ବୋଙ୍ଗାଇଗାଁଓ(ଆସାମ),୨୩।୧୦: ଆସାମର ବୋଙ୍ଗାଇଗାଁଓ ଜିଲାର ଏକ ହୋଟେଲ ରୁମ୍ରୁ ଜଣେ ଡିଏସ୍ପିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଅଧିକାରୀ ଜଣକ ଖାର୍ଗେଶ୍ୱର ରାଭା ବୋଲି ଜଣାପଡିଛି। ଖାର୍ଗେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ଭିଜିଲାନ୍ସ ସେଲ୍ରେ DSP ଭାବେ କାର୍ଯ୍ୟରତ ଥିଲେ। ହେଲେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଅନ୍ୟପକ୍ଷେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ମୁତାବକ, DSP ଖାର୍ଗେଶ୍ୱର ଗତ ୧୮ ତାରିଖରେ ହୋଟେଲରେ ରହିବାକୁ ଆସିଥିଲେ। ହେଲେ କିଛି ଦିନ ହେଲା ହୋଟେଲ ରୁମ୍ରୁ କୌଣସି ଗତିବିଧି ଜଣାପଡି ନ ଥିଲା। ଏପରିକି ରୁମ୍ ଭିତରୁ ଦୁର୍ଗନ୍ଧ ବାହାରିବାରୁ ହୋଟେଲ କର୍ମଚାରୀଙ୍କ ସନ୍ଦେହ ବଢିଥିଲା। ଏନେଇ ହୋଟେଲ କର୍ମଚାରୀ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସର ବରିଷ୍ଠ ଅଧିକାରୀ ହୋଟେଲରେ ପହଞ୍ଚି ରୁମ୍ କବାଟ ଭାଙ୍ଗି ଥିଲେ। ପରବର୍ତ୍ତୀ ସମୟରେ ରୁମ୍ ଭିତରୁ DSPଙ୍କ ଗଳିତ ମୃତଦେହ ଦେଖିବାକୁ ମିଳିଥିଲା।
ଘଟଣା ସମ୍ପର୍କରେ ବୋଙ୍ଗାଇଗାଁଓ ବରିଷ୍ଠ ପୋଲିସ ଅଧୀକ୍ଷକ(ଏସ୍ଏସ୍ପି) ନୁମଲ ମହାତୋ କହିଛନ୍ତି, ପୋଲିସର ପ୍ରାଥମିକ ତଦନ୍ତରେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ DSPଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ଅଧୀକ୍ଷକ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। ଏପରିକି ପୋଲିସ ହୋଟେଲର ସିସିଟିଭି ଫୁଟେଜ, କଲ ଡିଟେଲ ରେକର୍ଡ ଏବଂ ହୋଟେଲର ଭିଜିଟର ଲଗ୍ ଯାଞ୍ଚ କରିଛି।

