ଘରୋଇ ଶିକ୍ଷାର ଅନ୍ତରାଳେ

ସମ୍ପ୍ରତି ଶିକ୍ଷା ବ୍ୟବସ୍ଥାରେ ଘରୋଇକରଣର ତୀବ୍ରତା ଯେ ଅଧିକ ଏହାକୁ ସ୍ବୀକାର କରିବାକୁ ପଡ଼ିବ। ଗାଆଁରୁ ସହର ସବୁଠି, ପ୍ରାଥମିକରୁ ଉଚ୍ଚଶିକ୍ଷା ସବୁ ସ୍ତରରେ ଶିକ୍ଷା ଏକ ପଣ୍ୟ ଦ୍ରବ୍ୟ ଭାବରେ କ୍ରୟ ବିକ୍ରୟ ହେଉଛି। ତେବେ ଶିକ୍ଷା ପଣ୍ୟଦ୍ରବ୍ୟ ରୂପେ ବିକ୍ରି ହେଲେ ଅସୁବିଧା କ’ଣ? ଅନେକ ଲୋକ ଭାବନ୍ତି ଏହା ବରଂ ଭଲ। ସାମର୍ଥ୍ୟ ଅନୁଯାୟୀ ପିତାମାତାମାନେ ତାଙ୍କ ପୁଅଝିଅଙ୍କୁ ଉତ୍ତମ ତଥା ଉପଯୁକ୍ତ ଶିକ୍ଷା ପ୍ରଦାନ କରିପାରିବେ। ଇଚ୍ଛା ଅନୁଯାୟୀ ଶିକ୍ଷାନୁଷ୍ଠାନ ଚୟନ କରିପାରିବେ ଏବଂ ବଜାରର ଚାହିଦାକୁ ଲକ୍ଷ୍ୟକରି ମାର୍ଗ ବାଛିବେ। ସରକାରଙ୍କ ଉପରୁ ବୋଝ କମିବ , ବ୍ୟୟଭାର ହ୍ରାସ ହେବ। ଯେଉଁମାନେ ପାରୁନାହାନ୍ତି ସେମାନଙ୍କ କଥା ସରକାର ବୁଝନ୍ତୁ। ସମସ୍ତଙ୍କ ଦାୟିତ୍ୱ ନେବାକୁ ଗଲେ ଗୁଣାତ୍ମକ ଶିକ୍ଷା ଯୋଗାଇବାରେ ସରକାର ବ୍ୟର୍ଥ ହେବେ। ଫଳରେ ଆଖୁ ସାଙ୍ଗକୁ ଅନାବନା ଘାସ ପାଣି ପାଇବା ପରି ସଭିଏଁ ସମଦଶା ଭୋଗିବେ। ଏହା କେତେ ଯୁକ୍ତିସଙ୍ଗତ ଏବଂ ସୁସ୍ଥ ସମାଜ ଗଠନରେ ସହାୟକ ହେବ ତାହା ହିଁ ଆଲୋଚ୍ୟ ବିଷୟ।

ଶିକ୍ଷା ଏମିତି ଏକ ବ୍ୟବସ୍ଥା ଯାହା ମଣିଷର ଜୀବିକା, ଜୀବନଚର୍ଯ୍ୟା, ବ୍ୟବହାର, ଚାଲିଚଳନ ସବୁକିଛି ଉପରେ ପ୍ରତ୍ୟକ୍ଷ ପ୍ରଭାବ ପକାଇଥାଏ। ଶିକ୍ଷା ମଣିଷର କେବଳ ଶାରୀରିକ, ମାନସିକ, ବୌଦ୍ଧିକ ବିକାଶର ଚାବିକାଠି ନୁହେଁ ବରଂ ମଣିଷର ଚେତନାର ଅବରୁଦ୍ଧ ଦ୍ୱାରକୁ ଖୋଲିବାରେ ଏହା ଖୋରାକ ଯୋଗାଏ। ଏହା ମଣିଷକୁ ଆତ୍ମନିର୍ଭରଶୀଳ ହେବାରେ ଯେତିକି ସାହାଯ୍ୟକରେ ସେତିକି ଆତ୍ମସଂଯମୀ କରାଏ। ଏହା ଅଜ୍ଞତାରୁ ମୁକ୍ତିଦିଏ, ଅନ୍ଧବିଶ୍ୱାସକୁ ପରିହାରତ୍‌କରେ, ଅପସଂସ୍କୃତିଠାରୁ ଦୂରେଇ ନିଏ। କିନ୍ତୁ ଶିକ୍ଷା ଯେତେବେଳେ ବିକ୍ରୟ ଓ କ୍ରୟ ପରିସରଭୁକ୍ତ ହୋଇଯିବ ସେତେବେଳେ ପୁଞ୍ଜିନିବେଶର କଥା ଉଠିବ। ଯିଏ ପୁଞ୍ଜିବିନିଯୋଗକରି ଶିକ୍ଷାନୁଷ୍ଠାନ ଖୋଲିବ ସେ ସେଠାରୁ ଲାଭ କେମିତି ଆସିବ ତାହା ଚିନ୍ତା କରିବ। ଲାଭରୁ ଆସିବ ଲୋଭ। ଲୋଭ ବଢ଼ିଲେ ମୂଲ୍ୟବୋଧ କମିବ। ମୂଲ୍ୟବୋଧର ହ୍ରାସ ହେଲେ ଶୋଷଣ ଅବାଧ ଗତିରେ ଚାଲିବ। ଏମିତି ଗୋଟିଏ ବି ଘରୋଇ ଶିକ୍ଷାନୁଷ୍ଠାନ ନାହିଁ ଯେଉଁଠି ଛାତ୍ରୀଛାତ୍ରମାନେ ଶୋଷଣର ଶିକାର ହେଉ ନାହାନ୍ତି। ଏହାକୁ ଅତି ସହଜରେ ବୁଝିହେବ ଯଦି ପ୍ରତ୍ୟେକ ଘରୋଇ ଶିକ୍ଷାନୁଷ୍ଠାନର ଶୈଶବ ଓ କୈଶୋର ଅବସ୍ଥାର ଚେହେରାକୁ ବିଶ୍ଳେଷଣ କରାଯାଏ। ୧୦/୧୫ ବର୍ଷ ଭିତରେ ଅଭୂତପୂର୍ବ ପରିବର୍ତ୍ତନ ଘଟୁଛି ଏହି ଧରଣର ଶିକ୍ଷାନୁଷ୍ଠାନଗୁଡ଼ିକରେ। ବିସ୍ତୀର୍ଣ୍ଣ ପରିସର, ଆଖି ପାଏ ନାହିଁ। ଅନେକ ନଭଶ୍ଚୁମ୍ଭୀ ଅଟ୍ଟାଳିକା ଛିଡ଼ା ହୋଇଯାଏ କେତୋଟି ବର୍ଷ ଭିତରେ। ସାଙ୍ଗକୁ ଅତ୍ୟାଧୁନିକ ଭିତ୍ତିଭୂମି, ଆଖି ଝଲସିଲା ଭଳି ସାଜସଜ୍ଜା ସବୁ କିଛିରେ ଯାଦୁକରୀ ପରିବର୍ତ୍ତନ। ଦେଶ ବିଦେଶରୁ ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବା ପାଇଁ ବହୁ କୋଟି ଟଙ୍କା ବିନିମୟରେ ବହୁଳ ପ୍ରଚାର ଅଭିଯାନ ଚାଲୁଛି। ଏତେ ଅର୍ଥ ଆସୁଛି କେଉଁଠୁ ? ଗୋଟିଏ ମାତ୍ର ଉତ୍ତର ଉତ୍ତମ ଶିକ୍ଷା ପାଇଁ ଯେଉଁ ଛାତ୍ରୀଛାତ୍ରମାନେ ଏହିସବୁ ଶିକ୍ଷାନୁଷ୍ଠାନରେ ଭର୍ତ୍ତି ହେଉଛନ୍ତି ସେମାନଙ୍କ ଅଭିଭାବକଙ୍କଠାରୁ ନିଶ୍ଚୟ। ଆମେ କହିପାରିବା ନାହିଁ ଯେଉଁ ଅଭିଭାବକମାନେ ତାଙ୍କ ପିଲାମାନଙ୍କୁ ଏହିସବୁ ବିଦ୍ୟାଳୟ, ମହାବିଦ୍ୟାଳୟ ଅଥବା ବିଶ୍ୱବିଦ୍ୟାଳୟରେ ପଢ଼ାଉଛନ୍ତି ସେମାନେ ସମସ୍ତେ ଧନୀ ଏବଂ ସମସ୍ତଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ମହଜୁଦ ଅଛି। ଯଦି ନିରପେକ୍ଷ ତଦନ୍ତ କରାଯାଏ ତେବେ ଜଣାପଡ଼ିବ ଯେ ଏମାନଙ୍କ ଭିତରୁ ଅନେକେ ଏହି ଅର୍ଥକୁ ଭରଣାକରିବା ପାଇଁ ଜମିବାଡ଼ି ବିକ୍ରି କରିଦେଉଛନ୍ତି, କେହି କେହି ଋଣ ଯନ୍ତା ଭିତରେ ପଡ଼ି ଛଟପଟ ହେଉଛନ୍ତି।

ମାତ୍ର ଦିନକୁ ଦିନ ଘରୋଇ ଶିକ୍ଷାର ଚାହିଦା ବଢ଼ୁଛି। ଅର୍ଥାତ୍‌ କ୍ରେତାଙ୍କ ସଂଖ୍ୟା ବଢ଼ୁଛି। ଡିଗ୍ରୀଧାରୀ ବେକାର ଯୁବତୀଯୁବକଙ୍କର ଅଭାବ ନାହିଁ, ଯେଉଁମାନେ ପାଠ ପଢ଼ାଇବେ। ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ସରକାରୀ ନୀତି ଅତୀବ କୋହଳ। ମିଛସତ କହି ପିଲା ଗୋଟାଇବା ପାଇଁ ଦଲାଲ ଅଛନ୍ତି। ବାସ୍‌, ଘରଟିଏ ଭଡ଼ା ନେଇ ଶିକ୍ଷା ଶିଳ୍ପଟିଏ ଖୋଲି ଦେଲେ କେଇଟା ଦିନରେ ମାଲାମାଲ୍‌। ମାଛତେଲରେ ମାଛ ଭଜାହେବ। ନିଜସ୍ବ କ୍ୟାମ୍ପସ୍‌ ତିଆରି କରିବାକୁ ବେଶିଦିନ ଲାଗିବନାହିଁ। ଆଉ ଯିଏ ନେଇଆଣି ଥୋଇ ପାରିଲା, ପ୍ରଶାସନ ଏବଂ ସରକାରଙ୍କ ସହ ଭିତିରି ସମ୍ପର୍କ ରଖିପାରିଲା ତା’ର କଚେପୁଅ ବାର। ଏହାକୁ ଦେଖାଦେଖି ଏହି ପ୍ରକାର ଶିଳ୍ପ ଗାଆଁଠାରୁ ସହର ଯାଏ ସବୁଠି ଛତୁଫୁଟିବା ପରି ଗଢ଼ି ଉଠିଛି, ଉଠୁଛି। ଆଜି ଦେଶରେ କେତୋଟି ଘରୋଇ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ବିଦ୍ୟାଳୟ ଅଛି ତା’ର ହିସାବ କେହି କହିପାରିବେ ନାହିଁ।

ଘରୋଇ ଶିକ୍ଷା ବ୍ୟବସ୍ଥାରେ କେବଳ ଶିକ୍ଷା ଗ୍ରହୀତାମାନେ ଶୋଷଣର ଶିକାର ହେଉଛନ୍ତି ତାହା ନୁହେଁ, ଯେଉଁମାନେ ଶିକ୍ଷା ଦେଉଛନ୍ତି ସେମାନେ ମଧ୍ୟ ଶୋଷିତ ହେଉଛନ୍ତିି। ସରକାରୀ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ, ଅଧ୍ୟାପକ, ପ୍ରାଧ୍ୟାପକମାନଙ୍କ ପାଇଁ ମାସିକ ବେତନର ବ୍ୟବସ୍ଥା ଥିବାବେଳେ ଘରୋଇ ଶିକ୍ଷାନୁଷ୍ଠାନରେ ବାର୍ଷିକ ପ୍ୟାକେଜ୍‌ ତାହା ପୁଣି ମାଲିକଙ୍କ ମର୍ଜି ଉପରେ ନିର୍ଭରକରେ। ବାର୍ଷିକ ଦରମା ବୃଦ୍ଧି ବ୍ୟବସ୍ଥା ରହିବା ସହ ୬ମାସ ଅନ୍ତରରେ ବର୍ଦ୍ଧିତ ମହଙ୍ଗା ଭତ୍ତା ମୂଲ୍ୟ ସୂଚକାଙ୍କକୁ ଦୃଷ୍ଟିରେ ରଖି ପ୍ରଦାନ କରାଯାଏ ସରକାରୀ ସ୍ତରରେ। ସୁନିର୍ଦ୍ଦିଷ୍ଟ ଚାକିରି ସର୍ତ୍ତାବଳୀ ସାଙ୍ଗକୁ ଅବସରକାଳୀନ ସୁବିଧା ସୁଯୋଗ ମଧ୍ୟ ରହିଛି। ମାତ୍ର ଘରୋଇ ଶିକ୍ଷାନୁଷ୍ଠାନରେ ଯେଉଁମାନେ ଶିକ୍ଷକତା କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ଏସବୁର ବ୍ୟବସ୍ଥା ନ ଥିବା ବେଳେ ଯାହା ବି ଅଛି ତା’ର କୌଣସି ସ୍ଥାୟିତ୍ୱ ନାହିଁ। ଘଡ଼ିକେ ଘୋଡ଼ା ଛୁଟିଲା ଭଳି ନିୟମ ପରିବର୍ତ୍ତନ ହୁଏ। ସରକାରୀ ଭାବେ ନିଯୁକ୍ତ ବେତନ ଆୟୋଗ ଯେଉଁ ବେତନ ନିର୍ଦ୍ଧାରଣ କରନ୍ତି ତାହା କୌଣସି ଘରୋଇ ଶିକ୍ଷାନୁଷ୍ଠାନରେ ଲାଗୁ ହୁଏନାହିଁ। ଏମାନେ ବର୍ଦ୍ଧିତ ବେକାରି ହାରର ସୁଯୋଗ ନେଇ ଉଚ୍ଚଶିକ୍ଷିତ ଯୁବତୀଯୁବକଙ୍କୁ କମ୍‌ ପାରିଶ୍ରମିକ ଦେଇ ବେଶି କାମ ଆଦାୟ କରନ୍ତି। ତଥାପି ଏମାନେ ପ୍ରତିବାଦ କରିପାରନ୍ତି ନାହିଁ। ପାଟି ଖୋଲିଲେ ବହିଷ୍କାରର ଭୟ। ସବୁ ଅନ୍ୟାୟ ଅନୀତିକୁ ମଥାପାତି ମାନି ନିଅନ୍ତିି ଏହି ଶିକ୍ଷିତ ଯୁବତୀଯୁବକମାନେ। ଏମିତିକି ସରକାର ନିର୍ଦ୍ଧାରଣ କରିଥିବା କୁଶଳୀ କାରିଗରଠାରୁ ମଧ୍ୟ କମ୍‌ ପାରିଶ୍ରମିକରେ ଏମାନେ ଶିକ୍ଷାଦାନ କରୁଛନ୍ତି।

କେବଳ ଶୋଷଣ ନୁହେଁ , ବହୁ ଲକ୍ଷ ଟଙ୍କା ବିନିମୟରେ ଯେଉଁମାନେ ଶିକ୍ଷାକୁ କ୍ରୟ କରୁଛନ୍ତିି ସେମାନଙ୍କ ଭିତରେ ଏକ ବ୍ୟବସାୟିକ ମନୋବୃତ୍ତି ସୃଷ୍ଟି ହୋଇଯାଉଛି। ମାନବୀୟ ମୂଲ୍ୟବୋଧ କମି କମି ଆସୁଛି। ଉଦାହରଣ ସ୍ବରୂପ କୋଟିଏ ଟଙ୍କା ଖର୍ଚ୍ଚକରି ଡାକ୍ତର ହେବା ପରେ ସେ ରୋଗୀ ସେବା କରିବ ନା ଯେକୌଣସି ପ୍ରକାରେ ବହୁ କୋଟି ଟଙ୍କା ଉପାର୍ଜନ କରିବାକୁ ମନ ବଳାଇବ ତାହା ହିଁ ବିଚାର ସାପେକ୍ଷ। ଦ୍ୱିତୀୟରେ ଡାକ୍ତରୀ ପାଠ ପଢ଼ିବା ପାଇଁ ଯେଉଁ ଯୋଗ୍ୟତା ହାସଲ କରିବାକୁ ପଡ଼େ ତାହା ନ କରି ମଧ୍ୟ ପ୍ରଚୁର ଟଙ୍କା ଖର୍ଚ୍ଚକରି ଏହା ଅଧ୍ୟୟନ କରୁଛନ୍ତି। ଏହା କେବଳ ଘରୋଇ ଶିକ୍ଷାନୁଷ୍ଠାନରେ ସମ୍ଭବ ହୋଇପାରେ। ଏହା ଫଳରେ ଦକ୍ଷତା ଆଜି ସନ୍ଦେହର କାଠଗଡ଼ାରେ।

କୌଣସି ଘରୋଇ ଶିକ୍ଷାନୁଷ୍ଠାନ ସାମୂହିକ ଦକ୍ଷତା ଉପରେ ଗୁରୁତ୍ୱ ଦିଏନାହିଁ। ସେଇଥିପାଇଁ ସଂଘୀୟ କାର୍ଯ୍ୟକ୍ରମର ଏମାନେ ପରିପନ୍ଥୀ। ବିଦ୍ୟାର୍ଥୀ କେବଳ ନିଜେ ନିଜର ଅଭାବ ଅସୁବିଧା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇପାରିବେ। କିନ୍ତୁ ଅନ୍ୟର ଅସୁବିଧା ସମ୍ପର୍କରେ ଜଣାଇବାର ସ୍ବାଧୀନତା କାହାକୁ ଦିଆଯାଏ ନାହିଁ। ସଂଘ, ସଙ୍ଗଠନ, ସଂସଦ ଗଢ଼ିବାର ଅଧିକାର ଏଠାରେ ନାହିଁ। ଫଳରେ ଏହିସବୁ ଶିକ୍ଷାନୁଷ୍ଠାନରେ ଯେତେ ଅନ୍ୟାୟ, ଅନୀତି, ଦୁର୍ନୀତି, ଶୋଷଣ, କଷଣ, କେଳେଙ୍କାରୀ ହେଲେ ମଧ୍ୟ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ ଦେଖିବାକୁ ମିଳେ ନାହିଁ। ଭବିଷ୍ୟତକୁ ଦୃଷ୍ଟିରେ ରଖି ସହିଯିବାକୁ ଏମାନେ ବାଧ୍ୟ ହୁଅନ୍ତିି। ଭିତରର ଗୁମର ପଦାକୁ ଆସେ ନାହିଁ। ମନଲୋଭା ବାହ୍ୟ ପରିବେଶ, ନିଯୁକ୍ତିର ମିଛ ଗ୍ୟାରେଣ୍ଟି ତଥା ମିଛ ମାନ୍ୟତାକୁ ଲକ୍ଷ୍ୟକରି ଧନ, ମନ, ଯୌବନ ଅଜାଡ଼ି ଦିଅନ୍ତି ଛାତ୍ରୀଛାତ୍ରମାନେ। ଯାହାର ସଦ୍ୟତମ ଉଦାହରଣ ହେଲା କିଟ୍‌ ବିଶ୍ୱବିଦ୍ୟାଳୟ।

ଉପସଂହାରରେ ଏତିକି କହିବି, ଶିକ୍ଷାରେ ଘରୋଇକରଣ ଅଥବା ବ୍ୟବସାୟୀକରଣ ଦ୍ୱାରା ମଣିଷର ବୌଦ୍ଧିକ ବିକାଶ ହୁଏତ କେତେକାଂଶରେ ସମ୍ଭବ ହୁଏ, କିନ୍ତୁ ତା’ର ସର୍ବାଙ୍ଗୀନ ବିକାଶ ଘଟେ ନାହିଁ। ସମାଜର ସମତୁଲ ବିକାଶ ହେବା ପରିବର୍ତ୍ତେ ବୈଷମ୍ୟ ତୀବ୍ରତର ହୁଏ। ଏହା କଦାପି ସାର୍ବଜନୀନ ଶିକ୍ଷାର ବିକଳ୍ପ ହୋଇପାରିବ ନାହିଁ। ପ୍ରତ୍ୟେକଟି ଶିଶୁ, କିଶୋର ଓ ଯୁବକକୁ ଶିକ୍ଷା ଅଧିକାର ଆଇନର ପରିସରଭୁକ୍ତ କରିବାକୁ ହେଲେ ଶିକ୍ଷାର ବଜାରୀକରଣକୁ ନିରୁତ୍ସାହିତ କରିବା ସଙ୍ଗେ ସଙ୍ଗେ ସରକାରୀ ସାର୍ବଜନୀନ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବା ବାଞ୍ଛନୀୟ।

ସଭାପତି, ଓଷ୍ଟା
ମୋ:୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri