ବିଭୀଷିକାର ବ୍ୟବଚ୍ଛେଦ

ଉପେନ୍ଦ୍ର ବିଶ୍ୱାଳ

ସବୁଠି ଆତଙ୍କର ଆସ୍ତରଣ, ବିଭୀଷିକାର ବିତ୍ପାତ। ଏକ ଅନିଶ୍ଚିତ ଭବିଷ୍ୟତର ଆଶଙ୍କା ଦଂଶନ କରୁଛି ସଭିଙ୍କୁ। ଠିକ୍‌ ବର୍ଷକ ତଳେ, ତାଲାବନ୍ଦର ତାଡନାରେ କି ହନ୍ତସନ୍ତ ହେଉ ନ ଥିଲା ଏ ଜୀବନ! ତଥାପି ଆମର ଚେତା ଆସିଲା ନାହିଁ ।
ଆଉ ଦିନ କେଇଟା ଅପେକ୍ଷା କରିଥିଲେ, ସମ୍ପୂର୍ଣ୍ଣ ବିଜୟ ଘୋଷିତ ହୋଇଥାନ୍ତୁ ଆମେ। ମାତ୍ର କଷ୍ଟକର ଏ ଲଢ଼େଇକୁ ଆମେ ଭଣ୍ଡୁର କରିଦେଲୁ ଅପରିଣାମଦର୍ଶୀ ହୋଇ। ମାତିଗଲୁ ଉତ୍ସବ ପାଳନରେ। ଭୁଲିଗଲୁ ଭୂତାଣୁର ସେ ବିଭୀଷିକାକୁ। ଅଧିକ ବଳ ଜୁଟାଇ, ଭୟଙ୍କର ରୂପ ନେଇ ପାଲଟା ଆକ୍ରମଣ କଲା। ତା’ର ମୁକାବିଲା କଲାବେଳକୁ, ଆଖି ଆଗରେ ଲୋଟିଯାଉଛି ଅନେକ ଧନ-ଜୀବନ। ଗୋଟିଏ ଦେଶର ପ୍ରଗତି ବା ଦୁର୍ଗତି ଯେତିକି ନିର୍ଭର ନ କରେ ଶାସନ ଖସଡ଼ା ଉପରେ, ତତୋଽଧିକ ନିର୍ଭର କରେ ଲୋକାଚାର ଓ ଲୋକସଂକଳ୍ପ ଉପରେ। ଯଦି କେହି ଦେଶ କରୋନା ଜନିତ ଦୁର୍ଗତିରୁ ମୁକୁଳି, ଦମ୍ଭଧରି ଆଜି ଚାଲିବା ଆରମ୍ଭ କରିଛି ତ ତାହା ସମ୍ଭବ ହୋଇପାରିଛି ସେ ଦେଶର ଲୋକଙ୍କ ସଂଯତ ଆଚରଣ, ଦୃଢ଼ ମୁକାବିଲା ମନୋବୃତ୍ତି ଯୋଗୁ। ମାତ୍ର ବିଚିତ୍ର ଏ ଦେଶ ଭାରତ। ଏଠି ଶୃଙ୍ଖଳା ଓ ଅନୁଶାସନ କଥା କହିଲେ, ଥୋକେ ଚିତ୍କାର ଛାଡ଼ନ୍ତି, ବ୍ୟକ୍ତି ସ୍ବାଧୀନତା ଉପରେ ଅଯଥା ହସ୍ତକ୍ଷେପ ବୋଲି ଅଭିଯୋଗ କରି। ସବୁକଥାରେ କେଁ ଖୋଜୁଥିବା ଏପରି ଅଜବ ପ୍ରକୃତିର ଲୋକଙ୍କ ପାଇଁ ଭାରତ ଖୁବ୍‌ ବ୍ୟଥିତ ଆଜି।
ଶୃଙ୍ଖଳିତ ଜୀବନ ପାଇଁ ଏ ମଣିଷ ଯେତିକି କୁଣ୍ଠିତ ସେତିକି ଆତୁର ବିଶୃଙ୍ଖଳାକୁ ବରଣ କରିବାକୁ। ଏଇ ଯେମିତି ହେଲ୍‌ମେଟ ପିନ୍ଧିବା ଘଟଣା। ପ୍ରାଣରକ୍ଷା ଅପେକ୍ଷା ପୋଲିସର ଭୟ ହିଁ ଆମକୁ ବାଧ୍ୟକରେ ହେଲମେଟ ପିନ୍ଧିବାକୁ। ସେମିତି ବି ମାସ୍କ ଯଦି ପିନ୍ଧୁଛୁ, ତେବେ ଜରିମାନା ଡରରେ। ତାହା ବି ଥୋଡ଼ ତଳକୁ। ପୋଲିସକୁ ଦେଖିଲାକ୍ଷଣି ମାସ୍କକୁ ଉଠାଇ ମୁହଁକୁ ଢାଙ୍କିଥାଉ। ଅର୍ଥାତ ବିନା ଲଗାମରେ, ବିନା ଛାଟରେ ଆମେମାନେ ବାଟକୁ ଆସୁନା। ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଗତ ସପ୍ତାହର ଘଟଣାଟିଏ। ବିନା ମାସ୍କରେ ଗାଡ଼ିରେ ବସି ଯାଉଥିବା ଯୁବ ଦମ୍ପତିଙ୍କୁ ପୋଲିସ ଯେବେ ଅଟକାଇବାକୁ ପ୍ରୟାସ କରିଛି, ଦୁହେଁ ଝାମ୍ପି ଉଠିଲେ ପୋଲିସ ଉପରେ। ସେଇଠି ଦେଖିବାକୁ ମିଳିଲା ଉତ୍‌କ୍ଷିପ୍ତ ଯୁବତୀଙ୍କ ଉଦ୍ଦଣ୍ଡ ତାମସା। ପରବର୍ତ୍ତୀ ସମୟରେ ଉଦ୍‌ଭ୍ରାନ୍ତ ଦମ୍ପତିଙ୍କୁ ପାନେ ଦେବାକୁ ଯାଇ ପୋଲିସ ଅବଶ୍ୟ ସେମାନଙ୍କୁ ଗିରଫ କରିଥିବାର ଖବର ପ୍ରକାଶ ପାଇଥିଲା। ଗାଡ଼ି ଭିତରେ ମାସ୍କ ନ ପିନ୍ଧିବାଟା ଯେ ଏକ ଗୁରୁତର ଅପରାଧ, ତାହା ନୁହେଁ। ଏଇଠି ପ୍ରଶ୍ନ ଉଠେ ଆଇନ ପ୍ରତି ଆମର ସମ୍ମାନ, ସଚେତନତା ଓ ସତର୍କପଣିଆ ଉପରେ। ଘରୁ ଗୋଡ଼ କାଢ଼ିଲାକ୍ଷଣି ମାସ୍କ ଅତ୍ୟନ୍ତ ଅପରିହାର୍ଯ୍ୟ। ପୁଣି ଗାଡ଼ିରେ ବାହାରିଛୁ ମାନେ, କେଉଁଠି ନା କେଉଁଠି କାହାକୁ ନା କାହାକୁ ଭେଟିବୁ। ଏଣୁ କାହିଁକି ଆମେ ମାସ୍କ ବ୍ୟବହାର କରିବୁ ନାହିଁ? ମାସ୍କର ବୋଝ କ’ଣ ଏତେ ବେଶି ଯେ ତାକୁ ବୋହିବାକୁ ଆମେ ଅକ୍ଷମ? ଆଇନକୁ ଅସମ୍ମାନ କରିବା ହେଉଛି ଏକ ପ୍ରକାର ପାଗଳାମି, ଉଦ୍ଧତ ଆଚରଣ।
ବିପତ୍ତି ବିରୋଧରେ ଲଢ଼ିବା ଅପେକ୍ଷା ତା’ ଠାରୁ ଦୂରେଇ ରହିବା ଶ୍ରେୟସ୍କର। କିନ୍ତୁ ସ୍ବଚ୍ଛତା ପ୍ରତି ଆମର ଆଗ୍ରହ ବଢ଼ୁନାହିଁ। ବରଂ କୁପ୍ରବୃତ୍ତିକୁ କୁଣ୍ଢାଇ ଧରିଛୁ। ‘ଗୋମୁଖ’ରୁ ଗଙ୍ଗାର ସ୍ବଚ୍ଛ ପିତ୍ରଧାର ଝରି ଆସିଲା ପରି ଆମର ଲୋହିତ ଶ୍ରୀମୁଖରୁ ନିର୍ଗତ ରଙ୍ଗିନ ଝରକୁ ଆମେ ସେମିତି ଅବତରଣ କରାଉ ଗଳିଠୁ ଗହଳି, ସହର, ବଜାର, ରାସ୍ତାଘାଟମାନଙ୍କରେ। ସତେଯେମିତି ଗଙ୍ଗାଜଳ ପରି ଆମର ଛେପ-ଖଙ୍କାର ଖୁବ୍‌ ପବିତ୍ର ଓ ଜୀବାଣୁନାଶକ। ଏହା କ’ଣ ଭୂତାଣୁର ବାହକ ନୁହେଁ କି?
ଭାକ୍ସିନ ହେଉଛି ଭୂତାଣୁ ପାଇଁ ରାମବାଣ ସଦୃଶ ବୋଲି ‘ହୁ’ ଘୋଷଣା କରି ସାରିଛି। ଗତ ଜାନୁୟାରୀ ମଧ୍ୟଭାଗରୁ ଦେଶରେ ଯେବେ ଟିକାକରଣ ଅଭିଯାନ ଆରମ୍ଭ ହେଲା, ଏହାକୁ ନେଇ ନାନା ତୁମ୍ବିତୋଫାନ ହେଲା। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସମେତ ସାରା ବିଶ୍ୱ ଯେତେବେଳେ ଭାରତର ଏ ଅଭିଯାନକୁ ଅଭିନନ୍ଦନ ଜଣାଉଥିଲେ, ସେତେବେଳେ କେନ୍ଦ୍ର ସରକାରଙ୍କୁ ନିଶାଣକରି ଟିକାର ସଫଳତା ଉପରେ ନାନାଦି ପ୍ରଶ୍ନ ଉଠାଇଲେ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ। ଏହାଦ୍ୱାରା ଟିକା ନିର୍ମାଣରେ ସମ୍ପୃକ୍ତ ବୈଜ୍ଞାନିକ, ନିର୍ମାତାମାନଙ୍କର ନିଷ୍ଠା ତଥା ଦେଶପ୍ରୀତି ପ୍ରତି ଅଙ୍ଗୁଳି ଉଠାଇ ଅପମାନିତ କଲୁ। ଠିକ୍‌ ପରୀକ୍ଷଣ ହୋଇ ନଥିବାରୁ ପାର୍ଶ୍ୱ ପ୍ରତିକ୍ରିୟା ଆଦି ମିଥ୍ୟ ଓ ମନଗଢ଼ା କାହାଣୀ କହି ଜନମାନସକୁ ଭ୍ରମିତ କରିବାକୁ ଚେଷ୍ଟା କଲୁ। ଫଳତଃ ଟିକା ନେବାକୁ ଲୋକଙ୍କୁ ନିରୁତ୍ସାହିତ କରାହେଲା। ଅର୍ଥାତ ପରୋକ୍ଷରେ ଭୂତାଣୁର କାୟା ବିସ୍ତାରରେ ଆମେ ସହାୟକ ହେଲୁ।
ଏବେ ଆସିବା ନିର୍ବାଚନ କ୍ଷେତ୍ରକୁ। ବହୁଚର୍ଚ୍ଚିତ ବେଙ୍ଗଲ ନିର୍ବାଚନ ସଭିଙ୍କ ପାଇଁ ଆଜି ଆତଙ୍କର କାରଣ ସାଜିଛି। ଦ୍ୱିତୀୟ ଲହରର ସଂକ୍ରମଣ ସମ୍ବନ୍ଧେ କେନ୍ଦ୍ର ସରକାର ଅନୁମାନ ଲଗାଇ ପାରି ନଥିଲେ କି ଆକଳନ ବି କରି ପାରି ନଥିଲେ। ଅର୍ଥାତ ସରକାର ସମ୍ପୂର୍ଣ୍ଣ ଅପ୍ରସ୍ତୁତ ଥିଲେ, ଯାହାକି ଅତ୍ୟନ୍ତ ନମ୍ରତାର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବୀକାର କରିଛନ୍ତି। ଆଉ ଏକପ୍ରକାର ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ନିଜ ପ୍ରତି ଅଜ୍ଞତା ଓ ଅବଜ୍ଞାଭାବ। କରୋନା କାଳରେ ଯୋଗ, ପ୍ରାଣାୟାମ, ପୂଜା, ପ୍ରାର୍ଥନା, ପ୍ରାକୃତିକ ଉପଚାର ତଥା ଆୟୁର୍ବେଦ ଏବଂ ଭାରତର ସରଳ ଜୀବନ ଦର୍ଶନକୁ ପାଶ୍ଚାତ୍ୟ ଜଗତ ଅଧିକ ଆପଣାଇଲା।
ଏପରିସ୍ଥଳେ ଆମେ ଆମ ନିଜକୁ କେତେ ଚିହ୍ନିଛୁ, କେତେ ଜାଣିଛୁ? ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖ କରିବା ଉଚିତ ହେବ ଯେ ଆମ ଜୀବନଶୈଳୀ ସମ୍ବନ୍ଧେ ଗବେଷଣା କରି ପାଶ୍ଚାତ୍ୟବାସୀ ଗୋଟେ ପରେ ଗୋଟେ ନୋବେଲ ସମ୍ମାନ ସାଉଁଟି ଚାଲିଛନ୍ତି। ଦୁଇ ଦଶନ୍ଧି ପୂର୍ବେ ବାବା ରାମଦେବ ଓ ତାଙ୍କ ସଂଗଠନ ଦ୍ୱାରା ଯୋଗ ଓ ପ୍ରାଣାୟାମ ସମ୍ବନ୍ଧେ ଯେବେ ଦ୍ରୁତ ପ୍ରଚାର ଓ ପ୍ରସାର ହେବାକୁ ଲାଗିଲା, ସେତେବେଳେ ଏ ସମ୍ବନ୍ଧେ ଅଧିକରୁ ଅଧିକ ଗବେଷଣା ବଢ଼ି ଚାଲିଲା। ଅନେକଙ୍କ ଭିତରୁ ପ୍ରଫେସର ଜେ. ଆଇ. ଲୁଇସ (କାଲିଫର୍ନିଆ ବିଶ୍ୱବିଦ୍ୟାଳୟ) ଅନ୍ୟତମ, ଯିଏକି ୧୯୯୮ରେ ନୋବେଲ ପୁରସ୍କାର ପାଇଥିଲେ। ତାଙ୍କ ମତରେ ଆମ ଶରୀରରେ ସ୍ବତଃ ଉତ୍ପନ୍ନ ହେଉଥିବା ନାଇଟ୍ରିକ ଅକ୍ସାଇଡ଼, ଯାହାକି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ରକ୍ତ ସଞ୍ଚାଳନ, ହୃଦ୍‌ଯନ୍ତ୍ର ଓ ଫୁସ୍‌ଫୁସ୍‌ର କାର୍ଯ୍ୟ ଦକ୍ଷତା ବୃଦ୍ଧିରେ ସହାୟକ ହୁଏ, ତାହା ଅଧିକ ପରିମାଣରେ ସୃଷ୍ଟି ହୁଏ ଓଁକାର ଧ୍ୱନି ଓ ଭ୍ରାମରୀ ପ୍ରାଣାୟାମ ଦ୍ୱାରା। ଗବେଷଣାର ତଥ୍ୟ ଅନୁଯାୟୀ ଜଣେ ବ୍ୟକ୍ତି ଅନ୍ତତଃ ଚାରିଥର ଭ୍ରାମରୀ ଓ ଧ୍ୟାନସ୍ଥ ମୁଦ୍ରାରେ ଚାରିଥର ଓଁକାର ମନ୍ତ୍ର ଠିକ୍‌ ଡଙ୍ଗରେ ଚାରିଦିନ ଉଚ୍ଚାରଣ କଲେ, ଉତ୍ପନ୍ନ ନାଇଟ୍ରିକ ଅକ୍ସାଇଡ଼ ଶରୀର ଭିତରେ ଥିବା ଭୂତାଣୁକୁ ବିନାଶ କରିବାରେ ସକ୍ଷମ ହୁଏ। ଏହାକୁ ପାଥେୟ କରି କାନାଡ଼ାର ଏକ କମ୍ପାନୀ (Sanotised) ଆଜିର ଏହି ସଙ୍କଟ କାଳରେ ନାଇଟ୍ରିକ ଅକ୍ସାଇଡ଼ ଯୁକ୍ତ Nasal drop ବାହାର କରିଛନ୍ତି। ନାକ ରନ୍ଧ୍ରରେ କେଇ ବୁନ୍ଦା ପକାଇଲେ ତାହା ଭୂତାଣୁକୁ ମାରିବାରେ ବେଶ୍‌ ସହାୟକ ହେଉଥିବାର ଜଣାଯାଇଛି, ଯାହାକୁ ବ୍ରିଟେନର ଏକ ନିଦାନିକ ଗବେଷଣା କେନ୍ଦ୍ର ମଧ୍ୟ ଅନୁମୋଦନ କରିଛି। ପାଶ୍ଚାତ୍ୟରେ ଏହାର ଚାହିଦା ଏବେ ଖୁବ୍‌ ବଢ଼ି ଚାଲିଛି । ଏପରି ଜଟିଳ ପରିସ୍ଥିତିରେ ଯୋଗ, ପ୍ରାଣାୟାମ ଯେ କେତେ ଜରୁରୀ, ଆମେ ଭାରତୀୟମାନେ ଯେତିକି ବୁଝିବା କଥା, ସେତିକି ବୁଝିବାକୁ ଅସମର୍ଥ ଆଜି । ଆମର ନିଜ ପ୍ରତି ଏମିତି ଅବଜ୍ଞାଭାବ ଭୂତାଣୁ ବିସ୍ତାର ପାଇଁ ସୁଯୋଗ ଦେଉନାହିଁ କି? ସତର୍କ ସମାଜ, ସୁରକ୍ଷିତ ଦେଶ।
ଗୋଦିଶୁଳ, ସଜନାଗଡ଼, ବାଲେଶ୍ୱର
ମୋ :୯୪୩୭୪୩୬୦୭୩
unbiswal05@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri