ଗଞ୍ଜାମ, ୧୯।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ଲକର ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୩୦୬୦ ଜଣଙ୍କୁ ୨୮ଟି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ପରିସ୍ଥିତିକୁ ଦେଖି ଆବଶ୍ୟକ ପଡ଼ିଲେ ଆହୁରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ଗଞ୍ଜାମ ତହସିଲଦାର ସୁକାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି।
ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ଖାଦ୍ୟପେୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧାର ବ୍ୟବସ୍ଥା କରାଯାଇଛି। ଗଞ୍ଜାମ ବିଡିଓ ଅଚ୍ୟୁତାନନ୍ଦ ଜାନୀ ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରି ଲୋକଙ୍କୁ ଯୋଗାଇ ଦିଆଯାଉଥିବା ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା ତଦାରଖ କରିଛନ୍ତି। ଆଶ୍ରୟ ନେଇଥିବା ଲୋକଙ୍କୁ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଇଛି।
ଅନ୍ୟପକ୍ଷରେ ବୁଧବାର ପୋଇରାଶି ପଞ୍ଚାୟତର ବରପଲ୍ଲୀ ଗ୍ରାମସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରସ୍ତୁତ ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିଛନ୍ତି ରାଜ୍ୟସ୍ତରରୁ ଆସିଥିବା ସୱତନ୍ତ୍ର ଅନୁଧ୍ୟାନକାରୀ ଟିମ୍ର ସଦସ୍ୟ ତଥା ଆଇଏଏସ ଅଧିକାରୀ ଓ ରାଇରଙ୍ଗପୁର ଜିଲ୍ଲା ଏଡିଏମ ଅଜିତ କୁମାର। ସେ ନିଜେ ଖାଦ୍ୟ ଖାଇ ଏହାର ମାନ ପରଖିବା ସହ ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ଖାଦ୍ୟର ଗୁଣବତ୍ତା ଓ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।
ଏହି ଅବସରରେ ପୋଇରାଶି ସରପଞ୍ଚ ରବୀନ୍ଦ୍ରନାଥ ବେହେରା, ସହକାରୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ ଓ ପୂର୍ବତନ ସମିତି ସଭ୍ୟ ବନବାସୀ ଖୁଣ୍ଟିଆଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିଥିବା ବେଳେ ଲୋକଙ୍କ ସୁରକ୍ଷା ଓ ଆଶ୍ରୟସ୍ଥଳୀରେ ଆବଶ୍ୟକ ସୁବିଧା ଯୋଗାଇଦେବା ଉପରେ ପ୍ରାଥମିକତା ଦିଆଯାଇଛି।
Dharitri – Odisha’s No.1 Odia Daily

