କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ ହୋଇ ଯେତେବେଳେ ନୂଆ ସରକାର ଆସନ୍ତି ସେମାନେ ପୁରୁଣା ସରକାରଙ୍କର ଅନେକ ବ୍ୟବସ୍ଥାକୁ ବଦଳାଇ ଦେଇଥାନ୍ତି। ସରକାରର ନବକଳେବର ସମୟରେ ପୁରୁଣା ବ୍ୟବସ୍ଥା, ପୁରୁଣା ଯୋଜନା, ପୁରୁଣା ଅଫିସର, ପୁରୁଣା କୋଠାବାଡ଼ି, ଗାଡ଼ିମୋଟର ଆଦି ସବୁ ବଦଳାହୁଏ।

ଗତ ୪୦ବର୍ଷର ଆମ ଚାକିରିକାଳର ଅବଧି ଭିତରେ ଆମେ ମୁଖ୍ୟତଃ ୨/୩ ଥର ସରକାରରେ ଦଳ ପରିବର୍ତ୍ତନର ପ୍ରକ୍ରିୟା ଦେଖିଛୁ। ୧୯୮୮ରେ ଚାକିରିରେ ଆମେ ଯୋଗଦେଲା ବେଳକୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଶାସନରେ ଥିଲା। ପରେ ଅଳ୍ପଦିନ ପାଇଁ ହେମାନନ୍ଦ ବିଶ୍ୱାଳ ହେଲେ ମୁଖ୍ୟମନ୍ତ୍ରୀ। ତା’ପରେ ୧୯୯୦ ନିର୍ବାଚନରେ ଜନତା ଦଳ ସରକାର ଆସିଲା ଓ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ। ଖୋଜାହେଲେ କୋଉଠି କିଏ କଂଗ୍ରେସିଆ କର୍ମଚାରୀ ଅଛନ୍ତି। ଯେଉଁମାନେ ଚିହ୍ନଟ ହେଲେ ତାଙ୍କ ଭିତରୁ ଅନେକଙ୍କୁ ବଦଳି କରାଗଲା। ୫ ବର୍ଷର ଜନତା ଦଳ ସରକାର ପରେ ପୁଣି ଆସଲା କଂଗ୍ରେସ ସରକାର। ଖୋଜାଗଲା କିଏ କୋଉଠି ଜନତା ଦଳ ସମର୍ଥକ ଓ ସମର୍ଥିତ କର୍ମଚାରୀ ଅଛନ୍ତି। ଏଥର ପୁଣି ଥୋକେ ବଦଳିହେଲା। ତାଙ୍କ ପରେ କିଛି କିଛି ଦିନ ଗିରିଧାରୀ ଗମାଙ୍ଗ ଓ ହେମାନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ହେଲେ। ସେତେବେଳେ ନେତା ବଦଳିଲେ ମଧ୍ୟ ଦଳ ସମାନ ଥିଲା। ତେଣୁ ବେଶି ବଦଳି ହେଲା ନାହିଁ। ୨୦୦୦ ମସିହାରେ ବିଜୁ ଜନତା ଦଳ ସରକାର ଆସିବା ପରେ ସେମିତି କଂଗ୍ରେସ ଛାପାମରା, ଅନୁଗତ ଓ ଅନୁରକ୍ତ ଅଫିସର ଖୋଜାହେଲେ ଓ ତଡ଼ାଖାଇଲେ। ଦୀର୍ଘ ୨୪ ବର୍ଷର ତାଙ୍କ ସରକାର ଆବଶ୍ୟକତା ଅନୁସାରେ ବଦଳି କରୁଥିଲେ। ଏବେ ଭାରତୀୟ ଜନତା ପାର୍ଟିର ସରକାର ଆସିବା ପରେ ଅଫିସର ଓ କର୍ମଚାରୀମାନଙ୍କ ମଧ୍ୟରେ କୋକୁଆଭୟ। କୋଉ ସମୟରେ କାହାର କୋଉଠି ବଦଳିହେବ ସେ ଚିନ୍ତାରେ କର୍ମଚାରୀ ସ୍ଥାଣୁ, ହାତ ଟେକି ବସିଛନ୍ତି।

କହିବା ଉଦ୍ଦେଶ୍ୟ ହେଲା ସରକାର ବଦଳରେ ନୂଆ ବିଧାୟକମାନେ ତାଲିକା କରି ଦିଅନ୍ତି କୋଉଠି କୋଉ ଅଫିସର ପୁରୁଣା ବ୍ୟବସ୍ଥାର ବିଶ୍ୱସ୍ତ ଚାକର ଥିଲେ। ସେଇ ଅନୁସାରେ କିଏ ତଡ଼ାହେବେ କିଏ ନୂଆ ଆସିବେ ସ୍ଥିର ହୁଏ। ମନକୁ ଗୋଟେ କଥା ବେଳେ ବେଳେ ଆସେ, ସତରେ କ’ଣ ସବୁ କର୍ମଚାରୀ ନିଜ ଇଚ୍ଛାରେ ଦଳୀୟ ଆଦର୍ଶରେ ଅନୁଗାମୀ ହୋଇ କାମ କରିଥାନ୍ତି? ହୁଏତ ଅଳ୍ପ କେତେଜଣ ଲୋକ ସେପରି ନିଅଁାଗିଳା ହୋଇଥିବେ। ଯେଉଁମାନେ ନିଅଁା ଗିଳନ୍ତି ସେମାନେ ଅଙ୍ଗାର ହଗିବା ସ୍ବାଭାବିକ, ଏଥିରେ ଦୁଃଖ କରିବାର କିଛି ନାହିଁ। ମାତ୍ର ଯେତେବେଳେ ସରକାରରେ ଦଳବଦଳର ଋତୁ ପରିବର୍ତ୍ତନ ହୁଏ ଅନେକ ସମୟରେ ଧୁଆମୂଳା ଅଧୁଆମୂଳା ସବୁ ଏକ ହୋଇଯାଆନ୍ତି। ଦୁଷ୍ଟଙ୍କ ସହ ଭଲ ଲୋକ ବି ବଳି ପଡ଼ିଯାଆନ୍ତି।

ରାଜନୀତିରେ ଗୋଷ୍ଠୀ ନିରପେକ୍ଷତା ବୋଲି କିଛି ନାହିଁ। ହୁଏତ ଆମର ମିତ୍ର ହୁଅ ନ ହେଲେ ଶତ୍ରୁ ତାଲିକାରେ ରୁହ। ଯଦି ତାଙ୍କୁ ସାହାଯ୍ୟ କରୁଥିଲ ତା’ହେଲେ ଆମର ଶତ୍ରୁ, ଏମିତିକି ତାଙ୍କୁ ସାହାଯ୍ୟ କରିଥାଅ ନ କରିଥାଅ ଆମକୁ ଯଦି ସାହାଯ୍ୟ କରିନାହଁ ତା’ହେଲେ ବି ଆମର ଶତ୍ରୁ। ଶତ୍ରୁ ବୋଲି ବିବେଚିତ ହେଲ ଯଦି ତା’ର ଫଳ ଭୋଗିବାକୁ ପଡ଼ିବ। ବିଚରା କର୍ମଚାରୀଟିଏ କରିବ କ’ଣ? ଦୀର୍ଘ ସମୟ ଗୋଟେ ସରକାର ଅଧୀନରେ କାମ କଲେ ଇଚ୍ଛା ଥାଉ ନ ଥାଉ ତାଙ୍କ ନୀତି ଆଦର୍ଶକୁ କାର୍ଯ୍ୟକାରୀ କରିବାକୁ ପଡ଼ିଥାଏ। କର୍ମଚାରୀମାନେ ନିଜର ସୁରକ୍ଷା ପାଇଁ ଓ ପରେ ନିଜ ସୁବିଧା ପାଇଁ ବାଧ୍ୟ ହୁଅନ୍ତି ଗୋଟେ ସରକାରର ଅନୁଗତ ହେବା ପାଇଁ।

ମୋର ଗୋଟେ ଅନୁଭୂତି ମନେପଡୁଛି। ଆମେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢ଼ିଲା ବେଳେ ୧୯୮୪ରେ ଆତତାୟୀ ଗୁଳିରେ ନିହତ ହେଲେ ଇନ୍ଦିରା ଗାନ୍ଧୀ। ଚାରିଆଡ଼େ ଶୋକ ପାଳନ ଚାଲିଲା। ସମାନୁପାତିକ ଭାବେ ହିଂସ୍ର ଅରାଜକତା ମଧ୍ୟ ଚାଲିଲା। ଡ. ମନ୍ମଥନାଥ ଦାସ ଥାଆନ୍ତି କୁଳପତି। ତାଙ୍କ ସଭାପତିତ୍ୱରେ ଗୋଟେ ଶୋକସଭା ହେଲା। ସହଜେ ସେ ଜଣେ ସୁବକ୍ତା ପୁଣି ଇନ୍ଦିରାଙ୍କ ଉପରେ କିଛି ଗବେଷଣାମତ୍କ ଲେଖା ଲେଖୁଥାନ୍ତି। ତେଣୁ ସେ ଇନ୍ଦିରା ଗାନ୍ଧୀଙ୍କ ଉପରେ ଏକ ଭାବଗର୍ଭକ ଭାଷଣ ଦେଲେ। ହଠାତ୍‌ ଜଣେ ମଞ୍ଚ ଉପରକୁ ଚପଲଟିଏ ପିଙ୍ଗିଲା ଏବଂ କହିଲା କଂଗ୍ରେସ ଚାମଚା! ମନ୍ମଥବାବୁ କହିଲେ, ମୁଁ ଇଂରାଜୀରେ ଭାଷଣ ଦେଉଛି ,କିନ୍ତୁ ତଦ୍ଦ୍ବାରା ମୁଁ ଇଂରେଜ ବୋଲି ପ୍ରତିପାଦିତ ହେଉନାହିଁ। ମୁଁ ବିଦେଶୀ ବେଶପୋଷାକ ପିନ୍ଧିଛି। ମାତ୍ର ତାହା ମଧ୍ୟ ମତେ ବିଦେଶୀ ବୋଲି ପ୍ରତିପାଦିତ କରୁନାହିଁ। ଯଦି ମୁଁ ଇନ୍ଦିରାଙ୍କ ବିଷୟରେ ଆଜି କହୁଛି ତାହା ମତେ କଂଗ୍ରେସର ଚାମଚା ଭାବରେ କେମିତି ପ୍ରତିପାଦିତ କରୁଛି? ଏକଥା ଶୁଣିଲା ପରେ ସେଇ ଚପଲ ଫିଙ୍ଗିଥିବା ଛାତ୍ର ଜଣଙ୍କ କେତେବେଳେ ସଭାଗୃହରୁ ଅନ୍ତର୍ହିତ ହୋଇଗଲା ଜଣାପଡ଼ିଲା ନାହିଁ।

କହିବା କଥା ହେଲା, ଠିକ୍‌ ସେମିତି ଜଣେ ସରକାରୀ କର୍ମଚାରୀ ଗୋଟେ ଦଳର ସରକାର ଅଧୀନରେ କାମ କଲାବେଳେ ସେ ଦଳର କର୍ମୀ ପାଲଟିଯାଏ ନାହିଁ। ଏଇ ଯେମିତି ଖଦଡ଼ ପିନ୍ଧୁଥିବା ସମସ୍ତେ ଗାନ୍ଧୀବାଦୀ ନୁହନ୍ତି। ସବୁଜ ଦିଶୁଥିବା ସବୁ ଗଛପତ୍ର ବିଜୁ ଜନତା ଦଳର ନୁହେଁ କି ଗେରୁଆ ରଙ୍ଗର ଧୋତି, ଗାମୁଛା ପିନ୍ଧୁଥିବା ସାଧୁସନ୍ଥ ସବୁ ଭାରତୀୟ ଜନତା ପାର୍ଟିର ନୁହନ୍ତି। ଦୃଷ୍ଟିକୋଣ ଓ ଦୃଷ୍ଟିଭଙ୍ଗୀ ଭିତରେ ଥାଏ ଦୃଶ୍ୟର ସୌନ୍ଦର୍ଯ୍ୟ। ଆମେ ଗୋଟେ ଜିନିଷକୁ ଯେମିତି ଦେଖିବାକୁ ଚାହିଁବା ତାହା ଆମକୁ ସେପରି ଦିଶିବ।

ରାଜନୀତି ବିଜ୍ଞାନରେ ଗୋଟେ କଥା ଅଛି ଯେ, ରାଜନୀତିରେ ଶତ୍ରୁ ବା ମିତ୍ର କେହି ସ୍ଥାୟୀ ନୁହନ୍ତି। କେବଳ ସ୍ଥାୟୀ ହେଲା ଆପଣାର ସ୍ବାର୍ଥ। ଆଜି ଯିଏ ଏ ଦଳରେ ଅଛି କାଲି ସେ ଆର ଦଳକୁ ଚାଲିଯାଉଛି। ସେତେବେଳେ ତା’ର ଅସ୍ପୃଶ୍ୟତା କଟିଯାଉଛି। ତେବେ ମାଲିକକୁ ଯଦି ଛୁଅଁାଛୁଇଁ ଦୋଷ ଲାଗୁନାହିଁ ତେବେ ଚାକର କୁହାଯାଉଥିବା କର୍ମଚାରୀମାନଙ୍କଠି କେମିତି ଛୁଅଁାଛୁତିର ଦୋଷ ଲାଗିରହୁଛି? ସେ କୁଟୁମ୍ବ ପୋଷିବାକୁ ସରକାରଙ୍କ ଅଧୀନରେ ଚାକିରି କରୁଛି ଏବଂ ଦରକାର ପଡ଼ିଲାବେଳେ ନିଜକୁ ବଞ୍ଚେଇବାକୁ ହଁରେ ହଁ ମାରୁଛି। ଯେଉଁ ଦଳ ସରକାରରେ ରହିବ ସେ ତା’ ରାଜନୈତିକ ମୁନିବର କଥା ମାନିବାକୁ ବାଧ୍ୟ। ତା’ର ସ୍ଥାୟୀ ଆଗ୍ରହଟି ହେଲା ତା’ର ବ୍ୟକ୍ତିଗତ ଓ ପାରିବାରିକ ସ୍ବାର୍ଥ, ସୁବିଧା ଓ ମାନସିକ ଶାନ୍ତି। ଏ ଦୁନିଆରେ ସମସ୍ତେ ନିଜ ସ୍ବାର୍ଥ ପାଇଁ ବଞ୍ଚୁଛନ୍ତି। ଜଣେ ସରକାରୀ କର୍ମଚାରୀ ବା କୋଉ ଭିନ୍ନ? ସେ ତା’ର ସ୍ବାର୍ଥକୁ ଜଗିବା ସ୍ବାଭାବିକ କଥା। ମାତ୍ର ତା’ଠୁ ଆଉ ଦି ପାଦ ଆଗକୁ ଯାଇ ଯେଉଁମାନେ ନିଅଁାଗିଳା ହୁଅନ୍ତି ସେମାନେ ଅସୁବିଧାରେ ପଡ଼ିବା ସ୍ବାଭାବିକ କଥା।

କର୍ମଚାରୀମାନଙ୍କୁ ନେଇ ଇଏ ଆମର, ସିଏ ତାଙ୍କର ବୋଲି ଯୋଉ ଖେଳ ଚାଲେ ତାହା କେତେ ଅବାସ୍ତବ ଓ ଅଳିକ ତାହା ଅନୁମେୟ। ପ୍ରକୃତରେ କହିବାକୁ ଗଲେ ଏ ଦୁନିଆରେ କେହି କାହାର ନୁହେଁ। ଜନ୍ମିତ ପୁଅ ତ ଜନ୍ମକଲା ବାପାର ନୁହେଁ ବୋଲି ଆଜିର ଦୁନିଆ ପ୍ରତିପାଦିତ କରୁଛି। ତେବେ କେଉଁ କର୍ମଚାରୀ ସରକାରର ଗୋଟିପଣେ ହୋଇଯାଇଛି ବୋଲି କେମିତି କହିହେବ? ରାଜନୈତିକ କର୍ମୀ ଯଦି ଦଳ ବଦଳେଇପାରୁଛି, ତେବେ କର୍ମଚାରୀଟିଏ ମଧ୍ୟ ପରିସ୍ଥିତିକୁ ଦେଖି ତା’ର ଆନୁଗତ୍ୟ ବଦଳେଇବ। ଯେଉଁ କର୍ମଚାରୀମାନେ ଏ ସରକାରରେ ଥାଆନ୍ତି, ଆଉ ସରକାର ଆସିଲେ ବି ସେଇମାନଙ୍କୁ ନେଇ ପୁଣି ନୂଆ ସରକାର କାମ କରିବାକୁ ବାଧ୍ୟ ହେବେ। ଖାଲି ଯାହା ଜାଗା ବଦଳେ, ଚଉକି ବଦଳେ।

ରଞ୍ଜନ କୁମାର ଦାସ

ମୋ: ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

କାଲି ୨ ଟ୍ରେନ୍‌ ବାତିଲ, ୧୪ର ଗତିପଥ ପରିବର୍ତ୍ତନ, ଜାଣି ନିଅନ୍ତୁ କେଉଁ କେଉଁ…

ଭୁବନେଶ୍ୱର,୨୯ା୧୦(ସୁଚିସ୍ମିତା ସାହୁ): ବାତ୍ୟା ଓ ବର୍ଷାଜନିତ ପରିସ୍ଥିତି ଏବଂ ରେଳଧାରଣା ନିକଟରେ ଜଳସ୍ତର ବୃଦ୍ଧି ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ବିଶାଖାପାଟଣା ରେଳ ଡିଭିଜନ ଅନ୍ତର୍ଗତ…

ଜୋଲାପୁଟ ଡ୍ୟାମ୍‌ର ୮ ଗେଟ୍‌ ଖୋଲିଲା

ନନ୍ଦପୁର,୨୯ା୧୦(ତୁଷାର କାନ୍ତ ମହାନ୍ତି): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ପାତାଳୀ ଓ ମାଛକୁଣ୍ଡ ନଦୀ ଦେଇ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ର ଜୋଲାପୁଟ ଜଳଭଣ୍ଡାର…

କାଲି ଗଞ୍ଜାମ-ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ….

ଭୁବନେଶ୍ୱର/ଛତ୍ରପୁର, ୨୯।୧୦(ସୁନିତ୍‌ ମିଶ୍ର/ଦିଲ୍ଲୀପ ସାମଲ): ସ୍ପେଶାଲ ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷଠାରେ ଗୁରୁବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣ୍ଣବକୁ…

କାଲି ମିଳିବ ୨୪ତମ ପିଏମ୍‌ କିଷାନ କିସ୍ତି, ରାଜ୍ୟର ୩୫.୩୯ ଲକ୍ଷ ଚାଷୀଙ୍କ…

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): ପିଏମ୍‌ କିଷାନ ଉତ୍ସବ ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି…

ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…

ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚାଇନାକୁ ପରାସ୍ତ କରି ଭାରତର ବିଜୟ ଧାରା ଜାରି

ଜଳନ୍ଧର,୨୯ା୧୦: ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ହକି ଦଳ ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ବିଜୟ ଧାରା ଜାରି ରଖିଛି। ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଧିନାୟକ…

ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ: ୧୦ ମୃତ

କରାଚୀ, ୨୯ା୧୦ : ଦକ୍ଷିଣ ପାକିସ୍ତାନର ଏକ ସରକାରୀ ଚିକିତ୍ସାଳୟ ପରିସରରେ ଠିଆ ହୋଇଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ରୋଗୀଙ୍କ…

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?