ହସିବା ମନା

ଦ୍ୱିତୀ ଚନ୍ଦ୍ର ସାହୁ

ଘେରାଏ ପାର୍କର ଚାରିପାଖ ବୁଲି ଆସିବା ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ବସେ। ବସି ଟିକିଏ ଥକା ମାରିବା ପରେ ଆରମ୍ଭ କରେ ସୂକ୍ଷ୍ମ ବ୍ୟାୟାମ। ଟିଭି ପରଦାରୁ ଦେଖି ଜାଣିଥିବା କିଛି ଯୋଗାଭ୍ୟାସ କଲା ପରେ ଘରକୁ ଫେରେ। ନିତିଦିନିଆ ସକାଳୁଆ ବୁଲା ଅଭ୍ୟାସ ଏମିତିରେ ଚାଲେ। ଦିନେ ହଠାତ୍‌ ଜଣେ ବୟସ୍କ ମଣିଷ ଆସି କହିଲେ ବାବୁ! ‘ଆମ କ୍ଲବକୁ ଆସୁନ! ବୁଲୁଛ। ଯୋଗ କରୁଛ। ଟିକେ ହସିକି ଯିବ!’ ପାର୍କର ଗୋଟେ ସ୍ଥାନରେ କିଛି ଲୋକ ଏକତ୍ର କୃତ୍ରିମ ହସ ହସୁଥିବାର ପ୍ରାୟତଃ ଦେଖେ। ବୟସ୍କ ମଣିଷଙ୍କ ମାର୍ଜିତ ବ୍ୟବହାର ମୋତେ ପ୍ରଲୁବ୍ଧ କଲା। ଜଣାପଡୁଥିଲା ଚାକିରି ଜୀବନରୁ ଅବସର ନେଇଛନ୍ତି ।
ଆଉ ସମଧର୍ମାଙ୍କୁ ନେଇ ଏମିତି ହସ କ୍ଲବ କରିଥିବା ତାଙ୍କ ସୂଚନାରୁ ଜାଣିପାରିଲି। ଅବସର ନେଉଥିବା ବୟସ୍କ ମଣିଷମାନେ ଏମିତି ବିଭିନ୍ନ କ୍ଲବ ଓ ସଂଗଠନ କରି ସାମାଜିକ ସେବା କରୁଛନ୍ତି। ତା’ ସହିତ ନିଜର କୋହ, ଯନ୍ତ୍ରଣା ଓ ଦୁଃଖକୁ ବ୍ୟକ୍ତ କରି ଅନେକାଂଶରେ ମନକୁ ଶାନ୍ତ କରାନ୍ତି। ଅବସର ପରର ସମୟ ବିତେଇବା ବହୁତ କଷ୍ଟ । ଗୋଟେ ପଟେ ପାରିବାରିକ ତାଡ଼ନା, ଆରପଟ ହାତରେ ପ୍ରଚୁର ସମୟ। ଆଦର ନ ଥିବା ଘରେ ସମୟ ବିତେଇବା ଯନ୍ତ୍ରଣାଦାୟକ। ଖରାବେଳତକ ଭିଡ଼ି ମୋଡ଼ି କେମିତି ଚଳେଇବାକୁ ହୁଏ। ନ ହେଲେ ଅପରାହ୍ନ ଓ ସକାଳେ ଘରୁ ପଦାକୁ ଆସି ସମୟ ବିତେଇବାକୁ ଭାରି ଇଚ୍ଛା ହୁଏ। ଏବେ ଆଉ ଏକ ପରିସ୍ଥିତି ହେଲା ଏକଲାପଣ। ବାହାରେ ସବୁ ପିଲା। ଏକାକୀ ଘରେ ଅବସର ପରବର୍ତ୍ତୀ ଜୀବନ। ବୁଢ଼ୀବୁଢ଼ା ମଣିଷ ଅସହାୟତାକୁ ନେଇ ଚଳିବା କି କଷ୍ଟ ! ଅର୍ଥ ପ୍ରତିପତ୍ତି ଥିଲେ ବି ଏମିତି ଏକ ସମୟ ଆସେ କଥା ହେବା ଲାଗି କିଏ ଜଣେ ଆବଶ୍ୟକ ପଡ଼େ! ଏଇକ୍ରମରେ ସାଂପ୍ରତିକି ସମୟ ବି ଦାରୁଣ। କିଏ କାହାର ନାହିଁ। ସହାୟତା ଦେବାକୁ ଇଚ୍ଛା ଥିଲେ ବି ଭିତରେ କୁନ୍ଥୁକୁନ୍ଥୁ। କିଏ କାହାକୁ ମିଶିବା ମନା। ବସି ଗପସପ ହେବା ମନା। ଖଟି କରିବା ମନା। ଏମିତିରେ ହସ ଗମାତ କେମିତି ସମ୍ଭବ! ଘରୁ ନ ବାହାରିଲେ ସୁରକ୍ଷିତ। ଘରେ ଥାଉ ଥାଉ ବି କେମିତି କୁଆଡୁ ସେ ଆସି ଆସ୍ଥାନ ଜମେଇ ଦିଏ ଯେ ତମାମ ଲୋକଙ୍କ ନିଦ ହଜେଇ ଦିଏ। ସବୁଆଡ଼େ ହାହାକାର। ରୋଗ ନ ହେବା ଲାଗି ଶତ ଚେଷ୍ଟା। ହୋଇଗଲେ ତ ନର୍କ ଯନ୍ତ୍ରଣା ଓ ମାନସିକ ଚାପ। ନ ହେଉଣୁ ବି ଜବର ହୀନସ୍ତା। ଆଗୁଆ ପଦକ୍ଷେପ ଲାଗି ଲୋକଙ୍କ ଉଦ୍ୟମ। ଘରର ସବୁ ସାମଗ୍ରୀ ଠାରୁ ଆରମ୍ଭ କରି ଔଷଧ, ଯନ୍ତ୍ରପାତି, ଅମ୍ଳଜାନ ଏମିତି କେତେ କେତେ ଜୀବନ ସୁରକ୍ଷା ସାମଗ୍ରୀ ତରବର ହୋଇ ଖୋଜି ଲୋଡ଼ି ରଖନ୍ତି ଲୋକେ। ଏଇ ମାନସିକତା ଭିତରେ ଘରେ ବାହାରେ ବିପଦର ପଦଧ୍ୱନି। କୋଉଥିରେ ମନ ଲାଗୁନି।
ସମୟ କଟେଇବା ଲାଗି ଯୋଉ ଯନ୍ତ୍ରଟା ଏଯାବତ୍‌ ଆମକୁ ସହାୟତା କରୁଥିଲା ତାକୁ ନେଇ ବି ମନ ବିସ୍ତାପ ହୋଇଗଲାଣି। ମୋବାଇଲ ଖଣ୍ଡକ ଯାହା ହେଉ ସମୟତକ ସାରି ଦେଉଥିଲା। କାହା ସହ ଗପି ଗପି ହେଉ ଅବା ସାମାଜିକ ଗଣମାଧ୍ୟମ ଭିତରେ ବୁଡ଼ି ରହି ସମୟ ବିତି ଯାଉଥିଲା। ଏବେ ମୋବାଇଲ ଖୋଲିଲେ ସାମାଜିକ ଗଣମାଧ୍ୟମରେ ବିୟୋଗ ବାର୍ତ୍ତା ଓ ମଲା ଲୋକର ହସ ହସ ପ୍ରୋଫାଇଲ ଫଟୋକୁ ଦେଖିଲେ ମନ ସାଙ୍କୁଡ଼ି ଯାଉଛି। କାଲି ଯାହା ସହ କଥା ହୋଇଥିବେ ଆଜି ତା’ର ନିଧନର ଖବର। ନିଜ ଭିତରେ ଛାନିଆ ଘର କରି ରହୁଛି। ମନ ଭିତରକୁ ଆପେ ଆପେ ପାପ ଛୁଇଁଯାଉଛି। ନିଜ ଭିତରେ ଅସହ୍ୟ ଚାପ ଓ ଉତ୍ତେଜନାବଶତଃ ଦେହର ସାମାନ୍ୟ ତାତି ବି ନିଜକୁ ଡରଉଛି। ବଞ୍ଚିବା ପାଇଁ ଯିଏ ଯାହା କହୁଛି ସେସବୁ ଆଖିବୁଜା କରି ଚାଲିଛି ନିଜ ନିଜ ଘରେ ମଣିଷ। ଟିଭି ଖୋଲିଲେ ଦେଶବ୍ୟାପୀ ହାହାକାର ଚିତ୍ର। ଅସହାୟ ପ୍ରଶାସନ। ଚିକିତ୍ସା ଜଗତ ସହ ଜଡ଼ିତ କର୍ମଚାରୀଙ୍କ କିଛି ନ କରିପାରିବାର ବିବଶପଣର ବାର୍ତ୍ତା। ଏଭଳି ସ୍ଥିତିରେ ମନରେ ସରସତା ନାହିଁ। କଥା କହିବାକୁ ଭାଷା ମିଳୁନି। ବ୍ୟକ୍ତ କରିବାକୁ ଦୁଃଖ ନିଅଣ୍ଟ ପଡୁଛି। ନିଜ ନିଜ ଭିତରର ଅସହାୟତା, କୋହ, ଯନ୍ତ୍ରଣାରେ ମଣିଷ ଛଟପଟ ହେଉଛି।
ନିଜକୁ ସର୍ବବ୍ୟାପୀ, ସର୍ବଜ୍ଞାନୀ କହୁଥିବା ମଣିଷ ପରିସ୍ଥିତି ନିକଟରେ କେତେ ଅସହାୟ ତା’ର ଚିତ୍ର ଦେଖି ଦେଖି ଜୀବନ ପ୍ରତି ବିତୃଷ୍ଣା ଆସି ଯାଉଛି। ଏମିତି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛନ୍ତି ଅନେକ ଆକ୍ରାନ୍ତ ମଣିଷ। କିନ୍ତୁ ଚିକିତ୍ସାବିଜ୍ଞାନୀଙ୍କ ଏକ ପରିସଂଖ୍ୟାନ ଅନୁସାରେ ମୋଟ କରୋନାର ୮୫ ପ୍ରତିଶତ ରୋଗୀ ମାମୁଲି ଅବା ମଧ୍ୟମ ଧରଣର ଆକ୍ରାନ୍ତ ହେଉଛନ୍ତି। ବାକି ୧୫ ପ୍ରତିଶତ ମାତ୍ରାଧିକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସେଥିରୁ ଅଧିକାଂଶ ଅମ୍ଳଜାନ ପାଇ ଭଲ ହେଉଛନ୍ତି ତ କିଛି ଆଇସିୟୁରୁ ସଫଳତାର ସହ ଘରକୁ ଫେରୁଛନ୍ତି। ଆଉ କିଛି ସଂଗ୍ରାମରେ ହାରି ଯାଉଛନ୍ତି। ସେସବୁ ମଣିଷ ଭିତରୁ ଆମ ଜଣାଶୁଣା ତାଲିକା ଭିତରେ ଥିଲେ ଆମକୁ ବିଚଳିତ କରୁଛି ତାଙ୍କ ମୃତ୍ୟୁ। ଏଇ କଠିନ ସମୟରେ ନିଜକୁ ନିଜେ ଯୁଝିବାକୁ ହେବ। ମନକୁ ଶାନ୍ତ ରଖି ସାହସ ଭରିବାକୁ ହେବ। ନକାରାତ୍ମକ ଚିନ୍ତନଠାରୁ ଦୂରରେ ରହିବାକୁ ହେବ। ବିଚଳିତ କରୁଥିବା ଦୃଶ୍ୟଠାରୁ ଦୂରେଇ ରହିବାର ଇଏ ସମୟ। ହସରସରେ ଭରା ପୁସ୍ତକ ହେଉ କି ଚଳଚ୍ଚିତ୍ର ଦେଖି ସୁସ୍ଥ ମଣିଷମାନେ ନିଜକୁ ମାନସିକସ୍ତରରେ ଫିଟ୍‌ ରଖିବାକୁ ହେବ।
ବିଶେଷଜ୍ଞଙ୍କ ମତରେ କରୋନା ଲଢ଼େଇ ପାଇଁ ଶାରୀରିକ ସୁସ୍ଥତା ସହ ମାନସିକ ସୁସ୍ଥତା ନିହାତି ଆବଶ୍ୟକ । ଏଇକ୍ରମରେ ବୟସ୍କ ବ୍ୟକ୍ତିଙ୍କ ଆଗ୍ରହକ୍ରମେ ତାଙ୍କ ହସ କ୍ଲବରେ ଯୋଗଦେବାକୁ ଇଚ୍ଛା ହେଲା। ସମୟ ଅଭାବରୁ ସେଦିନ ଘରକୁ ଫେରିଯାଇଥିଲି। ସପ୍ତାହ ବ୍ୟାପୀ ଲକ୍‌ଡାଉନ ଓ ଶଟ୍‌ଡାଉନ ଅବଧି ପରେ ସକାଳୁଆ ବୁଲା ସାରି ସେଇ ସ୍ଥାନରେ ବସି ନିରୀକ୍ଷଣ କଲି ସମଦୂରତା ସହ ଠିଆ ହୋଇଥିବା କିଛି ଲୋକେ ହସୁ ନ ଥିଲେ। ପାଖକୁ ଯାଇ ଦେଖିଲି ଚେୟାରରେ ଫୁଲମାଳ ଲଗା ଫଟୋଟେ ଅଛି। ତଥାକଥିତ ବୟସ୍କ ଲୋକଟି ହସୁଛନ୍ତି।
କିନ୍ତୁ ସ୍ଥିର ହସ। ସେଥିରେ ଧ୍ୱନି ନାହିଁ କି ଉଚ୍ଚାଟ ନାହିଁ। ଅଛି ଖାଲି ଦୁଃଖ ଓ ଶୋକ । ଚାରିଆଡ଼େ ଦେଖିଲି ସମସ୍ତଙ୍କ ମୁହଁରେ ମାସ୍କ। ମାସ୍କ ତଳେ ଥିବା ମୁହଁର ଭାବକୁ ବି ପଢ଼ିହେଉନି। ଭୂତାଣୁ ଭୟରେ ମଣିଷ ପିନ୍ଧୁଥିବା ମାସ୍କ ବୋଧେ ଏମିତି ହୁଇପ ଜାରି କରିଛି ସବୁଠି – ସ୍‌ ସ୍‌ ସ୍‌ … ହସିବା ମନା ଏଠି!
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା, ମୋ-୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri