ମାଗଣା ସ୍ବାସ୍ଥ୍ୟସେବା

ମ୍ପ୍ରତି ଓଡ଼ିଶା ସରକାର ୧୧ ଏପ୍ରିଲ ୨୦୨୫ରେ ଏକ ସମନ୍ବିତ ସ୍ବାସ୍ଥ୍ୟବୀମା ଯୋଜନା ଆୟୁଷ୍ମାନ୍‌ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ବ୍ୟତୀତ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ନୂତନ ଭାବରେ ପ୍ରଚଳିତ ଆୟୁଷ୍ମାନ୍‌ ବୟୋ-ବନ୍ଦନା ଯୋଜନାକୁ ମଧ୍ୟ ଏହି ପଦକ୍ଷେପରେ ସାମିଲ କରାଯାଇଛି। ୨୦୧୮ରେ ଓଡ଼ିଶାର ପୂର୍ବ ବିଜେଡି ସରକାର କେନ୍ଦ୍ରର ଆୟୁଷ୍ମାନ୍‌ ଭାରତ ଯୋଜନା କାର୍ଯ୍ୟକାରୀ ନ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କାର୍ଯ୍ୟକାରୀ କରିଥିଲେ। ବର୍ତ୍ତମାନର ଭାଜପା ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) ନାମକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (GJAY)କୁ ପରିବର୍ତ୍ତନ କରିଛନ୍ତି। ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ ନୂତନ ଯୋଜନାରେ ସଫ୍ଟୱେୟାର, ଅପରେଶନାଲ ଓ ପ୍ୟାକେଜର ସମସ୍ୟା ରହିଛି। ଗୁଡ଼ାଏ ଓଟିପି ଦରକାର ପଡୁଛି, ପ୍ୟାକେଜ୍‌ ବହୁତ ମନ୍ଥର ଏବଂ ରୋଗୀକୁ ଆଡ୍‌ମିଶନ ବା ପଞ୍ଜୀକରଣ କରିବା ପାଇଁ ବହୁ ସମୟ ଲାଗୁଛି। ଗୁଡ଼ାଏ ଡାଟା ଦେବାକୁ ପଡୁଛି। ଡାକ୍ତର ଓ ରୋଗୀଙ୍କ ଫଟୋ ଦରକାର ପଡୁଛି, ଯାହା ଡାକ୍ତରମାନେ ଚାହୁଁନାହାନ୍ତି। ଏସବୁକୁ ସରକାର ଧ୍ୟାନ ଦେବା ଜରୁରୀ।
ଏଠାରେ ପ୍ରଶ୍ନ ନୁହେଁ କେଉଁ ଯୋଜନା ଭଲ। ପ୍ରଶ୍ନ ହେଉଛି ଉଭୟ ସରକାରୀ ସ୍ବାସ୍ଥ୍ୟ ବୀମା ଯୋଜନା। କିନ୍ତୁ ଦେଶ ଯେତେବେଳେ ପ୍ରଗତି ଓ ଅଭିବୃଦ୍ଧି ପଥରେ ଆଗେଇ ଚାଲିଛି ବୋଲି ସରକାର କହୁଛନ୍ତି, ସେତେବେଳେ ସରକାର ସ୍ବାସ୍ଥ୍ୟସେବା ମାଗଣାରେ ଯୋଗାଇ ନ ଦେଇ ସ୍ବାସ୍ଥ୍ୟ ବୀମା କାହିଁକି ପ୍ରଚଳନ କରୁଛନ୍ତି? ବୀମା ସଂସ୍ଥାରୁ ଜଣେ ସ୍ବାସ୍ଥ୍ୟ ବୀମା କ୍ରୟ କରିପାରେ, କିନ୍ତୁ ସରକାର ବୀମା ନ କରି ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଦେଲେ ସବୁ ଶ୍ରେଣୀର ଲୋକ ଉପକୃତ ହେବେ। ରୋଗୀର କୌଣସି ଚିନ୍ତା ରହିବ ନାହିଁ। ଦେଖିବାକୁ ଗଲେ ସ୍ବାସ୍ଥ୍ୟ ବୀମା ଦ୍ୱାରା ଘରୋଇ କର୍ପୋରେଟ ହସ୍ପିଟାଲ ବେଶି ଲାଭବାନ୍‌ ହେଉଛନ୍ତି। ସେମାନେ ବୀମା କଥା ଜାଣିଲେ ବହୁ ଅଧିକ ବିଲ୍‌ କରୁଛନ୍ତି। ରୋଗୀ କେତେ ଶୀଘ୍ର ଭଲ ହେବ ତାହା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ରୋଗୀର ଚିକିତ୍ସା ମାଧ୍ୟମରେ କେତେ ଅର୍ଥ ରୋଗୀ ବା ସରକାରଙ୍କଠାରୁ ଆଦାୟ କରାଯାଇପାରିବ ତାହା ପ୍ରାଧାନ୍ୟ ପାଉଛି। ପୁନଶ୍ଚ ଦ୍ୱିତୀୟ ଏବଂ ତୃତୀୟ ସ୍ତରୀୟ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତିହେଲେ ସାହାଯ୍ୟ ମିଳିବ। ହସ୍ପିଟାଲରେ ଭର୍ତ୍ତି ନ ହୋଇ ମଧ୍ୟ ଲୋକ ବହୁମାତ୍ରାରେ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ବ୍ୟୟ କରିଥାନ୍ତି।
ଦେଶର ବିଭିନ୍ନ ସ୍ଥାନରେ ୨୦୦୦ ଲୋକଙ୍କ ଉପରେ ଏକ ସ୍ବାସ୍ଥ୍ୟସେବା ଫାର୍ମ GOQii ଦ୍ୱାରା କରାଯାଇଥିବା ସର୍ଭେ ଉପରେ ଆଧାରିତ ‘ଇଣ୍ଡିଆ ଫିଟ୍‌ ରିପୋର୍ଟ-୨୦୨୫’ ଅନୁସାରେ ସୁଲଭ ମୂଲ୍ୟରେ ସ୍ବାସ୍ଥ୍ୟସେବା ପ୍ରାପ୍ତ ହେବା ଆଜି ଅସମ୍ଭବ ହୋଇଛି। ୭୧% କହିଛନ୍ତି ଯେ, ସ୍ବାସ୍ଥ୍ୟଖର୍ଚ୍ଚ ଏପରି ଆକାଶଛୁଆଁ ହୋଇଛି ଯେ, ବୀମାଭୁକ୍ତ ଭାରତୀୟ ମଧ୍ୟ ଚିକିତ୍ସା ପାଇଁ ଡରୁଛନ୍ତି। ବୀମାଭୁକ୍ତ ଭାରତୀୟଙ୍କ ମଧ୍ୟରୁ ୩୬% କହିଛନ୍ତି- ସେମାନେ ଡାକ୍ତର ପାଖକୁ ଯିବା କମେଇ ଦେଇଛନ୍ତି। କାରଣ ପକେଟରୁ ବହୁତ ଖର୍ଚ୍ଚ କରିବାକୁ ପଡ଼ିଛି। ପ୍ରାୟ ୧୨.୩% ଆର୍ଥିକ ଚାପ ଯୋଗୁଁ ଚିକିତ୍ସା ସ୍ଥଗିତ ରଖିଛନ୍ତି। ପ୍ରାୟ ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ପ୍ରକାଶ କରିଛନ୍ତି ଯେ, କେବଳ ସ୍ବାସ୍ଥ୍ୟସେବା ବ୍ୟୟସାପେକ୍ଷ ହେବା ଯୋଗୁ ସେମାନେ ଅତ୍ୟାବଶ୍ୟକ ଚିକିତ୍ସାରୁ ମଧ୍ୟ ବଞ୍ଚତ୍ତ ହେଉଛନ୍ତି, ଯାହା ସ୍ବାସ୍ଥ୍ୟସେବା ଆଜି କେତେ ଅପହଞ୍ଚ ତାହାର ଗମ୍ଭୀରତାକୁ ସ୍ପଷ୍ଟ କରୁଛି। ପ୍ରାୟ ୧୨.୩% କହିଛନ୍ତି ଯେ, ସ୍ବାସ୍ଥ୍ୟସେବା ଆଜି ଅତ୍ୟାବଶ୍ୟକ ବା ଜରୁରୀ ସେବା ନ ହୋଇ ଏକ ବିଳାସପୂର୍ଣ୍ଣ ଜିନିଷ ପାଲିଟିଛି। ୨୦୨୫ରେ ସ୍ବାସ୍ଥ୍ୟସେବା ପରିବ୍ୟୟ ୧୩% ବୃଦ୍ଧି ପାଇବ ବୋଲି ସେମାନେ ଭାବୁଛନ୍ତି। ପ୍ରାୟ ୩.୮୪% କହିଛନ୍ତି ଯେ, ସେମାନେ ଗତ ବର୍ଷ ଅସୁସ୍ଥ ଥିଲେ। ସେମାନଙ୍କ ମଧ୍ୟରୁ ୪୦% ପୁରୁଷ ଅସୁସ୍ଥ ହୋଇଥିଲାବେଳେ ୬୪% ମହିଳା ଅସୁସ୍ଥ। ଅର୍ଥାତ୍‌ ମହିଳାମାନେ ବେଶି ଅସୁସ୍ଥ। ଜୀବନଶୈଳୀ ରୋଗରେ ପୀଡ଼ିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ୪୮.୭% ଉଚ୍ଚ ରକ୍ତଚାପରେ, ୩୯% ମଧୁମେହ ରୋଗ , ୨୪% କୋଲେଷ୍ଟରଲ ଜନିତ ସମସ୍ୟାରେ ପୀଡ଼ିତ।
ବର୍ତ୍ତମାନ ଆମ ରାଜ୍ୟ, ଏପରିକି ଅନ୍ୟ ରାଜ୍ୟରେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ଅତ୍ୟଧିକ ହେଉଥିବାବେଳେ ଆବଶ୍ୟକ ଡାକ୍ତର ରହୁନାହାନ୍ତି। ଏହା ବ୍ୟତୀତ ଆନୁଷଙ୍ଗିକ ଯନ୍ତ୍ରପାତି, ରୋଗୀଙ୍କ ଶଯ୍ୟା ଓ ଭିତ୍ତିଭୂମିର ଘୋର ଅଭାବ ରହିଛି। ବହୁ ସମୟରେ ପିଜି ଛାତ୍ରୀଛାତ୍ର ଚିକିତ୍ସା କରୁଛନ୍ତି। ସରକାରୀ ଡାକ୍ତରଖାନାର ଭିଡ ତଥା ତତକ୍ଷଣାତ ଚିକିତ୍ସା ପ୍ରାପ୍ତ ହେବାର ସମ୍ଭାବନା ନଥିବାରୁ ଅଧିକାଂଶ ବଡ ବଡ ଘରୋଇ ହସ୍ପିଟାଲ ବା ନର୍ସିଂହୋମ ଯିବାକୁ ପସନ୍ଦ କରୁଛନ୍ତି। ପୁନଶ୍ଚ ତାହା ସବୁ ସହରରେ ଉପଲବ୍ଧ ନୁହେଁ। ପ୍ରାୟତଃ ଓଡ଼ିଶାରେ ଭୁବନେଶ୍ୱର, କଟକରେ ଉପଲବ୍ଧ। ଥରେ ପଶିଲେ ସର୍ବନିମ୍ନ ୫୦ ହଜାରରୁ ୧ ଲକ୍ଷ ଟଙ୍କା ଆବଶ୍ୟକ। ଚିକିତ୍ସା ପାଇବା ବହୁତ ବ୍ୟୟସାପେକ୍ଷ। ଏଥିପାଇଁ ଘରୋଇ ହସ୍ପିଟାଲ ବା ନର୍ସିଂହୋମ୍‌ ମାଲିକ ଯେତିକି ଦାୟୀ ନୁହନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟକ୍ଷେତ୍ରର ବ୍ୟାପକ ଘରୋଇକରଣ ନୀତି ଅଧିକ ଦାୟୀ। ଏକ ବ୍ୟକ୍ତି ବା ଘରୋଇ ସଂସ୍ଥା ଯେତେ ଭଲଲୋକ ହେଲେ ବି ସର୍ବଦା ଚାହିଁବେ ଅଧିକ ଲାଭ ଅର୍ଜନ କରିବା ପାଇଁ, କାରଣ ସେ ସେଥିପାଇଁ ସଂସ୍ଥା ଖୋଲିଛନ୍ତି। କିନ୍ତୁ ସରକାର ନିୟନ୍ତ୍ରଣ କରିବା ଉଚିତ, ଯାହା ଆମ ଦେଶରେ ସମମ୍ଭବ ହେଉନାହିଁ।
ସେହିପରି ୫୦ ଲକ୍ଷ ଟଙ୍କାରୁ ଅଧିକ ଦେଇ ଡାକ୍ତରୀ ପଢ଼ି ସାରିବା ପରେ ଅନେକଙ୍କର ସେବା ମନୋବୃତ୍ତି ରହୁନାହିଁ। ବରଂ କେତେ ଅଧିକ ଅର୍ଥ ରୋଜଗାର କରିପାରିବେ ସେଥିପାଇଁ ଚେଷ୍ଟା କରୁଛନ୍ତି। ପୁନଶ୍ଚ ଆଗରୁ ଡାକ୍ତରମାନେ ନିଜ ବୁଦ୍ଧିଖଟାଇ ରୋଗ ନିରୂପଣ କରୁଥିଲେ। କିନ୍ତୁ ବର୍ତ୍ତମାନ ଆବଶ୍ୟକ ଥାଉ ବା ନଥାଉ ଗୁଡ଼ାଏ ପରୀକ୍ଷା ଓ ନିରୀକ୍ଷା କରିବାକୁ କହୁଛନ୍ତି। ରୋଗୀ ଅଯଥାରେ ଖର୍ଚ୍ଚାନ୍ତ ହେଉଛି। ସେହିପରି ଯେଉଁ କମ୍ପାନୀ ବେଶି କମିଶନ ଦେଉଛି, ଡାକ୍ତରମାନେ ସେହି ଔଷଧ ଲେଖୁଛନ୍ତି। ବେଳେବେଳେ ଆବଶ୍ୟକତାଠାରୁ ବହୁ ଅଧିକ ଔଷଧ ଲେଖୁଛନ୍ତି। ଔଷଧ କମ୍ପାନୀ ମନଇଚ୍ଛା ଔଷଧ ମୂଲ୍ୟ ବୃଦ୍ଧି କରୁଛନ୍ତି। ସରକାରଙ୍କ କିଛି ଅଙ୍କୁଶ ନାହିଁ। ବହୁ ଔଷଧର ଉତ୍ପାଦନ ମୂଲ୍ୟଠାରୁ ଔଷଧରେ ଲିଖିତ ସର୍ବାଧିକ ଖୁଚୁରା ମୂଲ୍ୟ ବହୁଗୁଣ ଅଧିକ। ସେବା ମନୋବୃତ୍ତିର ଅଭାବ ପାଇଁ ଆଜିର ଉପଭୋକ୍ତାବାଦ ହିଁ ଦାୟୀ। ଅବଶ୍ୟ ଏହା ସତ୍ତ୍ବେ ଅନେକ ଡାକ୍ତରଙ୍କ ସେବା ମନୋବୃତ୍ତି ଓ ତ୍ୟାଗ ରହିଛି। ସବୁ ନର୍ସିଂହୋମ୍‌ ଖରାପ ବୋଲି କୁହାଯାଇପାରିବ ନାହିଁ। ସ୍ବାସ୍ଥ୍ୟସେବା ସମସ୍ତଙ୍କୁ ଯୋଗାଇଦେବାର ଆବଶ୍ୟକତା ଥିଲାବେଳେ ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ବ୍ୟୟ ଜିଡିପି ଅନୁସାରେ ହ୍ରାସ ପାଉଛି। ବିଶ୍ବରେ ଏହା ହାରାହାରି ୬% ହୋଇଥିଲାବେଳେ ଭାରତରେ କେନ୍ଦ୍ର ଓ ରାଜ୍ୟ ମିଶିକି ୧.୩୫% ରୁ ୧.୯% ମଧ୍ୟରେ ରହୁଛି। ସେଥିରେ ଜଳ ଏବଂ ପରିମଳ ପାଇଁ ଖର୍ଚ୍ଚ, ବୀମା ଆଦି ଅନ୍ତର୍ଭୁକ୍ତ। ସ୍ବାସ୍ଥ୍ୟ କ୍ଷେତ୍ରରେ ଜିଡିପି ଅନୁସାରେ କେନ୍ଦ୍ର ସରକାରଙ୍କ ବ୍ୟୟ ୨୦୧୪-୧୫ରେ ୦.୨୫% ଥିଲାବେଳେ ୨୦୨୦-୨୧ରେ ୦.୪୧% ଛୁଇଁଥିଲା। ଏହା କ୍ରମଶଃ ହ୍ରାସ ପାଇ ୨୦୨୫-୨୬ରେ ୦.୨୭% ହେବ ବୋଲି ଆକଳନ କରାଯାଇଛି। କିନ୍ତୁ ଜାତୀୟ ସ୍ବାସ୍ଥ୍ୟ ନୀତି ଅନୁସାରେ ଏହା ଜିଡିପିର ୨.୫% ରହିବା କଥା।

ଡ. ସନ୍ତୋଷ କୁମାର ମହାପାତ୍ର
ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri