ଦାରିଙ୍ଗବାଡ଼ି,୧୯।୧୧(ଅରୁଣ ସାହୁ):ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ଆଗୁଆ ସତର୍କ ହୋଇଛି ଜିଲା ପ୍ରଶାସନ। ସୁରକ୍ଷା ଦୃଷ୍ଟିରୁ କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଦାରିଙ୍ଗବାଡ଼ି-ଗାଜଲବାଡ଼ି ଘାଟି ରାସ୍ତାକୁ ଗୁରୁବାର ସକାଳଠାରୁ ଉଭୟ ପଟୁ ସିଲ କରିଦିଆଯାଇଛି। ଫଳରେ ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର ଓ ଭଞ୍ଜନଗରକୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
କନ୍ଧମାଳ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଘାଟି ରାସ୍ତାରେ ସମସ୍ତ ପ୍ରକାର ଯାନବାହନ ଚଳାଚଳକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ଗଞ୍ଜାମ ଜିଲ୍ଲାର ଗାଜଲବାଡ଼ି ପଟେ ସୋରଡ଼ା ଥାନା ଆଇଆଇସି ସୁନୀଲ ପ୍ରଧାନଙ୍କ ନେତୃତ୍ୱରେ ସଶସ୍ତ୍ର ପୁଲିସ ବାହିନୀ ମୁତୟନ ହୋଇ ଯାନବାହନକୁ ଅଟକାଉଛନ୍ତି। ସେହିପରି କନ୍ଧମାଳ ଜିଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶରେ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ଓ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ଉପସ୍ଥିତିରେ ବାଇମାଳା ବନବିଭାଗ ଚେକ୍ଗେଟ ନିକଟରେ ରାସ୍ତା ସିଲ କରାଯାଇଛି। ସେଠାରେ ମଧ୍ୟ ପୁଲିସ ମୁତୟନ ରହି ଗାଡ଼ିମୋଟର ଚଳାଚଳକୁ ରୋକିଛି।
ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ବାତ୍ୟା ପ୍ରଭାବରେ ଘାଟି ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ହେଲେ ଭୂସ୍ଖଳନ, ପାହାଡ଼ରୁ ପଥର ଓ ମାଟି ଧସିବା ସହ ରାସ୍ତା ଓ ପୋଲର ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ପାହାଡ଼ିଆ ଓ ଦୁର୍ବଳ ଭୂମି ଦେଇ ଯାଇଥିବା ଏହି ରାସ୍ତାରେ ଯାତାୟାତ ଯାତ୍ରୀ ଓ ଅନ୍ୟ ରାସ୍ତା ବ୍ୟବହାରକାରୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ତେଣୁ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସହ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିବ।
ଅନ୍ୟପକ୍ଷରେ ଘାଟି ରାସ୍ତା ବନ୍ଦ ହେବା ଯୋଗୁ ଗଞ୍ଜାମରୁ କନ୍ଧମାଳ ଜିଲାକୁ ନିୟମିତ ଆସୁଥିବା ରାସନ, ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ମଧ୍ୟ ପ୍ରଭାବିତ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଛି।
ସୂଚନାଯୋଗ୍ୟ, ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ସମୟରେ ଗତ ୨୯ ତାରିଖରେ ଏହି ଘାଟି ରାସ୍ତାରେ ଭୂସ୍ଖଳନ ହୋଇଥିଲା। ଏଥିସହ ଗାଜଲବାଡ଼ିକୁ ସଂଯୋଗ କରୁଥିବା ଅଡ଼ଙ୍ଗୀ ନଦୀ ନିକଟରେ ପ୍ରାୟ ୩୬୦ ମିଟର ରାସ୍ତା ଓ ପୋଲ ଧୋଇ ହୋଇଯାଇଥିଲା। ପରେ ମରାମତି କରାଯାଇ ଚଳିତ ମାସ ୬ ତାରିଖଠାରୁ କେବଳ ହାଲୁକା ଯାନ ଚଳାଚଳକୁ ଅନୁମତି ମିଳିଥିଲା। ତେବେ ଯାତ୍ରୀବାହୀ ବସ ଓ ଭାରୀଯାନ ଚଳାଚଳ ଉପରେ ପୂର୍ବରୁ ହିଁ କଟକଣା ଜାରି ରହିଥିଲା।
ଏବେ ପୁଣି ଏକ ବାତ୍ୟାର ଆଶଙ୍କା ଦେଖାଦେବା ପରେ ପ୍ରଶାସନର ଏହି ଆଗୁଆ ପଦକ୍ଷେପ ଘାଟି ଅଞ୍ଚଳରେ ଯାତାୟାତକୁ ପ୍ରଭାବିତ କରିଛି। ତେବେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ରାସ୍ତା ବନ୍ଦ ରଖାଯାଇଥିବାରୁ ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି।
Dharitri – Odisha’s No.1 Odia Daily

