ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ କାର୍ଯ୍ୟାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏଭଳି ଅବହେଳା ଦୃଷ୍ଟିକୁ ଅସିଛି। ସରକାରୀ ନଥିପତ୍ର ସୁରକ୍ଷା ଓ ଜନସାଧାରଣଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଅନ୍ୟପକ୍ଷରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନ ଥିବା ହେତୁ ୧୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟାଳୟକୁ ନୋଟିସ ଜାରି ହୋଇଥିବା ଜିଲା ଅଗ୍ନିଶମ ଅଧିକାରୀ କହିଛନ୍ତି।
ସରକାରୀ କାର୍ଯ୍ୟାଳୟରେ କମ୍ପ୍ୟୁଟର, ବଦ୍ୟୁତ୍ ଉପକରଣ ସହ ଜମିଜମା ଦଲିଲ ଓ ଆର୍ଥିକ କାରବାର ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ରହିଥାଏ। ଅଗ୍ନିକାଣ୍ଡ ଘଟିଲେ ଏସବୁ ନଷ୍ଟ ହେବା ସହ କର୍ମଚାରୀ ଓ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ସୁରକ୍ଷା ବିପନ୍ନ ହୋଇପାରେ। ପୂର୍ବରୁ ପାରଳାଖେମୁଣ୍ଡି ପୌର ପରିଷଦ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟି ତଥ୍ୟ ନଷ୍ଟ ହୋଇଥିବା ନଜିର ରହିଛି। ଏହା ସତ୍ତ୍ୱେ ଅନ୍ୟ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାର ସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। ଜିଲା ଅଗ୍ନିଶମ ଅଧିକାରୀ ଧୀରେନ୍ଦ୍ର ଦାସଙ୍କ କହିବାନୁଯାୟୀ, ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ନିର୍ବାପକ ଯନ୍ତ୍ର ସ୍ଥାପନ ପାଇଁ ନିୟମ ରହିଛି।
ଏନେଇ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସଚେତନ କରାଯିବା ସହ ୧୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟାଳୟକୁ ନୋଟିସ ଜାରି କରାଯାଇଛି। ଅଘଟଣ ଘଟିବା ପରେ ତତ୍ପରତା ଦେଖାଇବା ପରିବର୍ତ୍ତେ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଜିଲା ପ୍ରଶାସନ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ଦାବି ହେଉଛି।

