ପୃଥିବୀ ବାହାରେ ଡାଇନୋସର

ବିଭିନ୍ନ ଜାତିର ଜୀବମାନଙ୍କ ଭିତରୁ ସରୀସୃପ ଅନ୍ୟତମ। ସାପ, ଝିଟିପିଟି, ଏଣ୍ଡୁଅ, କଇଁଛ, ଗୋଧି ଓ କୁମ୍ଭୀର ଭଳି କାତି ରହିଥିବା ଟାଣ ଓ ଶୁଖିଲା ଦେହର ଜୀବମାନେ ଏଇ ଜାତିର। ପୃଥିବୀକୁ ମଣିଷ ଆସିବାର ବହୁ ବର୍ଷ ପୂର୍ବରୁ ସରୀସୃପମାନେ ଏଠାରେ ରହୁଥିଲେ। ଡାଇନୋସର ହେଉଛି ପୃଥିବୀରେ ବାସକରିଥିବା ସବୁଠାରୁ ବଡ଼ ସରୀସୃପ। ମଣିଷମାନେ ମାତ୍ର ୬୦ ଲକ୍ଷ ବର୍ଷ ତଳେ ପୃଥିବୀରେ ପ୍ରଥମେ ଦେଖାଦେଇଥିଲେ। କିନ୍ତୁ ପ୍ରାୟ ୨,୨୫୦ ଲକ୍ଷ ପୂର୍ବେ ଡାଇନୋସର ପୃଥିବୀପୃଷ୍ଠରେ ଜନ୍ମ ହୋଇଥିଲେ। ପ୍ରାୟ ୨,୨୫୦ ଲକ୍ଷରୁ ୬୫୦ ଲକ୍ଷ ବର୍ଷ ପୂର୍ବରୁ ବିଶାଳକାୟ ଡାଇନୋସର ଆମ ପୃଥିବୀରେ ବାସ କରୁଥିଲେ। ଏହାର ଅର୍ଥ ମଣିଷ ଯେତେଦିନହେଲା ପୃଥିବୀପୃଷ୍ଠରେ ରହିଆସୁଛି, ତା’ଠାରୁ ବେଶିଦିନ ଡାଇନୋସରମାନେ ଏଠାରେ ବାସକରିଥିଲେ। କିନ୍ତୁ ଏତେଦିନଧରି ବାସକରିଆସୁଥିବା ବିଶାଳକାୟ ଜୀବମାନେ ହଠାତ୍‌ କେମିତି ଲୋପ ପାଇଗଲେ, ତା’ର ଠିକ୍‌ ଉତ୍ତର ଏଯାଏ ମିଳିନି। ତେବେ ଖାଇବାକୁ ନ ପାଇ ସେମାନେ ପୃଥିବୀପୃଷ୍ଠରୁ ଲୋପ ପାଇଗଲେ ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି।
ମଙ୍ଗଳ ଓ ବୃହସ୍ପତି ଗ୍ରହର କକ୍ଷପଥ ମଝିରେ ଅସଂଖ୍ୟ ଗ୍ରହାଣୁ ସୂର୍ଯ୍ୟକୁ ପ୍ରଦକ୍ଷିଣ କରୁଛନ୍ତି। କେତେକ ଗ୍ରହାଣୁର ଆକାର ସାଧାରଣ ଶିଳାଖଣ୍ଡ ପରି। ଆଉ କେତେକ ଖୁବ୍‌ ବଡ଼। ଅନେକ ଗ୍ରହାଣୁ ପୃଥିବୀର ଆକର୍ଷଣ ହେତୁ ଆମ ବାୟୁମଣ୍ଡଳକୁ ପଶିଆସନ୍ତି। ସେଗୁଡ଼ିକ ଖୁବ୍‌ ଅଧିକ ବେଗରେ ଖସିବା ସମୟରେ ବାୟୁକଣିକା ସହିତ ଘଷିହୋଇ ଜଳିଉଠନ୍ତି। ସେଗୁଡ଼ିକୁ ଆମେ ଉଲ୍‌କା ବୋଲି କହୁ। ଛୋଟ ଉଲ୍‌କାଗୁଡ଼ିକ ପୃଥିବୀରେ ପହଞ୍ଚତ୍ବା ଆଗରୁ ବାୟୁମଣ୍ଡଳୀୟ ଘର୍ଷଣଜନିତ ଉତ୍ତାପରେ ଜଳି ପାଉଁଶ ହୋଇଯାଆନ୍ତି। ମାତ୍ର ଗ୍ରହାଣୁର ଆକାର ବଡ଼ଥିଲେ ଉଲ୍‌କାଗୁଡ଼ିକ ପୂରାପୂରି ଜଳି ନ ପାରି ଶେଷରେ ବଡ଼ ବଡ଼ ପଥର ରୂପରେ ଆସି ପୃଥିବୀପୃଷ୍ଠରେ ପଡ଼ନ୍ତି। ବୈଜ୍ଞାନିକଙ୍କ ମତରେ, ଏକ ବିରାଟ ଉଲ୍‌କାପିଣ୍ଡ ଗ୍ରହାଣୁପୁଞ୍ଜରୁ ଆସି ପୃଥିବୀ ଉପରେ ପଡ଼ିଥିଲା। ଏହା ପୃଥିବୀପୃଷ୍ଠରେ କିଲୋମିଟର ବ୍ୟାପୀ ବିରାଟ ଗାତ ସୃଷ୍ଟି କଲା। ବର୍ଷ ବର୍ଷ ଧରି ଆକାଶରେ ଧୂଳିର ବାଦଲ ଛାଇଗଲା। ସୂର୍ଯ୍ୟକିରଣ ବିନା ପୃଥିବୀପୃଷ୍ଠ ଖୁବ୍‌ ଶୀତଳ ଓ ଅନ୍ଧକାରମୟ ହୋଇଗଲା। ସୂର୍ଯ୍ୟକିରଣ ଅଭାବରୁ ଗଛଲତା ସବୁ ମରିଗଲେ। ଧୀରେ ଧୀରେ ଗଛଲତା ଉପରେ ନିର୍ଭର କରୁଥିବା ତୃଣଭୋଜୀ ଡାଇନୋସର ଓ ଅନ୍ୟ କେତେକ ଜୀବ ମରିଗଲେ। ତୃଣଭୋଜୀମାନଙ୍କୁ ଖାଇ ବଞ୍ଚୁଥିବା ମାଂସାସୀ ଜୀବ ଆଉ ଖାଇବାକୁ ପାଇଲେନାହିଁ। ଖାଦ୍ୟ ନ ପାଇ ୧୦୦ ଭାଗରୁ ପ୍ରାୟ ୬୫ ଭାଗ ପ୍ରାଣୀ ତଥା ମାଂସାସୀ ଡାଇନୋସର ଲୋପ ପାଇଗଲେ।
୧୯୯୦ ଦଶକରେ ଏହାର ପ୍ରମାଣ ମିଳିଲା। ବୈଜ୍ଞାନିକମାନେ ପୃଥିବୀପୃଷ୍ଠରେ କେତେକ ବିରାଟ ଗର୍ତ୍ତର ସନ୍ଧାନ ପାଇଲେ। ଆମେରିକାର ଇଉକୁଟାନ୍‌ ଉପଦ୍ୱୀପ (ମେକ୍ସିକୋ) ଅଞ୍ଚଳରେ ଗୋଟିଏ ବିରାଟ ଗର୍ତ୍ତର ସନ୍ଧାନ ପାଇଲେ, ଯାହାର ଚଉଡ଼ା (ବ୍ୟାସ) ୧୬୦ କି.ମି.। ଏହା ପ୍ରାୟ ୬୫୦ ଲକ୍ଷ ବର୍ଷ ପୂର୍ବରୁ ସୃଷ୍ଟି ହୋଇଥିଲା। ଆଉ ଗୋଟିଏ ଗର୍ତ୍ତ ମିଳିଲା ଆମେରିକାର ଆଇୱା ଦେଶର ମାନସୋନ୍‌ ଅଞ୍ଚଳରେ। ଏହି ଗର୍ତ୍ତର ଲମ୍ବ ୪୦ କି.ମି. ଓ ଓସାର ୨୯ କି.ମି.। ଏହା ପ୍ରାୟ ୬୫୦ ଲକ୍ଷ ବର୍ଷର ପୁରୁଣା ଗର୍ତ୍ତ। ଦକ୍ଷିଣ ସାଇବେରିଆରେ ମଧ୍ୟ ବିରାଟ ଗର୍ତ୍ତର ସନ୍ଧାନ ମିଳିଛି। ଏହାର ଓସାର (ବ୍ୟାସ) ୯୫ କି.ମି.। ଏହି ଗର୍ତ୍ତଟି ମଧ୍ୟ ୬୬୦ ଲକ୍ଷ ବର୍ଷ ତଳେ ସୃଷ୍ଟି ହେଇଥିଲା। ଡାଇନୋସର ବିଲୋପ ହେବାର ସମୟ ସହିତ ଏହି ସମୟ ମେଳଖାଉଛି।
୨୦୦୯ ଏପ୍ରିଲ ୨୮ରେ ‘ସାଇନ୍ସ ଡେଲି’ ପତ୍ରିକାରେ ଡାଇନୋସରମାନଙ୍କର ନିପାତ ଉଲ୍‌କା ବିତ୍ପାତରୁ ହୋଇନାହିଁ ବୋଲି ଅଭିଯୋଗ କରାଯାଇଥିଲା। ନିଉଜର୍ସି ଓ ସୁଇଜରଲାଣ୍ଡର ଦୁଇଜଣ ଗବେଷକ ଅଭିଯୋଗ କରିଥିଲେ ଯେ, ମେକ୍ସିକୋରେ ଉଲ୍‌କା ବିତ୍ପାତରୁ ସୃଷ୍ଟି ହୋଇଥିବା ଗର୍ତ୍ତଟି ୬୫୦ ଲକ୍ଷ ବର୍ଷ ତଳର ନୁହେଁ ବରଂ ଆହୁରି ୩ ଲକ୍ଷ ବର୍ଷ ତଳର। ତେଣୁ ଡାଇନୋସରମାନଙ୍କର ଅକାଳ ମୃତ୍ୟୁ ସକାଶେ ସେହି ଉଲ୍‌କା ବିତ୍ପାତକୁ ଦାୟୀ କରାଯାଇ ନ ପାରେ। କିନ୍ତୁ ଅନେକ ଅନୁଶୀଳନ ପରେ ଜଣାପଡ଼ିଲା ଯେ, ଆଜିକୁ ପ୍ରାୟ ୬୫୦ ଲକ୍ଷ ବର୍ଷ ତଳେ ବିଶାଳ ଉଲ୍‌କା ବିତ୍ପାତ ଘଟିଥିଲା। ତା’ ପୂର୍ବରୁ ନୁହେଁ। ସେହି ଉଲ୍‌କାର ଓସାର ଥିଲା ପ୍ରାୟ ୧୫ କି.ମି.। ହିରୋଶିମାରେ ପଡ଼ିଥିବା ପରମାଣୁ ବୋମାଠାରୁ ବିଶାଳ ଉଲ୍‌କା ବିତ୍ପାତ ଥିଲା ୧୦୦ କୋଟି ଗୁଣ ଅଧିକ ଶକ୍ତିଶାଳୀ। ବନ୍ଧୁକ ଗୁଳିର ୨୦ ଗୁଣ ବେଗରେ ଏହି ଗ୍ରହାଣୁ ଆସି ପୃଥିବୀପୃଷ୍ଠରେ ବାଡ଼େଇ ହୋଇଥିଲା। ଏହା ପୃଥିବୀକୁ ଥରେଇ ଦେଲା। ଭୂକମ୍ପନର ମାତ୍ରା ଥିଲା ରିକ୍ଟର ସ୍କେଲ୍‌ରେ ୧୦ ଅଙ୍କରୁ ଅଧିକ। ଏଭଳି ଏକ ସଂଘର୍ଷ ବିଶାଳ ଡାଇନୋସର ପ୍ରଜାତିର ବିନାଶ ପାଇଁ ଯଥେଷ୍ଟ ଥିଲା।
ତେବେ ଆଜି ବି ଡାଇନୋସର ଅଛନ୍ତି ବୋଲି କେତେଜଣ ବୈଜ୍ଞାନିକ ନିକଟରେ ମତ ଦେଇଛନ୍ତି। ‘ରୟାଲ ଆଷ୍ଟ୍ରନୋମିକାଲ ସୋସାଇଟି ଜର୍ନାଲ’ ନାମକ ଗବେଷଣା ପତ୍ରିକାରେ ଏକଥା କୁହାଯାଇଛି। ଅବଶ୍ୟ ଡାଇନୋସରମାନେ ଆମ ପୃଥିବୀରେ ନାହାନ୍ତି, କିନ୍ତୁ ପୃଥିବୀ ବାହାରେ କୌଣସି ଦୂର ଗ୍ରହରେ ରହିଥାଇପାରନ୍ତି ବୋଲି କୁହାଯାଇଛି। ଆଜି ପୃଥିବୀ ବାହାରେ କୌଣସି ଗ୍ରହରେ ଜୀବଜଗତ ରହିଥିଲେ, ସେକଥା ବୈଜ୍ଞାନିକମାନେ ପୃଥିବୀରେ ରହି ବି ଜାଣିପାରୁଛନ୍ତି। ଆମ ପୃଥିବୀପୃଷ୍ଠରେ ଯେଉଁ ସମୟରେ ଡାଇନୋସର ରହୁଥିଲେ, ସେତେବେଳେ ଆମ ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ଆଜିର ପରିମାଣଠାରୁ ଅଧିକ ଥିଲା। ଆଜି ଆମ ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ୨୧ ପ୍ରତିଶତ ଅଛି। ଅର୍ଥାତ୍‌ ୧୦୦ ବୋତଲ ବାୟୁରେ ୨୧ ବୋତଲ ଅମ୍ଳଜାନ ରହିଛି। କିନ୍ତୁ ସେତେବେଳେ ଅମ୍ଳଜାନର ପରିମାଣ ୩୦ ପ୍ରତିଶତ ଥିଲା। ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ଅଧିକ ରହିଲେ ବିଶାଳକାୟ ଜୀବ ସମ୍ଭବ ଏବଂ ମଣିଷ ଶରୀରର ଗଠନ ଅପେକ୍ଷା ଆହୁରି ଜଟିଳ ଗଠନର ଜୀବ ସମ୍ଭବ। ଆଜି ବାହାର ଗ୍ରହରେ ଅମ୍ଳଜାନର ପରିମାଣ ଅଧିକ ରହିଥିବାର ସୂଚନା ମିଳିଲେ, ସେଠାରେ ଡାଇନୋସରମାନେ ରହୁଥିବାର ସମ୍ଭାବନାକୁ ଆମେ ଏଡ଼େଇ ଦେଇପାରିବା ନାହିଁ। ଆମ ପୃଥିବୀରେ ଡାଇନୋସରମାନେ ରହୁଥିଲା ସମୟରେ ଯେଉଁ ଯୌଗିକ ପଦାର୍ଥ ଥିଲା, ଆମ ଗ୍ରହରେ ଏବେ ତାହା ମିଳୁନାହିଁ। ତେଣୁ କୌଣସି ବାହ୍ୟଗ୍ରହରେ ଡାଇନୋସର ସମୟର ଯୌଗିକ ପଦାର୍ଥ ରହିଥିବାର ସୂଚନା ମିଳିଲେ ମଧ୍ୟ ସେହି ଗ୍ରହରେ ଡାଇନୋସର ରହିଥିବାର ଅନୁମାନ କରାଯାଇପାରିବ।

ଡ. କମଳାକାନ୍ତ ଜେନା
-ସହକାରୀ ପ୍ରଫେସର
(ପଦାର୍ଥ ବିଜ୍ଞାନ ବିଭାଗ)
ଭଦ୍ରକ ଅଟୋନୋମସ୍‌ କଲେଜ, ଭଦ୍ରକ
ମୋ: ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ

ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ।...

ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟବାନ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ଶ୍ରାବଣରେ ମହାଦେବଙ୍କ ଶୁଭଦୃଷ୍ଟି ପାଇବାକୁ ଚାହାନ୍ତି କି, କରନ୍ତୁ ଏପରି…

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ...

ଝାଡାବାନ୍ତି ହେଉଥିଲେ…କେମିତି ନେବେ ଯତ୍ନ

ସାଧାରଣତଃ ବର୍ଷାଦିନେ ଥଣ୍ଡା, କାଶ, ଜ୍ୱର, ମ୍ୟାଲେରିଆ, ଡେଙ୍ଗୁ ଆଦି ସ୍ବାସ୍ଥ୍ୟ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ଏହି ଋତୁରେ ଅନ୍ୟ ଏକ ସମସ୍ୟା...

ସନ୍ତୁଳିତ ଓଜନ ଲାଗି…ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ଓଜନ ବୃଦ୍ଧି ବା ଓବେସିଟି ଏକ ସାଧାରଣ କଥା ପାଲଟି ଗଲାଣି। ଖାଦ୍ୟପେୟ, ନିୟମିତ ବ୍ୟାୟାମ ନ କରିବା, ଅସନ୍ତୁଳିତ ଜୀବନଶୈଳୀ ଏହାର କେତୋଟି...

ଖାଆନ୍ତୁ ଡାଳିମ୍ବ: ଦୂର ହେବ ଏସବୁ ରୋଗ

ଡାଳିମ୍ବରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ଭିଟାମିନ୍‌ ‘ସି’ର ଅନ୍ୟତମ ପ୍ରମୁଖ ଉତ୍ସ ହେଉଛି ଡାଳିମ୍ବ। ଏଥିରେ ଥିବା...

ଲାଞ୍ଜ ହଜିବା ରହସ୍ୟ

”ଜାପାନସ୍ଥିତ କେଇଓ ବିଶ୍ୱବିଦ୍ୟାଳୟର କିଛି ଜୈବ ଇଞ୍ଜିନିୟର ମଣିଷଠାରେ ଲଗାଇବା ପାଇଁ କୃତ୍ରିମ ଲାଞ୍ଜ ତିଆରି କରିଛନ୍ତି। ଏହାର ନାମ ରଖାଯାଇଛି ‘ଆରକ୍ୟୁ’। ଭଲ କରି...

ଖର୍ଚ୍ଚ ବଢ଼ୁଛି, ଘରେ ଲାଗି ରହୁଛି କି କଳହ? ବାସ୍ତୁଦୋଷ ହୋଇପାରେ କାରଣ, ଜାଣନ୍ତୁ ପ୍ରତିକାର…

ଅନେକଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri