ଡେଥ୍‌ ଟେକ୍‌-ମୃତ୍ୟୁର ବଜାରୀକରଣ

କିଛିଦିନ ତଳେ ଗୋଟିଏ ବିବାହ ସମାରୋହର  ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାରିତ ହୋଇଥିଲା। ଭିଡିଓଟି ଭାଇରାଲ ହେବାର ମୁଖ୍ୟ କାରଣ ଥିଲା ଯେ ଏଥିରେ ବରପାତ୍ରର ଦିବଂଗତ ପିତା ସ୍ବର୍ଗରୁ ଅବତରଣ କରି ବିବାହ ଉତ୍ସବରେ ଯୋଗଦାନ କରୁଛନ୍ତି। ବିବାହ ଭୋଜିରେ ଯୋଗଦାନ ପୂର୍ବକ ନିଜର ପତ୍ନୀ ଓ ଅନ୍ୟାନ୍ୟ ବନ୍ଧୁବାନ୍ଧବଙ୍କ ସହ ଆଳାପ  ଆଲୋଚନା କରୁଛନ୍ତି ଏବଂ ପୁତ୍ର ଓ ପୁତ୍ରବଧୂଙ୍କୁ  ଆଶୀର୍ବାଦ ପ୍ରଦାନ କରି ପୁଣି ସ୍ବର୍ଗକୁ ଫେରି ଯାଉଛନ୍ତି। ଏଭଳି ଭିଡିଓ ବରପାତ୍ରର ପରିବାର ଓ ସମ୍ପର୍କୀୟଙ୍କୁ ଯେତିକି ଭାବପ୍ରବଣ କରିଥିଲା, ସେତିକି ଆଶ୍ଚର୍ଯ୍ୟ ଚକିତ କରିଥିଲା ଏହାକୁ ଦେଖିଥିବା ଦର୍ଶକଙ୍କୁ। ବାସ୍ତବ କଥା ହେଲା ଭିଡିଓଟି ଏଆଇ ଅର୍ଥାତ୍‌ କୃତ୍ରିମ ବୁଦ୍ଧିମତ୍ତା ସହାୟତାରେ ପ୍ରସ୍ତୁତ କରାଯାଇଥିଲା। ମୃତ୍ୟୁ  ପରେ ମଧ୍ୟ ମଣିଷଙ୍କୁ ଜୀବନ୍ତ ଭାବେ ସାମାଜିକ ଉତ୍ସବରେ ସାମିଲ  କରାଯାଇ ପାରୁଛି, ଯାହା କି ଡିଜିଟାଲ ବିପ୍ଳବର ଆଉ ଏକ ଦୃଷ୍ଟାନ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଦେଶରେ ବିଶେଷ କରି ୟୁରୋପୀୟ ଓ ପଶ୍ଚିମଦେଶଗୁଡ଼ିକରେ ଏହାକୁ ବହୁଳ ଭାବରେ ପ୍ରୟୋଗ କରାଯାଉଛି ଏବଂ ଏଥିପାଇଁ କାର୍ଯ୍ୟ କରୁଥିବା ସେଠାକାର ଏଆଇ ଉଦ୍ୟୋଗକୁ ଡେଥ୍‌ ଟେକ୍ନୋଲଜି ଇଣ୍ଡଷ୍ଟ୍ରୀ କୁହାଯାଉଛି । ସମ୍ପ୍ରତି ଏହି ଉଦ୍ୟୋଗ ପକ୍ଷରୁ  ମୃତ୍ୟୁ, ମୃତ୍ୟୁଜନିତ ଶୋକ, ଅନ୍ତିମ ସଂସ୍କାର, ଅସ୍ଥି ବିସର୍ଜନ ଓ ଏହା  ସହିତ ଜଡ଼ିତ ପାରମ୍ପରିକ ଭାବନାତ୍ମକ ପ୍ରକ୍ରିୟାକୁ ଡିଜିଟାଲ ଭାବେ ରୂପାନ୍ତରିତ କରାଯାଇ ଅଧିକ ଆକର୍ଷଣୀୟ କରାଯାଉଛି। ଡିଜିଟାଲ ଓ ଭର୍ଚୁଆଲ ସ୍ମୃତି ଏହାର ପ୍ରମୁଖ ଅଙ୍ଗ। ମୃତ୍ୟୁବରଣ କରିଥିବା ଲୋକର ସ୍ମୃତିରେ ଅନ୍‌ଲାଇନ୍‌ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଏ, ଯେଉଁଥିରେ ତାଙ୍କ ଜୀବନର ପ୍ରମୁଖ ଘଟଣାବଳୀ, ଫଟୋ ଓ ଭିଡିଓକୁ ଶ୍ରଦ୍ଧାଞ୍ଜଳି ଭାବେ ସ୍ଥାନ ଦିଆଯାଏ। କେବଳ ଏତିକି ନୁହେଁ, ଲୋକଙ୍କ ଶୋକାକୁଳ ପରିବେଶରେ ସାମିଲ ହୋଇ ଏହି ଉଦ୍ୟୋଗ ଚାର୍ଟବଟ୍ସ  ମାଧ୍ୟମରେ ମୃତକଙ୍କ କଥା କହିବାର ଶୈଳୀ ଓ ମୃତକଙ୍କ ପୃଷ୍ଠଭୂମିକୁ ଆଧାର କରି ଏପରି ଅନୁଭବ ଦିଅନ୍ତି ଯେ ସତେ ଯେପରି ଲୋକମାନେ ନିଜର ଦିବଂଗତ ପରିଜନଙ୍କ ସହ କଥା ହେଉଛନ୍ତି। ବିଦେଶରେ ଏହି ବ୍ୟାପାର ବିସ୍ତାର ହୋଇ ଚାଲିଛି ଓ ଭାରତରେ ଏହାକୁ ଆରମ୍ଭ କରିବା ପାଇଁ ଅନେକ ଅନ୍ତର୍ଜାତୀୟ ସଂସ୍ଥା ପ୍ରୟାସ ଆରମ୍ଭ କରିଦେଇଛନ୍ତି।
ଯାହା ଘରେ କେହି ମୃତ୍ୟୁବରଣ କରିଥାଏ, ସେହିଘରର ଶୋକସନ୍ତପ୍ତ ଲୋକଙ୍କୁ ସାନ୍ତ୍ବନା ଦେବାର ଆବଶ୍ୟକତା ଥାଏ। ଆମ ଭାରତୀୟ ସମାଜରେ ଜଣେ କେହି ପରଲୋକ ଗମନ କରିଥିବା ଶୁଣିଲେ ବନ୍ଧୁ ପରିଜନ ମୃତକଙ୍କ ଘରକୁ ତୁରନ୍ତ ଯାଇ ପରିବାର ଲୋକଙ୍କୁ ସାନ୍ତ୍ବନା ଦେଇଥାନ୍ତି, ସମବେଦନା ପ୍ରକାଶ କରିଥାନ୍ତି। ଏହା ଏକ ସାମାଜିକ କର୍ତ୍ତବ୍ୟ । ବର୍ତ୍ତମାନ ଏଥିରେ ଟେକ୍‌ନିକ୍‌କୁ ସାମିଲ କରାଗଲାଣି। ଅନେକ ଡିଜିଟାଲ ଶ୍ରଦ୍ଧାଞ୍ଜଳି ୱେବ୍‌ସାଇଟ, ଅନଲାଇନ୍‌ ଶ୍ରାଦ୍ଧ ଓ ପୂଜା ଆଦି ସେବା ଉପଲବ୍ଧ ହେଲାଣି। କୋଭିଡ୍‌ ମହାମାରୀ ସମୟରୁ ଆରମ୍ଭ ହୋଇଥିବା ଏହି ପ୍ରଥାରେ ଏବେ ହୋଲୋଗ୍ରାଫିକ ପ୍ରୋଜେକସନ ମାଧ୍ୟମରେ ମୃତ ଲୋକଙ୍କୁ ଜୀବନ୍ତ ଦେଖାଯାଇପାରୁଛି। ସମ୍ପ୍ରତି ଏହି କାର୍ଯ୍ୟକ୍ରମ ଏକ ବୃହତ୍‌ ବ୍ୟବସାୟରେ ରୂପାନ୍ତରିତ ହେଉଛି। କିଛି ଲୋକଙ୍କ ପାଖରେ ଅର୍ଥର ଅଭାବ ନାହିଁ ଓ ଏହି ସବୁ ପରିବାରରେ ମୃତ ଲୋକଙ୍କର  ସୁନ୍ଦର କାହାଣୀ ଅଛି, ଯାହାକୁ ଆଧାର କରି ଡିଜିଟାଲ ଶ୍ରଦ୍ଧାଞ୍ଜଳି ପ୍ରସ୍ତୁତ ହୋଇପାରୁଛି। ଭାରତରେ ପ୍ରତିବର୍ଷ ହାରାହାରି ସାଢେ ଆଠ ନିୟୁତ ଲୋକ ମୃତ୍ୟୁବରଣ କରିଥାନ୍ତି। ଏହାକୁ ଡେଥ୍‌ ଟେକ୍ନୋଲଜି ଏକ ବଡ଼ ବଜାର ରୂପେ ଦେଖୁଛି। ମୃତ୍ୟୁ ପରବର୍ତ୍ତୀ ସଂସ୍କାର କରୁଥିବା ପୁରୋହିତମାନେ ଏହାକୁ ବିରୋଧ କରୁଥିଲେ ହେଁ  ବିଦେଶରେ ରହୁଥିବା ଅନେକ ଭାରତୀୟ ଓ ସହରରେ ରହୁଥିବା ଅନେକ ଧନିକ ପରିବାର ଏବେ ଏହି ଡେଥ୍‌  ଟେକ୍ନୋଲଜିକୁ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। ଅନ୍‌ଲାଇନରେ  ମୃତ୍ୟୁ ସମ୍ବନ୍ଧୀୟ ସମସ୍ତ ସଂସ୍କାର  ସମ୍ପନ୍ନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।
ଏଠାରେ ପ୍ରଶ୍ନ ଉଠେ, ଏହି ଡେଥ୍‌  ଟେକ୍ନୋଲଜିର ପ୍ରସାର ଯୋଗୁ ଏହାର କି ପ୍ରଭାବ ସମାଜରେ ପଡୁଛି। ବାସ୍ତବରେ ଏହାଦ୍ବାରା  ଆମକୁ  ଭାବନାତ୍ମକ ସ୍ତରରେ ଶାନ୍ତି ମିଳୁଛି ନା ମାନବୀୟ ସମବେଦନା ସହ  ଆମେ ଖେଳି ଏହାକୁ  ବ୍ୟବସାୟ କରୁଛେ। ଆମର ଜୀବନ ଦର୍ଶନରେ ମୃତ୍ୟୁ ଏକ ସ୍ବାଭାବିକ ଓ ଶାଶ୍ୱତ ସତ୍ୟ। କିନ୍ତୁ ହୋଲୋଗ୍ରାଫିକ ପ୍ରୋଜେକ୍‌ସନ ମାଧ୍ୟମରେ ମୃତ ପରିଜନଙ୍କୁ ଜୀବନ୍ତଦେଖିବା ଓ ଟେକ୍‌ନିକ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ମୃତ ବ୍ୟକ୍ତି ପ୍ରତି ଅସମ୍ମାନ ବୋଲି ଅନେକେ  ମତ ରଖନ୍ତି। ସେମାନଙ୍କ ମତରେ  ଦିବଂଗତ ଆତ୍ମାଙ୍କ ସଦ୍‌ଗତି ପାଇଁ ପ୍ରାର୍ଥନା କରାଯାଏ। ଏଥିପାଇଁ ଧର୍ମୀୟ ବିଶ୍ବାସରେ ବିଭିନ୍ନ କ୍ରିୟା କର୍ମ ସହ  ସ୍ବର୍ଗତ ଆତ୍ମାର ମୋକ୍ଷ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଅର୍ପଣ କରାଯାଏ। କିନ୍ତୁ ଏସବୁ ପରେ ବାରମ୍ବାର ଭର୍ଚୁଆଲ ଭାବରେ ସେମାନଙ୍କୁ ସମ୍ମୁଖକୁ ଅଣାଯିବା ଏହାର ପରିପନ୍ଥୀ ବୋଲି ସେମାନେ  ମତ ରଖନ୍ତି।  ଗୋଟିଏ ଶୋକାକୁଳ ପରିବାର ବାରମ୍ବାର ଏଆଇ ଜରିଆରେ ମୃତକଙ୍କ ସହ କଥା ହେବାର ସୁଯୋଗ ପାଇବା  ଦ୍ବାରା ସେମାନଙ୍କ ମାନସିକ ଅସ୍ଥିରତା ବୃଦ୍ଧି ପାଇବ, ବିଶେଷ କରି ଅନେକ ବୃଦ୍ଧା-ବୃଦ୍ଧ, ଭାବପ୍ରବଣ ବ୍ୟକ୍ତି, ସମ୍ବେଦନଶୀଳ ମଣିଷ ଓ ମାନସିକ ଅନଗ୍ରସର ମଣିଷମାନଙ୍କ ପାଇଁ ଏହା ସମସ୍ୟା  ସୃଷ୍ଟି କରିବ।  ଆଜିର ଆଧୁନିକ ଯୁଗରେ, ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ କ୍ଷେତ୍ରରେ ବ୍ୟାପି ଚାଲିଛି। ମୃତ୍ୟୁ ଏବଂ ଏହାର ପରିଣାମ ମଧ୍ୟ ‘ଡେଥ୍‌ ଟେକ୍‌’ ନାମକ  ଏକ କ୍ରମବର୍ଦ୍ଧିଷ୍ଣୁ  ଶିଳ୍ପର ଅଂଶ ହୋଇଗଲାଣି। ଏହା କେବଳ ଏକ ଶବଦାହ ବ୍ୟବସାୟ ନୁହେଁ, ବରଂ ଭାବପ୍ରବଣତା, ସ୍ମୃତି ଏବଂ ପ୍ରଯୁକ୍ତିବିଦ୍ୟାକୁ ମିଶ୍ରଣ କରୁଥିବା ଏକ ନୂତନ ‘ଭାବପ୍ରବଣ ବ୍ୟବସାୟ’। ଭାରତରେ ଶବଦାହ ବଜାର ପ୍ରାୟ ୨୬ ହଜାର  କୋଟି ଟଙ୍କାର ଏବଂ ଏହା ଏବେ ଏକ ଅସଂଗଠିତ କ୍ଷେତ୍ରରୁ ଏକ ସଂଗଠିତ କ୍ଷେତ୍ରକୁ ଗତି କରୁଛି। ସହରାଞ୍ଚଳରେ, ନ୍ୟୁକ୍ଲିୟର ପରିବାର ଯୋଗୁ ଲୋକମାନେ ଏପରି ସେବା ଖୋଜୁଛନ୍ତି, ଯାହା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ପରିଚାଳନା କରିପାରିବ। ଯେଉଁଥିରେ  ଥିବ ଆମ୍ବୁଲାନ୍ସ, ପୂଜାରୀ, ଶବଦାହ, ଶ୍ରାଦ୍ଧ ଓ  ଏ ସବୁର ଡକ୍ୟୁମେଣ୍ଟେଶନ। ଏହି ଭାବପ୍ରବଣ ମାର୍କେଟିଂ ଏକ ଶୋକାକୁଳ ପରିବାରକୁ ସେବା ବିକ୍ରୟ କରିବାର ଏକ ନୈତିକ ଚ୍ୟାଲେଞ୍ଜ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଭାରତରେ ଡେଥ୍‌ ଟେକ୍ନୋଲଜି ଖୁବ୍‌ଶୀଘ୍ର ବିସ୍ତାର ହେବାର ସମ୍ଭାବନା ରହିଛି। ଭାରତ ଭଳି ଏକ ଭାବନାତ୍ମକ,ସାଂସ୍କୃତିକ ଓ ଧାର୍ମିକ ଦେଶରେ ଏହି ବ୍ୟବସାୟ ଯେତିକି ଲାଭଜନକ ହେବ ସେତିକି ସମ୍ବେଦନଶୀଳ ବି ହେବ।  ନିଶ୍ଚିତରୂପେ ଏହାକୁ ମୃତ୍ୟୁର ବଜାରୀକରଣ କୁହାଯାଇପାରେ। ବଜାରିବାଦର କାନ୍ଧ ଉପରେ ଟେକ୍‌ନିକ ଜରିଆରେ ଶ୍ରଦ୍ଧା ଅର୍ପଣର ଅର୍ଥ ବଦଳି ଯିବ। ଯେତେବେଳେ ଜଣଙ୍କର ମୃତ୍ୟୁ ହେଉଛି ଓ ଏଆଇ ମାଧ୍ୟମରେ ତାକୁ ଉପସ୍ଥିତି କରାଯାଇ ଶ୍ରଦ୍ଧା ଅର୍ପଣ କରାଯାଉଛି ଓ ସେଥିପାଇଁ ଅର୍ଥ ଆୟ  ହେଉଛି ତାହା ଶ୍ରଦ୍ଧା ନୁହେଁ ବରଂ ଏହା ଉତ୍ପାଦ କୁହାଯାଇପାରେ। ତେଣୁ ଶ୍ରଦ୍ଧା ଓ ଟେକ୍‌ନିକ ମଧ୍ୟରେ ସନ୍ତୁଳନ ରକ୍ଷା ହେବା  ଆବଶ୍ୟକ। ଅପରପକ୍ଷରେ ମୃତ୍ୟୁ ପ୍ରଯୁକ୍ତି ଶିଳ୍ପ କେବଳ ମୃତ୍ୟୁ ବିଷୟରେ ନୁହେଁ, ଏହା ଜୀବନର ଶେଷ ପର୍ଯ୍ୟାୟକୁ ମର୍ଯ୍ୟାଦାଜନକ ଏବଂ ଆରାମଦାୟକ କରିବା ବିଷୟରେ ମଧ୍ୟ କାର୍ଯ୍ୟ କରୁଛି ବୋଲି ମତ ରଖନ୍ତି ଏହାର ମାଲିକମାନେ। ସେମାନଙ୍କ ଯୁକ୍ତି ହେଉଛି, ଭାବନାକୁ ପ୍ରଯୁକ୍ତିବିଦ୍ୟା ସହିତ ମିଶ୍ରଣ କରି, ଏହି ଶିଳ୍ପ ଏପରି ଏକ ସେବା ପ୍ରଦାନ କରୁଛି, ଯାହା ଏହି କଷ୍ଟକର ସମୟରେ ପରିବାରକୁ ପ୍ରକୃତରେ ମାନସିକ ଶାନ୍ତି ପ୍ରଦାନ କରେ। ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟବାଦର ଏହି ଯୁଗରେ ମୃତ୍ୟୁ ଏବେ ଏକ ବର୍ଦ୍ଧିତ କର୍ପୋରେଟ୍‌ ବ୍ୟବସାୟରେ ପରିଣତ ହୋଇଛି। ଶବଦାହଠାରୁ ଆରମ୍ଭ କରି ମୃତବ୍ୟକ୍ତିଙ୍କ ଡିଜିଟାଲ୍‌ ସ୍ମୃତି ସଂରକ୍ଷଣ ପର୍ଯ୍ୟନ୍ତ ସେବା ପ୍ରଦାନ କରୁଥିବା ‘ଡେଥ୍‌ ଟେକ୍‌’ ଶିଳ୍ପ  ଦ୍ରୁତଗତିରେ ବୃଦ୍ଧି ପାଉଛି। ତଥାପି, ଏହି ‘ଭାବପ୍ରବଣ ବ୍ୟବସାୟ’ ଭାବପ୍ରବଣ ଶୋଷଣ, ନୈତିକ ଦ୍ୱନ୍ଦ୍ୱ ଏବଂ ଗୁରୁତର ମାନସିକ ସ୍ବାସ୍ଥ୍ୟ ପ୍ରଭାବ ରୂପରେ ଗମ୍ଭୀର ପ୍ରତିକୂଳ ପ୍ରଭାବ ପକାଉଛି। ଯେହେତୁ ମୃତବ୍ୟକ୍ତିଙ୍କର ତଥ୍ୟ ଗୋପନୀୟତା ଅଧିକାର ନାହିଁ, ସେମାନଙ୍କର ଡିଜିଟାଲ ତଥ୍ୟ ଅନୈତିକ ବାଣିଜି୍ୟକ ଶୋଷଣର ଶିକାର ହେବାର ଆଶଙ୍କା ସୃଷ୍ଟିକରେ। ଡିଜିଟାଲ ଭାବରେ ସେମାନଙ୍କ  ସ୍ବର କିମ୍ବା ମୁହଁକୁ ପ୍ରତିରୂପିତ କରି ଅପବ୍ୟବହାର (ଡିପ୍‌ ଫେକ୍‌) କରାଯାଇପାରିବ, ଯାହା ମୃତବ୍ୟକ୍ତିଙ୍କ ମର୍ଯ୍ୟାଦାକୁ କ୍ଷୁଣ୍ଣ କରିବ।
ମୋ: ୯୪୩୭୨୩୨୪୬୩

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଏଇ ଭାରତରେ

ଉତ୍ତମ ଟେରୋନ ଜଣେ ଶିକ୍ଷକ। ରହନ୍ତି ଆସାମର ଏକ ଛୋଟ ଗାଁରେ। ତାଙ୍କୁ ବୟସ ଏବେ ୪୭ ବର୍ଷ। ସେ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଗଁାରେ…

ବସାଘର

ମଣିଷ, ଜୀବଜଗତ ଖାଦ୍ୟ ଓ ବାସସ୍ଥାନ ଆବଶ୍ୟକ କରିଥାନ୍ତି। ଆଦିମ ସଭ୍ୟତାରେ ମଣିଷ ଯାହା ପାଇଲା ତାହା ଖାଉଥିଲା ଓ ଯେଉଁଠି ପାରୁଥିଲା ସେଇଠି ବିଶ୍ରାମ ନେଉଥିଲା।…

ଖଣି ଆଇନ ସଂଶୋଧନର ପ୍ରଭାବ

ଯନ୍ତରମନ୍ତରରେ ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର ଅତ୍ୟାଚାରକୁ ନେଇ ସଂସଦର ଗତ ମୌସୁମୀ ଅଧିବେଶନରେ ଅଚଳାବସ୍ଥା ଚାଲିଥିବା ବେଳେ କେନ୍ଦ୍ର ସରକାର ‘ଖଣି ଓ ଖଣିଜ (ବିକାଶ ଏବଂ…

ଭେନେଜୁଏଲା ତୈଳ

ଭନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ୮ ମାସ ତଳେ ଆମେରିକା ସେନା ଉଠାଇ ନେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri