ପାଠ ଓ ପରୀକ୍ଷା

ଡ. ପ୍ରଫୁଲ୍ଲ କୁମାର ସାହୁ

ମହାମାରୀ କରୋନା ଦେଶର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଥିଲେ ବି ସେଥିରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି ଶିକ୍ଷା ବ୍ୟବସ୍ଥା। ପ୍ରାଥମିକଠୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସବୁ ଶୈକ୍ଷିକ ଅନୁଷ୍ଠାନରେ ଏବେ ସୁଦ୍ଧା ଝୁଲୁଛି ତାଲା। ଅନ୍‌ଲାଇନ ମାଧ୍ୟମରେ ପାଠପଢ଼ା କିଛି ମାତ୍ରାରେ ସମ୍ଭବ ହୋଇଥିଲେ ବି ସମ୍ପୂର୍ଣ୍ଣ ପରୀକ୍ଷା ବର୍ଷକୁ ଧୋଇ ନେଇଛି କରୋନା। ବିନା ପରୀକ୍ଷାରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି ଏବଂ ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଦ୍ବାଦଶ ଶ୍ରେଣୀ ଫଳ ପ୍ରକାଶ ପାଇଁ ଆରମ୍ଭ ହୋଇଛି ମୂଲ୍ୟାୟନ ପ୍ରକ୍ରିୟା। ଦ୍ବାଦଶ (+୨) ଶ୍ରେଣୀରେ ଆଭ୍ୟନ୍ତରୀଣ ବା ଇଣ୍ଟରନାଲ ପରୀକ୍ଷା ବ୍ୟବସ୍ଥା ନ ଥିବାରୁ ତା’ର ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରଣକୁ ନେଇ ଘଣ୍ଟା ଚକଟା ସରିଛି ଏବଂ ବୈଷୟିକ କମିଟିର ସୁପାରିସ କ୍ରମେ ଦଶମ ଶ୍ରେଣୀ ପରୀକ୍ଷା ପ୍ରଦର୍ଶନ ଆଧାରରେ ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଯେଉଁ ଛାତ୍ରୀଛାତ୍ର ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିବେ, ସେମାନେ ଚାହିଁଲେ ପାରମ୍ପରିକ ପଦ୍ଧତିରେ ପରୀକ୍ଷା ଦେଇପାରିବେ ସ୍ଥିତି ସୁଧୁରିଲା ପରେ। ଅସନ୍ତୁଷ୍ଟମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ପରୀକ୍ଷା ହେଉ କି ନ ହେଉ, ଏଭଳି ମୂଲ୍ୟାୟନ ପଦ୍ଧତି ଦ୍ବାରା ଅନେକ ପରିଶ୍ରମୀ ଛାତ୍ରୀଛାତ୍ର ଯେ କ୍ଷତିଗ୍ରସ୍ତ ହେବେ, ତାହା ନିଃସନ୍ଦେହ। ତେବେ ପ୍ରଶ୍ନ ଉଠେ, ବିଶେଷଜ୍ଞ କମିଟି ଏମିତି ଏକ ପଦ୍ଧତିକୁ କାହିଁକି ବାଛିଲେ, ଯାହା ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ଦେଇପାରିବନି ସମୁଚିତ ନ୍ୟାୟ। ଏହାର କାରଣ ବୋଧହୁଏ ଆଉ କିଛି ବିକଳ୍ପ ନ ଥିଲା ବିଶେଷଜ୍ଞ କମିଟି ଆଗରେ। ଅସଲ କଥାଟି ହେଉଛି ପରୀକ୍ଷା ନ କରି ମେଧା ମୂଲ୍ୟାଙ୍କନ ପାଇଁ ଯେକୌଣସି ପଦ୍ଧତି ଅବଲମ୍ବନ କଲେ ବି କିଛି ପରୀକ୍ଷାର୍ଥୀ ନ୍ୟାୟରୁ ବଞ୍ଚିତ ହେବା ସ୍ବାଭାବିକ। ସୁତରାଂ କେଉଁ ପଦ୍ଧତି ଦ୍ୱାରା ମୂଲ୍ୟାଙ୍କନ ହେବ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ତା’ଠୁ ବେଶି ଗୁରୁତ୍ୱପୂର୍ଣ୍ଣ ହେଉଛି ପରୀକ୍ଷା ନ କରି ଫଳ ପ୍ରକାଶ କରିବାର ନକାରାତ୍ମକ ପ୍ରଭାବ।
ସାଧାରଣତଃ ଛାତ୍ର ଜୀବନର ମହତ୍ତ୍ୱକୁ ପ୍ରତିପାଦନ କରେ ପରୀକ୍ଷା। ଜ୍ଞାନ ଆହରଣ ଶିକ୍ଷା ଲାଭର ଅସଲ ଉଦ୍ଦେଶ୍ୟ ହୋଇପାରେ, ମାତ୍ର ପାଠକୁ ଆୟତ୍ତ କରିବାର ଅସଲ ଚାବିକାଠି ହେଉଛି ଅଭ୍ୟାସ। ମୁଣ୍ଡ ଉପରେ ପରୀକ୍ଷା ଥିଲେ ଅଭ୍ୟାସ ଉପରେ ଅଧିକ ଗୁରୁତ୍ୱ ଦିଏ ବିଦ୍ୟାର୍ଥୀ। ଅର୍ଥାତ୍‌ ଅଭ୍ୟାସ ପାଇଁ ବିଦ୍ୟାର୍ଥୀକୁ ପ୍ରରୋଚିତ କରେ ପରୀକ୍ଷା। ପରୀକ୍ଷା ତାକୁ ଜଣେଇଦିଏ ସେ କେତେ ଜାଣିଛି ଓ ଆଉ କେତେ ବାକି ଅଛି ଜାଣିବା ପାଇଁ। ଅର୍ଥାତ୍‌ ବିଦ୍ୟାର୍ଥୀ ପାଇଁ ପାଠ ଓ ପରୀକ୍ଷା ପରସ୍ପର ପରିପୂରକ। ଉପଯୁକ୍ତ ଶିକ୍ଷା ଯେମିତି ବିଦ୍ୟାର୍ଥୀ ଭିତରେ ସାମର୍ଥ୍ୟ ସୃଷ୍ଟିକରେ, ପରୀକ୍ଷାର ସଫଳତା ସେମିତି ତା’ର ଉଚ୍ଚାକାଂକ୍ଷା ଚରିତାର୍ଥ ପାଇଁ ଖୋଲିଦିଏ ଉଚ୍ଚଶିକ୍ଷାର ମାର୍ଗ। ପରୀକ୍ଷା କେବଳ ପ୍ରମାଣପତ୍ର ଦିଏନି, ଏଥିସହିତ ଆଣିଦିଏ ଅଭିଜ୍ଞତା ଓ ଆତ୍ମସନ୍ତୋଷ। ସେଥିପାଇଁ କୁହାଯାଏ ପରୀକ୍ଷା ନ ଥିଲେ ବି ଗତି ଅବ୍ୟାହତ ରହିପାରେ, ମାତ୍ର ଏହାଦ୍ବାରା ବାଧାପ୍ରାପ୍ତ ହୁଏ ଆତ୍ମ ପ୍ରଗତି।
ଦ୍ବିତୀୟ ଲହର କୋଭିଡ୍‌ର ଭୟାବହତା ଦୃଷ୍ଟିରୁ ପିଲାଙ୍କ ସ୍ବାସ୍ଥ୍ୟ ନିରାପତ୍ତା ସରକାରଙ୍କର ପ୍ରାଥମିକତା ହୋଇପାରେ, ମାତ୍ର ପିଲାଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ଆଳରେ ପରୀକ୍ଷା ବାତିଲ କରିବା ନିଷ୍ପତ୍ତି କ’ଣ ବିକଳ୍ପହୀନ। ଗଭୀର ଅନୁଶୀଳନରୁ ଜଣାଯାଏ ପିଲାଙ୍କ ସୁରକ୍ଷା ଆଳରେ ପରୀକ୍ଷା ବାତିଲ କରିବା ଏକ ସହଜ ଉପାୟ ନା ପ୍ରଶାସନିକ ଦକ୍ଷତାର ପରିଚୟ? ଅର୍ଥାତ୍‌ ଯେଉଁ ବିଶେଷଜ୍ଞମାନଙ୍କ ଦ୍ବାରା ନିର୍ଦ୍ଧାରଣ ହେଲା ମୂଲ୍ୟାଙ୍କନ ପଦ୍ଧତି, ସେମାନଙ୍କ ସହାୟତାରେ କ’ଣ ବାହାରି ପାରି ନ ଥା’ନ୍ତା ପାରମ୍ପରିକ ପରୀକ୍ଷା ପଦ୍ଧତିର ବିକଳ୍ପ ବ୍ୟବସ୍ଥା। କିନ୍ତୁ ସେଭଳି କିଛି ପଦକ୍ଷେପ ନେବା ପରିବର୍ତ୍ତେ ପରୀକ୍ଷା ବାତିଲ କଲେ ସରକାର। ଏହାଦ୍ୱାରା ଶିକ୍ଷାପ୍ରେମୀଙ୍କ ମନରେ ଯେତିକି ଆଘାତ ସୃଷ୍ଟି ହେଲା, ସେତିକି ହତୋତ୍ସାହିତ ହେଲେ ମେଧାବୀ ଛାତ୍ରୀଛାତ୍ର। ସବୁଠାରୁ ବଡ଼ କଥା ହେଲା ସରକାରଙ୍କର ଏଭଳି ନିଷ୍ପତ୍ତି ପିଲାଙ୍କ ଭିତରେ ତିଆରି କଲା ପରୀକ୍ଷା ନ ଦେଇ ଉତ୍ତୀର୍ଣ୍ଣ ହେବାର ଏକ ରୁଗ୍ଣ ମାନସିକତା। ସେମାନଙ୍କ ଭିତରେ ଏହି ଭାବନା ଯେତେ ବଳବତ୍ତର ହେବ, ସେତେ ଦୁର୍ବଳ ହୋଇପଡ଼ିବ ଆମ ଶିକ୍ଷା ବ୍ୟବସ୍ଥା। ଏହି ପରିପ୍ରେକ୍ଷୀରେ ମନରେ ସ୍ବତଃ ପ୍ରଶ୍ନ ଉଠେ ପିଲାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ଅଗ୍ରାଧିକାର ଦେଇ କ’ଣ ଖୋଜା ଯାଇ ପାରି ନ ଥା’ନ୍ତା ପାରମ୍ପରିକ ପରୀକ୍ଷା ପଦ୍ଧତିର ବିକଳ୍ପ ବ୍ୟବସ୍ଥା?
ଏହି ପରିପ୍ରେକ୍ଷୀରେ ପ୍ରଥମ କଥାଟି ହେଉଛି ଲକ୍‌ଡାଉନ୍‌ କାଳରେ ଯଦି ଅନ୍‌ ଲାଇନ କ୍ଲାସ ହୋଇପାରୁଛି, ତେବେ ଅନ୍‌ଲାଇନ ପରୀକ୍ଷା ହୋଇପାରିବନି କାହିଁକି? କେହି ହୁଏତ କହିପାରେ ପିଲା ଘରେ ବସି ଅନ୍‌ଲାଇନରେ ପରୀକ୍ଷା ଦେଲେ କେବେ ବି ରହିବନି ପରୀକ୍ଷାର ସ୍ବଚ୍ଛତା। ମାତ୍ର ଏଭଳି ନକାରାତ୍ମକ ଭାବନା ପୋଷଣ କରିବା ପୂର୍ବରୁ ଆମର ଜାଣି ରଖିବା ଦରକାର ପରୀକ୍ଷାର ପୂର୍ଣ୍ଣସଂଯୋଗ ଓ ସମୟ ହ୍ରାସ କରିବା ସହିତ ଏମିତି ଢାଞ୍ଚାରେ ବି ପ୍ରଶ୍ନ ତିଆରି କରାଯାଇପାରେ; ଯଦ୍ଦ୍ବାରା ଘରେ ବସି ପରୀକ୍ଷା ଦେଲେ ବି ପରୀକ୍ଷାର୍ଥୀ ପାଇବନି ଅସତ୍‌ ଉପାୟ ଅବଲମ୍ବନ କରିବାର ସୁଯୋଗ। ବରଂ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଅନ୍‌ଲାଇନ ପାଠ ପଢ଼ା ହେଉ କି ପରୀକ୍ଷା ହେଉ, ତା’ର ସଫଳତା ନିର୍ଭର କରେ ପ୍ରଯୁକ୍ତି ସାଧନ ସଂକଳ୍ପ ବା ଭିତ୍ତିଭୂମିର ବିକାଶ ଉପରେ। ଲକ୍‌ଡାଉନ୍‌ କାରଣରୁ ୨୦୨୦ ମସିହା ଏପ୍ରିଲରୁ (ସ୍କୁଲ ସ୍ତରରେ)ଆମ ରାଜ୍ୟରେ ଆରମ୍ଭ ହେଲା ଅନ୍‌ଲାଇନ ପାଠପଢ଼ା। ଅନ୍‌ଲାଇନ ଶିକ୍ଷା ଶ୍ରେଣୀଗୃହ ଶିକ୍ଷାର ସମକକ୍ଷ ନ ହେଲେ ମଧ୍ୟ ଲକ୍‌ଡାଉନ ସମୟରେ ପିଲାଙ୍କ ପାଖରେ ପାଠ ପହଞ୍ଚାଇବା ପାଇଁ ଏହା ହିଁ ଥିଲା ସବୁଠାରୁ ଭଲ ବ୍ୟବସ୍ଥା। ମାତ୍ର ଏହାର ସଫଳତା ଦିଗରେ ବାଧକ ହୋଇ ଠିଆ ହେଲା ପ୍ରଯୁକ୍ତି ସାଧନ ଅଭାବ। କାରଣ ଆମ ରାଜ୍ୟର ସବୁ ଅଞ୍ଚଳରେ ଇଣ୍ଟରନେଟ ସେବା ଉପଲବ୍ଧ ନୁହେଁ କି ସବୁ ପିଲାଙ୍କ ପାଖରେ ନାହିଁ ଆଣ୍ଡରୋଲ୍ଡ ଫୋନ। ସରକାର ଏହି ଅଭାବ ପୂରଣ ଦିଗରେ ଆବଶ୍ୟକ ପଦକ୍ଷେପ ନ ନେବା ଫଳରେ ଅନ୍‌ଲାଇନ ଶିକ୍ଷା ଲାଭରୁ ବଞ୍ଚିତ ହେଲେ ବହୁସଂଖ୍ୟାର ଛାତ୍ରୀଛାତ୍ର। ଅଥଚ ଶିକ୍ଷା ସବୁ ପିଲାଙ୍କର ମୌଳିକ ଅଧିକାର ଏବଂ ସେମାନଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ସରକାରଙ୍କର ସାମ୍ବିଧାନିକ ଦାୟିତ୍ୱ। ସେ ଦାୟିତ୍ୱ ନିର୍ବାହ କରିବା ପାଇଁ ହୁଏତ ରାଜକୋଷରୁ ବିନିଯୋଗ ହୋଇଥାନ୍ତା ବିପୁଳ ଅର୍ଥ। ହେଲେ ଆମ ଶିକ୍ଷା ବ୍ୟବସ୍ଥାକୁ ଆଗେଇ ନେବା ପାଇଁ ତାହା କିଛି ଅନୁଦାନ ବା ଅନୁକମ୍ପା ନୁହେଁ, ବରଂ ସାମାଜିକ ପ୍ରଗତି ଓ ସଂହତି ପାଇଁ ଏକ ମୌଳିକ ଆବଶ୍ୟକତା। ସରକାର ଏକଥା ଉପଲବ୍ଧି କରିଥିଲେ ହୁଏତ ଅନ୍‌ଲାଇନ ଶିକ୍ଷାର ବିଫଳତା ସମ୍ପର୍କରେ ଆଜି ଚର୍ଚ୍ଚା ହେଉ ନ ଥାନ୍ତା କି କରୋନାରେ ଧୋଇ ଯାଇ ନ ଥାନ୍ତା ସମ୍ପୂର୍ଣ୍ଣ ପରୀକ୍ଷାବର୍ଷ।
ପରବର୍ତ୍ତୀ କଥାଟି ହେଉଛି ଆଭ୍ୟନ୍ତରୀଣ ପରୀକ୍ଷା ପ୍ରତି ଅବହେଳା। ଚଳିତବର୍ଷ ଆରମ୍ଭରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ଶ୍ରେଣୀଗୃହ ଶିକ୍ଷାଦାନ ପାଇଁ ସରକାର ନିଷ୍ପତ୍ତି ନେଲେ ଏବଂ ତଦନୁଯାୟୀ ଜାନୁୟାରୀ ଆଠ ତାରିଖରୁ କୋଭିଡ୍‌ କଟକଣା ଭିତରେ ଆରମ୍ଭ ହେଲା (+୨) ପାଠପଢ଼ା। ରବିବାରକୁ ମିଶାଇ ଶହେଟି କାର୍ଯ୍ୟ ଦିବସ ମଧ୍ୟରେ ପ୍ରାୟ ବିଷୟ ଶେଷ କରିବାକୁ ଧାର୍ଯ୍ୟ ହେଲା ଲକ୍ଷ୍ୟ, ମାତ୍ର ଶହେ ଦିନ ପୂରା ହେବା ପୂର୍ବରୁ ଦ୍ବିତୀୟ ଲହର କରୋନାର ଭୟାବହତାକୁ ଦେଖି ଜାରି ହେଲା ଲକ୍‌ଡାଉନ୍‌। ସେଇଠି ଅଟକି ରହିଲା ଶ୍ରେଣୀ ଗୃହ ପାଠପଢ଼ା। ଅବଶ୍ୟ ସେତେବେଳକୁ ଏକ ପ୍ରକାର ନିର୍ଦ୍ଧାରିତ ପ୍ରାୟ ବିଷୟ ସରି ଯାଇଥିଲା କହିଲେ ଚଳେ। ମାତ୍ର ଏହି ତିନି ମାସ ମଧ୍ୟରେ ବିକଳ୍ପ ପରୀକ୍ଷା ପଦ୍ଧତି ସଜଡ଼ା ଯାଇପାରିଲାନି କି ଆଭ୍ୟନ୍ତରୀଣ ପରୀକ୍ଷା ଉପରେ ଦିଆ ଗଲାନି ଗୁରୁତ୍ୱ। ଅଥଚ କରୋନା ପ୍ରତ୍ୟାବର୍ତ୍ତନ ଆଶଙ୍କାଜନିତ ଅନିଶ୍ଚିତତା ଦୃଷ୍ଟିରୁ ଅତ୍ୟନ୍ତ ଆବଶ୍ୟକ ଥିଲା ପାକ୍ଷିକ ବା ମାସିକ ପରୀକ୍ଷା। ବିଧିବଦ୍ଧ ଭାବରେ ଆଭ୍ୟନ୍ତରୀଣ ପରୀକ୍ଷା ଅନୁଷ୍ଠିତ ହୋଇଥିଲେ ଆଜି ମୂଲ୍ୟାୟନ କେମିତି ହେବ, ତାକୁ ନେଇ ଉଠି ନ ଥାନ୍ତା ବହୁ ମୂଲ୍ୟର ପ୍ରଶ୍ନ। ଏହା ଦୂରଦୃଷ୍ଟିର ଅଭାବ ନୁହେଁ ତ ଆଉ କ’ଣ?
ମନରେ ଉଙ୍କି ମାରୁଥିବା ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପାରମ୍ପରିକ ପଦ୍ଧତିରେ ପରୀକ୍ଷା କ’ଣ ସମ୍ଭବ ନୁହେଁ କଡ଼ାକଡ଼ି କୋଭିଡ୍‌ କଟକଣା ଭିତରେ? ସରକାର ଚାହିଁଥିଲେ ୧୦୦ ନମ୍ବର ପରିବର୍ତ୍ତେ ୫୦ କିମ୍ବା ୩୦ ପୂର୍ଣ୍ଣସଂଖ୍ୟାର ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନକୁ ନେଇ ପରୀକ୍ଷା ହୋଇପାରିଥାନ୍ତା ଘଣ୍ଟାଏ ବା ଅଧଘଣ୍ଟାର ଅବଧି ମଧ୍ୟରେ। ସଂଗରୋଧ କଟକଣାକୁ ଅଗ୍ରାଧିକାର ଦେଇ ପରୀକ୍ଷା କେନ୍ଦ୍ରରେ ରହିଥାନ୍ତା ପର୍ଯ୍ୟାପ୍ତ ବ୍ୟବସ୍ଥା। ଆବଶ୍ୟକ ସ୍ଥଳେ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟ ଗୃହରେ ବି ହୋଇଥାନ୍ତା ଦ୍ବାଦଶ ଶ୍ରେଣୀ ପରୀକ୍ଷା। ଯିଏ ଯେଉଁ ଶିକ୍ଷାଳୟର ପରୀକ୍ଷାର୍ଥୀ ହେଉନା କାହିଁକି ସେ ପରୀକ୍ଷା ଦେଇଥାନ୍ତା ନିଜ ଗାଁ ବା ନିକଟସ୍ଥ ସ୍କୁଲ କଲେଜରେ। ସ୍ଥାନୀୟ ସ୍ଥିତିକୁ ଦୃଷ୍ଟିରେ ରଖି ଗୋଟିଏ ବିଷୟର ପରୀକ୍ଷାକୁ ଅଲଗା ଅଲଗା ଅଞ୍ଚଳରେ ଭିନ୍ନ ଭିନ୍ନ ତାରିଖରେ ବି କରାଯାଇ ପାରିଥାନ୍ତା ଏବଂ ସେହି ଅନୁସାରେ ତିଆରି ହୋଇଥାନ୍ତା ଅଲଗା ଅଲଗା ପ୍ରଶ୍ନପତ୍ର। ଶେଷ କଥାଟି ହେଉଛି ପରୀକ୍ଷାର୍ଥୀଙ୍କ ସ୍ବାସ୍ଥ୍ୟ ନିରାପତ୍ତା ଦୃଷ୍ଟିରୁ ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ଓ ଯୁଦ୍ଧକାଳୀନ ଭିତ୍ତିରେ ହୋଇପାରିଥାନ୍ତା ଟିକାକରଣ ବ୍ୟବସ୍ଥା। ଟିକାର ଦୁଇ ପାନ (ଡୋଜ)ମଧ୍ୟରେ ବ୍ୟବଧାନକୁ ନେଇ କେହି ହୁଏତ ଏହାକୁ ହାସ୍ୟାସ୍ପଦ କହିପାରନ୍ତି, ମାତ୍ର ଏହା ସମ୍ଭବ ହୋଇପାରିଥାନ୍ତା ସରକାରଙ୍କ ଆନ୍ତରିକତା ଓ ଦୂରଦୃଷ୍ଟି ବଳରେ। ଯଦି ଏତେ ସବୁ ବ୍ୟବସ୍ଥା ପିଲାଙ୍କ ନିରାପତ୍ତା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ସରକାର ଭାବୁଥିଲେ, ତେବେ ପରୀକ୍ଷା ବାତିଲ ନ କରି ସ୍ଥିତି ସୁଧୁରିବା ଆଶାରେ ଆଉ କିଛି ଦିନ ଅପେକ୍ଷା କରିଥିଲେ କ’ଣ ଆକାଶ ଛିଡ଼ି ପଡ଼ିଥାନ୍ତା ନା ଓଲଟପାଲଟ ହୋଇ ଯାଇଥାନ୍ତା ପୃଥିବୀ?
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡ଼ା, ମୟୂରଭଞ୍ଜ


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?