ସାଟେଲାଇଟ୍‌ରେ ୨୯ ଖାଦାନର ସୀମା ନିର୍ଦ୍ଧାରଣ ସମ୍ପନ୍ନ

ଯାଜପୁର ଅଫିସ,୯ା୯: ଉନ୍ନୟନ କାର୍ଯ୍ୟ ଆଳରେ ଯାଜପୁର ଜିଲାର ଧର୍ମଶାଳା ବ୍ଲକ ଅଞ୍ଚଳର ସଂରକ୍ଷିତ ଓ ଅଣ ସଂରକ୍ଷିତ ଜଙ୍ଗଲ ପାହାଡ଼ରୁ କଳାପଥର ବ୍ୟବସାୟ ଚାଲିଛି। ଏହି କ୍ରମରେ ଲିଜ୍‌ପ୍ରାପ୍ତ ଖାଦାନରୁ ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ ଏବଂ ନକଲି ଟ୍ରାନ୍‌ଜିଟ ଫର୍ମରେ ଖଣିଜ ପରିବହନ ଉପରେ ହାଇକୋର୍ଟ, ଲୋକାୟୁକ୍ତ ଓ ଏନ୍‌ଜିଟିରେ ଏକାଧିକ ମାମଲା ବିଚାରାଧୀନ ରହିଛି। ଏହାବାଦ୍‌ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନ ପକ୍ଷରୁ ଏକ ବେସରକାରୀ ସଂସ୍ଥା ମାଇଁ ୱାର୍ଲ୍‌ଡ କନ୍ସଲଟେନ୍ସି ଦ୍ୱାରା ସାଟେଲାଇଟ ମାପଚୁପ ଚାଲିଛି। ଗତ ୨ ସପ୍ତାହ ମଧ୍ୟରେ ଡଙ୍କାରୀ ପାହାଡର ୧୮ଟି, ବରଡା ୫ଟି, ବାରମାଣ ୧ଟି ଏବଂ ଲୁଣିବର ପାହାଡର ୫ଟିକୁ ମିଶାଇ ମୋଟ ୨୯ଟି ଖାଦାନର ମାପଚୁପ ସମ୍ପନ୍ନ ହୋଇଛି। ତେବେ ଏହି ପ୍ରକ୍ରିୟାରେ କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ଉପସ୍ଥିତ ରହୁ ନାହାନ୍ତି। କେତେକ ପ୍ରଭାବଶାଳୀ ଲିଜ୍‌ଧାରୀଙ୍କୁ ମାପଚୁପରେ ଅନୁକମ୍ପା ପ୍ରଦର୍ଶନ ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଶାସକ ଦଳରେ ରହି ରାଜନୈତିକ ଫାଇଦା ନେଉଥିବା କେତେଜଣ ପ୍ରଭାବଶାଳୀ ଲିଜ୍‌ଧାରୀ ରାଜ୍ୟ ସରକାରଙ୍କ ଏହି ମାପଚୁପକୁ ବିରୋଧ କରୁଥିବା ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ସାଟେଲାଇଟ ମାପଚୁପ ବରଡା ନଂ-୧ ଖାଦାନରେ ହୋଇଥିବା ମହାଦୁର୍ନୀତିକୁ ଧରି ପାରିବ କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଛି।
ରାଜସ୍ବ, ପୋଲିସ, ଜଙ୍ଗଲ ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ଖାଦାନ ଲିଜ୍‌ଧାରୀମାନେ କୌଣସି ଆଇନକାନୁନକୁ ମାନୁନାହାନ୍ତି। ଏଥିରେ ପରୋକ୍ଷ ଅବା ପ୍ରତ୍ୟକ୍ଷ ଭାବେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହଯୋଗ ରହୁଛି ବୋଲି ଲୋକେ କୁହନ୍ତି। ଦୀର୍ଘ ବର୍ଷ ହେଲା ବିରୋଧି ଦଳଗୁଡିକ ମଧ୍ୟ ଏହି ବେଆଇନ କାର୍ଯ୍ୟ ଉପରେ ଜାଣିଶୁଣି ଆଖି ବୁଜି ଦେଇଛନ୍ତି। ହେଲେ ପ୍ରଭାବିତ ଗ୍ରାମବାସୀ ପ୍ରତିବାଦ ସ୍ବରୂପ ଆନ୍ଦୋଳନ, ଦାବି ଏପରି କି ହାଇକୋର୍ଟ ପର୍ଯ୍ୟନ୍ତ ଯାଇଛନ୍ତି। ଏହି ପ୍ରତିବାଦକାରୀଙ୍କ ନାମରେ ପୋଲିସ ମାମଲା ରୁଜୁ କରିବାକୁ ପଛାଇ ନାହିଁ। ପୂର୍ବରୁ ୭୦ରୁ ଊର୍ଦ୍ଧ୍ୱ ପ୍ରତିବାଦକାରୀଙ୍କ ନାମରେ ଜେନାପୁର ଥାନା ପୋଲିସ ମାମଲା ରୁଜୁ କରିଥିବାର ନଜିର ରହିଛି। କିନ୍ତୁ ୫୦୦ରୁ ଊର୍ଦ୍ଧ୍ୱ ବେଆଇନ ଖାଦାନ ଚାଲୁଥିଲେ ହେଁ ପଥର ବ୍ୟବସାୟୀଙ୍କ ନାମରେ ମାମଲା ରୁଜୁ ନଗଣ୍ୟ ହୋଇଛି। ପଥର ଚାପାରେ ୨୫ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ଜୀବନ ଯାଇଛି। ହେଲେ ଏହାକୁ ଅନ୍ୟ ରୂପ ଦେଇ କେତେକ ମାମଲାକୁ ରଫାଦଫା କରାଯାଇଛି। ତେବେ ଏଭଳି କଳାପଥର ଖାଦାନରୁ ବ୍ୟାପକ ଲୁଟ ସଂକ୍ରାନ୍ତରେ ଗତ ମାର୍ଚ୍ଚରେ ଅନୁଷ୍ଠିତ ବିଧାନସଭାରେ ପ୍ରଶ୍ନ ଉଠିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଇତିମଧ୍ୟରେ ସାଟେଲାଇଟ ମାପଚୁପ କରି ୪ ଜଣ ଲିଜ୍‌ଧାରୀଙ୍କ ନାମରେ ୧୦୫.୮୭ କୋଟି ଟଙ୍କାର ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଛି। ହେଲେ ଏଯାଏ ଟଙ୍କାଟିଏ ଅସୁଲ ହୋଇନାହିଁ। ପୂର୍ବରୁ ଏଭଳି ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଥିଲେ ହେଁ ତାହା କୋର୍ଟ କଚେରୀରେ ଫସି ରହିଛି। ପ୍ରଶାସନ ପକ୍ଷରୁ କୋର୍ଟରେ ଆବଶ୍ୟକ ପ୍ରମାଣପତ୍ର ଦାଖଲ ହୋଇପାରୁ ନ ଥିବାରୁ ଲିଜ୍‌ଧାରୀମାନେ ଅନାୟାସରେ ଖସି ଯାଉଥିବା ମତ ପ୍ରକାଶ ପାଇଛି। ସାଟେଲାଇଟ ମାପଚୁପ ମଧ୍ୟ ସେଭଳି ଭାବେ ଖସି ଯିବ ବୋଲି ଲୋକେ କହୁଛନ୍ତି।
ଏଠାରେ ବରଡା ଖାଦାନ ନମ୍ବର-୧କୁ ଉଦାହରଣ ଭାବେ ନିଆଯାଇପାରେ। ୨୦୧୭-୧୮ରେ ପ୍ରହ୍ଲାଦ ଲେଙ୍କାକୁ ଏହି ଖାଦାନରୁ ୨ ଏକର ୫୦ ଡେସମିଲ ଅଞ୍ଚଳରୁ ବାର୍ଷିକ ୧୭୬୪ ଘନ ମିଟର(ପ୍ରାୟ୨୬୫୦ ଟନ) କଳାପଥର ଉତ୍ତୋଳନ କରିବାକୁ ମଞ୍ଜୁରୀ ମିଳିଥିଲା। ହେଲେ ପ୍ରାୟ ୭ ଏକର ଜମିରୁ ପୋଖରୀ ଭଳି ଖନନ କରି ବାର୍ଷିକ ପ୍ରାୟ ୩୦ ଲକ୍ଷ ଟନ୍‌ କଳାପଥର ଉତ୍ତୋଳନ ହୋଇଛି। ଅର୍ଥାତ୍‌ ଗତ ୫ ବର୍ଷରେ ପ୍ରାୟ ୧.୫୦ କୋଟି ଟନ କଳାପଥର ଏଠାରୁ ଉତ୍ତୋଳନ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଲାଗିଛି ବୋଲି କେତେଜଣ ଲିଜ୍‌ଧାରୀ ପ୍ରକାଶ କରିଛନ୍ତି। ତେଣୁ ସାଟେଲାଇଟ ମାପଚୁପ ଏହି ମହାଦୁର୍ନୀତିକୁ ଧରି ପାରିବ କି ନାହିଁ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ମାପଚୁପ କରୁଥିବା ସାଟେଲାଇଟ କମ୍ପାନୀକୁ ନିଜ ଅକ୍ତିଆରେ ନେବାକୁ ଉଦ୍ୟମ ହେଉଥିବା ଏଠାରେ ଚର୍ଚ୍ଚା ଜୋର ଧରିଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ବର୍ତ୍ତମାନ ସାଟେଲାଇଟରେ କେବଳ ସୀମା ନିର୍ଦ୍ଧାରଣ କରାଯାଉଛି। ଯେତେବେଳେ ମାପଚୁପ ହେବ ସେତେବେଳେ ଦାୟିତ୍ୱରେ ଥିବା କର୍ମଚାରୀ ଉପସ୍ଥିତ ରହିବେ। ଲିଜ୍‌ରେ ନିର୍ଦ୍ଧାରଣ ଜମି ପରିମାଣ ଠାରୁ ଯଦି ଅଧିକ ଖନନ ହୋଇଛି, ସମସ୍ତ ଖନନ ଜମିର ମାପଚୁପ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?