ଉଚ୍ଚଶିକ୍ଷାରେ ବିଭ୍ରାଟ

ଡ. ସୁବାସ ଚନ୍ଦ୍ର ପାତ୍ର

ଗୋଟିଏ ବିଭାଗକୁ ବର୍ଷ ବର୍ଷ ଧରି ଅବହେଳା କଲେ ସଂକଟ ସମୟରେ ସେ ବିଭାଗକୁ କି ପ୍ରକାର ଲୋକହସା ହେବାକୁ ପଡ଼େ ତା’ର ଜ୍ୱଳନ୍ତ ଉଦାହରଣ ହେଲା ଉଚ୍ଚଶିକ୍ଷା ବିଭାଗ। ପାଖାପାଖି ୧୦ବର୍ଷ ହେଲା ଓଡ଼ିଶାର କୌଣସି ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଡିଗ୍ରୀ କଲେଜରେ କାଁ ଭାଁ କେତୋଟି ପଦ ପୂରଣ ହୋଇ ଏବେ ସେ ସବୁ ମଧ୍ୟ ଶୂନ୍ୟ ହୋଇପଡ଼ିଛି। ଡିଗ୍ରୀ ହେଉ ଅବା ସ୍ବୟଂଶାସିତ, ଏ ସବୁ ସରକାରୀ କଲେଜର ଅଧ୍ୟକ୍ଷ ପଦବୀ, ଦରମା ତଥା ପଦମର୍ଯ୍ୟାଦା ଦୃଷ୍ଟିରୁ ଜିଲାପାଳ ବା ଅତିରିକ୍ତ ଜିଲାପାଳ ପଦବୀ ସହ ତୁଳନୀୟ। ଓଡ଼ିଶାରେ କେଉଁଠି ହେଲେ ଭାରପ୍ରାପ୍ତ ଜିଲାପାଳ ବା ଭାରପ୍ରାପ୍ତ ଅତିରିକ୍ତ ଜିଲାପାଳ ବର୍ଷ ବର୍ଷ ସେ ପଦବୀ ମଣ୍ଡନ କରୁ ନ ଥିଲାବେଳେ ଅଧ୍ୟକ୍ଷ ପଦବୀ ଭଳି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦବୀ ବସ୍ତୁତଃ ଖାଲି ରହିବା ଏ ବିଭାଗ ପ୍ରତି ସରକାରୀ ଅବହେଳାର ଚରମ ନିଦର୍ଶନ। ଓଡ଼ିଶାର କୌଣସି ସରକାରୀ ମହାବିଦ୍ୟାଳୟରେ ପ୍ରଫେସର ପଦବୀ ନ ଥିଲା ବେଳେ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦବୀ ପ୍ରଫେସର ଗ୍ରେଡ଼ ହେବା ନିୟମକୁ ନ ବଦଳେଇବା ଏବଂ ବିଭାଗୀୟ ପଦୋନ୍ନତି କମିଟି ମାଧ୍ୟମରେ ଅଧ୍ୟକ୍ଷ ପଦବୀ ପୂରଣ ନ କରି ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରୀକ୍ଷା କରେଇ ପଦୋନ୍ନତି ଦେବା ଶିକ୍ଷକ ସମାଜ ପ୍ରତି ଏକ ବାଛବିଚାରମୂଳକ ପଦକ୍ଷେପ। ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ ଯେ ଆଇ.ଏ.ଏସ୍‌୍‌, ଓ.ଏ.ଏସ୍‌. ଅଫିସର, ଡାକ୍ତର, ଇଞ୍ଜିନିୟର ଜଣକ ଥରେ ପବ୍ଲିକ ସର୍ଭିସ କମିଶନ ପରୀକ୍ଷା ଦେଇ ବିଭାଗୀୟ ପଦୋନ୍ନତି ମାଧ୍ୟମରେ ସର୍ବୋଚ୍ଚ ସ୍ତରରେ ପହଞ୍ଚୁଥିବା ବେଳେ, ଅଧ୍ୟାପକ ଜଣଙ୍କୁ ଅଧ୍ୟକ୍ଷ ପ୍ରମୋଶନ ପାଇବାକୁ ହେଲେ ତାକୁ ପୁଣିଥରେ ପବ୍ଲିକ ସର୍ଭିସ କମିଶନର ସମ୍ମୁଖୀନ ହେବାକୁ ପଡ଼ିବ। ଏହା କି ପ୍ରକାର ନିୟମ? ଆନ୍ତଃବିଭାଗୀୟ ବରିଷ୍ଠତା ତଥା ୟୁଜିସି ସ୍କେଲ କଥା ଯଦି କୁହାଯାଉଥାଏ, ମେଡିକାଲ କଲେଜ ଓ ଇଞ୍ଜିନିୟରିଂ କଲେଜରେ ବହୁ ବିଭାଗ ଥାଇ ତଥା ସେମାନେ ୟୁଜିସି ସ୍କେଲରେ ଅଧିଷ୍ଠିତ ହୋଇ ଅଧ୍ୟକ୍ଷ ପ୍ରମୋଶନ ପାଉଛନ୍ତି କିପରି? ୨୦୦୩ ପୂର୍ବରୁ ଆନ୍ତଃବିଭାଗୀୟ ବରିଷ୍ଠତାକୁ ବିଚାର କରି ବିଭାଗୀୟ ପଦୋନ୍ନତି କମିଟି ମାଧ୍ୟମରେ କିପରି ଅଧ୍ୟକ୍ଷ ନିଯୁକ୍ତ କରାଯାଉଥିଲା?
ଅନୁରୂପ ଭାବରେ ଅଧ୍ୟାପକ ତଥା ଅନ୍ୟାନ୍ୟ ଆବଶ୍ୟକୀୟ ପଦବୀ ଯେପରି କିରାଣି, ଲାଇବ୍ରାରିଆନ୍‌, ଲାବରେଟୋରି ଆସିଷ୍ଟାଣ୍ଟ, ଲାବରେଟୋରି ଆଟେଣ୍ଡାଣ୍ଟ, ଖେଳ ଶିକ୍ଷକ ପଦବୀ ଇତ୍ୟାଦି ପୂରଣ ନ କରିବା। ତା’ ସାଙ୍ଗକୁ ଚତୁର୍ଥ ଶ୍ରେଣୀ ପଦବୀ ଯେପରି ପିଅନ, ମାଳୀ, ଚୌକିଦାର, ସଫେଇ କର୍ମଚାରୀ ପଦବୀ ସରକାର ଉଚ୍ଛେଦ କରି କଲେଜ ମୁଣ୍ଡରେ ଥୋଇ ଦେଇଛନ୍ତି। ଯେହେତୁ ଅନେକ କଲେଜରେ ଆଭ୍ୟନ୍ତରୀଣ ସମ୍ବଳ ସୀମିତ ସେ ପଦବୀ ମଧ୍ୟ ଖାଲି। ତେଣୁ ସରକାରୀ ମହାବିଦ୍ୟାଳୟଗୁଡ଼ିକ ଖାଲି ଖାଲିରେ ଚାଲିଛି। ମରୁଭୂମିପ୍ରାୟ ଅନୁଷ୍ଠାନଗୁଡ଼ିକୁ ନେଇ ସରକାରୀ ସ୍ବପ୍ନର କିନ୍ତୁ ସୀମାନାହିଁ। ସବୁଠୁ କୌତୂହଳର କଥାହେଲା ସବୁକିଛି ଜାଣି ମଧ୍ୟ ସରକାର କରୋନା ସଂକଟବେଳେ ଯୁଦ୍ଧ କରିବାକୁ ବାହାରି ପଡ଼ିଛନ୍ତି, ଯେତେବେଳେ କାଁ ଭାଁ କେଉଁଠି ଭାରପ୍ରାପ୍ତ ସେନାପତି ଅଛନ୍ତି, କିନ୍ତୁ ତାଙ୍କ ସହ ସେନାବାହିନୀ ନାହାନ୍ତି।
ଉଚ୍ଚଶିକ୍ଷା ବିଭାଗ କେତେ ରୁଗ୍‌ଣ ଏବଂ ବିଭାଗ କେତେ ଶଙ୍କାଗ୍ରସ୍ତ ତା’ର ବଡ଼ ପ୍ରମାଣ ହେଲା ଅତି ନିକଟ ବ୍ୟବଧାନରେ ଭିଡିଓ କନ୍‌ଫରେନ୍‌ସିଂରେ ଅଧ୍ୟକ୍ଷମାନଙ୍କୁ ତାଗିଦା କରିବା। ଆଗରୁ ବର୍ଷକରେ ଥରେ ବା ଦୁଇଥର ଅଧ୍ୟକ୍ଷ ସମ୍ମିଳନୀ ଅନୁଷ୍ଠିତ ହେଉଥିଲା, ଯେଉଁଥିରେ ସରକାର ସେ ବର୍ଷ ପାଇଁ ଯୋଜନାମାନ ବା କାର୍ଯ୍ୟପନ୍ଥା ଉପସ୍ଥାପନ କରୁଥିଲେ। ଏବେ ପ୍ରତିମାସରେ ଥରେ ବା ଦୁଇଥର ଅନୁଷ୍ଠିତ ହେଉଥିବା ଏହି ‘ଭର୍ଚୁଆଲ ସମ୍ମିଳନୀ’ ପ୍ରମାଣ କରେ କେଉଁଠି କିଛି ହଉନାହିଁ। କେନ୍ଦ୍ରୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କର ଅତିମାତ୍ରାରେ କ୍ଷେତ୍ରୀୟ ଅଧିକାରୀଙ୍କ ଉପରେ ନିୟନ୍ତ୍ରଣ, ମତାମତ ଜାହିର କରିବା ଏକ ବିପରୀତ ଫଳଦାନ କରୁଥିବା ପଦକ୍ଷେପ। ଏହାଦ୍ୱାରା କ୍ଷେତ୍ରୀୟ ଅଧିକାରୀମାନେ ମନୋବଳ ହରାଇବେ। ନୂଆକିଛି କରିବାର ଆଗ୍ରହ କମିଯିବ। ଫଳତଃ ବଙ୍ଗଳାରେ କୁହାଯାଇଥିବା କଥାଟି, ‘ଦଉଡ଼ି ଧର’, ‘ଆଜ୍ଞା ଧରିଅଛି’-ନ୍ୟାୟରେ ସମସ୍ତେ, ମନା ନ କଲା ପର୍ଯ୍ୟନ୍ତ ଦଉଡ଼ି ଧରି ଠିଆ ହୋଇଥିବେ ଯେହେତୁ ଦଉଡ଼ିଟିକୁ ଛାଡ଼ିବାକୁ କୁହା ହୋଇନାହିଁ! ଏହାଠୁ ଆହୁରି ଦୁଃଖଦାୟକ କଲେଜଗୁଡ଼ିକରେ ବର୍ଷ ବର୍ଷର ଯେଉଁ ଆଭ୍ୟନ୍ତରୀଣ ସମ୍ବଳ ଥିଲା ତାହା ଅତିଥି ଅଧ୍ୟାପକମାନଙ୍କୁ ଦରମା ବାବଦରେ ଦେବାକୁ ସରକାର ବାଧ୍ୟ କଲାରୁ କଲେଜଗୁଡ଼ିକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ଏଥିପାଇଁ କଲେଜକୁ ବଞ୍ଚେଇବାକୁ ରକ୍ଷଣାବେକ୍ଷଣ କରିବା, ସଫାସୁତୁରା ରଖିବା, ସରକାରୀ ସମ୍ପତ୍ତିକୁ ସୁରକ୍ଷା ପ୍ରଦାନ କରିବା, ନୂଆକରି ଗଢ଼ି ଉଠିଥିବା ବିଭାଗ ଓ ହଷ୍ଟେଲ ପାଇଁ ଆସବାବପତ୍ର କିଣିବା କାର୍ଯ୍ୟକ୍ରମ ଅଚଳ ହୋଇ କଲେଜଗୁଡ଼ିକ ଅତି ଦୟନୀୟ ଅବସ୍ଥାକୁ ଚାଲି ଯାଇଛନ୍ତି।
ଏହି ପ୍ରକାର ସ୍ଥିତିବେଳେ କରୋନା ହାଜର ଏବଂ ସରକାର ତା’ର ମୁକାବିଲା ପାଇଁ ପାଗ ଭିଡ଼ିଛନ୍ତି। ସେଥିରୁ କ’ଣ ହେବ? ଅଧିକାଂଶ ପଦବୀ ଖାଲି ଥିଲାବେଳେ, ଅତିଥି ଅଧ୍ୟାପକ ନ ଥିଲାବେଳେ, ଯୁବ ଅଧ୍ୟାପକ ଖୁବ୍‌ କମ୍‌ ସଂଖ୍ୟକ ଥିଲାବେଳେ ଅନ୍‌ଲାଇନ ଶିକ୍ଷା କେବଳ କାଗଜପତ୍ରରେ ସୀମିତ ରହିବ। ଖୁବ୍‌ ବେଶିରେ ତାହା ଶିକ୍ଷକମାନଙ୍କ ଦ୍ୱାରା ହ୍ବାଟ୍‌ସ ଆପ୍‌ରେ ଛାତ୍ରୀଛାତ୍ରମାନଙ୍କ ପାଖକୁ ନୋଟ୍‌ ପ୍ରେରଣରେ ସମାପ୍ତ ହେବ ଏବଂ ଯେହେତୁ ଏହା ‘ସରକାରୀ ପାଠ୍ୟ ସାମଗ୍ରୀ’ ଏବଂ ଯେହେତୁ କଲେଜର କିଛି ପାଠପଢ଼ା ହେଲାନାହିଁ, ହୁଏତ ଛାତ୍ରୀଛାତ୍ରମାନେ ଏହି ‘ସରକାରୀ ପାଠ୍ୟ ସାମଗ୍ରୀ’କୁ ଯଦି ପରୀକ୍ଷା ହଲରେ ବ୍ୟବହାର ପାଇଁ ନେଇ ଆସନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ। ତା’ଛଡ଼ା ଯେଉଁ କଲେଜରେ, ଯେଉଁ ବିଭାଗରେ ଆଦୌ ଅଧ୍ୟାପକ ନାହାନ୍ତି ସେଠି ସେଇ ଟିକକ କାମ କିଏ କରିବ? ଏ ପ୍ରକାର ପାଠପଢ଼ା ବ୍ୟବସ୍ଥା ସମ୍ପୂର୍ଣ୍ଣ ବାଛବିଚାରପୂର୍ଣ୍ଣ ଏବଂ ତ୍ରୁଟିପୂର୍ଣ୍ଣ ମଧ୍ୟ। ତା’ ସାଙ୍ଗକୁ ପୁଣି ୨୫ ପ୍ରତିଶତ ପାଠ ‘ଗାଇଡେଡ ସେଲ୍ଫଷ୍ଟଡି’ ମାଧ୍ୟମରେ ଛାତ୍ରୀଛାତ୍ର ପଢ଼ିବେ। ଆଜି ‘ସେଲ୍ଫ ଷ୍ଟଡି’ ଅଛି କି? ଯେଉଁଠି ଅକ୍ଷର ଶିକ୍ଷା ଟିଉସନରୁ, ପରବର୍ତ୍ତୀ ସମୟରେ ଗୋଟିଏ ଗୋଟିଏ ବିଷୟ ପାଇଁ ଏକାଧିକ ଟିଉସନ, ସେଠି ପିଲା ନିଜେ କିଛି ପଢ଼ିବାର ସଂସ୍କାର ଅଛି କି? ତା’ ଛଡ଼ା ସିଲାବସର କେଉଁ ୨୫ ପ୍ରତିଶତ, କଷ୍ଟ ନା ସହଜ ଅଂଶ? ଯେଉଁ ବିଷୟରେ ଶିକ୍ଷକ ନାହାନ୍ତି, ଅତିଥି ଶିକ୍ଷକ ନାହାନ୍ତି, ସେଠି ଗାଇଡ୍‌ କରିବ କିଏ?
ସଂକଟ ସମୟରେ ଗୋଟିଏ ବ୍ୟକ୍ତି ବା ଅନୁଷ୍ଠାନ ବା ବିଭାଗର ପରାକାଷ୍ଠା ଜଣାପଡ଼େ। ଉଚ୍ଚଶିକ୍ଷା ବିଭାଗ ଯଦି ୮୦ ବା ୯୦ ଦଶକର ଉଚ୍ଚଶିକ୍ଷା ବିଭାଗ ଭଳି ପୂର୍ଣ୍ଣାଙ୍ଗ ଓ ପରିପୁଷ୍ଟ ହୋଇଥାନ୍ତା ହୁଏତ ଏ ପ୍ରକାର ସଂକଟ ବେଳେ କିଛିଟା ମର୍ଯ୍ୟାଦାପୂର୍ଣ୍ଣ ପଦକ୍ଷେପ ନେଇ ଛାତ୍ର ସମାଜର କଲ୍ୟାଣ କରିହୁଅନ୍ତା। ଏବେ ସ୍ଥିତି ଅତି ଦୟନୀୟ, ଅତି ବିକଳ। ନା ଅଛି ଆମ ପାଖରେ ସେନା ନା ଅଛି ଯୁଦ୍ଧାସ୍ତ୍ର। କେଉଁ ପ୍ରକାର ମନୋଭାବର ସହ ଆମେ ଏ ସଂକଟର ମୁକାବିଲା କରିବା ସହ ଜନ ସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିବୁ?
ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ରୋଡ଼, ବାଲେଶ୍ୱର,
ମୋ: ୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri