ଶିକ୍ଷା ବ୍ୟବସ୍ଥା ଚାରିଚକିଆ ଯାନ

ବୈକୁଣ୍ଠନାଥ ମିଶ୍ର

ଆଜିର ଶିକ୍ଷା ବ୍ୟବସ୍ଥା ବିଶେଷକରି ସରକାରୀ ଶିକ୍ଷାନୁଷ୍ଠାନ ଉପରେ ନଜର ପକାଇଲେ ଯେ କେହି ସ୍ବାଭାବିକ ଭାବେ ଉଦ୍‌ବେଗ ପ୍ରକାଶ କରିବ ଯେ ଏହା କ’ଣ ସେହି ମଣିଷଗଢ଼ା ଅନୁଷ୍ଠାନ, ଯିଏ ଦିନେ ଆଜିର ସଭ୍ୟସମାଜର ମୂଳପିଣ୍ଡ ଗଠନର ଦାୟିତ୍ୱ ନିର୍ବାହ କରୁଥିଲା। ନବେ ଦଶକ ପୂର୍ବରୁ ଯେତେବେଳେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ମୁଣ୍ଡ ଟେକି ନ ଥିଲେ, ସେତେବେଳେ ସମଗ୍ର ଶିକ୍ଷା ବ୍ୟବସ୍ଥାର ଦାୟିତ୍ୱ ବହନ କରୁଥିଲେ ଏହି ସରକାରୀ ସ୍କୁଲ୍‌ଗୁଡ଼ିକ। ସରକାରଙ୍କର ସବୁ ବିଭାଗର ଉଚ୍ଚପଦାଧିକାରୀମାନେ ସରକାରୀ ସ୍କୁଲ୍‌ରୁ ଶିକ୍ଷାଗ୍ରହଣ କରି ରାଜ୍ୟ ଓ ଦେଶର ଗୌରବକୁ ବହୁଗୁଣିତ କରିଥିଲେ। ଦେଶର ସର୍ବବିଧ ବିକାଶକୁ ତ୍ୱରାନ୍ବିତ କରି ଗୋଟିଏ ସୁସଂଗଠିତ ଜାତିର ଅଭ୍ୟୁତ୍ଥାନରେ ଏଇମାନଙ୍କର ଥିଲା ଅବଦାନ। ଏହି ବିଦ୍ୟାଳୟରୁ ଉତୁରିଥିବା ଶାସକ, ପ୍ରଶାସକ, ମନ୍ତ୍ରୀ, ଯନ୍ତ୍ରୀ, ବିଚାରପତି ଓ ଚିକିତ୍ସକ ଆଦିଙ୍କର ନିଃସ୍ବାର୍ଥପର ସେବାରେ ଦେଶର ପ୍ରଗତିରଥ ସଞ୍ଚଳିତ ହେଉଥିଲା।
କିନ୍ତୁ କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ଶିକ୍ଷା ବ୍ୟବସ୍ଥାରେ ଘରୋଇକରଣ ପ୍ରବେଶକଲା, ଯଦ୍ଦ୍ବାରା ଶିକ୍ଷାଦାନ ଏକ ସେବା ପରିବର୍ତ୍ତେ ବ୍ୟବସାୟିକ ଭିତ୍ତିଭୂମିରେ ପରିବର୍ତ୍ତିତ ହେବାକୁ ଲାଗିଲା। ସରକାରୀ କଳ ପରିଚାଳନା କରୁଥିବା ଉଚ୍ଚପଦାଧିକାରୀଙ୍କର ସରକାରୀ ସ୍କୁଲ୍‌ ଉପରେ କ୍ରମେ ଆସ୍ଥା ତୁଟିବାକୁ ଲାଗିଲା। ସରକାରୀ ସ୍କୁଲ୍‌ଗୁଡ଼ିକ ରୁଗ୍‌ଣ ହେବାକୁ ଲାଗିଲେ। ବିଶେଷକରି ଅଣଓଡ଼ିଆ ଅଧିକାରୀମାନେ ସରକାରୀ ବିଦ୍ୟାଳୟ ପ୍ରତି ବିତୃଷ୍ଣ ହୋଇ ଘରୋଇ ଶିକ୍ଷାନୁଷ୍ଠାନ ପ୍ରତି ଅଧିକ ଅନୁକମ୍ପା ପ୍ରଦର୍ଶନ କଲେ। ସେମାନେ ତାଙ୍କ ପିଲାଙ୍କୁ ଓଡ଼ିଶାରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ କାହିଁକି ସାମିଲ କରିବେ? ତାଙ୍କୁ ଅନୁକରଣକରି ଓଡ଼ିଆ ଅଧିକାରୀମାନେ ମଧ୍ୟ ସରକାରୀ ସ୍କୁଲ ପ୍ରତି ମୁହଁ ଫେରାଇଲେ। ‘ଓଧ ସହ ଭୁଅଁା ବିରାଡି ବାଇ’ନ୍ୟାୟରେ ସାଧାରଣବାବୁମାନଙ୍କ ପିଲାମାନେ ମଧ୍ୟ ଘରୋଇ ଶିକ୍ଷାନୁଷ୍ଠାନ ପ୍ରତି ଆଗ୍ରହ ପ୍ରକାଶ କଲେ। ସାଧାରଣତଃ ବାବୁଭୂୟାଁଙ୍କ ପିଲାମାନେ ଅପେକ୍ଷାକୃତ ମେଧାବୀ। ସେମାନଙ୍କର ଅନୁପସ୍ଥିତି ସରକାରୀ ସ୍କୁଲର ଛାତ୍ରସଂଖ୍ୟା ଓ ବାର୍ଷିକ ଫଳାଫଳକୁ ଘୋର ପ୍ରଭାବିତ କଲା। ଫଳରେ ସରକାରୀ ବିଦ୍ୟାଳୟଗୁଡ଼ିକ ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ଦୃଷ୍ଟିରୁ ସଙ୍କଟକୁ ସାମ୍‌ନା କରିବାକୁ ଲାଗିଲେ। ସରକାରୀ ବିଦ୍ୟାଳୟଗୁଡ଼ିକର ସୁଦୃଢ଼ ଭିତ୍ତିଭୂମି ଓ ଉପଯୁକ୍ତ ତାଲିମପ୍ରାପ୍ତ ଯୋଗ୍ୟ ଶିକ୍ଷକ ଥିଲେ ମଧ୍ୟ ସେମାନଙ୍କର କାର୍ଯ୍ୟଧାରା ଓ ତଜ୍ଜନିତ ଫଳାଫଳ ଅତ୍ୟନ୍ତ ନୈରାଶ୍ୟଜନକ। ଅପରନ୍ତୁ ସରକାରୀ ସମର୍ଥନ ଓ ସହଯୋଗରେ ଘରୋଇ ବିଦ୍ୟାଳୟ ମୁଣ୍ଡ ଟେକିବାକୁ ଲାଗିଲେ। ଫଳରେ ସରକାରୀ ବିଦ୍ୟାଳୟ କ୍ରମେ ଜରାଜୀର୍ଣ୍ଣ ହୋଇପଡ଼ିଲେ। ଏ କଥାକୁ ହୃଦୟଙ୍ଗମ କରି ୨୦୧୫ରେ ଆଲ୍ଲାହାବାଦ ଉଚ୍ଚନ୍ୟାୟାଳୟ ଏକ ରାୟ ପ୍ରକାଶ କରି କହିଥିଲେ ଯେ, ସରକାରୀ କର୍ମଚାରୀ ଓ ରାଜନେତା ସେମାନଙ୍କ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ନାମ ଲେଖାଇବା ବାଧ୍ୟତାମୂଳକ। କିନ୍ତୁ ଉଚ୍ଚନ୍ୟାୟାଳୟଙ୍କ ଆଦେଶ ଏପର୍ଯ୍ୟନ୍ତ ପାଳିତ ହୋଇପାରି ନାହିଁ।
ସମଗ୍ର ଭାରତରେ ଓ ଆମ ରାଜ୍ୟରେ ମଧ୍ୟ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଅବଶ୍ୟ ଓଡ଼ିଶାର ସମୁଦାୟ ଛାତ୍ରସଂଖ୍ୟାର ମାତ୍ର ୧୬ ପ୍ରତିଶତ ବର୍ତ୍ତମାନ ସୁଦ୍ଧା ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି। ଅବଶିଷ୍ଟ ୮୪ ପ୍ରତିଶତ ଛାତ୍ରଙ୍କର ଭବିଷ୍ୟତ ଗଠନର କ୍ଷେତ୍ର ଏଇ ସରକାରୀ ବିଦ୍ୟାଳୟ। କିନ୍ତୁ ବାସ୍ତବରେ ସରକାରୀ ସ୍କୁଲଗୁଡ଼ିକରେ ୮୪ ପ୍ରତିଶତ ପିଲା ନାହାନ୍ତି। ସେମାନଙ୍କ ମଧ୍ୟରେ ଆଦୌ ବିଦ୍ୟାଳୟ ଯାଉ ନ ଥିବା ଓ ପ୍ରାଥମିକ ସ୍ତରରୁ ପାଠ ଛାଡୁଥିବା (ଡ୍ରପ୍‌ଆଉଟ୍‌) ପିଲା ମଧ୍ୟ ଅଛନ୍ତି। ୧ମ ଶ୍ରେଣୀରେ୧୦୦ପିଲା ନାମ ଲେଖାଉଥିବା ବେଳେ ମାଟ୍ରିକ୍‌ ପରୀକ୍ଷା ବେଳକୁ ସେମାନଙ୍କ ମଧ୍ୟରୁ ରହୁଛନ୍ତି ମାତ୍ର ୭୦ ପ୍ରତିଶତ। ମାଟ୍ରିକ୍‌ ପାସ୍‌ କରୁଥିବା ୧୦୦ପିଲାଙ୍କ ମଧ୍ୟରୁ ଯୁକ୍ତ ୨ରେ ନାମ ଲେଖାନ୍ତି ୬୫ରୁ ୭୦ଭାଗ। ଯୁକ୍ତ ୨ ଉତ୍ତୀର୍ଣ୍ଣ ୧୦୦ପିଲାଙ୍କ ମଧ୍ୟରୁ ବିଭିନ୍ନ ବର୍ଗରେ ନାମଲେଖାନ୍ତି ମାତ୍ର ୬୦ରୁ ୭୦ଭାଗ। ଏସବୁ କେବଳ ସରକାରୀ ବିଦ୍ୟାଳୟ କ୍ଷେତ୍ରରେ ଘଟିଥାଏ। ଘରୋଇ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଶତପ୍ରତିଶତ ଛାତ୍ରୀଛାତ୍ର ଉଚ୍ଚତର ଶିକ୍ଷାକ୍ଷେତ୍ରରେ ପ୍ରବେଶ କରନ୍ତି। ଅପରପକ୍ଷେ ସରକାରୀ ବିଦ୍ୟାଳୟରେ ଯେଉଁମାନେ ଅଧ୍ୟୟନ କରନ୍ତିି, ସେମାନେ ପ୍ରାୟତଃ ଦରିଦ୍ର ଓ ଚାଷୀ ମୂଲିଆଙ୍କ ସନ୍ତାନ। ବଞ୍ଚତ୍ବା ପାଇଁ ସେମାନେ ଅହରହ ସଂଗ୍ରାମରତ। ବିଳମ୍ବରେ ହେଲେ ମଧ୍ୟ ଏ କଥାକୁ ହୃଦୟଙ୍ଗମ କରି ଆମ ସରକାର ସରକାରୀ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କ ନିମନ୍ତେ ମେଡିକାଲ୍‌ ଓ ଇଞ୍ଜିନିୟରିଂ ଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଛନ୍ତି ; ଯାହା ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏକ ନୂତନ ଆଶା ସଞ୍ଚାର କରିଛି।
ସମାଜରୁ ଛାଣିହୋଇ ମେଧାବୀ ଛାତ୍ରୀଛାତ୍ରମାନେ ଘରୋଇ ଶିକ୍ଷାନୁଷ୍ଠାନକୁ ଚାଲିଯିବା ଦ୍ୱାରା ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ କ୍ରମଶଃ ଦୁର୍ବଳ ହେବାକୁ ଲାଗିଲେ। ଆମ ପୂର୍ବ ଅଭିଜ୍ଞତାରୁ ଆମେ ଜାଣୁ ଯେ, ସମୁଦାୟ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଅତି ମେଧାବୀ ବା ଏ(୧)ଗ୍ରେଡ୍‌ ପିଲାଙ୍କ ସଂଖ୍ୟା ମାତ୍ର ୧ ପ୍ରତିଶତରେ ସୀମିତ। ଉଚ୍ଚ ଓ ମଧ୍ୟମ ମେଧା ସମ୍ପନ୍ନ ପିଲାମାନେ ଘରୋଇ ବିଦ୍ୟାଳୟ ମୁହାଁ ହେବା ଯୋଗୁ ସରକାରୀ ବିଦ୍ୟାଳୟଗୁଡ଼ିକ ସାଧାରଣ ପାଠୁଆଙ୍କ ଦ୍ୱାରା ପରିପୁଷ୍ଟ। ଶିକ୍ଷକମାନେ ମଧ୍ୟ ବେପରୁଆ ଭାବେ ନାମକୁ ମାତ୍ର କର୍ତ୍ତବ୍ୟ ସମ୍ପାଦନ କରି ଚାଲିଲେ। ସରକାରୀ ସ୍କୁଲରେ ଆଉ ସେପରି ପିଲା ରହିଲେ ନାହିଁ, ଯେଉଁମାନେ ଶିକ୍ଷକଙ୍କଠାରୁ ପାଠ ଆଦାୟ କରିବେ। ଶିକ୍ଷାଦାନକୁ ଏକ ବୃତ୍ତି ଭାବେ ନ ମଣି ଏକ ବ୍ରତଭାବେ ଗ୍ରହଣ କରିଥିବା ଶିକ୍ଷକଙ୍କ ସଂଖ୍ୟା ହ୍ରାସ ପାଇବାକୁ ଲାଗିଲା। ଶିକ୍ଷାଦାନରୁ ମୁହଁ ଫେରାଇ ଶିକ୍ଷକ ରାଜନୀତି ଓ ଅନ୍ୟ ବ୍ୟକ୍ତିଗତ ସ୍ବାର୍ଥ ହାସଲରେ ଅଧିକ ମନୋନିବେଶ କଲେ। ଆଜିକାଲି ଅନେକ ଶିକ୍ଷକଙ୍କର କାର୍ଯ୍ୟକଳାପ ସାମାଜିକ ସ୍ତରରେ ଲଜ୍ଜାଜନକ ହେଲାଣି। କୋମଳମତି ଛାତ୍ରୀ ସହ ଅସଭ୍ୟ ଆଚରଣର ଖବର ନୀତି ଶ୍ରୁତିଗୋଚର ହେଉଛି। କେତେକ ଶିକ୍ଷକ ମଦ୍ୟପାନ କରି ଗୁରୁକୁଳର ସମସ୍ତ ସୀମା ଲଙ୍ଘନ କରିସାରିଲାଣି। ସରକାର ମଧ୍ୟ ଶିକ୍ଷକଙ୍କୁ ଶିକ୍ଷାଦାନ ବ୍ୟତୀତ ଅନ୍ୟ କର୍ମରେ ନିୟୋଜିତ କରିବା ଦ୍ୱାରା ଶିକ୍ଷକ ନିଜ ବୃତ୍ତିଠାରୁ ଦୂରେଇଗଲେଣି। ପଣ୍ଡିତ ନୀଳକଣ୍ଠ‘ଶିକ୍ଷା କ’ଣ’ ପ୍ରବନ୍ଧରେ ଶିକ୍ଷକମାନଙ୍କୁ ପରାମର୍ଶ ଦେଇ କହିଥିଲେ, ‘ତୁମେ ଭାରତର ଋଷିକୁଳର ଅବତଂସ। ତୁମ ପୂର୍ବପୁରୁଷ ପୃଥିବୀକୁ ଜ୍ଞାନାଲୋକ ଦେଇଥିଲେ। ସତ୍‌ଶିକ୍ଷା, ସରଳତା, ସାଧୁମନୁଷ୍ୟତା କ’ଣ ତାହା ଜଗତକୁ ଦେଖାଇଥିଲେ। ମନେରଖ- ସେହି ସତ୍‌ଶିକ୍ଷା, ସରଳତା, ସତ୍ୟତା ଓ ସାଧୁମନୁଷ୍ୟତା ପ୍ରତିଷ୍ଠିତ କରିବା ତୁମ ପକ୍ଷରେ ବଡ଼ ଗହନକଥା ନୁହେଁ। ଏହା ତୁମର ପୈତୃକ ସମ୍ପତ୍ତି। ଏଥିପାଇଁ ତୁମକୁ ଅନ୍ୟ ଦେଶକୁ ଖୋଜିବାକୁ ଯିବାକୁ ହେବନାହିଁ। ଏହା ତୁମ ରକ୍ତ ମାଂସରେ ରହିଛି। ସେ କଥା ମନେରଖି ଜୀବନରେ ପ୍ରସ୍ତୁତ ହୁଅ’।
ଆଜିର ଶିକ୍ଷକ ଏ ସବୁର ବ୍ୟତିକ୍ରମ। ମେଧାବୀ ଛାତ୍ରର ଅନୁପସ୍ଥିତି, ଶିକ୍ଷକର ନିଜ ବୃତ୍ତି ପ୍ରତି ଅନମନୀୟତା, ମାତାପିତାଙ୍କର ଆସ୍ଥାଶୂନ୍ୟତା ଓ ଅସହଯୋଗ ଏବଂ ସର୍ବୋପରି ସରକାରୀ ଉଦାସୀନତା ସରକାରୀ ବିଦ୍ୟାଳୟର ଅବହେଳାର ମୁଖ୍ୟ କାରଣ। ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରଚଳିତ ‘ପ୍ରତିକାରାତ୍ମକଶିକ୍ଷା’ଭଲପିଲାଙ୍କ ଶିକ୍ଷଣମାନକୁ ବୃଦ୍ଧି କରିବା ପରିବର୍ତ୍ତେ ଏହାକୁ ସଙ୍କୁଚିତ କରିଦେଲା। ‘ଶ୍ରେଣୀର ସର୍ବନିମ୍ନ ପିଲା ସବୁକଥା ଶିଖିବା ଦରକାର’ – ଏପରି ଉଦ୍ଦେଶ୍ୟ ରଖି ଶିକ୍ଷାବର୍ଷର ପ୍ରଥମ ତନିମାସ ଓ ପ୍ରତିଦିନ ଗୋଟିଏ ପିରିୟଡ ବର୍ଷ ତମାମ ପ୍ରତିକାରାତ୍ମକ ଶିକ୍ଷା ମେଧାବୀ ଛାତ୍ରକୁ ଉପରକୁ ଉଠିବାକୁ ନ ଦେଇ ତା’ର ଶିକ୍ଷଣ ଦକ୍ଷତା ହ୍ରାସ କରିବାରେ ସହାୟକ ହେଲା। ବିଦ୍ୟାଳୟଗୁଡ଼ିକର ଚାକଚକ୍ୟମୟ ସୁନ୍ଦର ପରିବେଶ, ଶିକ୍ଷକମାନଙ୍କର ନିୟମିତ ବିଦ୍ୟାଳୟ ଆଗମନ, ଘଣ୍ଟିବାଜିବା, ମଧ୍ୟାହ୍ନଭୋଜନ ପ୍ରସ୍ତୁତି ଓ ଅନ୍ୟାନ୍ୟ ଜନିଷ ବାହାରକୁ ଠିକ୍‌ଠାକ୍‌ ଥିବାର ପ୍ରତୀୟମାନ ହେଉଥିଲେ ମଧ୍ୟ ଭିତରେ ଶିକ୍ଷା ଅଭାବ ଜନିତ ଏକ ମହାଶୂନ୍ୟତା ସରକାରୀ ଶିକ୍ଷାବ୍ୟବସ୍ଥାକୁ କୀଟଦ୍ରଂଷ୍ଟ କରିଦେଲା। ସରକାରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥିଲେ ମଧ୍ୟ ରାଶିରାଶି ବିଶୃଙ୍ଖଳାର ପାହାଡ଼ ଉପରେ ଦଣ୍ଡାୟମାନ ହୋଇ ସରକାରୀ ବିଦ୍ୟାଳୟ ଶିକ୍ଷା ତା’ର ମହତ୍ତ୍ୱ ହରାଇଲା।
ଏହାର ପ୍ରତିକାର ସ୍ବରୂପ ଘରୋଇ ଅନୁଷ୍ଠାନ ଉପରେ ଅଙ୍କୁଶ ଲଗାଇବା ନୁହେଁ ; ବରଂ ସରକାରୀ ବିଦ୍ୟାଳୟଗୁଡ଼ିକରେ ଅଭିନବ ପ୍ରଣାଳୀ ଅବଲମ୍ବନ କରାଯାଇ କିପରି ଉନ୍ନତ ଛାତ୍ରୀଛାତ୍ର ସୃଷ୍ଟି ହେବେ ସେଥିପ୍ରତି ଧ୍ୟାନ ଦେବା ଉଚିତ ହେବ। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପୋଷ୍ୟ ବିଦ୍ୟାଳୟ ଗ୍ରହଣ ଅବଶ୍ୟ ଏକ ନୂତନ ପ୍ରୟାସ। ଏହାଦ୍ୱାରା ଯେ ସବୁ ବିଦ୍ୟାଳୟର ସାମୂହିକ ବିକାଶ ସାଧିତ ହେବ ତାହା ନୁହେଁ। କିନ୍ତୁ ଏହାଦ୍ୱାରା ଅବଶ୍ୟ କିଛିମାତ୍ରାରେ ବିକାଶ ସାଧିତ ହୋଇପାରେ। ସମସ୍ତେ ସରକାରୀ ବିଦ୍ୟାଳୟ ପ୍ରତି ଯତ୍ନଶୀଳତାର ହସ୍ତ ପ୍ରସାରିତ କଲେ ହୁଏତ ହୃତଗୌରବ ଫେରିଆସିବ। ସରକାର, ଶିକ୍ଷକ, ଅଭିଭାବକ ଓ ଛାତ୍ର -ଏମାନେ ବିଦ୍ୟାଳୟରୂପୀ ଚାରିଚକିଆ ଯାନର ୪ ଗୋଟି ଚକ ସଦୃଶ। କୌଣସି ଗୋଟିଏ ଚକର ଅସହଯୋଗରେ ସମ୍ପୂର୍ଣ୍ଣ ଯାନଟି ଅଚଳ ହେଲାପରି ଶିକ୍ଷା ବ୍ୟବସ୍ଥା ଆଉ କ୍ଷତିଗ୍ରସ୍ତ ନ ହେଉ। ସରକାରୀ ଶିକ୍ଷା ବ୍ୟବସ୍ଥା ପ୍ରତି ସଭିଙ୍କର ଧ୍ୟାନ କେନ୍ଦ୍ରିତ ହେଉ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

୧୦୫ ବର୍ଷ ବୟସରେ ଜଣେ ମହିଳା ଚାଷ କରିବା କଥା କେବେ ଚିନ୍ତା କରିପାରୁଛନ୍ତି। ହେଲେ ଏହା ସମ୍ଭବ ହୋଇଛି ପାପ୍ପାମଲ୍‌ଙ୍କ ଦ୍ୱାରା। ତାମିଲନାଡୁର ଏହି...

ଲୋପ ପାଇବ ହାତୀବଂଶ

ମାନେକା ଗାନ୍ଧୀ ନିକଟରେ କେରଳରେ ହାତତିଆରି ବୋମା ଦ୍ୱାରା ଓ ଛତିଶଗଡ଼ରେ ପାଣିଗାତରେ ବିଷ ଢାଳି ହାତୀମାନଙ୍କୁ ମରାଯାଇଛି। ଏହା ନିଃସନ୍ଦେହ ଯେ ଭାରତରେ ହାତୀମାନେ...

ମାଟି ଓ ମେଘର ମହାମିଳନ

ବିମଳ ପ୍ରସନ୍ନ ଦାସ ଓଡ଼ିଶାର ରଜପର୍ବ ତା’ର ନିଜସ୍ବ ସଂସ୍କୃତି ଓ ପରମ୍ପରାର ଅଲିଭା ଆଲେଖ୍ୟ। ମାଟି ଆଉ ମେଘର ହୁଏ ମହାମିଳନ। ଓଡ଼ିଶାର ଉପକୂଳବର୍ତ୍ତୀ...

ଶ୍ରମିକ ଦିବସ ଉପଲକ୍ଷେ: ସଂଗ୍ରାମ ସରିନାହିଁ

ଜନାର୍ଦ୍ଦନ ପତି ମେ’ ପହିଲା ହେଉଛି ଆନ୍ତର୍ଜାତିକ ଶ୍ରମିକ ଦିବସ। ବିଶ୍ୱର ଶ୍ରମଜୀବୀ ମଣିଷଙ୍କ ପାଇଁ ଶପଥର ଦିବସ। ଊନ୍ନବିଂଶ ଶତାବ୍ଦୀର ସେହି କାଳରେ ପୁଞ୍ଜିପତି...

ଉଗ୍ର ଜାତୀୟତାବାଦ

ଭାରତର କଶ୍ମୀରୀକରଣକୁ ନେଇ ଶିକ୍ଷାବିତ୍‌ ପ୍ରତାପ ଭାନୁ ମେହେଟ୍ଟା ଆମକୁ ସତର୍କ କରିଦେଇଛନ୍ତି। ତାଙ୍କ ମତରେ କଶ୍ମୀରରେ ସୁରକ୍ଷା ବଳ ଓ ସରକାରୀ ସଂସ୍ଥାଗୁଡ଼ିକ ସିଭିଲ...

ବିପଦ ଚିହ୍ନିଲେ ବିପର୍ଯ୍ୟୟ ନାହିଁ

ତତ୍ତ୍ୱ ଓ ତର୍କ ବିମଳ ପାଣ୍ଡିଆ ‘ଫାଇଲିନ’ ବାତ୍ୟାର ‘ସଫଳ’ ମୁକାବିଲା ପାଇଁ ଜାତିସଂଘ ଓଡିଶା ସରକାରଙ୍କୁ ବାହାବା କରିଥିଲା। ଏବେ ‘ଫୋନି’ ବାତ୍ୟାର ‘ସଫଳ’...

ଇସ୍ତଫା ଧମକ

ତେଲଙ୍ଗାନାର ପୋଲିସ୍‌ ଏକାଡେମୀ ମୁଖ୍ୟ ତଥା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଭି.କେ. ସିଂହ ପଦୋନ୍ନତିରୁ ବଞ୍ଚିତ ହେଲେ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି। ସିଂ...

ମସ୍ତିଷ୍କ ଓ ହୃଦୟ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଏକ ପୂର୍ଣ୍ଣ ମାନବୀୟ ଉତ୍ତରଣ ପାଇଁ ସୃଷ୍ଟିର ବଡପଣ୍ଡା ଭାବେ ବିବେଚିତ ମଣିଷମାନଙ୍କ ନିମନ୍ତେ ସ୍ରଷ୍ଟାଙ୍କର ସବୁଠୁ ବଡ଼ ବରଦାନ...

Advertisement
Archives

Model This Week