ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): କଟକର ସରସ୍ୱତୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଅଡିଟୋରିୟମଠାରେ ଅଗଷ୍ଟ ୨୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ ୭ମ ରାଜ୍ୟସ୍ତରୀୟ କୁଡୋ ମାର୍ଶାଲ ଆର୍ଟ ଟୁର୍ନାମେଣ୍ଟରେ ଦେବଗଡ଼ ଜିଲାର ଖେଳାଳିମାନେ ଚିତ୍ତାକର୍ଷକ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଦେବଗଡ଼ ଜିଲାରୁ ମୋଟ ୧୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସମସ୍ତେ ପଦକ ହାସଲ କରି ଜିଲା ପାଇଁ ଗୌରବ ଆଣିଦେଇଛନ୍ତି। ଦେବଗଡ଼ ଜିଲା ଦଳ ମୋଟ ୮ଟି ସ୍ୱର୍ଣ୍ଣ, ୧ଟି ରୌପ୍ୟ ଏବଂ ୧ଟି ବ୍ରୋଞ୍ଜ ପଦକ ହାତେଇବାରେ ସଫଳ ହୋଇଛି।
ଏହି ରାଜ୍ୟସ୍ତରୀୟ ଟୁର୍ନାମେଣ୍ଟରେ ଆମୀରା ସାଇନି ବାର୍ଲା, ଆଭ୍ୟା ସାହୁ, ଅନମୋଲ ନାୟକ, ସ୍ମାଇଲ ମୁଣ୍ଡା, ସୋନୁ ରାୟ, ଖୁସି ମୁଣ୍ଡା, ଅଶରିତ ସାହୁ ଏବଂ ସିଦ୍ଧିକ୍ଷା ଜେନା ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ତନ୍ମୟ ବିଶ୍ୱାଳ ରୌପ୍ୟ ପଦକ ହାସଲ କରିଥିବା ବେଳେ ଆକ୍ଷିତା ଜେନା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ଉଲ୍ଲେଖନୀୟ ପ୍ରଦର୍ଶନ ବଳରେ ସମସ୍ତ ୧୦ ଜଣ କୃତି ଖେଳାଳି ଆଗାମୀ ଜାତୀୟ ସ୍ତରୀୟ ଟୁର୍ନାମେଣ୍ଟ ଏବଂ ଫେଡେରେସନ କପ୍ ପାଇଁ ମନୋନୀତ ତଥା ଯୋଗ୍ୟତା ହାସଲ କରିଛନ୍ତି।
ଦେବଗଡ଼ ଜିଲାର ଏହି ସଫଳତାରେ ଅନୁଷ୍ଠାନର ସଭାପତି ଡ଼ଃ ଅମରେଶ ଚନ୍ଦ୍ର ସ୍ୱାଇଁ, ସମ୍ପାଦକ ସୁମନ କୁମାର ସାହୁ, ଉପଦେଷ୍ଟା କ୍ଷମାନିଧି ସାହୁ, ପ୍ରଶିକ୍ଷକ ଅନିଲ କୁମାର ବାର୍ଲା ତଥା ଅନୁଷ୍ଠାନର ସମସ୍ତ ସଭ୍ୟ-ସଭ୍ୟା ଓ ପରିବାରବର୍ଗ ଅତ୍ୟନ୍ତ ଉତ୍ସାହିତ ହୋଇ ସମସ୍ତ ସଫଳ ଖେଳାଳିଙ୍କୁ ସାଧୁବାଦ ଓ ଶୁଭେଚ୍ଛା ଜଣାଇଛନ୍ତି।

