ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ ସନ୍ଦେହଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଉଛନ୍ତି ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଇଁକୁଳ ପଣ୍ଡୁଆ ଗ୍ରାମର ଦୀପକ କୁମାର ସେଠୀ (୪୭)। ଏନେଇ ତାଙ୍କ ସ୍ତ୍ରୀ ଦୀପାଞ୍ଜଳୀ ନାୟକ ପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଦୀପକ ଗତ ୩ ବର୍ଷ ହେବ ସାଧୁପଡ଼ାରେ ସସ୍ତ୍ରୀକ ଭଡ଼ାରେ ରହି ଆସୁଥିଲେ। ସେ ଏକ ଠିକା ସଂସ୍ଥାରେ ରାସ୍ତା କାର୍ଯ୍ୟର ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ ଏବଂ ପ୍ରଥମେ ବେଗେନା ଓ ପରେ ରାଙ୍କିରେ କାମ ଦେଖାଶୁଣା କରୁଥିଲେ। ଗତ ଶୁକ୍ରବାର ସନ୍ଧ୍ୟାରେ ଦୀପକ ଓ ତାଙ୍କ ସ୍ତ୍ରୀ ପୁରୀରୁ ଭଡ଼ାଘରକୁ ଫେରିଥିଲେ। ଏହାପରେ ଦୀପକ ଚିକେନ୍ କିଣିବା ପାଇଁ ପାଟଣା ବଜାରକୁ ଯାଇ ଆଉ ଘରକୁ ଫେରି ନ ଥିଲେ।
ଦୀର୍ଘସମୟ ଧରି ଘରକୁ ନଫେରିବାରୁ ସ୍ତ୍ରୀ ଦୀପାଞ୍ଜଳୀ ତାଙ୍କ ମୋବାଇଲ୍କୁ ଫୋନ୍ କରିବାରୁ ସେ “ମୁଁ ବ୍ୟସ୍ତ ଅଛି” କହି ଫୋନ୍ କାଟି ଦେଇଥିଲେ। ଏହାପରଠାରୁ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଛି। ସ୍ତ୍ରୀ ଦୀପାଞ୍ଜଳୀ ଏନେଇ ଦୀପକଙ୍କ ବାପା କୃଷ୍ଣ ଚରଣ ସେଠୀଙ୍କୁ ଜଣାଇବା ପରେ ପରିବାର ଲୋକେ ବିଭିନ୍ନ ସମ୍ଭାବ୍ୟ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନ ଥିଲେ।
ଶେଷରେ ନିରୁପାୟ ହୋଇ ସ୍ତ୍ରୀ ପାଟଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରିଛି। ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ବୋଲି ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

