ସମ୍ବିଧାନ ବଦଳାଇବାର ବିତର୍କ

ଅନିଲ କୁମାର ବିଶ୍ୱାଳ

କିଛି ଦିନ ତଳେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଦେଶର ସମ୍ବିଧାନକୁ ବଦଳାଇ ଆଉ ଥରେ ସମ୍ବିଧାନ ଲେଖାଯିବା ଦରକାର ବୋଲି ଦେଇଥିବା ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି। କୌଣସି ଦେଶର ସମ୍ବିଧାନ ହେଉଛି ସେହି ଦେଶର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଧର୍ମଗ୍ରନ୍ଥ ଭଳି। ଯେମିତି ଗୀତା, ଭାଗବତ, ବାଇବେଲ, କୋରାନ ଏସବୁ ହେଉଛି କୌଣସି ସମ୍ପ୍ରଦାୟର ସବୁକିଛି, ସେମିତି ସମ୍ବିଧାନ ହେଉଛି କୌଣସି ସାର୍ବଭୌମ ରାଷ୍ଟ୍ରର ମୂଳ ଭୁତ ଆଧାର। ଏହାକୁ ବଦଳାଇବା ପାଇଁ ଯଦି କିଏ କୁହେ ତାହେଲେ ସ୍ବାଭାବିକ ଭାବରେ ବିବାଦ ହେବ ହିଁ ହେବ। ତାଙ୍କର ଏହି ଉକ୍ତିକୁ ବିଭିନ୍ନ ରାଜନୈତିକ ଦଳ କଡ଼ା ସମାଲୋଚନା କରିବା ସହିତ ଦେଶଦ୍ରୋହ ଆଇନରେ ମକଦ୍ଦମା କରିବା ପାଇଁ ଦାବି କରୁଛନ୍ତି। କେସିଆର କହିଥିଲେ, ‘ମୁଁ ଦୃଢ଼ଭାବରେ ବିଶ୍ୱାସ କରେ ଯେ ଭାରତର ସମ୍ବିଧାନ ଆଉ ଥରେ ଲେଖାହେବା ଦରକାର। ଅନେକ ରାଷ୍ଟ୍ର ସେମାନଙ୍କର ଆବଶ୍ୟକତା ଅନୁସାରେ ଦେଶର ସମ୍ବିଧାନ ପରିବର୍ତ୍ତନ କରିଛନ୍ତି। ଦେଶ ସ୍ବାଧୀନ ହେବାର ୭୫ ବର୍ଷ ବିତିଗଲାଣି। ଲୋକଙ୍କର ଆଶା ପୂରଣ ହୋଇପାରୁ ନାହିଁ। ତେଣୁ ଆମକୁ ଦେଶର ସମ୍ବିଧାନରେ କିଛି ନୂତନ ବ୍ୟବସ୍ଥା କରିବାକୁ ହେବ। ଏହା ଉପରେ ବିତର୍କ ଆଲୋଚନା ହେଉ। ‘ଏକଥା ସତ ଯେ ଯେଉଁଭଳି ଢଙ୍ଗରେ ଶାସନ ଚାଲୁଛି ତାହା ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ବିଫଳ ଭଳି ଦେଖାଯାଉଛି। ଗଣତନ୍ତ୍ରରେ ଦଳତନ୍ତ୍ର, ପରିବାରତନ୍ତ୍ର, ଅଫିସରତନ୍ତ୍ର, ପୁଞ୍ଜିପତିଙ୍କ ଭିଡ଼ ଭିତରେ ସାଧାରଣ ଲୋକଙ୍କ ଆଶା ଆକାଂକ୍ଷା ଧୂଳିସାତ ହୋଇଯାଉଛି। ତନ୍ତ୍ର ସବଳ ଆଉ ଗଣ ଦୁର୍ବଳ ହୋଇଯାଉଛନ୍ତି। ବିଚାର ବ୍ୟବସ୍ଥା ଏମିତି ଜଟିଳ ହୋଇପଡ଼ିଛି ଯେ ସାଧାରଣ ଲୋକଟିଏ ନ୍ୟାୟ ପାଇପାରୁନି ଆଉ ପ୍ରଭାବଶାଳୀ ଲୋକଟିଏ କୁକର୍ମ କରି ଖସିଯାଉଛି। ନାଗରିକର ରାଜନୈତିକ ଅଧିକାର ଭୋଟ ଖଣ୍ଡିଏରେ ସୀମିତ ହୋଇଯାଉଛି। କୌଣସି ନୀତି ନିୟମ ପ୍ରଣୟନରେ ଜନତାଙ୍କ ଭାଗୀଦାରି ରହିବାର ବ୍ୟବସ୍ଥା ନାହିଁ। ଏମିତି ଖୁଣ କାଢ଼ିଲେ ଅନେକ ଖୁଣ ଦିଶୁଛି। ତେବେ କେବଳ ଖାଲି ଯେ ଖୁଣ ଅଛି ତାହା ନୁହେଁ ବରଂ ବହୁତ କିଛି ଭଲ କଥା ମଧ୍ୟ ଅଛି ଯାହା ଏ ଦେଶକୁ ଆଜି ପର୍ଯ୍ୟନ୍ତ ଚଲାଇ ଆସିଛି।
ଗଣତାନ୍ତ୍ରିକ ବ୍ୟବସ୍ଥାରେ ଖୋଲା ବିତର୍କ ସଂସ୍କାର ପ୍ରକିୟା ପାଇଁ ବାଟ କାଢ଼େ। ଗଣତାନ୍ତ୍ରିକ ବ୍ୟବସ୍ଥା ହେଉଛି ଏକ ପରିବର୍ତ୍ତନଶୀଳ ବ୍ୟବସ୍ଥା। ୧୦୦ବର୍ଷ ତଳେ ଗଣତନ୍ତ୍ରର ପରିଭାଷା ଯାହା ଥିଲା, ଗଣତନ୍ତ୍ର ପ୍ରତି ଲୋକଙ୍କର ଦୃଷ୍ଟିଭଙ୍ଗୀ ଯାହା ଥିଲା ସେଥିରେ ଆଜି ଅନେକ ପରିବର୍ତ୍ତନ ହୋଇସାରିଛି। ୭୦ ବର୍ଷ ତଳର ନାଗରିକମାନଙ୍କର ମୌଳିକ ଅଧିକାରର ବ୍ୟାଖ୍ୟାନ, ବିକାଶର ପରିଭାଷା, ଶାସନ ପ୍ରକିୟା ଏସବୁରେ ଆମୂଳଚୂଳ ପରିବର୍ତ୍ତନ ହୋଇସାରିଲାଣି। କେସିଆର ଯାହା କହିଛନ୍ତି ଏହା ଉପରେ ବିତର୍କ ହେଉ। ବିତର୍କ ହେଲେ ହୁଏତ ଅନେକ ସମସ୍ୟାର ସମାଧାନ ପାଇଁ ରାସ୍ତା ବାହାରିପାରେ।
୧୯୪୫-୫୦ରେ ସମଗ୍ର ବିଶ୍ୱରେ ସମାଜବାଦର ଲହର ଥିଲା। ପଣ୍ଡିତ ଜବାହରଲାଲ ନେହେରୁ ମଧ୍ୟ ସମାଜବାଦର ଦୃଢ଼ ସମର୍ଥକ ଥିଲେ। ଡ. ଭୀମରାଓ ଆମ୍ବେଡକର ସମ୍ବିଧାନ ପ୍ରଣୟନ କମିଟିର ଅଧ୍ୟକ୍ଷ ଥିଲେ। ଉଭୟ ସମାଜବାଦ ଓ ସେକୁଲାରିଜମକୁ ସମ୍ବିଧାନରେ ସାମିଲ କରିବା ପାଇଁ ତାଙ୍କ ଉପରେ ସ୍ବାଭାବିକ ଚାପ ଥିବା ସତ୍ତ୍ୱେ ବାବାସାହେବ ସେତେବେଳେ ପ୍ରସ୍ତାବନାରେ ଏହାକୁ ସାମିଲ କରି ନ ଥିଲେ। ଆମ୍ବେଡକରଙ୍କ ମତ ଥିଲା ଆମେ କୌଣସି ମତବାଦକୁ ଭାବି ପିଢ଼ିଙ୍କ ଉପରେ ଲଦି ପାରିବା ନାହିଁ। ଏହାଦ୍ୱାରା ସେମାନଙ୍କର ସ୍ବତନ୍ତ୍ର ଚିନ୍ତନ ପ୍ରଭାବିତ ହେବ। ଯେତେବେଳେ ବାବା ସାହେବ ଦେଶର ସମ୍ବିଧାନକୁ ନେଇ ଦେଶର ଆଗାମୀ ପିଢ଼ିକୁ ଖୋଲା ଚିନ୍ତନ ପାଇଁ ରାସ୍ତା ଛାଡ଼ିଛନ୍ତି ତାହେଲେ ଆମେ କାହିଁକି ଆଜି ଏତେ ରୂଢ଼ିବାଦୀ ହୋଇଯାଇ କହିବା ଯେ ସମ୍ବିଧାନରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ। ବିତର୍କ ହେଉ। ବାବା ସାହେବ ୧୯୫୩ରେ ରାଜ୍ୟ ସଭାରେ କହିଥିଲେ ଯେ, ଏହି ସମ୍ବିଧାନ ସମସ୍ତଙ୍କୁ ସୁହାଇଲା ଭଳି ହୋଇନାହିଁ। ସେ ଏ କଥା ମଧ୍ୟ କହିଥିଲେ, ଯଦି ମୁଁ ଏହାକୁ ତିଆରି କରିଛି ବୋଲି କହୁଛ ତାହେଲେ ମୁଁ ଏହାକୁ ଚିରିବା ପାଇଁ ପ୍ରସ୍ତୁତ ଅଛି।
ସମ୍ବିଧାନର ସମାଲୋଚନା ଦେଶରେ ଆଗରୁ ହୋଇଛି। ସମ୍ବିଧାନ ପ୍ରଣୟନ ସଭାରେ ସଦସ୍ୟ ଥିବା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କେଙ୍ଗାଲ ହନୁମନ୍ଥାଇ ସମ୍ବିଧାନରେ ଭାରତୀୟ ଭାବନା ଅପେକ୍ଷା ବିଦେଶୀ ଭାବନା ବେଶି ରହିଥିବା ପ୍ରସଙ୍ଗରେ କହିଥିଲେ ଯେ, ଆମେ ବୀଣାର ସଙ୍ଗୀତ ଶୁଣିବା ପାଇଁ ଚାହୁଁଛେ କିନ୍ତୁ ଇଂଲିଶ ବ୍ୟାଣ୍ଡ୍‌କୁ ବଜାଉଛେ। ସମ୍ବିଧାନ ପ୍ରଣୟନ ସଭାରେ ଆଲୋଚନା ବେଳେ ସେତେବେଳେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଲୋକନାଥ ମିଶ୍ର କହିଥିଲେ ଯେ, ଧାର୍ମିକ ଅଧିକାରକୁ ମୌଳିକ ଅଧିକାରର ମାନ୍ୟତା ଦିଆ ନ ଯାଉ। ସେହିପରି ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଲକ୍ଷ୍ମୀନାରାୟଣ ସାହୁ ଏହି ସମ୍ବିଧାନକୁ ଗାନ୍ଧୀଙ୍କ ଗ୍ରାମ ସ୍ବରାଜ ଅନୁଯାୟୀ ହୋଇ ନ ଥିବାର ଅଭିଯୋଗ ଆଣିଥିଲେ।
ଭାରତର ସମ୍ବିଧାନକୁ ବିଶ୍ୱର ସବୁଠାରୁ ବୃହତ୍‌ ସମ୍ବିଧାନ ବୋଲି କହି ଆମେ ଗର୍ବ ଅନୁଭବ କରିପାରିବା, ହେଲେ ଏ କଥା ମଧ୍ୟ ସତ ଯେ ଏହା ଏତେ ବୃହତ୍‌ ଓ ଅନେକ ପ୍ରସଙ୍ଗରେ ଏତେ ପରସ୍ପର ବିରୋଧୀ ଯେ ଏହାକୁ କେହି କେହି ଓକିଲଙ୍କ ସମ୍ବିଧାନ ବୋଲି କହିଥାନ୍ତି। ଭାରତର ସମ୍ବିଧାନ ହେଉଛି ୧ ଲକ୍ଷ ୪୬ ହଜାର ଶବ୍ଦ ବିଶିଷ୍ଟ। ଯେଉଁଠି ବିଶ୍ୱର ସବୁଠାରୁ ପୁରୁଣା ଗଣତନ୍ତ୍ର ଆମେରିକାର ହେଉଛି ମାତ୍ର ୭ ହଜାର ୭୬୨ ଶବ୍ଦ ବିଶିଷ୍ଟ। ଭାଉ ସାହେବ ଦେଶମୁଖଙ୍କ ଭଳି ଲୋକମାନେ ଏହାକୁ ବ୍ରିଟିଶ ସରକାର ବନାଇଥିବା ଗଭର୍ନମେଣ୍ଟ ଆକ୍ଟ ୧୯୩୫ର ନକଲ କପି ବୋଲି କହିଛନ୍ତି। ମୋଟାମୋଟି ଭାବରେ ଆମ ସମ୍ବିଧାନରେ ବିଶ୍ୱର ଅନେକ ରାଷ୍ଟ୍ରଙ୍କର ସମ୍ବିଧାନ ସମ୍ମିଳିତ ହୋଇଛି। ଏହାକୁ କେହି କେହି ସମାଲୋଚନା କରୁଥିଲେ ବି ଏହା ସେପରି କ୍ଷତିକାରକ ନୁହେଁ। ଆମକୁ କେବଳ ଏହି ସମସ୍ତ ଆଇନର ଭାରତୀୟ ସମାଜ ପରିପ୍ରେକ୍ଷୀରେ ଭାରତୀୟକରଣ କରିବାର ଆବଶ୍ୟକତା ରହିଛି ଓ ବଦଳୁଥିବା ସମୟରେ ଭାରତୀୟ ଲୋକଙ୍କର ଆଶା ଆକାଂକ୍ଷାକୁ ଏହା କିପରି ପୂରଣ କରିବ ତାହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।
ବର୍ତ୍ତମାନର ସମ୍ବିଧାନରେ କିଛି ଅତି ଦରକାର କରୁଥିବା ବିନ୍ଦୁ ଉପରେ ଚର୍ଚ୍ଚା ନ କଲେ ଆଲୋଚନା ଅଧୁରା ହୋଇଯିବ। ବର୍ତ୍ତମାନ ସମୟରେ ଗଣତନ୍ତ୍ର ପାଇଁ ଗଣମାଧ୍ୟମର ଆବଶ୍ୟକତା ଅତ୍ୟନ୍ତ ବଢ଼ିଯାଇଛି। ସାଧାରଣ ଗରିବର ଦୁଃଖ କଥା ହେଉ, ପ୍ରଭାବଶାଳୀଙ୍କ କେଳେଙ୍କାରୀ ହେଉ, ଏସବୁ ଗଣମାଧ୍ୟମ ପାଇଁ ହିଁ ଲୋକଲୋଚନକୁ ଆସୁଛି। ଗଣମାଧ୍ୟମକୁ ଯଦିଓ ଆମେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କହୁଛୁ ହେଲେ ଏହାର କୌଣସି ସାମ୍ବିଧାନିକ ମାନ୍ୟତା ନାହିଁ। ଗଣମାଧ୍ୟମକୁ ଅନେକ ଦେଶରେ ସାମ୍ବିଧାନିକ ମାନ୍ୟତା ମିଳିଛି। ଆମ ଦେଶରେ ସେପରି ହେବାର ଆବଶ୍ୟକତା ଅଛି କି ? ଯେଉଁଭଳି ଢଙ୍ଗରେ ଦେଶରେ ବିଭିନ୍ନ ନିର୍ବାଚନ ପରିଚାଳନା ହେଉଛି ଏହାର ସାମ୍ବିଧାନିକ ପରିବର୍ତ୍ତନ ଉପରେ ମଧ୍ୟ ବିତର୍କ କରାଯିବାର ଆବଶ୍ୟକତା ରହିଛି। ସେହିପରି ବିଚାର ବ୍ୟବସ୍ଥାରେ ଏତେ ପ୍ରକାର ଜଟିଳ ପ୍ରକିୟା ଓ ଆଇନ ରହିଛି ଯେ ଏହା ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାରେ ଅସମର୍ଥ ହୋଇପଡ଼ିଛି। ଏହାକୁ ନେଇ ସୁପ୍ରିମକୋର୍ଟର ବିଚାରପତି ମାନେବି ଉଦ୍‌ବେଗ ପ୍ରକାଶ କଲେଣି। ବିଚାର ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନକୁ ନେଇ ବିତର୍କ ହେବା ଦରକାର। ରାୟ ଅପେକ୍ଷା ଜାମିନର ମହତ୍ତ୍ୱ ଅଧିକ ବଢ଼ିଯାଇଛି। ସେହିପରି ବିଚାର ପ୍ରକିୟାକୁ କେବଳ ଆପରାଧିକ ମାମଲା ଓ ସିଭିଲ ମାମଲା ଭିତରେ ସୀମିତ କରାଯାଇଛି। ଆହୁରି ଅନେକ ପ୍ରସଙ୍ଗ ଏବେବି ବିଚାର ବିଭାଗର ପରିଧି ବାହାରେ ରହିଛି। ଫ୍ରାନ୍‌ସରେ ଦୁଇ ପ୍ରକାରର ଅଦାଲତ ରହିଛି। ଗୋଟିଏ ହେଲା ବିଚାର ବିଭାଗୀୟ ଅଦାଲତ (ଫୌଜଦାରି ଓ ସିଭିଲ) ଆଉ ଗୋଟିଏ ହେଲା ପ୍ରଶାସନିକ ଅଦାଲତ। ପ୍ରଶାସନିକ ଅଦାଲତରେ ଲୋକମାନେ ସରକାରଙ୍କ ଅବହେଳା ବିରୋଧରେ ମକଦ୍ଦମା କରିପାରିବେ। ଭାରତରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଦୁର୍ନୀତି, ଲୋକମାନଙ୍କୁ ସେମାନଙ୍କର ଅଧିକାର ନ ମିଳିବା ଏକ ସର୍ବଭାରତୀୟ ପ୍ରସଙ୍ଗ। ତେଣୁ ଭାରତରେ ପ୍ରଶାସନିକ ଅଦାଲତର ଆବଶ୍ୟକତା ଉପରେ ବିତର୍କ ହେବା ଜରୁରୀ।
ସମ୍ବିଧାନ ଲାଗୁ ହେବା ଦିନରୁ ରାଜ୍ୟପାଳ ପଦବୀଟି ଏକ ଆଳଙ୍କାରିକ ପଦବୀ ଭଳି ରହିଆସିଛି। କେବଳ ବିଧାନସଭା ନିର୍ବାଚନ ପରେ ରାଜ୍ୟପାଳଙ୍କର କାମ ପଡୁଛି। ସେଥିରେ ପୁଣି ଏବେ ଏତେ ଗଣ୍ଡଗୋଳ ହେଉଛି ଯେ ସୁପ୍ରିମକୋର୍ଟକୁ ମାମଲା ଯାଉଛି। ଏହାଛଡା ରାଜ୍ୟପାଳଙ୍କର ବାକି କ୍ଷମତା ସବୁ ଆଳଙ୍କାରିକ। ରାଜ୍ୟପାଳଙ୍କୁ ଯଦି ଯଥେଷ୍ଟ କ୍ଷମତା ଦିଆଯିବ ତାହେଲେ ସେଥିପାଇଁ ନିର୍ବାଚନ ବ୍ୟବସ୍ଥା ମଧ୍ୟ କରିବା ପାଇଁ ପଡ଼ିବ। ସେହିପରି ରାଜ୍ୟପାଳଙ୍କୁ ବହିଷ୍କାର କରିବାର ଅଧିକାର ମଧ୍ୟ ସେହି ରାଜ୍ୟର ଲୋକମାନଙ୍କର ରହିବା ଦରକାର। ନ ହେଲେ ଗଣତନ୍ତ୍ର ରହିଲା କେଉଁଠି?
ଏବେର ସମ୍ବିଧାନ ସରକାରଙ୍କୁ ସର୍ବଶକ୍ତିମାନ କରିଛି, ଲୋକଙ୍କୁ ନୁହେଁ। ଲୋକଙ୍କୁ ସର୍ବଶକ୍ତିମାନ କରିବା ପାଇଁ କେବଳ ନିର୍ବାଚନ ନୁହେଁ ବରଂ ନିର୍ବାଚନ ସହିତ ଆହୁରି କିଛି ବିଧି ବ୍ୟବସ୍ଥା ଯୋଡ଼ିବାକୁ ପଡ଼ିବ। ସେହିପରି ସରକାର ବଡ଼ ନା ବ୍ୟକ୍ତି ବଡ଼ ଏହାକୁ ନେଇ ସମ୍ବିଧାନରେ ସ୍ପଷ୍ଟତା ନ ଥିବା କାରଣରୁ ବିଭିନ୍ନ ସମୟରେ ବିବାଦ ହେଉଛି। ଅବଶ୍ୟ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟ ଏହା ଉପରେ ସମାଧାନର ରାସ୍ତା କାଢୁଛନ୍ତି। କିନ୍ତୁ ଏହାର ସାମ୍ବିଧାନିକ ସ୍ପଷ୍ଟତାର ଆବଶ୍ୟକତା ରହିଛି।
ଏମିତି ଅନେକ କିଛି ଅଛି ଯାହାକୁ ନେଇ ଆଲୋଚନାର ଆବଶ୍ୟକତା ରହିଛି। ବାକି ରହିଲା ସମ୍ବିଧାନ ଆଉ ଥରେ ଲେଖିବାର ଆବଶ୍ୟକତା ଅଛି କି ନାହିଁ? ଯେଉଁଠି ବାବା ସାହେବଙ୍କ ଭଳି ବିଜ୍ଞ ବ୍ୟକ୍ତିମାନେ ଏହାକୁ ଲେଖିଛନ୍ତି ଏହାକୁ ପୂରାପୂରି ନ ହଟାଇ କେବଳ ଆବଶ୍ୟକ ସଂଶୋଧନ କରିଲେ ଶ୍ରେୟସ୍କର ହେବ।
ହରିରାଜପୁର, ପୁରୀ
ମୋ- ୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri