ଏକଲା ଚଲୋରେ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ଥରେ ଗ୍ରୀକ୍‌ ଦାର୍ଶନିକ ଡାୟୋଜିନିସ ବଜାରର ଗୋଟିଏ ଛକରେ ଛିଡ଼ା ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଭାଷଣ ଦେଉଥାଆନ୍ତି। ନିକଟରେ ବହୁ ଲୋକ ଚଳପ୍ରଚଳ ହେଉଥିଲେ। କିନ୍ତୁ କେହି ତାଙ୍କ ଭାଷଣ ଶୁଣିବା ପାଇଁ ଆସୁ ନ ଥିଲେ। କିଛି ସମୟ ପରେ ସେ ହଠାତ୍‌ ଭାଷଣ ବନ୍ଦ କରି ହୁଇସିଲ୍‌ ମାରିବା ଆରମ୍ଭ କଲେ। ଚାହୁଁ ଚାହୁଁ ଲୋକଙ୍କ ଭିଡ଼ ବଢ଼ିଗଲା। ତାଙ୍କ ଆଗରେ ଭିଡ଼ ଜମାଇଥିବା ଜନତାଙ୍କୁ ଲକ୍ଷ୍ୟ କରି ଡାୟୋଜିନିସ୍‌ କହିଲେ, ”କ’ଣ ପାଇଁ ଏହି ଭିଡ଼?“ ଜଣେ ଉତ୍ତର ଦେଲା, ”ଆପଣ ହୁଇସିଲ୍‌ ମାରିଲେ। ଏଣୁ ଆମେ କୌତୂହଳବଶତଃ ଜମା ହୋଇଗଲୁ।“ ଡାୟୋଜିନିସ କହିଲେ, ”ମଣିଷ ଅଭାବରୁ ଏଭଳି ଦୁର୍ଭାଗ୍ୟଜନକ ପରିସ୍ଥିତି ଉପୁଜୁଛି। ଯେତେବେଳେ ମୋର ଶ୍ରୋତା ଦରକାର ଥିଲା ଓ ମୁଁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହୁଥିଲି, ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣେ ବି ଆସିଲ ନାହିଁ। ଅଥଚ ମୋର ଅର୍ଥହୀନ ହୁଇସିଲ୍‌ ଶବ୍ଦ ଶୁଣି ଏତେ ବଡ଼ ଭିଡ଼ ଜମାଇଦେଲ।“ ଆଜି ମଧ୍ୟ ବହୁ ଦାର୍ଶନିକ, ସତ୍ୟନିଷ୍ଠ ଓ ଅନୁଭବୀ ବ୍ୟକ୍ତିମାନଙ୍କ ଅବସ୍ଥା ଠିକ୍‌ ଡାୟୋଜିନିସ୍‌ଙ୍କ ଭଳି। ଏହିଭଳି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜସ୍ବ ଅନୁଭୂତି ଓ ଅଭିଜ୍ଞତାରୁ ଏବଂ ବହୁବିଧ ପୁସ୍ତକ ଅଧ୍ୟୟନରୁ ଜ୍ଞାନ ଅର୍ଜନ କରନ୍ତି ଓ ତାକୁ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଚାହାନ୍ତି। ମାତ୍ର ସେମାନଙ୍କ କଥା ଶୁଣିବା ପାଇଁ ଅନ୍ୟମାନଙ୍କ ପାଖରେ ସମୟ ନ ଥାଏ ବା ଆଗ୍ରହ ନ ଥାଏ। ସେତେବେଳେ ସେମାନଙ୍କ ମନରେ ପ୍ରଶ୍ନ ଆସେ ଏତେ ଅଧ୍ୟୟନ କରି ଜ୍ଞାନାର୍ଜନ କରିବା ଅର୍ଥହୀନ। ଏହି ପ୍ରସଙ୍ଗରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର କହିଥିଲେ, ”ଯଦି ତୋର ଡାକ୍‌ ଶୁନେ କେଉ ନ ଆସେ, ତବେ ଏକଲା ଚଲୋରେ।“ ନିଜେ ଅନୁଭବ କରିଥିବା ସତ୍ୟକୁ ଯଦି କେହି ଶୁଣୁନାହାନ୍ତି, ତେବେ ଏକଲା ଚାଲିବାକୁ ହେବ। ଗାନ୍ଧିଜୀ ମଧ୍ୟ ଏହି ଦର୍ଶନରେ ବିଶ୍ୱାସ କରୁଥିଲେ। ଏଣୁ ସେ ନୂଆଖାଲି ଓ କଲିକତାରେ ସାମ୍ପ୍ରଦାୟିକ ଦଙ୍ଗାର ନିଆଁକୁ ଲିଭାଇବା ବେଳେ ରବୀନ୍ଦ୍ରନାଥଙ୍କ ଏକଲା ଚଲୋରେ ଗୀତକୁ ପସନ୍ଦ କରୁଥିଲେ।
ପୃଥିବୀରେ ବହୁ ମହାମନୀଷୀ ଏହିଭଳି ଏକେଲା ଚାଲିଛନ୍ତି। ଗ୍ରୀକ୍‌ମନୀଷୀ ସକ୍ରେଟିସ୍‌ ବ୍ୟକ୍ତିର ବିଚାରବୋଧ, ମତ ସ୍ଥାପନର ସ୍ବାଧୀନତା ଓ ବ୍ୟକ୍ତି ସ୍ବାତନ୍ତ୍ର୍ୟ ସମ୍ପର୍କରେ ଯାହା କହୁଥିଲେ ତତ୍କାଳୀନ ରାଷ୍ଟ୍ରଶାସନ ତାକୁ ଗ୍ରହଣ କରି ନ ଥିଲା। ସେ କହୁଥିଲେ, ”ସମଗ୍ର ସଂସାର ତୁମକୁ ବିରୋଧ କଲେ ମଧ୍ୟ ତୁମ ହୃଦୟ ଯଦି କହୁଛି ତୁମେ ଯାହା କରୁଛ ଠିକ୍‌ କରୁଛ, ତେବେ ତୁମେ ଅବିଚଳିତ ଭାବରେ ହୃଦୟର କଥା ଶୁଣ।“ ମାତ୍ର ରାଷ୍ଟ୍ରନେତାମାନେ ତାଙ୍କ କଥା ଗ୍ରହଣ କଲେ ନାହିଁ। ତଥାପି ସେ ଏକଲା ଚାଲିଲେ ଓ ଶେଷରେ ତତ୍‌କାଳୀନ ରାଷ୍ଟ୍ରଦଣ୍ଡକୁ ଗ୍ରହଣ କରି ବିଷପାନ କଲେ। ଇଟାଲୀର ଜିଓର୍ଦାନୋ ବ୍ରୁନୋ କୋପରନିକସ୍‌ଙ୍କୁ ସମର୍ଥନ କରି କହିଲେ, ସୂର୍ଯ୍ୟଙ୍କ ଚାରିପଟେ ପୃଥିବୀ ଘୂରୁଛି। ଏହା ଧର୍ମଗ୍ରନ୍ଥ ବାଇବେଲର ବିରୁଦ୍ଧାଚରଣ କରୁଥିବାରୁ ଧର୍ମଯାଜକମାନଙ୍କ ଦ୍ୱାରା ସେ ଧର୍ମଦ୍ରୋହୀ ଘୋଷିତ ହେଲେ। ମାତ୍ର ବ୍ରୁନୋ ତାଙ୍କ ମତରେ ଦୃଢ଼ ରହିଲେ। ତାଙ୍କ ଜିଭକୁ ତୀକ୍ଷ୍ମ ଅସିଧାରରେ କାଟି ଦିଆଗଲା, ଯେପରି ସେ କହିପାରିବେ ନାହିଁ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରୁଛି ବୋଲି। ତା’ପରେ ତାଙ୍କୁ ପୁଣି ଜୀବନ୍ତ ଦାହ କରାଗଲା। ମାତ୍ର ତା’ର ପ୍ରାୟ ତିନି ଶହ ବର୍ଷ ପରେ ଭାଟିକାନ୍‌ କୋପରନିକସ୍‌ଙ୍କ ଆବିଷ୍କୃତ ସତ୍ୟକୁ ସ୍ବୀକାର କଲା। ଦିନେ ଯେଉଁ ମହାମନୀଷୀମାନଙ୍କ କଥାକୁ ସମାଜ ଗ୍ରହଣ କରୁନଥିଲା, ପରବର୍ତ୍ତୀ ସମୟରେ ସେହି ସମାଜ ଓ ସେହି ରାଷ୍ଟ୍ର ତାକୁ ସ୍ବୀକୃତି ଦେଲା। ମାତ୍ର ଏଥିପାଇଁ ସେହି ମହାମନୀଷୀମାନଙ୍କୁ ଏକଲା ଚାଲିବାକୁ ପଡ଼ିଥିଲା। ଏହିଭଳି ଘଟଣା ପ୍ରବାହର ଏବେ ବି ଅନ୍ତ ହୋଇନାହିଁ। ଏହାହିଁ ବିଡ଼ମ୍ବନା। ତା’ ସତ୍ତ୍ୱେ ରବୀନ୍ଦ୍ରନାଥଙ୍କ ଆହ୍ବାନ ଥିଲା ଏକଲା ଚଲୋରେ। ସତ୍ୟ ଉପଲବ୍‌ଧି କରିଥିବା ବ୍ୟକ୍ତି ଅନ୍ୟ କାହାକୁ ତା’ ଇଚ୍ଛା ବିରୋଧରେ ଜୋର କରି ଶୁଣାଇବାର ଆବଶ୍ୟକତା ନାହିଁ। ଗୀତାରେ ଭଗବାନ୍‌ ଅର୍ଜୁନଙ୍କୁ କହିଛନ୍ତି: ଇଦଂ ତେ ନାତପସ୍କାୟ ନାଭକ୍ତାୟ କଦାଚନ/ ନ ଚାଶ୍ରୁଶ୍ରୂଷବେ ବାଚ୍ୟଂ ନ ଚ ମାଂ ଯୋଽ ଭ୍ୟସୂୟତି। ଅର୍ଥାତ୍‌ ଏହି ଗୁହ୍ୟବଚନ ତୁମେ ଯିଏ କଷ୍ଟ ସହିପାରେ ନାହିଁ (ଅତପସ୍ବୀ), ଯାହାର ଶ୍ରଦ୍ଧା ନାହିଁ (ଅଭକ୍ତ), ଯିଏ ଶୁଣିବା ପାଇଁ ଅନିଚ୍ଛୁକ ଓ ଯାହାର ଦୋଷଦୃଷ୍ଟି ଅଛି ସେମାନଙ୍କୁ କହିବ ନାହିଁ। ଏହି ପ୍ରସଙ୍ଗରେ ମନେପଡ଼େ ଏକ କାହାଣୀ।
ଜଣେ ଜମିଦାରଙ୍କ ଉଦ୍ୟାନରେ ଥିବା ଏକ କୁଟିରରେ ରହୁଥାନ୍ତି ଜଣେ ତପସ୍ବୀ। ତିନିଜଣ ଜିଜ୍ଞାସୁ ଭକ୍ତଙ୍କୁ ସେ ବୁଝାଉଥା’ନ୍ତି ମଣିଷର ପ୍ରକୃତ ପରିଚୟ କ’ଣ, ସେ କେଉଁଠୁ ଆସିଛି, କେଉଁଠାକୁ ଯିବ ଇତ୍ୟାଦି। ତପସ୍ବୀଙ୍କ ବୁଝାଇବା ଶୈଳୀରେ ମୁଗ୍ଧ ହୋଇ ପାଖରେ ଛିଡ଼ା ହୋଇଥିବା ଜମିଦାରଙ୍କ ସ୍ତ୍ରୀ ତପସ୍ବୀଙ୍କୁ କହିଲେ, ”ମହାଭାଗ! ଆସନ୍ତାକାଲି ମୋର ତିନିଜଣ ବାନ୍ଧବୀ ଏଠାକୁ ବୁଲିବାକୁ ଆସିବେ। ତତ୍ତ୍ୱ କଥା ଶୁଣିବାର ସୁଯୋଗ ସେମାନେ କେବେ ପାଉ ନ ଥିବେ। ଏଣୁ ଆପଣଙ୍କୁ ଅନୁରୋଧ, ଆପଣ ସେମାନଙ୍କୁ କିଛି ତତ୍ତ୍ୱ କଥା ଶୁଣାଇବେ।“ ତପସ୍ବୀ ନୀରବ ରହିଲେ। ପରଦିନ ପହଞ୍ଚତ୍ଲେ ତିନି ବାନ୍ଧବୀ। ଜଣେ ବିଚାରକଙ୍କ ପତ୍ନୀ, ଜଣେ ହାକିମଙ୍କ ପତ୍ନୀ ଓ ଆଉ ଜଣେ ବ୍ୟବସାୟୀଙ୍କ ପତ୍ନୀ। ସେମାନେ ତପସ୍ବୀଙ୍କୁ ପ୍ରଣାମ କରି ଗୋଟିକ ପରେ ଗୋଟିଏ ଅନେକ ପ୍ରଶ୍ନ ପଚାରୁଥା’ନ୍ତି। ପ୍ରଶ୍ନଗୁଡ଼ିକ ଥିଲା, ଈଶ୍ୱର ବ୍ରହ୍ମାଣ୍ଡ ସୃଷ୍ଟି କଲେ କାହିଁକି? ମୃତ୍ୟୁ ପରେ ଆମତ୍ା କୁଆଡ଼େ ଯାଏ? ଏଭଳି ଅନେକ ପ୍ରଶ୍ନ। ତପସ୍ବୀ ସେମାନଙ୍କ ପ୍ରଶ୍ନଗୁଡ଼ିକୁ ପ୍ରଶଂସା କଲେ, ମାତ୍ର ଉତ୍ତର ନ ଦେଇ ସହରର ଜଳବାୟୁ ପରିବେଶ, ଲୋକଚରିତ୍ର ଆଦି ବିଷୟରେ ଜାଣିବାକୁ ଚାହିଁଲେ ଓ କିଛି ସମୟ ପରେ ଦିବାହାର ପାଇଁ ଉଠି କହିଲେ ସେ ପ୍ରଶ୍ନଗୁଡ଼ିକର ଉତ୍ତର ଆଉ ଦିନେ ଦେବେ ଓ ଚାଲିଗଲେ। ଜମିଦାରଙ୍କ ପତ୍ନୀ ଦୁଃଖିତ ହେଲେ। ତା’ପରଦିନ ତପସ୍ବୀ ଜଣେ ବ୍ୟକ୍ତିକୁ ଜମିଦାରଙ୍କ ପତ୍ନୀଙ୍କ ନିକଟକୁ ପଠାଇଲେ। ଲୋକଟିକୁ ଗଁା ସାରା ଲୋକେ ଠକ ବୋଲି ଜାଣନ୍ତି। ସେ ଯାଇ ଗୋଟିଏ ରାତି ପାଇଁ ଜମିଦାରଙ୍କ ପତ୍ନୀଙ୍କୁ ସୁନାହାରଟିଏ ମାଗିଲା। ଜମିଦାରଙ୍କ ପତ୍ନୀ ତାକୁ ଗାଳିକରି ଫେରାଇଦେଲେ। ସନ୍ଧ୍ୟା ସମୟରେ ସେ ତପସ୍ବୀଙ୍କୁ ସାକ୍ଷାତ୍‌ କରିବାକୁ ଯାଆନ୍ତେ ତପସ୍ବୀ କହିଲେ, ”ଆଜି ରାତିଟା ପାଇଁ ତୁମେ ମୋତେ ତୁମର ସୁନାହାରଟି ଦେଇପାରିବ?“ ସଙ୍ଗେ ସଙ୍ଗେ ମହିଳା ଜଣକ ହାରଟିକୁ ବଢ଼ାଇ ଦେଇ କହିଲେ, ”ମହାଭାଗ! ଆଉ କିଛି ଅଳଙ୍କାର ଦରକାର ହେଲେ ବି ମୁଁ ଦେବି।“ ତପସ୍ବୀ କହିଲେ, ”ତାହେଲେ ଆଜି ଉପରଓଳି ତୁମ ଗଁାର ସେହି ଲୋକଟିକୁ ହାର ଦେଲ ନାହିଁ କାହିଁକି?“ ମହିଳା କହିଲେ, ”ମହାଭାଗ! ସେ ଜଣେ ଠକ। ମୁଁ ତାକୁ ବିଶ୍ୱାସ କରନ୍ତି କିପରି?“ ତପସ୍ବୀ ଉତ୍ତର ଦେଲେ, ”ସୁନାହାର ଏକ ସ୍ଥୂଳ ସଂପଦ। ତୁମେ ତାକୁ ଜଣେ ଅଯୋଗ୍ୟ ଲୋକକୁ ଦେବାକୁ ପ୍ରସ୍ତୁତ ନୁହଁ। ବ୍ରହ୍ମଜ୍ଞାନ ହେଉଛି ଅତ୍ୟନ୍ତ ସୂକ୍ଷ୍ମ। ତାକୁ ମୁଁ କେତେଜଣ ଭ୍ରମର ବିଳାସିନୀଙ୍କୁ ଦିଅନ୍ତି କିପରି? ଜ୍ଞାନ ପାଇଁ ଲୋଡ଼ା ତୀବ୍ର ଅଭୀପ୍‌ସା, ବ୍ୟାକୁଳ ଅନୁସନ୍ଧିତ୍ସା ଓ ଗଭୀର ନମ୍ରତା।“ ଏଥିପାଇଁ ଭଗବାନ୍‌ କେବଳ ପ୍ରକୃତ ଜିଜ୍ଞାସୁ, କଷ୍ଟସହିଷ୍ଣୁ, ଶ୍ରଦ୍ଧାବାନ୍‌ ଓ ଆଗ୍ରହୀ ବ୍ୟକ୍ତିଙ୍କୁ ତତ୍ତ୍ୱ କହିବା ପାଇଁ ଅର୍ଜୁନଙ୍କୁ କହିଥିଲେ।
ନିରଞ୍ଜନା ନଦୀକୂଳରେ ପ୍ରାୟ ଛଅ ବର୍ଷ କାଳ ନାମକୁମାତ୍ର ଆହାର ଗ୍ରହଣ କରି ଅଶେଷ କ୍ଳେଶ ମଧ୍ୟରେ ଗୌତମ ତପସ୍ୟା କରୁଥା’ନ୍ତି। ଶେଷରେ ଖାଦ୍ୟ ବିନା ପ୍ରାୟ ଚେତାଶୂନ୍ୟ ଅବସ୍ଥାକୁ ପ୍ରାପ୍ତ ହେବାବେଳେ ଜଣେ ଗ୍ରାମକନ୍ୟା ସୁଜାତାଠାରୁ ସେ ଖାଦ୍ୟ ଗ୍ରହଣ କଲେ। ସେ ଉପଲବ୍ଧି କଲେ ଯେ, ଶରୀରର ସ୍ବାଭାବିକତାକୁ ଅତୁଟ ରଖି ସାଧନା କରାଯିବା ଠିକ୍‌। ତା’ପରେ ସେ ଆବଶ୍ୟକ ଖାଦ୍ୟ ଗ୍ରହଣ କରି ସାଧନା ଅବ୍ୟାହତ ରଖିଲେ। ଗୌତମଙ୍କ ପାଖରେ ରହୁଥିଲେ ପାଞ୍ଚଜଣ ଜିଜ୍ଞାସୁ- ମହାନାମ, କୌଣ୍ଡିନ, ଭାଦୀୟ, ବପ୍ପ ଓ ଅଶ୍ୱଜିତ। ସତ୍ୟ ଆୟତ୍ତ କରିପାରିଲେ ଗୌତମ ସେମାନଙ୍କୁ ତାହା ପ୍ରଦାନ କରିବେ ଏହି ଆଶାରେ ସେମାନେ ତାଙ୍କର ପରିଚର୍ଯ୍ୟା କରୁଥିଲେ। ମାତ୍ର ସୁଜାତା ନିବେଦିତ ଖାଦ୍ୟ ଗୌତମ ଗ୍ରହଣ କଲା ପରେ ସେମାନେ ଭାବିଲେ ଗୌତମ ଯୋଗଚ୍ୟୁତ ହୋଇଛନ୍ତି। ଏଣୁ ସେମାନେ ତାଙ୍କୁ ତ୍ୟାଗ କଲେ। ଗୌତମ ହୋଇଗଲେ ଏକଲା। ସେହି ଏକଲା ଅବସ୍ଥାରେ ହିଁ ସେ ସତ୍ୟର ଉପଲବ୍‌ଧି କଲେ। ବୁଦ୍ଧତ୍ୱ ପ୍ରାପ୍ତ ହେବା ପରେ ସେହି ପାଞ୍ଚଜଣ ହିଁ ପ୍ରଥମେ ଗୌତମଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ଧର୍ମ ପ୍ରଚାରର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ କମ୍‌ କ୍ଳେଶ ପାଇନାହାନ୍ତି। ରକ୍ଷଣଶୀଳମାନେ ତାଙ୍କୁ ନିର୍ମମ ଭାବରେ ବର୍ଜନ କରିଛନ୍ତି। ବୁଦ୍ଧ ମଧ୍ୟ ଲୋକଙ୍କ ପାଖରେ ଅଭୀପ୍‌ସା ନ ଥିଲେ ଦୀକ୍ଷା ଦେଉନଥା’ନ୍ତି। ସେ ସମ୍ପର୍କରେ ରହିଛି ଏକ ଜନଶ୍ରୁତି। ଦିବ୍ୟାନନ୍ଦର ବାର୍ତ୍ତା ପ୍ରଚାର କରିବା ପାଇଁ ବୁଦ୍ଧ ଗାଁ ଗାଁ ବୁଲୁଥିଲେ। ଦିନେ ଗୋଟିଏ ଗାଁର ଉପାନ୍ତରେ ବୃକ୍ଷ ତଳେ କ୍ଳାନ୍ତ ହୋଇ ବସି ପଡ଼ିଲେ। ଜଣେ ଶିଷ୍ୟ ତାଙ୍କୁ ପଚାରିଲେ- ପ୍ରଭୁ, ଆପଣଙ୍କର ନିମିଷକେ ସମସ୍ତଙ୍କୁ ଦିବ୍ୟଜ୍ଞାନ ଦେଇପାରିବାର ଶକ୍ତି ଅଛି। ତାହା ନ କରି ଆପଣ ଏତେ କଷ୍ଟ ସ୍ବୀକାର କରୁଛନ୍ତି କାହିଁକି? ବୁଦ୍ଧଦେବ କହିଲେ- ”ଯାଅ, ନିକଟସ୍ଥ ଗଁାର ଲୋକମାନଙ୍କୁ ପଚାର, ସେମାନେ କ’ଣ ଚାହାନ୍ତି?“ ଶିଷ୍ୟଜଣଙ୍କ ଏହି ପ୍ରଶ୍ନର ଉତ୍ତରରେ ଜଣେ କହିଲେ, ସେ ନିଃସନ୍ତାନ। ଏଣୁ ସନ୍ତାନଟିଏ ପାଇଲେ ଖୁସି ହେବେ। ଜଣେ କହିଲେ, ତାଙ୍କ କନ୍ୟା ପାଇଁ ଉପଯୁକ୍ତ ବରପାତ୍ରଟିଏ ପାଇଲେ ଖୁସିହେବେ। ଆଉ ଜଣେ କହିଲେ, ସେ ବଡ଼ କୋଠାଟିଏ ତିଆରି କରିପାରିଲେ ଖୁସି ହେବେ। ବୁଦ୍ଧ ଶିଷ୍ୟଙ୍କୁ ପଚାରିଲେ- ”କେତେଜଣ କହିଲେ ଯେ ଜ୍ଞାନାଲୋକ ପାଇଲେ ସେମାନେ ଆନନ୍ଦିତ ହେବେ?“ ଶିଷ୍ୟ ଉତ୍ତର ଦେଲେ, ”ପ୍ରଭୁ, କେହି ଜଣେ ବି ସେ କଥା କହିନାହାନ୍ତି।“ ବୁଦ୍ଧ କହିଲେ, ”ତା’ହେଲେ ଯାହା ଜଣକର ଲୋଡ଼ା ନାହିଁ, ଯାହା ପାଇବା ପାଇଁ ଜଣକର ଆଗ୍ରହ ନାହିଁ, ମୁଁ ତାକୁ ତାହା ଦେବି କେମିତି?“ ବୁଦ୍ଧଙ୍କ ଭଳି ଅନେକ ମହାମନୀଷୀଙ୍କୁ ଶ୍ରୋତା ନ ପାଇ ଏକଲା ଚାଲିବାକୁ ହୋଇଥିଲା। ଏଣୁ ଲୋକଙ୍କ ମନରେ ଶୁଣିବା ପାଇଁ ଆସ୍ପୃହା ଜାଗରିତ ନ ହେବା ପର୍ଯ୍ୟନ୍ତ ଉପଲବ୍ଧ ଜ୍ଞାନକୁ ସେମାନଙ୍କୁ ଜୋର କରି ଶୁଣାଇବା ଆବଶ୍ୟକ ନାହିଁ। ସେହି ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ବୁଦ୍ଧଦେବଙ୍କୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଭାରତବ୍ୟାପୀ ତାଙ୍କ କଥା ଲୋକେ ଶୁଣିଲେ ଓ ବୌଦ୍ଧଧର୍ମ ସାରା ପ୍ରାଚ୍ୟରେ ପ୍ରାଧାନ୍ୟ ବିସ୍ତାର କଲା। କବି ଭବଭୂତି ନିଜ ସମୟରେ ଅବହେଳିତ ହୋଇ କହିଥିଲେ, ‘ଉପତ୍ସ୍ୟତେଽସ୍ତି ମମ କଶ୍ଚିତ୍‌ ସମାନଧର୍ମ।/ କାଳୋହ୍ୟୟଂ ନିରବଧି ବିପୁଳାଶ୍ଚ ପୃଥ୍ବୀ।’ ଅର୍ଥାତ୍‌ ଏହି ସଂସାର ବିଶାଳ ଓ କାଳ ଅନନ୍ତ। ଏହି ଅନନ୍ତ କାଳ ମଧ୍ୟରେ ମୋ ସମଧର୍ମ। ବ୍ୟକ୍ତି ଦିନେ ନିଶ୍ଚୟ ଜନ୍ମନେବେ ଓ ମୋ ଲେଖାର ପ୍ରକୃତ ମୂଲ୍ୟାୟନ କରିବେ। ଏକଲା ଚାଲୁଥିବା ମନୀଷୀମାନଙ୍କର ଏହାହିଁ ମନ୍ତ୍ର ହେଉ।
ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri