ବିପଦରେ ଗଣତନ୍ତ୍ର

ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧିଠାରୁ ଆରମ୍ଭ କରି ବେକାରି ସମସ୍ୟା, ଅଂଶଧନକାରୀଙ୍କ ପୁଞ୍ଜିନିବେଶରେ କ୍ଷତି, ସ୍ବାସ୍ଥ୍ୟ ସେବାର ଅଭାବ, ମହିଳାଙ୍କ ପ୍ରତି ଘଟୁଥିବା ଅପରାଧ, ପ୍ରଦୂଷଣ ଆଦି ବହୁବିଧ ସମସ୍ୟା ଦେଇ ଏବେ ଭାରତ ଗତି କରୁଛି। ଏସବୁର ସମାଧାନ ଆଣିବା ଦିଗରେ ପାର୍ଲାମେଣ୍ଟର ଗୁରୁଦାୟିତ୍ୱ ରହିଛି। କୌଣସି ସମସ୍ୟାର ସମାଧାନ ଲାଗି ବିରୋଧୀଙ୍କ ସହ କଥାବାର୍ତ୍ତା କରିବା, ଆଲୋଚନା ଓ ବିତର୍କ ମାଧ୍ୟମରେ ଆଇନ ଆଣିବା, ଏପରିକି ଅନୁକୂଳ ବାତାବରଣ ସୃଷ୍ଟି କରାଯାଇ ଭାରତୀୟ ସଂସଦୀୟ ବ୍ୟବସ୍ଥାର ମର୍ଯ୍ୟାଦା ରକ୍ଷା କରିବା ହେଉଛି ସରକାରୀ ଦଳର କର୍ତ୍ତବ୍ୟ। କିନ୍ତୁ ଆମର ଗଣତାନ୍ତ୍ରିକ ଇତିହାସ କହୁଛି ଯେ, କୌଣସି ସମୟରେ ବିରୋଧୀଙ୍କ ସହିତ ଆଲୋଚନା କରି ଆଇନ ପ୍ରଣୟନ କରାଯାଏ ନାହିଁ। ଯଦି କେତେବେଳେ ଆଲୋଚନା ମାଧ୍ୟମରେ ଆଇନ ଅଣାଯାଇଥାଏ, ତାହା ସାଧାରଣତଃ ଗୁରୁତ୍ୱହୀନ ବିଷୟ ସମ୍ବନ୍ଧୀୟ ଆଇନ। ନଚେତ୍‌ ସଂସଦ ଓ ବିଧାନସଭାରେ ସରକାରୀ ଦଳର ଇଚ୍ଛା ଅନୁଯାୟୀ ଆଇନ ପ୍ରଣୟନ ହୋଇଥାଏ। ବିରୋଧୀ ତାଙ୍କ ମତ ଦେବା ବେଳେ ଯଥାର୍ଥ ବିଷୟ କହିଲେ ମଧ୍ୟ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଏ। ବିଗତ କେତୋଟି ବର୍ଷରେ ଦେଖାଯାଉଛି ଯେ, ବିରୋଧୀଙ୍କ ତରଫରୁ ଯେତେ ଅଧିକ ପାଟିତୁଣ୍ଡ କରାଯିବ ସେତିକି ସରକାରୀ ଦଳ ସକାଶେ ଆଇନ ପ୍ରଣୟନ କରିବାରେ ସହଜ ହୋଇଯାଏ। ଯେକେହି ବ୍ୟକ୍ତି ବାଚସ୍ପତି ଆସନରେ ବସନ୍ତି, ସମସ୍ତେ ସରକାରୀ ଦଳର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିଥାଆନ୍ତି।
ପାର୍ଲାମେଣ୍ଟର ଚଳିତ ବଜେଟ ପରବର୍ତ୍ତୀ ଅଧିବେଶନ ଯେଭଳି ଭାବେ ବିଶୃଙ୍ଖଳିତ ଭାବେ ଗତି କରୁଛି, ସେଥିରେ ଦେଶବାସୀଙ୍କ ସ୍ବାର୍ଥକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି ବୋଲି କୁହାଗଲାଣି। କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ବିଦେଶ ମାଟିରେ ସରକାର ବିରୋଧୀ ମନ୍ତବ୍ୟ ଦେଇଛନ୍ତି ବୋଲି ଦୋଷାରୋପ କରି ଶାସକ ଦଳ ଲୋକ ସଭାକୁ ଅଚଳ କରିଦେଇଛି। ଅନ୍ୟପଟେ ଆଦାନୀ-ହିଣ୍ଡେନ୍‌ବର୍ଗ ପ୍ରସଙ୍ଗରେ ବିରୋଧୀ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ ଲାଗି ବାରମ୍ବାର ଦାବି କରିଆସୁଛନ୍ତି। ତେବେ ଉଭୟଙ୍କ ଦାବିର ଓଜନକୁ ଦେଖିଲେ ସରକାରୀ ଦଳ ଅଧିକ ଆକ୍ରମଣାତ୍ମକ କାର୍ଯ୍ୟକଳାପ ପ୍ରଦର୍ଶନ କରି ପାର୍ଲାମେଣ୍ଟରେ ଅଚଳାବସ୍ଥା ଜାରି ରଖିଛି। ଏଥିରୁ ବୁଝାପଡ଼ୁଛି ଯେ, ଆଦାନୀ ଦୁର୍ନୀତି ସମ୍ବନ୍ଧରେ ଆଲୋଚନା କରିବା ସକାଶେ ସରକାରୀ ଦଳ ଅରାଜି। ବ୍ରିଟେନରୁ ଫେରି ରାହୁଲ ଗାନ୍ଧୀ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟି ଥିଲେ ମଧ୍ୟ ତାଙ୍କୁ କହିବାକୁ ସୁଯୋଗ ଦିଆଯାଇ ନ ଥିଲା। ଶାସକ ଦଳ ସଦସ୍ୟମାନେ ହୋହଲ୍ଲା କରିବାରୁ ଲୋକ ସଭାକୁ ମୁଲତବୀ କରିଦିଆଯାଇଥିଲା। ତେଣୁ ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ବାହାରେ କହିଥିଲେ ଯେ, ଯଦି ଭାରତୀୟ ଗଣତନ୍ତ୍ର ଠିକ୍‌ ଭାବେ ଚାଲୁଥାଆନ୍ତା, ତାହା ହେଲେ ସେ ତାଙ୍କ ମତ ରଖିବାକୁ ସୁଯୋଗ ପାଇଥାଆନ୍ତେ। ଏଥିରୁ ବୁଝାପଡ଼ୁଛି ଯେ ରାହୁଲ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନାକୁ ଆଳ କରି ଶାସକ ଗୋଷ୍ଠୀ ଆଦାନୀ ପ୍ରସଙ୍ଗକୁ ଦୁର୍ବଳ କରି ଦେବାକୁ ଚାହିଁଛି।
ପ୍ରାୟ କୁହାଯାଇଥାଏ ଯେ, ବିରୋଧୀ କୌଣସି ପ୍ରସଙ୍ଗରେ ଅଡ଼ି ବସିଲେ ଶାସକ ଦଳ ତାହାକୁ ସମାଲୋଚନା କରିଥାଏ। ବିରୋଧୀଙ୍କ ଯୋଗୁ ଗୃହ ଚାଲି ପାରି ନ ଥିବା ଅଭିଯୋଗ ହୋଇଥାଏ। ଗଣମାଧ୍ୟମ ଏହି ଧ୍ୱନି ସହିତ ଏକମତ ହୋଇଥାଏ। ଏପରିକି ଅନେକ ବିଜ୍ଞ ବ୍ୟକ୍ତି ପ୍ରତ୍ୟେକ ସଂସଦୀୟ ଅଧିବେଶନର ମିନିଟ୍‌ ପାଇଁ କେତେ କୋଟି ଟଙ୍କା ଖର୍ଚ୍ଚ ହେଉଛି ତାହାର ହିସାବ ମଧ୍ୟ ପ୍ରକାଶ କରିଥାଆନ୍ତି। ଏବେ ସେହିଭଳି ହିସାବ ଦେବାକୁ କେହି ଆଗେଇ ଆସୁନାହାନ୍ତି।
ବର୍ତ୍ତମାନ ପାର୍ଲାମେଣ୍ଟରେ ଆଲୋଚନାର ଗତିରୋଧ କରାଯିବାରେ ଗୃହର ନେତା ତଥା ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଛି। କାରଣ ସେ ଚାହିଁଲେ ଅଚଳାବସ୍ଥାକୁ ଦୂର କରି ଆଲୋଚନାକୁ ଆଗେଇ ନେଇପାରନ୍ତେ। ବିରୋଧୀଙ୍କ ତୁଳନାରେ ଦେଖିଲେ ଶାସକ ଦଳ ଅପେକ୍ଷାକୃତ ଅଧିକ ଦାୟିତ୍ୱବାନ୍‌ ହେବା ଦରକାର। ଜଣେ ଏମ୍‌ପିଙ୍କ ମନ୍ତବ୍ୟକୁ ନେଇ ପାର୍ଲାମେଣ୍ଟକୁ ଅଚଳ କରି ରଖାଯାଇଥିବାରୁ ବହୁ ପ୍ରସଙ୍ଗ ଉପରେ ହେବାକୁ ଥିବା ବିତର୍କ ଓ ଆଲୋଚନା ଅଟକି ରହିଛି। ଶାସକ ଦଳ ଏକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ସୃଷ୍ଟି କରି ଗୃହ କାର୍ଯ୍ୟ ଆଗେଇ ନେଇଥିଲେ ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥାଆନ୍ତେ। କିନ୍ତୁ ସ୍ଥିତି ବିଗିଡ଼ିବାରେ ଲାଗିଛି। ଶାସକ ବର୍ଗ କହୁଛି, ପ୍ରଥମେ ରାହୁଲ ଗାନ୍ଧୀ କ୍ଷମା ପ୍ରାର୍ଥନା ମାଗିଲେ ପରେ ତାଙ୍କୁ ଗୃହରେ କହିବାର ସୁଯୋଗ ମିଳିବ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଜଣେ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ରାୟ ଦେବା ପୂର୍ବରୁ ଆଇନଗତ ଭାବେ ତାଙ୍କ ଯୁକ୍ତି ଶୁଣିବା ପାଇଁ ଅଦାଲତ ବାଧ୍ୟ।
ଏହି ପରିପ୍ରେକ୍ଷୀରେ ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୈତ୍ର ଏକ ଟୁଇଟ୍‌ କରି କହିଛନ୍ତି ଯେ, ବିରୋଧୀଙ୍କ ପ୍ରତି ବାଚସ୍ପତିଙ୍କ ବ୍ୟବହାର ଠିକ୍‌ ରହୁ ନାହିଁ। ସେ କହିଛନ୍ତି ଯେ, କିଛି ଦିନ ହେବ ବାଚସ୍ପତି ଓମ୍‌ ବିର୍ଲା କେବଳ ଭାଜପା ସଦସ୍ୟମାନଙ୍କୁ କହିବାକୁ ମାଇକ୍‌ ଦେଉଛନ୍ତି। ଜଣେ ବି ବିରୋଧୀ ସଦସ୍ୟଙ୍କୁ କହିବାକୁ ଅନୁମତି ଦିଆଯାଉ ନାହିଁ। ଶାସକ ଦଳ କହିବା ପରେ ଗୃହକୁ ମୁଲତବୀ କରିଦିଆଯାଉଛି। ଗଣତନ୍ତ୍ର ଏବେ ବିପଦରେ ପଡ଼ିଛି ବୋଲି ମହୁଆ କହିଛନ୍ତି। କେତେକ ରାଜନୈତିକ ବିଶେଷଜ୍ଞଙ୍କ ମତରେ ବିରୋଧୀଙ୍କ କଣ୍ଠରୋଧ କରିବା ଲାଗି ସରକାର ଲୋକ ସଭାରେ ବାଚସ୍ପତି ଓ ରାଜ୍ୟ ସଭାରେ ଏହାର ଅଧ୍ୟକ୍ଷଙ୍କୁ ଅସ୍ତ୍ର କରୁଛନ୍ତି। ଭାରତର ଗଣତନ୍ତ୍ରକୁ ପଙ୍ଗୁ କରିଦିଆଯାଇଛି ବୋଲି ଯେଉଁ ଅଭିଯୋଗ ହେଉଛି ତାହା ଏହି କଣ୍ଠରୋଧରୁ ସତ୍ୟ ପ୍ରମାଣିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri