ବ୍ୟସ୍ତ ହୁଅନାହିଁ

ଓଡ଼ିଶା ଉପକୂଳ ଅଞ୍ଚଳରେ ପ୍ରାୟତଃ ଅକ୍ଟୋବରରେ ଝଡ଼ବାତ୍ୟା ଦେଖାଦେଇ ଆସୁଥିଲା। ଗତ କିଛିବର୍ଷ ହେବ ମେ’ ମାସରେ ଅର୍ଥାତ୍‌ ଗ୍ରୀଷ୍ମ ସମୟରେ ବାତ୍ୟା ଆସି ବହୁ କ୍ଷୟକ୍ଷତି ଘଟାଉଛି। ମେ’ ୨୦୧୯ ‘ଫନୀ’ରେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲା ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ୨୬ ମେ’୨୦୨୧ରେ ‘ୟାସ୍‌’ ବାଲେଶ୍ୱର, ଭଦ୍ରକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲାକୁ ସର୍ବାଧିକ କ୍ଷତି ପହଞ୍ଚାଇବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁମାନ କରିଛି। ଉପକୂଳ ଅଞ୍ଚଳର ଅନ୍ୟାନ୍ୟ ଜିଲାରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି କୁହାଯାଉଛି। ୟାସ୍‌ ଭୟଙ୍କର ରୂପ ଧାରଣ କରିଥିବାର ସଙ୍କେତ ୨୫ ମେ’ରେ ଆରମ୍ଭ ହୋଇଯାଇଥିବା ପବନ ଓ ବର୍ଷାରୁ ଅନୁମାନ କରାଯାଇପାରେ। ତେଣୁ ଧରିନେବାକୁ ହେବ ଯେ, ବର୍ଷକୁ ଅନୂ୍ୟନ ଦୁଇ ଥର ବାତ୍ୟାକୁ ସାମ୍ନା କରିବା ଲାଗି ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯେଭଳି ଭାବେ ଘଟିଚାଲିଛି ଭବିଷ୍ୟତରେ ଏହାର ଫ୍ରିକ୍ୱେନ୍ସି ବା ବାରମ୍ବାରତା ବଢ଼ିପାରେ।
୧୯୯୯ ମହାବାତ୍ୟା ଓଡ଼ିଶାରେ ବହୁ ଧନଜୀବନ ହାନି ଘଟାଇଥିଲା। ସେତେବେଳେ ଆଜିଭଳି ବୈଷୟିକ ଜ୍ଞାନକୌଶଳ ସହ ଉଚ୍ଚପ୍ରଶିକ୍ଷିତ ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟାନୁଷ୍ଠାନ ବାହିନୀ (ଓଡ୍ରାଫ୍‌) ନ ଥିଲା। ଅନ୍ୟପକ୍ଷରେ ଏସବୁ ସାଧନ ସହିତ ପାଣିପାଗ ବିଭାଗର ଅନୁମାନ ପୂର୍ବାପେକ୍ଷା ଅନେକାଂଶରେ ଠିକ୍‌ ହେଉଥିବା ସତ୍ତ୍ୱେ ଫନୀରେ ଲୋକଙ୍କ ଜୀବନ ଯିବା ସହିତ ବିଦ୍ୟୁତ୍‌, ଟେଲି ଯୋଗାଯୋଗ ଓ ଇଣ୍ଟରନେଟ୍‌ ସେବା ଭଳି ଭିତ୍ତିଭୂମି ଛିନ୍‌ଛତ୍ର ହୋଇଯାଇଥିଲା। ଫନୀ ପରେ ଅନେକ ଅଞ୍ଚଳରେ ବିଦ୍ୟୁତ୍‌ ସେବା ପୁନଃସଂସ୍ଥାପିତ କରିବା ଲାଗି ୩ ମାସରୁ ଊର୍ଦ୍ଧ୍ୱ ସମୟ ଲାଗିଯାଇଥିଲା। ୟାସ୍‌ ଭଦ୍ରକ ଜିଲାର ଧାମରାଠାରୁ ବାଲେଶ୍ୱର ମଧ୍ୟରେ ସ୍ଥଳଭାଗ ଛୁଇଁବା ପରେ ତାହାର ପ୍ରଭାବ କିଭଳି ରହିବ ଜଣାପଡ଼ିବ। ପ୍ରତିଥର ଭଳି ରାଜ୍ୟ ସରକାର ଜିରୋ କାଜୁଆଲ୍‌ଟି ବା ଶୂନ୍ୟ ଜୀବନହାନି ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟବାସୀ ମଧ୍ୟ ଏହା ଆଶା ରଖିବା ସ୍ବାଭାବିକ। କିନ୍ତୁ ୟାସ୍‌ ଯୋଗୁ ଘଣ୍ଟା ପ୍ରତି ୧୬୫ ଓ ସର୍ବାଧିକ ୧୮୫ କିଲୋମିଟର ବେଗରେ ପବନ ବହିବ ବୋଲି ଆଇଏମ୍‌ଡି ଯେଉଁ ଆକଳନ କରିଛି, ତାହାଦ୍ୱାରା ଗଛ, ବିଦ୍ୟୁତ୍‌ ଓ ଟେଲିଫୋନ୍‌ ଟାଓ୍ବାର ଭାଙ୍ଗିପଡ଼ିବାର ଆଶଙ୍କା ସୃଷ୍ଟି ହେଉଛି। ଏଭଳି ସ୍ଥଳେ ସରକାର ବାତ୍ୟା ଭଳି ସ୍ଥଳଭାଗରେ ମାଡ଼ କରୁଥିବା ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ଲାଗି ମାଟି ତଳେ କେବୁଲ୍‌ ମାଧ୍ୟମରେ ବିଦ୍ୟୁତ୍‌ ଓ ଟେଲି ଯୋଗାଯୋଗକୁ ବ୍ୟବସ୍ଥିତ କରିବାର ସମୟ ଆସିଛି। ଇତିମଧ୍ୟରେ ପରୀକ୍ଷାମୂଳକ ଭାବେ କେନ୍ଦ୍ରୀୟ ଭୁବନେଶ୍ୱରର ନିର୍ଦ୍ଦିଷ୍ଟ ଅଞ୍ଚଳରେ ମାଟିତଳେ ବିଦ୍ୟୁତ୍‌ ତାର ବିଛାଇବା କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟ ସରକାର ଯେତେ ଥର ବିଭିନ୍ନ ଅଞ୍ଚଳରେ ଥିବା ଘରୋଇ ବିଦ୍ୟୁତ୍‌ ସରବରାହ ସଂସ୍ଥାକୁ ପ୍ରୋତ୍ସାହନ ଦେଉଛନ୍ତି, ସମସ୍ତଙ୍କଠାରେ ବିଫଳତା ଦେଖିବାକୁ ମିଳୁଛି। ଏବେ ଉତ୍ତର ଓ କେନ୍ଦ୍ରାଞ୍ଚଳ ଓଡ଼ିଶାର ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ଟାଟା ପାଓ୍ବାର ନେଇଛି। କିନ୍ତୁ ଭିତ୍ତିଭୂମି ସୁଦୃଢ଼ କରିବା ଲାଗି କମ୍ପାନୀର କୌଣସି ପଦକ୍ଷେପ କେହି ଦେଖୁ ନ ଥିବେ। ବିପୁଳ ଅର୍ଥର ବିଲ୍‌ ଆଦାୟ କରି ପୂର୍ବରୁ ଘରୋଇ କମ୍ପାନୀ ଚମ୍ପଟ ମାରିଛନ୍ତି। ଟାଟା ପାଓ୍ବାର ମଧ୍ୟ ତାହାର କୌଣସି ସ୍ଥାୟୀ କାର୍ଯ୍ୟ ଆରମ୍ଭ କରିଥିବା ଭଳି ମନେହେଉ ନାହିଁ। ତେବେ ଏହି ବାତ୍ୟା ପରବର୍ତ୍ତୀ ସମୟରେ ଟାଟା ପାଓ୍ବାରର ଦକ୍ଷତା ଜଣାପଡ଼ିବ। ସେଥିପାଇଁ ମାଟି ତଳେ ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରାଯାଇ ବିଭିନ୍ନ କାର୍ଯ୍ୟ ସକାଶେ ତାର ଓ କେବୁଲ ନିଆଗଲେ, ପ୍ରତ୍ୟେକ ବର୍ଷ ବାତ୍ୟା ପରବର୍ତ୍ତୀ ସଜଡ଼ାସଜଡ଼ି ଓ ମରାମତି ପାଇଁ କରାଯାଉଥିବା ବ୍ୟୟକୁ ରୋକାଯାଇ ପାରନ୍ତା।
ସାଧାରଣତଃ ବାତ୍ୟା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଘୋଷଣା ହେବା ପରେ ଜନସାଧାରଣଙ୍କ ଆଚରଣରେ ଏକ ଦୁଃଖଦାୟକ ଲକ୍ଷଣ ବାରମ୍ବାର ପରିଲକ୍ଷିତ ହେଉଛି। କାଳେ ଖାଇବା ଲାଗି ଜିନିଷପତ୍ରର ଅଭାବ ଦେଖାଦେବ ତାହାକୁ ଆଶଙ୍କା କରି ଲୋକେ ଅନାବଶ୍ୟକ ଭାବେ ସାମଗ୍ରୀ କିଣି ପକାଉଛନ୍ତି। ୟାସ୍‌ ପୂର୍ବରୁ ୨୪ ମେ’ରେ ଲୋକମାନେ କରୋନା ନିୟମ ଉଲ୍ଲଂଘନ କରି ଯେଭଳି ଲଗାଲଗି ହୋଇ ଜିନିଷପତ୍ର କିଣିବା ପାଇଁ ବ୍ୟସ୍ତ ହେଉଥିବାର ଦୃଶ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି, ସେଥିରୁ ମନେହେଉଛି ଯେପରି ଜୀବନ ଦୁଇ ଚାରି ଦିନରେ ସରିଯାଉଛି। ଅନ୍ୟାନ୍ୟ ସହର ତୁଳନାରେ ଅପେକ୍ଷାକୃତ ଭାବେ ଭୁବନେଶ୍ୱର ଓ କଟକରେ ବାସ କରୁଥିବା ଶିକ୍ଷିତ ବର୍ଗଙ୍କ ଚରିତ୍ରରେ ଏ ଯେଉଁ ପ୍ରତିଫଳନ ଘଟୁଛି, ଏହାଦ୍ୱାରା ଲୋକେ କୌଣସି ବିଷୟରେ ସଚେତନ ଥିବା ପରି ମନେହେଉ ନାହିଁ। ମାନସିକ ଦାରିଦ୍ର୍ୟ ପ୍ରଦର୍ଶନ କରିବା ସହିତ ଏଠାରେ ଲୋକଙ୍କର ବିକଳ ଚିତ୍ର ପଦାରେ ପଡ଼ୁଛି।
ଆଜି ଯେଉଁ କରୋନା ମହାମାରୀକୁ ମଣିଷ ସାମ୍ନା କରୁଛି, ତାହା ଆମର ଏଭଳି ଚରିତ୍ର ରୋଗକୁ ବୃଦ୍ଧି କରାଉଛି। ବାତ୍ୟା ଓ ବାଦଲଫଟା ବର୍ଷା ଜଳବାୟୁ ପରିବର୍ତ୍ତନ ଓ ପ୍ରକୃତିର ଅସନ୍ତୁଳନତା ଯୋଗୁ ଘଟୁଛି। କିନ୍ତୁ ତଫାତ୍‌ ଯେ, ଏଗୁଡ଼ିକ ଏକାଥରକେ ଆସିବ ଓ କ୍ଷତି ଘଟାଇ ଚାଲିଯିବ। ଏହା ଏକ ଲିନିୟର ଡିଜାଷ୍ଟର ବା ରେଖାଙ୍କିତ ବିପତ୍ତି ଆଣି ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରଭାବ ପକାଇଥାଏ। ଅନ୍ୟପକ୍ଷରେ ମହାମାରୀ ବର୍ଷ ବର୍ଷ ଧରି ମଣିଷର ସ୍ବାସ୍ଥ୍ୟ ସହ ଅର୍ଥନୀତିକୁ ବିଗାଡ଼ି ଦିଏ। ତେଣୁ ମଣିଷର ଆଚରଣ ନିର୍ଣ୍ଣୟ କରେ କିଭଳି ତାହାକୁ ସାମ୍ନା କରିବ। ଏବେ କରୋନାର ପ୍ରକୋପ ଥିବା ବେଳେ ବାତ୍ୟା ଭଳି ଆଉ ଏକ ବିପର୍ଯ୍ୟୟ ସାମ୍ନାକୁ ଆସିଛି ମାନେ ତାହାକୁ ସମସ୍ତେ ବୁଦ୍ଧି ଖଟାଇ ସାମ୍ନା କରିବା କଥା। କରୋନା ମହାମାରୀ ପ୍ରତିହତ କରିବା ଲାଗି ଟିକାକରଣ ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ବାତ୍ୟା ସମୟରେ କାଳେ ଖାଇବା ଜିନିଷ ନ ମିଳିବ, ତାହାକୁ ଲକ୍ଷ୍ୟ କରି ଅସମ୍ଭାଳ ଭିଡ଼ ସୃଷ୍ଟି କରିବାରେ ଅନେକେ ବ୍ୟସ୍ତ। ଏହାଦ୍ୱାରା ଆମେ ଡବଲ ବିପଦକୁ ଡାକି ଆଣୁଛେ। ସମୟ ଆସିଛି, ବ୍ୟସ୍ତ ନ ହୋଇ ସଂଯତ ହେବା।


Enter your email to get our daily news in your inbox.

All Right Reserved By Dharitri.Com

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri