ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ ନିର୍ବାଚନ ବାତିଲ କରାଯାଇଛି। ଭଦ୍ରକ ମହିଳା କଲେଜ ଓ ଭଣ୍ଡାରିପୋଖରୀ ବ୍ଲକ ନାଆମୀ କଲେଜରେ ନିର୍ବାଚନ ବାତିଲ ହୋଇଥିବା ସୂଚନା ମିଳିଛି। କଲେଜରେ ନିର୍ବାଚନକୁ ନେଇ ଉତ୍ସୃଙ୍ଖଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶୃଙ୍ଖଳା ଏବଂ ଶିକ୍ଷାନୁଷ୍ଠାନ ପରିସରରେ ଶାନ୍ତ ବାତାବରଣ ପାଇଁ ଦୁଇ କଲେଜରେ ନିର୍ବାଚନ ବାତିଲ ହୋଇଛି। ତେବେ ଏହାକୁ ନେଇ ଛାତ୍ରୀଛାତ୍ର ଏବଂ ରାଜନୈତିକ ମହଲରେ ନାନା ଚର୍ଚ୍ଚା ହେଉଛି।
ଶୁକ୍ରବାର ନିର୍ବାଚନର ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଥିବା ବେଳେ ଗୁରୁବାର ଏବିଭିପି ପକ୍ଷରୁ ଭଦ୍ରକ ମହିଳା କଲେଜ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। ମହିଳା ମହାବିଦ୍ୟାଳୟକୁ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥିନୀମାନେ ନାମାଙ୍କନ ଭରିବାକୁ ସଦଳବଳ ଯାଇଥିବା ବେଳେ କଲେଜ କାନ୍ଥରେ ନିର୍ବାଚନ ବାତିଲ ହେବାନେଇ ନୋଟିସ ଦେଖି ଛାତ୍ରୀଛାତ୍ର କ୍ଷୋଭ ପ୍ରକାଶ କରିଥିଲେ। କାହିଁକି କଲେଜ ନିର୍ବାଚନ ବାତିଲ ହେଲା ତାହାକୁ ସରକାରଙ୍କୁ ତାତ୍ସଲ୍ୟ କରିଥିଲେ ଏବଂ ସରକାରଙ୍କଙ୍କ ଦୋମୁହାଁ ନୀତି ବିରୋଧରେ ଗର୍ଜିଥିଲେ ଛାତ୍ରୀଛାତ୍ର। ସେହିପରି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ମଧ୍ୟ ନାଆମୀ କଲେଜରେ ମଧ୍ୟ ନିର୍ବାଚନ ବାତିଲ କରାଯାଇଛି l ଛାତ୍ରୀଛାତ୍ର କଲେଜ ଗେଟ୍ ଆଗରେ ପ୍ରତିବାଦ କରିବା ସହ ନିର୍ବାଚନ ପାଇଁ ଦାବି କରିଛନ୍ତି। ପୋଲିସ ମୁତୟନ ରହିଛନ୍ତି। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ବାତିଲ ହୋଇଥିବା କହିଛନ୍ତି କଲେଜ କର୍ତ୍ତୃପକ୍ଷ।

