଆଯିବାର ପ୍ରତିଶ୍ରୁତି ଦେଉଛନ୍ତି। ମାତ୍ର ଆନ୍ଦୋଳନ ହଟିଯିବା ପରେ ସେହି ପ୍ରତିଶ୍ରୁତି ପାଣିର ଗାର ପାଲଟୁଛି। ସହର ଭିତରକୁ ବିନା ଫିଟ୍ନେସ୍ରେ ରହିଥିବା ମାଲବାହୀ ଟ୍ରକ୍, ବାଲି ବୋଝେଇ ହାଇୱା ଆଦି ପଶୁଛି। ଏପରିକି କିଛି ସ୍କୁଲବସ୍ରେ ଛାତ୍ରୀଛାତ୍ରଙ୍କ ଯାତାୟାତ ବିପଦପୂର୍ଣ୍ଣ ରହିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏହାସତ୍ତ୍ୱେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ସହର ମଧ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କଠାରୁ ଜିଲାପାଳ, ପୋଲିସ ଥାନା ଅଧିକାରୀଙ୍କଠାରୁ ଏସପିଙ୍କ ପର୍ଯ୍ୟନ୍ତ କାର୍ଯ୍ୟାଳୟ ରହିଛି। ଏହାସତ୍ତ୍ୱେ ସେଭଳି ବିନା ଫିଟ୍ନେସ୍ରେ ରହିଥିବା ଟ୍ରକ, ଟ୍ରାକ୍ଟର, ବସ୍, ହାଇୱା ଗାଡ଼ି ବେଧଡ଼କ ଚଳାଚଳ କରିବା ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ପାରିବାପଣିଆକୁ ପଦାରେ ପକାଇ ଦେଇଛି। ସେହପରି ସଡ଼କ ସୁରକ୍ଷା ନେଇ ବାରମ୍ୱାର ସଭା, ସମିତି ଚାଲିଛି। ଏଥିପାଇଁ ସଡ଼କ ସୁରକ୍ଷା କମିଟି ମଧ୍ୟ ଗଠନ କରାଯାଇଛି। କିନ୍ତୁ ସଡ଼କ ସୁରକ୍ଷା ସଭା, ସମିତି ଏବଂ କମିଟି ଗଠନରେ ହିଁ କେବଳ ସୀମିତ ରହି ଯାଇଛି, ତାହା ସହର ମଧ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣାରୁ ଆପେ ବାରି ହୋଇ ପଡୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ତେବେ ଏଣୁ ଏଣକି ସେ ନେଇ ଏନ୍ଫୋର୍ସମେଣ୍ଟ ପୂର୍ୱାପେକ୍ଷା ଆହୁରି ଅଧିକ କଡ଼ାକଡ଼ି ହେବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ଅଶୋକ କୁମାର ପାଣିଗ୍ରାହୀ କହିଛନ୍ତି।

