ଗଣତନ୍ତ୍ର ଓ ମତଦାତା

ସମ୍ବିଧାନ ସଭାରେ ମତଦାନ ଅଧିକାର ଏବଂ ନିର୍ବାଚନ ଉପରେ ଆଲୋଚନା ଚାଲିଥିବା ବେଳେ ପୂର୍ବ ପଞ୍ଜାବର ନିର୍ବାଚିତ ସଦସ୍ୟ ଠାକୁର ଦାସ ଭାର୍ଗବ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ, ଯାହା ଆଜି ପ୍ରାସଙ୍ଗିକ ମନେହୁଏ। ବୟସ୍କଙ୍କ ମତଦାନ ଅଧିକାରରେ ଏକ ସର୍ତ୍ତ ଯୋଡ଼ିବାକୁ ସେ ପରାମର୍ଶ ଦେଇଥିଲେ। ମତଦାତାଙ୍କ ସାକ୍ଷରତା ସହ ଏହି ସର୍ତ୍ତ ଜଡ଼ିତ ଥିଲା। ସେତେବେଳେ ଭାରତର ଜନସଂଖ୍ୟା ଥିଲା ମାତ୍ର ୩୩ କୋଟି। ସମ୍ବିଧାନ ସଭାର ଆକଳନ ଅନୁଯାୟୀ ଦେଶର ସାବାଳକ ତଥା ବୟସ୍କ ମତଦାତାଙ୍କ ସଂଖ୍ୟା ପ୍ରାୟ ୧୨କୋଟି ଥିଲା। ଅନେକ ଦୃଷ୍ଟିରୁ ଠାକୁର ଦାସ ଭାର୍ଗବଙ୍କ ଏହି ପରାମର୍ଶଟି ଉତ୍ତମ ହୋଇଥିଲେ ମଧ୍ୟ ସମ୍ବିଧାନ ସଭା ଦ୍ୱାରା ତାହା ପ୍ରତ୍ୟାଖ୍ୟାତ ହୋଇଥିଲା। କାରଣ ସେତେବେଳେ ଭାରତର ସାକ୍ଷରତା ହାର ଥିଲା ମାତ୍ର ୧୨ ପ୍ରତିଶତ।
୧୯୫୦ ଜାନୁଆରୀ ୨୬ରେ ଭାରତ ସାର୍ବଭୌମ ସାଧାରଣତନ୍ତ୍ର ରାଷ୍ଟ୍ରର ମାନ୍ୟତା ପାଇଲା। ଏହା ପରେ ଭାରତ ଗୋଟିଏ ପରେ ଗୋଟିଏ ନିର୍ବାଚନର ସମ୍ମୁଖୀନ ହୋଇଛି। ଏଠାରେ ଜାତି, ଧର୍ମ ଏବଂ ଆଞ୍ଚଳିକବାଦର ସଂକୀର୍ଣ୍ଣ ମୂଳଦୁଆ କ୍ରମାଗତ ଭାବରେ ଶକ୍ତିଶାଳୀ ହୋଇ ଚାଲିଛି। ଏହି ବିଚାରଧାରାରେ ଏକ ମୌଳିକ ତ୍ରୁଟି ରହିଛି। ଆଜିର ବ୍ୟବସ୍ଥା ଏହାକୁ ପୂର୍ଣ୍ଣମାତ୍ରାରେ ସହଯୋଗ କରୁଛି।
ନିୟମିତ ଅନ୍ତରାଳରେ ଦେଶରେ ନିର୍ବାଚନ ହେଉଛି, କିନ୍ତୁ ପରିତାପର ବିଷୟ ଏହି ବିଚାରଧାରା ଆଧାରରେ ହିଁ ଦେଶର ବୌଦ୍ଧିକ ସମାଜ ଓ ଗଣମାଧ୍ୟମ ବିତର୍କ କରନ୍ତି ଏବଂ ରାଜନୈତିକ ପଦକ୍ଷେପକୁ ସମର୍ଥନ କରନ୍ତି କିମ୍ବା ବିରୋଧ କରନ୍ତି। ଆଶା କରାଯାଉଛି ବିଦ୍ବେଷ ଭାବକୁ ପ୍ରୋତ୍ସାହିତ କରୁଥିବା ରାଜନୀତି ସହ ସେମାନେ ନିଜ ଜାତି, ଧର୍ମ ଏବଂ ଆଞ୍ଚଳିକବାଦ ଚିନ୍ତାଧାରା ସହ ଜଡ଼ିତ ହୁଅନ୍ତୁ ଏବଂ ମତଦାନ କରନ୍ତୁ। ଅବଶ୍ୟ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଜାତି ଓ ଧର୍ମ ସମ୍ପର୍କିତ ଖୋଲା ଆଲୋଚନା ଉପରେ ନିଷେଧାଦେଶ ଜାରି କରିଛନ୍ତି। ଜାତି, ଧର୍ମ ଓ ଆଞ୍ଚଳିକବାଦ ମଣିଷକୁ ଏକାଠି କରାଏ ସତ, କିନ୍ତୁ ଏହି ସଂକୀର୍ଣ୍ଣତା ଭାବ ମଣିଷ ମଣିଷ ମଧ୍ୟରେ ବିଭେଦ ସୃଷ୍ଟିକରେ, ପାଚେରି ଠିଆ କରାଏ। ତଥାପି ରାଜନୈତିକ ଦଳଗୁଡ଼ିକ ଏହି ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ପାଇଁ ଉପାୟ ଖୋଜନ୍ତି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠେ; ଜାତି, ଧର୍ମ ଏବଂ ଆଞ୍ଚଳିକବାଦ ଦ୍ବାରା ପ୍ରପୀଡ଼ିତ ଏକ ସରକାର ଏବଂ ଏଭଳି ଭିତ୍ତି ସମ୍ପନ୍ନ ସମାଜରୁ ଆମେ କିପରି ଏକ ସମାନତାଭିତ୍ତିକ ସମାଜ ଆଶା କରିବା? ଏଥିରୁ ସ୍ପଷ୍ଟ ଯେ ଏହି କାରଣରୁ ନିର୍ବାଚିତ ପ୍ରତିନିଧି ଏବଂ ରାଜନୈତିକ ଦଳ ସର୍ବଦା ମତଦାତାଙ୍କ ମୌଳିକ ଆକାଂକ୍ଷା ପୂରଣ କରିବା ଚାପରେ ରହୁଛନ୍ତି।
ଏହି ପରିପ୍ରେକ୍ଷୀରେ ୱିନ୍‌ଷ୍ଟନ ଚର୍ଚ୍ଚିଲଙ୍କ ଏକ ପ୍ରସିଦ୍ଧ ବାଣୀ ମନେପଡୁଛି। ସେ କହିଥିଲେ, ”ଗଣତନ୍ତ୍ର ହେଉଛି ସବୁଠାରୁ ନିକୃଷ୍ଟ ଶାସନ ପଦ୍ଧତି, ଯାହା ପୂର୍ବରୁ ଅନେକ ଥର ପରୀକ୍ଷିତ ହୋଇଛି।“ ଚର୍ଚ୍ଚିଲ ଏହା ମଧ୍ୟ କହିଥିଲେ, ଅତି ସାଧାରଣ ମଣିଷଟିଏ ଭୋଟଦାନ କକ୍ଷରେ ପ୍ରବେଶକରି ଏକ ଛୋଟିଆ ପେନ୍‌ସିଲ ସାହାଯ୍ୟରେ ଖଣ୍ଡେ କାଗଜ ଟୁକୁଡ଼ା ଉପରେ ଛୋଟିଆ ଦାଗଟିଏ ଅଙ୍କନକରି ବିରାଟ ବଡ଼ ପରିବର୍ତ୍ତନ ଆଣିଥାଏ। ବାସ୍ତବରେ ଏହା ହିଁ ହେଉଛି ଗଣତନ୍ତ୍ରର ବୈଚିତ୍ର୍ୟ ତଥା ମହାନତା। ସାଧାରଣ ଜନତାଙ୍କ ପ୍ରତ୍ୟକ୍ଷ ଏବଂ ବୃହତ୍‌ ଅଂଶଗ୍ରହଣ। ଦୁର୍ଭାଗ୍ୟର କଥା ସାଧାରଣ ଜନତାଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ଆଜି କେବଳ ମତଦାନ ପର୍ଯ୍ୟନ୍ତ ସୀମିତ। ନିର୍ବାଚନ ହେଉଛି ଗଣତନ୍ତ୍ରର ମହାପର୍ବ। ନାଗରିକମାନେ ହେଉଛନ୍ତି ଗଣତନ୍ତ୍ରର ମୂଳଦୁଆ। ନିର୍ବାଚନରେ ମତଦାତା କେବଳ ଏକ ଉପାଦାନ ଭାବରେ ବିବେଚିତ ହେଉଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ଥରେ କହିଥିଲେ, ”ଆମର ଲକ୍ଷ୍ୟ ଏପରି ହେବା ଉଚିତ ଯେପରି ‘ସମାବେଶୀ’ ଏବଂ ‘ଗୁଣାତ୍ମକ ଅଂଶଗ୍ରହଣ’ ସହ କୌଣସି ମତଦାତା ପଛରେ ପଡ଼ି ନ ଯିବେ।“ କିନ୍ତୁ ମତଦାନରେ ଗୁଣାତ୍ମକ ଅଂଶଗ୍ରହଣ ବିଷୟ କ୍ରମାଗତ ଭାବରେ ପଛରେ ରହିଯାଉଛି।
ମତଦାନରେ ଗୁଣାତ୍ମକ ଅଂଶଗ୍ରହଣର ପ୍ରଥମ ସର୍ତ୍ତ ହେଉଛି ମତଦାତା ଗୁଣବାନ୍‌ ହେବା ଆବଶ୍ୟକ। ସମ୍ବିଧାନ ସଭାର ସଦସ୍ୟ ଠାକୁର ଦାସ ଭାର୍ଗବ ଏହି ଗୁଣାତ୍ମକତାର ସନ୍ଧାନରେ ସାକ୍ଷରତା ଭଳି ସର୍ତ୍ତ ଉପରେ ଜୋର ଦେଇଥିଲେ। ଏହି ପରିପ୍ରେକ୍ଷୀରେ ମତଦାତାଙ୍କୁ ଗୁଣାତ୍ମକ ରୂପରେ ସୁଦୃଢ଼ କରାଇବା। ଗଣତନ୍ତ୍ରର ସୁରକ୍ଷା ପାଇଁ ମତଦାନ ଜରୁରୀ। ତଥାପି କୌଣସି ନିର୍ବାଚନରେ ହାରାହାରି ୭୫%ରୁ ଅଧିକ ମତଦାନ ହୁଏ ନାହିଁ। ତଥ୍ୟ କହୁଛି, ଶିକ୍ଷିତ ମତଦାତା ଏଥିପାଇଁ ଆଗ୍ରହୀ ନ ଥାନ୍ତି। କାରଣ ଯାହା ହେଉ ନା କାହିଁକି, ବାଧ୍ୟତାମୂଳକ ମତଦାନ ପାଇଁ ନିର୍ବାଚନ ଆୟୋଗକୁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିବାକୁ ହେବ। ନଚେତ୍‌ ଏଭଳି ମାନସିକତା ବଢ଼ି ଚାଲିବ। ମତଦାନରେ ମତଦାତାଙ୍କ ସଂଖ୍ୟା ବୃଦ୍ଧି ହେଲେ ତାହାକୁ ଗୁଣାତ୍ମକ ମତଦାନ କୁହାଯିବ ନାହିଁ । କାରଣ ଅଧିକାଂଶ ମତଦାନ ମୁଖ୍ୟତଃ ଜାତି, ଧର୍ମ ଓ ଆଞ୍ଚଳିକବାଦର ବିଚାରଧାରା ଉପରେ ଆଧାରିତ। ତେଣୁ ମତଦାତାଙ୍କୁ ଗୁଣାତ୍ମକ ରୂପରେ ସଚେତନ କରାଇବା ପାଇଁ ନିରନ୍ତର ଏବଂ ଗଭୀର ପ୍ରୟାସ ଜରୁରୀ। ମତଦାତାଙ୍କୁ ଏକଥା ମଧ୍ୟ ବୁଝାଇବାକୁ ହେବ ଯେ ଜାତି, ଧର୍ମ କିମ୍ବା ଆଞ୍ଚଳିକବାଦ ଭଳି ସଂକୀର୍ଣ୍ଣ ବିଚାରଧାରା ଆଧାରରେ ମତଦାନ କଲେ ସମ୍ବିଧାନର ବ୍ୟାପକ ଉଦ୍ଦେଶ୍ୟ ହାସଲ ହେବନାହିଁ।
ଯଦି ମତଦାତା ପ୍ରଭାବିତ ହେବାକୁ ଚାହିଁବେ ନାହିଁ ତେବେ ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ସେମାନଙ୍କୁ ପ୍ରଭାବିତ କରିବେ କିପରି ? କିନ୍ତୁ ମତଦାତାଙ୍କ ଚିନ୍ତାଧାରାରେ ଗୁଣାତ୍ମକ ପରିବର୍ତ୍ତନ ଆଣିପାରିଲେ ଏହା ସମ୍ଭବ ହେବ। ଏଥିପାଇଁ ରାଜନୈତିକ ଦଳ ଅବା ପ୍ରାର୍ଥୀମାନଙ୍କଠାରୁ ଆଶା କରିବାର କୌଣସି ଅର୍ଥ ନାହିଁ। କାରଣ ପ୍ରଚଳିତ ବ୍ୟବସ୍ଥାରେ କ୍ଷମତା ପାଇଁ ସମସ୍ତେ ମତଦାତାଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରନ୍ତି। କେବଳ ସମସ୍ତ ରାଜନୈତିକ ଦଳ ଯଦି ଚାହିଁବେ ଏବଂ ସେମାନେ ଏହି ପ୍ରସଙ୍ଗରେ ସହମତ ହେବେ; ତେବେ ଜାତି, ଧର୍ମ ଏବଂ ଆଞ୍ଚଳିକବାଦ ଭଳି ସଂକୀର୍ଣ୍ଣ ପ୍ରସଙ୍ଗ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ପାରିବ ନାହିଁ। କିନ୍ତୁ ଆଜିର ରାଜନୈତିକ ବିଚାରଧାରାରେ ନୈତିକତା ଯେପରି ଭାବେ ଧରାଶାୟୀ ହୋଇଛି, ତା’ଠାରୁ ଏପରି ଆଶା କରାଯାଇ ନ ପାରେ। ଏଭଳି ସ୍ଥିତିରେ କେବଳ ନିର୍ବାଚନ ଆୟୋଗଙ୍କଠାରୁ ହିଁ ଏହା ଆଶା କରାଯାଇପାରେ। ଆୟୋଗଙ୍କୁ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଉପରେ ଲଗାମ କଷିବାକୁ ପଡ଼ିବ। ମତଦାତାଙ୍କୁ ଗୁଣାତ୍ମକ ସ୍ତରୀୟ ତାଲିମ ଦେବା ପାଇଁ ନିର୍ବାଚନ ଆୟୋଗଙ୍କୁ ଏକ ଅଭିଯାନ ଚଳାଇବାକୁ ପଡ଼ିବ। କାରଣ ସଚେତନ ମତଦାତା ହିଁ ଗଣତନ୍ତ୍ରର ସୁରକ୍ଷା କବଚ।

  • ଈପ୍ସିତା ମହାନ୍ତି
    ବୈପାରିଗୁଡ଼ା, କୋରାପୁଟ
    ମୋ: ୬୩୭୦୬୭୯୪୦୫

Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri