ଦାରିଙ୍ଗବାଡ଼ି, ୪/୧୧ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ପରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଜନଜୀବନ। କେଉଁଠି ରାସ୍ତା ବିଚ୍ଛିନ୍ନ ତ ଆଉ କେଉଁଠି ଭୂସ୍ଖଳନ। ଅନ୍ୟପଟେ ବିଦ୍ୟୁତ୍ ସଂଯୋଗ ବ୍ୟାହତ ହେବା ଯୋଗୁ ଅନେକ ସ୍ଥାନରେ ପାଇପ୍ ଯୋଗେ ଜଳଯୋଗାଣ ବନ୍ଦ ହୋଇଯାଇଛି। ଏଭଳି ସମସ୍ୟା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତର କେରୁବାଡ଼ି ଗ୍ରାମରେ।
ଗ୍ରାମର ବାଗଟି ସାହି, ମଝି ସାହି, ବଡ଼ ସାହି, ପାତ୍ରପଡ଼ା ଓ ବ୍ଲଦୁବାଡ଼ିରେ ବାତ୍ୟା ପରଠାରୁ ପାଇପ୍ ଯୋଗେ ଜଳଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଫଳରେ ପ୍ରାୟ ୨୦୦ ପରିବାର ପିଇବା ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଧ୍ୟ ହୋଇ ଗ୍ରାମର ଆଟିଟାକା ଚୁଆରୁ ଅଶୁଦ୍ଧ ପାଣି ସଂଗ୍ରହ କରି ପିଇବା ସହ ଗାଧୋଇବା, ଶୌଚ ଓ ଲୁଗାପଟା ସଫା କରିବାରେ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ଜଳବାହିତ ରୋଗର ଆଶଙ୍କା ଦେଖାଦେଇଛି।
ଗ୍ରାମରେ ତିନୋଟି ନଳକୂପ ଥିଲେ ମଧ୍ୟ ସେଥିରୁ କିଛି ସମୟ ପାଣି ବାହାରିବା ପରେ ଅଚଳ ହୋଇପଡ଼ୁଛି। ଫଳରେ ଗ୍ରାମବାସୀଙ୍କ ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ। ଏନେଇ ଗ୍ରାମର ହେମଲତା ନାୟକ, କବିତା ନାୟକ, ଧର୍ମେନ୍ଦ୍ର ନାୟକ ଓ ରବିଚନ୍ଦ୍ର ନାୟକ ପ୍ରମୁଖ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁରେ ପାଇପ୍ ଯୋଗେ ଜଳଯୋଗାଣ ପାଇଁ ପାଇପ୍ ବିଛାଯିବା ସହ ଷ୍ଟାଣ୍ଡପୋଷ୍ଟ, ପମ୍ପ ହାଉସ୍ ଓ ଉଚ୍ଚକ୍ଷମତା ସମ୍ପନ୍ନ ପାଣି ଟାଙ୍କି ନିର୍ମାଣ ହୋଇଛି। କିନ୍ତୁ ବାତ୍ୟା ସମୟରେ ପମ୍ପ ହାଉସ୍କୁ ସଂଯୋଗ କରୁଥିବା ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଜଳଯୋଗାଣ ବନ୍ଦ ହୋଇଯାଇଛି।
ଏ ସମ୍ପର୍କରେ କୁମୁଦ ନାୟକ, କୁଦା ନାୟକ, ଗଡ଼ିଶା ପ୍ରଧାନ, ସାନୁ ନାୟକ, ଅପିନା ପ୍ରଧାନ ଓ ବଜେଲା ପ୍ରଧାନ ପ୍ରମୁଖ କହିଛନ୍ତି ଯେ, ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏଯାଏ ମରାମତି ପାଇଁ କେହି ଆସିନାହାନ୍ତି। ଅନ୍ୟପଟେ ଅଚଳ ନଳକୂପଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ ମଧ୍ୟ ହେଉନଥିବା ସେମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ପାଇପ୍ ଯୋଗେ ଜଳଯୋଗାଣ ସ୍ୱାଭାବିକ କରାନଗଲେ ଜଳଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଅନ୍ୟପଟେ ଏନେଇ ଗ୍ରାମ୍ୟ ଜଳଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ କ୍ଷୀରୋଦ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ପମ୍ପ ହାଉସ୍କୁ ସଂଯୋଗ କରୁଥିବା ବିଦ୍ୟୁତ୍ ଖୁଣ୍ଟରୁ ତାର ଛିଣ୍ଡି ତଳେ ପଡ଼ିଯାଇଛି। ଅଞ୍ଚଳରେ ଅଧିକ ବର୍ଷାଜଳ ଜମି ରହିଥିବାରୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏହାର ମରାମତି ହୋଇପାରିନାହିଁ। ତେବେ ଜଳଯୋଗାଣ ସ୍ୱାଭାବିକ ହେବାକୁ ଅପେକ୍ଷା କରିଛନ୍ତି ଶତାଧିକ ଗ୍ରାମବାସୀ।
Dharitri – Odisha’s No.1 Odia Daily

