ନୂଆଦିଲ୍ଲୀ, ୧୦।୫: ଦେଶରେ କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ ରଖିବାକୁ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ସୋମବାର ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛି। କଂଗ୍ରେସ ନେତୃତ୍ୱରେ ପରିବର୍ତ୍ତନ ପାଇଁ ଗତବର୍ଷ ଗୁଲାମ ନବୀ ଆଜାଦ, କପିଲ ସିବଲ ଏବଂ ଆନନ୍ଦ ଶର୍ମାଙ୍କ ସମେତ କଂଗ୍ରେସର ୨୩ ଅସନ୍ତୁଷ୍ଟ ନେତା ଗୋଷ୍ଠୀ (ଜି-୨୩) ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ଜଣାଇଥିଲେ। ଚଳିତ ବର୍ଷ ଜୁନ୍ ସୁଦ୍ଧା ଦଳରେ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି ପାଇଁ ନିଷ୍ପତ୍ତି ହୋଇଥିଲା। ଜୁନ୍ ୨୩ରେ ଅଧ୍ୟକ୍ଷ ନିର୍ବାଚନ କରିବାକୁ ସ୍ଥିର ହୋଇଥିବାବେଳେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।