ଉଦାସ ଭାରତ

ପ୍ରକାଶ ତ୍ରିପାଠୀ

ଭାରତ ଉଦାସ। ଭାରତୀୟମାନେ ଖୁସିରେ ରହୁନାହାନ୍ତି। ବେଦ, ଉପନିଷଦ, ଶାସ୍ତ୍ର ଆଦିର ଗନ୍ତାଘର କୁହାଯାଉଥିବା ଭାରତରେ ମଣିଷ ସୁଖ, ଶାନ୍ତି ଓ ଖୁସିରେ ରହିବା ପାଇଁ ଅନେକ ପରାମର୍ଶ ଓ ମାର୍ଗ ରହିଥିବା ବେଳେ ଭାରତୀୟମାନେ କିନ୍ତୁ ଖୁସିରେ ରହିବା ବଦଳରେ ଦୁଃଖ ଓ ଉଦାସରେ ରହୁଛନ୍ତି। ଦୈନନ୍ଦିନ ଜୀବନରେ ସେମାନେ କ୍ରମଶଃ ଅଧିକ ଚାପଗ୍ରସ୍ତ ଓ ଚିନ୍ତାଗ୍ରସ୍ତ ଜୀବନ ବିତାଇବାରେ ଲାଗିଛନ୍ତି। ସନ୍ତୋଷ ପରମ ସୁଖମ୍‌ ନୀତିରେ ବିଶ୍ୱାସ ରଖୁଥିବା ଭାରତୀୟମାନେ କିନ୍ତୁ ନିଜର ସନ୍ତୋଷ ପ୍ରକାଶ କରିବାରେ ସକ୍ଷମ ହୋଇ ପାରୁନାହାନ୍ତି। ସେମାନଙ୍କ ଆଶା, ଆକାଂକ୍ଷା ପୂର୍ଣ୍ଣ ହୋଇ ପାରୁନାହିଁ ଓ ଯାହା ବି ପ୍ରାପ୍ତ ହେଉଛି, ତାହା ତାଙ୍କୁ ଖୁସି କରି ପାରୁନାହିଁ। ମିଳିତ ଜାତିସଂଘର ସଷ୍ଟେନ୍‌ବଲ ଡେଭେଲପ୍‌ମେଣ୍ଟ ସଲ୍ୟୁସନ ନେଟୱର୍କ ପକ୍ଷରୁ ବିଶ୍ୱର ପ୍ରାୟ ସବୁରାଷ୍ଟ୍ରର ନାଗରିକଙ୍କ ମତାମତକୁ ଭିତ୍ତି କରି ପ୍ରତିବର୍ଷ ଖୁସି ଦେଶର ତାଲିକା ପ୍ରସ୍ତୁତ କରାଯାଏ। ୨୦୨୧ ଖୁସି ଦେଶ ତାଲିକାରେ ୧୪୯ଟି ଦେଶର ଜନସାଧାରଣଙ୍କ ମତାମତ ସଂଗ୍ରହ କରାଯାଇ ଖୁସି ତାଲିକା ପ୍ରକାଶ ପାଇଛି ଓ ସେଥିରେ ଭାରତର ସ୍ଥାନ ୧୩୯। ତେବେ ପ୍ରଗତି ଓ ବିକାଶର ଧାରାରେ ଆଗକୁ ବଢ଼ୁଥିବା ଭାରତ ନିଜର ପଡ଼ୋଶୀ ଦେଶଗୁଡ଼ିକଠାରୁ ଏହି ତାଲିକାରେ ତଳେ ରହିଛି। ପାକିସ୍ତାନ ୧୦୫ ସ୍ଥାନରେ ଥିବା ବେଳେ ବଙ୍ଗଳାଦେଶ ୧୦୧ ଓ ଚାଇନା ୮୪ତମ ସ୍ଥାନରେ ରହିଛି। ଅନ୍ୟତମ ପଡ଼ୋଶୀ ରାଷ୍ଟ୍ର ନେପାଳ ଦକ୍ଷିଣ ଏସୀୟ ରାଷ୍ଟ୍ରଙ୍କ ମଧ୍ୟରେ ସବୁଠାରୁ ଅଧିକ ଖୁସି ରାଷ୍ଟ୍ର ଭାବେ ୮୭ତମ ସ୍ଥାନରେ ରହିଥିବା ବେଳେ ଶ୍ରୀଲଙ୍କା ୧୨୯ ସ୍ଥାନ ଓ ମାଲ୍‌ଡିଭସ୍‌ ୮୯ତମ ସ୍ଥାନରେ ରହିଛି।
ଜିଡିପି, ସାମାଜିକ ସହାୟତା, ବ୍ୟକ୍ତିଗତ ସ୍ବାଧୀନତା ଓ ଦୁର୍ନୀତିର ସ୍ତରକୁ ଆଧାର କରି ଏହି ଖୁସି ଦେଶର ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ସମାଜରେ ସୁଶାସନ, ସ୍ବତନ୍ତ୍ରତା, ଉଦାରତା, ମୁଣ୍ଡପିଛା ଆୟ, ସ୍ବାସ୍ଥ୍ୟ,ବଞ୍ଚତ୍ବାର ସମୟ, ଦୀର୍ଘଜୀବନର ପ୍ରତ୍ୟାଶା ଆଦି ବିଷୟ ମଧ୍ୟ ସ୍ଥାନ ପାଇଥାଏ। ଗତବର୍ଷ ଭାରତ ୧୫୬ ଦେଶ ମଧ୍ୟରୁ ୧୪୪ତମ ସ୍ଥାନରେ ଥିଲା ବେଳେ ୨୦୧୯ରେ ୧୪୦ତମ ସ୍ଥାନ, ୨୦୧୮ରେ ୧୩୩ତମ ଓ ୨୦୧୭ରେ ୧୨୨ତମ ସ୍ଥାନରେ ଥିଲା। ତେବେ ୟୁରୋପର ଅଧିକାଂଶ ରାଷ୍ଟ୍ର ପ୍ରଥମ ୨୦ଟି ସର୍ବାଧିକ ଖୁସି ରାଷ୍ଟ୍ର ତାଲିକାରେ ଗତ ପାଞ୍ଚବର୍ଷ ଧରି ନିଜର ସ୍ଥିତି ମଜଭୁତ ରଖୁଥିବା ବେଳେ ଭାରତ ଅନୁରୂପ ଭାବେ ତଳ ଆଡୁ ସର୍ବାଧିକ ୨୦ ଖୁସି ରାଷ୍ଟ୍ର ତାଲିକାରେ ନିଜର ସ୍ଥାନ ସୁରକ୍ଷିତ ରଖିପାରୁଛି। ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି। ବେରୋଜଗାରି ବଢ଼ିଛି, ଦରବୃଦ୍ଧି ସାଙ୍ଗକୁ ସାମାଜିକ ସ୍ତରରେ ଅନେକ ପରିବର୍ତ୍ତନ ଘଟିଛି। ଏ ସବୁ ସତ୍ତ୍ୱେ ଜନସାଧାରଣଙ୍କ ବ୍ୟକ୍ତିଗତ ଜୀବନରେ ବିଶେଷ କିଛି ପରିବର୍ତ୍ତନ ଘଟିନଥିବା ଏହି ସର୍ବେକ୍ଷଣ କୁହେ। କାରଣ ଚଳିତବର୍ଷ ସର୍ବାଧିକ ଖୁସି ରାଷ୍ଟ୍ର ତାଲିକାର ପ୍ରଥମ ସ୍ଥାନରେ ଥିବା ଡେନ୍‌ମାର୍କ ବିଗତ ଚାରିବର୍ଷ ଧରି ନିଜର ପ୍ରଥମ ସ୍ଥାନ ସୁରକ୍ଷିତ ରଖିଥିବା ବେଳେ ଅନ୍ୟାନ୍ୟ ରାଷ୍ଟ୍ର ମଧ୍ୟ ସେମାନଙ୍କ ପୂର୍ବ ସ୍ଥାନର ପାଖାପାଖି ସ୍ଥାନରେ ଅଛନ୍ତି। ଏଥିରୁ ପ୍ରମାଣ ମିଳେ ଯେ, କରୋନା ମହାମାରୀ ବିଶ୍ୱବାସୀଙ୍କ ଜୀବନ ଶୈଳୀକୁ ପରିବର୍ତ୍ତନ କରିଥିଲେ ହେଁ ସେମାନଙ୍କ ମାନସିକ ସ୍ଥିତିକୁ ବିଶେଷ ପରିବର୍ତ୍ତନ କରିପାରିନାହିଁ। ଅର୍ଥାତ୍‌ ଯେଉଁମାନେ ଖୁସିରେ ରହୁଥିଲେ, ସେମାନେ ଅଭାବ ଓ ଅସୁବିଧାରେ ଗତି କଲେ ମଧ୍ୟ ସେଇ ଖୁସିରେ ରହିଛନ୍ତି ଓ ଯେଉଁମାନେ ଉଦାସରେ ରହିଥିଲେ, ସେମାନେ ଆଜି ମଧ୍ୟ ସେଇ ଉଦାସରେ ରହିଛନ୍ତି।
ତେବେ ଭାରତୀୟମାନେ ଖୁସି ହୋଇ ପାରୁନାହାନ୍ତି କାହିଁକି? ସେମାନଙ୍କ ଉଦାସପଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ବଳ ଅର୍ଥନୈତିକ ସ୍ଥିତି, ନିମ୍ନମୁଖୀ ଜିଡିପି, ମାତ୍ରାଧିକ ଦରବୃଦ୍ଧି, ବେରୋଜଗାରି ବୃଦ୍ଧି ଆଦି ଜଣେ ନାଗରିକକୁ ଅସୁଖୀ ଓ ଉଦାସ ରଖିବାକୁ ଯଥେଷ୍ଟ ହୋଇପାରେ; ମାତ୍ର ଆମ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ, ନେପାଳ , ବାଂଲାଦେଶ, ଶ୍ରୀଲଙ୍କା ଆଦି ରାଷ୍ଟ୍ରଗୁଡ଼ିକ ଦୁର୍ବଳ ଅର୍ଥନୈତିକ ସ୍ଥିତିରେ ଥିବା ସତ୍ତ୍ୱେ ସେମାନେ ଆମଠାରୁ ଅଧିକ ଖୁସି କାହିଁକି? କ’ଣ ପାଇଁ ଆମେ ଭାରତୀୟମାନେ ଖୁସିରେ ରହିପାରୁନେ। ଉଦାସପଣ ଆମ ଜୀବନକୁ କବଳିତ କରି ଚାଲିଛି। କୁହାଯାଏ, ଜୀବନ ଯେଉଁଭଳି ଭାବେ ଆମ ସାମ୍‌ନାକୁ ଆସୁଛି, ସେଇଭଳି ଭାବେ ଆମେ ତାକୁ ଗ୍ରହଣ କରିନେଲେ ଜୀବନ ଖୁସିରେ ଭରିଉଠନ୍ତା, ଦୁଃଖ ଯନ୍ତ୍ରଣା ଦୂର ହୁଅନ୍ତା। ଅଯଥା କାମନା ଓ ଲାଳସା ଜୀବନକୁ ଭାରାକ୍ରାନ୍ତ କରିଦିଏ। ଏହାଠାରୁ ଯଥାସମ୍ଭବ ଦୂରରେ ରହିବା ଶ୍ରେୟସ୍କର। ଆମ ଚାରି ପାଖରେ ଅନେକ ମଣିଷ ଅଛନ୍ତି। ଆମେ ତାଙ୍କ ସହ କିପରି ସମ୍ପର୍କ ରଖିପାରୁଛେ, ତାହା ଦେଖିବାର କଥା। ଦୈନନ୍ଦିନ ଜୀବନରେ ଆମେ ବାହାର ଦୁନିଆ ସହ କିପରି ବ୍ୟବହାର ରଖୁଛେ, ତାହା ମଧ୍ୟ ବିଚାର କରିବାର କଥା। ଅନ୍ୟକୁ ସହଯୋଗ କରିବା, ବିପଦ ଆପଦରେ ସହାୟ ହେବା ଆଦି ପ୍ରବୃତ୍ତି ମଣିଷକୁ ଖୁସି ରଖେ। ଏହାଦ୍ୱାରା ନିଜ ମଧ୍ୟରେ ଏକ ସକାରାତ୍ମକ ଭାବନା ସୃଷ୍ଟି ସହ ଓ ସାମାଜିକ ଦୃଢ଼ତାକୁ ପ୍ରୋତ୍ସାହନ କରେ। ଏଠାରେ କେବଳ ଆର୍ଥିକ ସହାୟତାକୁ ଇଙ୍ଗିତ କରାଯାଉ ନାହିଁ; ଏଠାରେ ସମୟ, ଶକ୍ତି ଓ ଭାବନାର ସହଯୋଗ କଥା କୁହାଯାଉଛି। ନିଜକୁ ଖୁସିରେ ରଖିବାକୁ ହେଲେ ଆମ ଚତୁଃପାର୍ଶ୍ୱକୁ ମଧ୍ୟ ଖୁସିରେ ରଖିବାକୁ ଯତ୍ନବାନ୍‌ ହେବାକୁ ପଡ଼ିବ। ସମ୍ପର୍କ ସ୍ଥାପନ ଓ ତା’ର ଅଭିବୃଦ୍ଧି ଖୁସି ପ୍ରାପ୍ତିର ଏକ ମୁଖ୍ୟ ଅଂଶ। ଯେଉଁ ମଣିଷର ସାମାଜିକ ସମ୍ପର୍କ ଯେତେ ଦୃଢ଼, ସେହି ମଣିଷ ସେତେ ଖୁସି ଓ ସେତେ ଆନନ୍ଦ ପାଇଥାଏ। ପରିବାର ସଦସ୍ୟ, ପାଖ ପଡ଼ୋଶୀ, କର୍ମ ସଂସ୍ଥାନରେ ଆସୁଥିବା ସହକର୍ମୀ ଓ ବନ୍ଧୁ ପରିଜନଙ୍କ ସହ ସୁସମ୍ପର୍କ ମଣିଷକୁ ଦୀର୍ଘ ଓ ନିରାମୟ ଜୀବନ ପ୍ରଦାନ କରେ। ପରସ୍ପର ପ୍ରତି ସଦ୍ଦିଚ୍ଛା ଓ ସହାନୁଭୂତି ଜୀବନକୁ ଖୁସିରେ ଭରିଦିଏ। ଶରୀର ଓ ମନ ମଧ୍ୟରେ ସନ୍ତୁଳନ ଖୁସିର ଅନ୍ୟତମ କାରଣ। ଶାରୀରିକ ସ୍ତରରେ କର୍ମଠ, କ୍ରିୟାଶୀଳତା ମନକୁ ପ୍ରଭାବିତ କରେ, ପ୍ରଫୁଲ୍ଲ ରଖେ। ଉଦାସପଣକୁ ଦୂର କରେ। ଆଧ୍ୟାତ୍ମିକତାକୁ ଜୀବନରେ ଧାରଣ କଲେ ଏହା ମନକୁ ସନ୍ତୋଷ ପ୍ରଦାନ କରେ। ସାନ-ବଡ଼, ଉଚ୍ଚ-ନୀଚ, ଧନୀ-ଗରିବ ଈଶ୍ବରଙ୍କ ନିକଟରେ ମୂଲ୍ୟହୀନ। ଏଭଳି ଭାବନା ସାମାଜିକ ସମାନତା ଆଣିଥାଏ ଓ ମନରୁ ଦ୍ୱେଷ, ପରଶ୍ରୀକାତରତା ଓ ଘୃଣା ଦୂର କରି ମନକୁ ଶାନ୍ତି ପ୍ରଦାନ କରେ। ଶିକ୍ଷା ମଣିଷକୁ ଅନ୍ଧାରରୁ ଆଲୋକକୁ ନେଇଥାଏ। ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା ଓ ଏହି ପ୍ରକ୍ରିୟାରେ ନିଜକୁ ସାମିଲ କରିପାରିଲେ ଏହା ଜୀବନକୁ ଏକ ସକାରାତ୍ମକ ଦିଗରେ ଗତି କରାଇଥାଏ। ଏହା ମନରେ ଆତ୍ମବିଶ୍ବାସ ବୃଦ୍ଧି କରିଥାଏ। ବନ୍ଧୁ, ପରିଜନ ଓ ସମାଜରେ ଏହାକୁ ବିତରଣ କରାଯାଇ ଏହାର ସୁଫଳକୁ ଜୀବନରେ ଧାରଣ କରାଯାଇପାରିଲେ ମନକୁ ଏହା ଆତ୍ମସନ୍ତୋଷ ପ୍ରଦାନ କରେ।
ଭବିଷ୍ୟତକୁ ନେଇ ସର୍ବଦା ଶୁଭ ଚିନ୍ତା କରିବା ଖୁସି ଜୀବନର ଅନ୍ୟ ଏକ ସୂତ୍ର। ଭବିଷ୍ୟତକୁ ନେଇ ଅନିଶ୍ଚିତତା ପ୍ରକାଶ କରିବା, ଅଯଥା ଆଶଙ୍କିତ ବା ଆତଙ୍କିତ ହେବା ଉଦାସ ହେବାର ଲକ୍ଷଣ। ଭବିଷ୍ୟତରେ ଯେତେ ଝଡ଼ାଝଞ୍ଜା ଆସୁ ବା ବିପଦ ଆସୁ, ସେ ସବୁର ସଫଳ ମୁକାବିଲା କରି ଆଗକୁ ବଢ଼ିବା ହେଉଛି ସଫଳ ଜୀବନର ମୁଖ୍ୟ ସୂତ୍ର। ଏଥିରୁ ବିଚ୍ୟୁତ ହେଲେ ମନ ବିଷାଦଗ୍ରସ୍ତ ହେବା ସହ ଜୀବନ ଦୁର୍ବିଷହ ହୋଇଉଠେ। ଆମର ପ୍ରତ୍ୟେକଙ୍କ ଜୀବନରେ ଦୁଃଖ, ଚାପ, ଯନ୍ତ୍ରଣା, କ୍ଷତି ଆସିଥାଏ। ମାତ୍ର ଏହାକୁ କିଏ କେଉଁପରି ଭାବରେ ସମ୍ମୁଖୀନ ହେଉଛି ତାହା ଦେଖିବାର କଥା। ଆଜି ଯାହା ଅଛି, ତାହା କାଲି ନ ଥାଇପାରେ ବା ତାହା ନିଶ୍ଚିତ ଦୂର ହୋଇଯିବ। ତେଣୁ ସ୍ଥିତପ୍ରଜ୍ଞ ଭାବେ ସୁଖରେ ଆତ୍ମହରା ଓ ଦୁଃଖରେ ଭାଙ୍ଗିପଡ଼ିବା ବିଜ୍ଞ ଲୋକଙ୍କ ପରିଚୟ ନୁହେଁ। ପ୍ରତିଟି ପରିସ୍ଥିତିରେ ନିଜକୁ ଅବିଚଳିତ ରଖିବା ଖୁସି ରହିବାର ମୂଳମନ୍ତ୍ର। ସନ୍ତୋଷ ପ୍ରକାଶ କରିବା, କୃତଜ୍ଞତା ଜଣାଇବା, ଧନ୍ୟବାଦ ପ୍ରଦାନ କରିବା, ଉତ୍ସାହ ସୃଷ୍ଟି କରିବା ଆଦି ନିରନ୍ତର ଅଭ୍ୟାସ ମଣିଷ ମନରେ ଖୁସିଭାବ ବୃଦ୍ଧି କରିଥାଏ। ନକାରାତ୍ମକ ଭାବନା ଓ ଖୁସି କଦାପି ଏକତ୍ର ରହିପାରିବେ ନାହିଁ। ବାସ୍ତବତାକୁ ସ୍ବୀକାର କରିବାରେ ଖୁସି ମିଳିଥାଏ। ସତ୍ୟ ଓ ସାଧୁତା ଏହାର ବାହ୍ୟ ଆବରଣ। ଏ ଦୁନିଆରେ କେହି ସ୍ବୟଂସମ୍ପୂର୍ଣ୍ଣ ନୁହନ୍ତି। ତେଣୁ ନିଜକୁ ଓ ଅନ୍ୟକୁ ସହଜରେ ସ୍ବୀକାର କରିବା ସହ ସାହସର ସହ ନିଜର ଦୋଷ ତ୍ରୁଟିକୁ ସ୍ବୀକାର କରିବା ସହ ଅନ୍ୟ ପ୍ରତି ସହାନୁଭୂତିଶୀଳ ହେବା ଜଣେ ଖୁସିଲୋକର ଚରିତ୍ର ।
ଭାରତ ଉଦାସ ରହିବା ପଛରେ ଉପରୋକ୍ତ ଗୁଣ ସମୂହର ଅଭାବ ଯେତିକି ଦାୟୀ, ସେତିକି ଦାୟୀ ଦେଶରେ ବୃଦ୍ଧି ପାଉଥିବା ଭ୍ରଷ୍ଟାଚାର, ଅଭିବ୍ୟକ୍ତି, ସ୍ବାଧୀନତାରେ ଅଙ୍କୁଶ ଓ ଧର୍ମୀୟ ଅସହିଷ୍ଣୁତା। ସର୍ବାଧିକ ଖୁସି ଦେଶ ଭାବେ ଘୋଷିତ ଫିନ୍‌ଲ୍ୟାଣ୍ଡରେ ଭ୍ରଷ୍ଟାଚାରହୀନ ସୁଶାସନ ବ୍ୟବସ୍ଥା ସହ ମୁକ୍ତ ଚିକିତ୍ସା ସୁବିଧା ସେ ଦେଶର ଲୋକଙ୍କୁ ଖୁସିରେ ରଖିପାରୁଛି। ଉନ୍ନତ ସାମାଜିକ ସ୍ଥିତି, ଭାଇଚାରା ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନଶୈଳୀ ସେମାନଙ୍କ ଖୁସିର ମୁଖ୍ୟ ଉତ୍ସ। ଭାରତ ରାତାରାତି ଫିନ୍‌ଲ୍ୟାଣ୍ଡ ଭଳି ହୋଇପାରିବ ନାହିଁ। ତଥାପି ଆଶା ରହିଛି, ଆମେ ଫିନ୍‌ଲ୍ୟାଣ୍ଡ ଭଳି ସାମାଜିକ ସ୍ତରରେ ଓ ପ୍ରଶାସନିକ ସ୍ତରରେ ପରିବର୍ତ୍ତନ ଆଣି ସାଧାରଣ ଜନତାଙ୍କୁ ଉଦାସପଣରୁ ମୁକ୍ତି ଦେଇପାରିବା।
ମୋ: ୯୪୩୭୨୩୨୪୬୩
prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri