ଭଞ୍ଜନଗର, ୧୯।୧୧ (ବାବୁଲା ପ୍ରଧାନ)- ଆଉ କିଛି ଘଣ୍ଟା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାବେଳେ ଏହାର ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ପୂର୍ବ ପ୍ରସ୍ତୁତି ସ୍ବରୂପ ଭଞ୍ଜନଗର ଉପଖଣ୍ଡର ସମସ୍ତ ଜଳଭଣ୍ଡାରର ଜଳସ୍ତର ହ୍ରାସ କରିଛି।
ଗୁରୁବାର ସକାଳ ୬ଟା ସୁଦ୍ଧା ଡହ ଜଳଭଣ୍ଡାରରେ ୪୦ ପ୍ରତିଶତ ଜଳ ମହଜୁଦ ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଜଳଭଣ୍ଡାରରୁ ପାଣି ଛାଡ଼ିବା ବନ୍ଦ କରାଯାଇଛି। ବର୍ଷା ନହେଲେ ମଧ୍ୟ ଉପରମୁଣ୍ଡରୁ କେନାଲ ଜଳ ଆସି ଜଳଭଣ୍ଡାର ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ସେହିପରି ଭଞ୍ଜନଗର ଜଳଭଣ୍ଡାରରେ ୭୩ ପ୍ରତିଶତ, ବାଘୁଆରେ ୫୦ ପ୍ରତିଶତ ଏବଂ ସୋରଡ଼ା ଜଳଭଣ୍ଡାରରେ ୮୦ ପ୍ରତିଶତ ଜଳ ମହଜୁଦ ରହିଛି। ସମ୍ଭାବ୍ୟ ବାତ୍ୟା ଓ ବର୍ଷା ଜନିତ ପରିସ୍ଥିତିର ମୁକାବିଲା ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ରଖାଯାଇଛି।
ଏନେଇ ଭଞ୍ଜନଗର ଜଳସେଚନ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ସମସ୍ତ ଜଳଭଣ୍ଡାରର ଜଳସ୍ତର କମାଇ ଦିଆଯାଇଛି। ଡହ ଏବଂ ବାଘୁଆ ଜଳଭଣ୍ଡାରରୁ ଜଳ ନିଷ୍କାସନ ବନ୍ଦ ରଖାଯାଇଛି। ବର୍ଷାର ପରିମାଣ ଓ ପରିସ୍ଥିତିକୁ ଆକଳନ କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଭଞ୍ଜନଗର ଏବଂ ସୋରଡ଼ା ଜଳଭଣ୍ଡାରରୁ ପାଣି ଛଡା ଯାଉଛି। ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ପର୍ଯ୍ୟାୟରେ ହୋଇଥିବା ବନ୍ୟାରେ ଜଳସମ୍ପଦ ବିଭାଗର ଯେଉଁ କ୍ଷତି ହୋଇଥିଲା ତାହାର ଅସ୍ଥାୟୀ ଭାବେ ମରାମତି କରାଯାଇଛି । ଲୋକଙ୍କ ଧନଜୀବନ ଯେଭଳି କୌଣସି କ୍ଷତି ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଇ ସମସ୍ତ ପଦକ୍ଷେପ ନିଆଯାଇଛି।
ସୂଚନା ଯୋଗ୍ୟ ଯେ, ଗତ ୨୯ ତାରିଖରେ ହୋଇଥିବା ବନ୍ୟା ଜଳସମ୍ପଦ ବିଭାଗର ଅବହେଳା ଏବଂ ଯନ୍ତ୍ରୀ ମାନଙ୍କ ମଧ୍ୟରେ ସମନୟ ର ଅଭାବରୁ ହୋଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ସାରା ରାଜ୍ୟରେ ବିଭାଗ ବଦନାମ ହୋଇଥିଲା। ତେଣୁ ଏହାର ପୁନରାବୃତ୍ତି ଯେଭଳି ନ ହେବ ସେଥିପ୍ରତି ବିଭାଗ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ସମସ୍ତ ଜଳଭଣ୍ଡାର ଉପର କଡ଼ା ନଜର ରଖାଯାଇଛି।
Dharitri – Odisha’s No.1 Odia Daily

