ମୁଦ୍ରୀକରଣ ଓ ଭିତ୍ତିଭୂମି ବିକାଶ

ଡ. ଅସୀମା ସାହୁ

ଚଳିତବର୍ଷ ଅଗଷ୍ଟ ୨୩ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଷ୍ଟ୍ରୀୟ ମୁଦ୍ରୀକରଣ ପାଇପଲାଇନ (ଏନ୍‌ଏମ୍‌ପି) ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏନ୍‌ଏମ୍‌ପି ଅଧୀନରେ ଆଗାମୀ ଚାରିବର୍ଷ ଅର୍ଥାତ୍‌ ୨୦୨୨-୨୫ ଆର୍ଥତ୍କବର୍ଷ ମଧ୍ୟରେ ମୋଟ ୬ଲକ୍ଷ କୋଟି ଟଙ୍କାର ଏକ ବିପୁଳ ଅର୍ଥ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି। ସେହି ଅର୍ଥ ଦେଶର ଉତ୍ତମ ଏବଂ ଗୁଣାମତ୍କ ଭିତ୍ତିଭୂମି ପାଇଁ ବ୍ୟୟ କରାଯିବ; ଯାହାଦ୍ୱାରା ଆର୍ଥିକ ବିକାଶ ଓ କର୍ମ ନିଯୁକ୍ତି ନିମନ୍ତେ ସୁଯୋଗ ସୃଷ୍ଟି ହୋଇପାରିବ। ଏପରି ଏକ ସମ୍ପତ୍ତି ପରିଚାଳନା ଓ ଜନକଲ୍ୟାଣ ଯୋଜନାର ପରିକଳ୍ପନା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ମାତ୍ର ଏଥିରେ ଥିବା ସଂଶୟ ଓ ଆଶଙ୍କା ମଧ୍ୟ ଆଲୋଚନା ପରିସରଭୁକ୍ତ।
ପ୍ରଥମେ ବୁଝିବାକୁ ପଡ଼ିବ ସମ୍ପଦ ମୁଦ୍ରୀକରଣର ଅର୍ଥ କ’ଣ। ଅର୍ଥ ହେଲା- ”ସରକାରୀ ଉଦ୍ୟୋଗଗୁଡ଼ିକ ଯେଉଁଥିରୁ ଅଧିକତର ଭାବେ ଉପଯୋଗ କରାଯାଇ ନାହିଁ ସେଇଥିରୁ କିପରି ଅଧିକ ରାଜସ୍ବ ଅଥବା ଅର୍ଥ ଉପାର୍ଜନର ନୂଆ ନୂଆ ଉପାୟ ଖୋଜି ବାହାର କରାଯାଇ ପାରିବ ତା’ର ମାର୍ଗ ଆପଣେଇବା“। ରାଜସ୍ବ ଆଦାୟ ସହିତ ସମ୍ପତ୍ତିର ଉତ୍ତମ ରକ୍ଷଣାବେକ୍ଷଣ ଓ ପରିଚାଳନାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଏହାକୁ ଅର୍ଥନୀତିରେ ‘ବ୍ରାଉନ ଫିଲ୍ଡ ସଂପଦ’ ବୋଲି ଆଖ୍ୟାୟିତ କରାଯାଇଥାଏ। ଆମ ଦେଶର ନୀତି ଆୟୋଗ ରାଷ୍ଟ୍ରୀୟ ମୁଦ୍ରୀକରଣ ପାଇପଲାଇନ୍‌ ଯୋଜନାରେ ବିଭିନ୍ନ କ୍ଷେତ୍ର ମଧ୍ୟରୁ ସଡ଼କ ପରିବହନ ଓ ରାଜମାର୍ଗ, ରେଳବାଇ, ଜାହାଜ ଚଳାଚଳ, ଟେଲିକମ୍‌, ଶକ୍ତି, ବେସାମରିକ ବିମାନ ଚଳାଚଳ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଯୁବ ବ୍ୟାପାର ଓ କ୍ରୀଡ଼ା ଭଳି କ୍ଷେତ୍ରକୁ ସଂପଦ ମୁଦ୍ରୀକରଣ ପାଇଁ ଚୟନ କରିଛନ୍ତି। ଏହି ଯୋଜନାରେ ଆଗାମୀ ଚାରିବର୍ଷ ମଧ୍ୟରେ ପୁଞ୍ଜି ନିବେଶ କରିବା ସକାଶେ ଘରୋଇ କମ୍ପାନୀଗୁଡ଼ିକୁ ଆହ୍ବାନ କରାଯିବ। ଲମ୍ବା ଅବଧିର ଲିଜ୍‌ ଦ୍ୱାରା ସେମାନେ ନୂଆ ନୂଆ ସଂସାଧନରେ ପୁଞ୍ଜି ନିବେଶ କରିବେ; ଯାହାଦ୍ୱାରା ୬ ଲକ୍ଷ କୋଟି ଟଙ୍କାର ଅର୍ଥ ରାଶି ସଂଗ୍ରହର ବାଟ ଫିଟିବ ଓ ପୁନଃ ଚକ୍ରାକାରରେ ଭିତ୍ତିଭୂମିର ବିକାଶ ସମ୍ଭବ ହୋଇପାରିବ।
ଯୋଜନା ମୁତାବକ ଏହି ୬ଲକ୍ଷ କୋଟି ଟଙ୍କା ପାଇଁ ସଡ଼କ କ୍ଷେତ୍ରରୁ ସର୍ବାଧିକ ୧.୬ ଲକ୍ଷ କୋଟି ଟଙ୍କା, ସରକାର ବିଲ୍ଡ- ଅପରେଟ ଟ୍ରାନ୍ସଫର (ପିଓଟି) ମଡେଲ ଭାବେ ରାଜମାର୍ଗଗୁଡ଼ିକୁ ହସ୍ତାନ୍ତର କରି ୧.୫ ଲକ୍ଷ କୋଟି ଟଙ୍କା, ରେଳବାଇର ୪୦୦ଟି ଷ୍ଟେଶନ, ୧୫୦ଟି ଟ୍ରେନ, ସମର୍ପିତ ମାଲ ପରିବହନ କରିଡର ଏବଂ ଟ୍ରାକ ଜରିଆରେ ୧.୫ ଲକ୍ଷ କୋଟି ଟଙ୍କା, ଶକ୍ତି କ୍ଷେତ୍ର ପାୱାର ଗ୍ରୀଡ୍‌ଗୁଡ଼ିକର ବିଜୁଳି ସରବରାହ ଲାଇନ୍‌ରୁ ୪୫,୦୦୦ କୋଟି, ଏନ୍‌ଟିପିସି, ଏନ୍‌ଏଚ୍‌ପିସିର ଜଳବିଦ୍ୟୁତ୍‌ ପ୍ରକଳ୍ପ ଏବଂ କୋଲ୍‌ ଇଣ୍ଡିଆ ଭଳି ପ୍ରକଳ୍ପରୁ ୩୯,୮୩୨ କୋଟି ଟଙ୍କା, ବାଷ୍ପ କ୍ଷେତ୍ରରୁ ୨୪,୦୦୦ କୋଟି ଟଙ୍କା, ଆଇଓସିଏଲ୍‌ ଏବଂ ଏଚ୍‌ପିସିଏଲ୍‌ର ପାଇପ ଲାଇନ ମୁଦ୍ରୀକରଣ କରାଯାଇ ୨୨,୦୦୦ କୋଟି ଟଙ୍କା ସଂଗ୍ରହର ଲକ୍ଷ୍ୟ ରଖାଯାଇଛି।
ଲୋକଙ୍କର ଆଶଙ୍କାକୁ ଦୂର କରିବା ପାଇଁ ଅର୍ଥମନ୍ତ୍ରୀ ସୀତାରାମନ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ସରକାର ଏ ସମ୍ପତ୍ତି ବିକ୍ରି କରୁଛନ୍ତି ବୋଲି କୌଣସି ଭ୍ରାନ୍ତ ଧାରଣା ସୃଷ୍ଟି ନ ହେବା ଉଚିତ। ବରଂ ସରକାରଙ୍କ ହାତରେ ଏସବୁର ମାଲିକାନା ଯଥାରୀତି କାଏମ ରହିବ ଏବଂ କିଛିବର୍ଷ ପରେ ଘରୋଇ କମ୍ପାନୀଗୁଡ଼ିକ ବାଧ୍ୟତାମୂଳକ ଭାବେ ସେସବୁ ସଂସ୍ଥାଗୁଡ଼ିକୁ ସରକାରଙ୍କ ହାତରେ ଅର୍ପଣ କରିବେ। ମାତ୍ର ଏହା ମଧ୍ୟ ସତ୍ୟ ଯେ, ଘରୋଇ କମ୍ପାନୀକୁ ଲିଜ୍‌ ମାଧ୍ୟମରେ ହସ୍ତାନ୍ତର କରିବାର ନିର୍ଦ୍ଦିଷ୍ଟ ନୀତି ଓ ନିୟନ୍ତ୍ରଣ ପଦ୍ଧତି ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ ଅସ୍ପଷ୍ଟ। ଏପରି କି ୬ ଲକ୍ଷ କୋଟି ଟଙ୍କା ପରି ଏକ ବୃହତ୍‌ ରାଜସ୍ବ ଆଦାୟର ପରିକଳ୍ପନାକୁ ସାକାର କରିପାରିବା କେତେ ଦୂର ସମ୍ଭବ ତାହା ନିଜ ଭିତରେ ଏକ ବଡ଼ ପ୍ରଶ୍ନ ହୋଇରହିଛି। ବିଭିନ୍ନ ସମ୍ପତ୍ତିର ଚିହ୍ନଟ ଯୋଗ୍ୟ ରାଜସ୍ବ ଧାରା ଅଭାବ ଅନ୍ୟ ଏକ ସମସ୍ୟା। ବିନା ମାଲିକାନା ସ୍ବତ୍ୱରେ ଘରୋଇ କମ୍ପାନୀକୁ ଏପରି ବଡ଼ ପୁଞ୍ଜିନିବେଶ ପାଇଁ ଆକର୍ଷିତ କରିବା ଓ ମନେଇବା ଏତେ ସହଜ ନୁହେଁ । ନିକଟରେ ରେଳବାଇରେ ଆରମ୍ଭ ହୋଇଥିବା ‘ଘରୋଇ ସରକାରୀ ସହଭାଗିତା’ (ପିପିପି)ର ଅସୁବିଧା, ସରକାରୀ କମ୍ପାନୀରେ ଘରୋଇକରଣଜନିତ ଧିମା ଅବସ୍ଥାର ପରିଣାମ ଭାରତୀୟ ଅର୍ଥନୀତିରେ ବେଶ୍‌ ପ୍ରତିଫଳିତ।
ସେହିପରି ଗ୍ୟାସ ଓ ପେଟ୍ରୋଲର ପାଇପ ଲାଇନ୍‌ ନେଟ୍‌ଓ୍ବର୍କର କ୍ଷମତା ଉପଯୋଗ ମଧ୍ୟ ନିମ୍ନସ୍ତରର।
ଘରୋଇ କମ୍ପାନୀମାନେ ଏତେ ଅର୍ଥ ବ୍ୟୟ କଲା ପରେ ଲିଜ୍‌ ନେଇଥିବା କ୍ଷେତ୍ରଗୁଡ଼ିକର ପରିଚାଳନାରେ ପୂର୍ଣ୍ଣ ସ୍ବାଧୀନତା ଆଶା କରିବେ। ଯଦି ପୂର୍ଣ୍ଣ ସ୍ବାଧୀନତା ମିଳେ ତେବେ ନିଯୁକ୍ତି ଓ ନିଷ୍ପତ୍ତିରେ ଜନକଲ୍ୟାଣ ବିରୋଧୀ ସମସ୍ୟା ସୃଷ୍ଟି ହୋଇପାରେ। ଆମେ ଜାଣୁ ସାର୍ବଜନୀନ କ୍ଷେତ୍ରରେ ଲାଭାଂଶ ଅପେକ୍ଷା ସରକାର କର୍ମନିଯୁକ୍ତି ଓ କଲ୍ୟାଣ ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଥା’ନ୍ତି। ମାତ୍ର ଘରୋଇ କମ୍ପାନୀରେ ପୁଞ୍ଜିନିବେଶର ମୂଳ ଲକ୍ଷ୍ୟ ହେଲା ବ୍ୟବସାୟିକ ଲାଭ। ଏଥିସହିତ ନିଯୁକ୍ତି କ୍ଷେତ୍ରରେ ଥିବା ସଂରକ୍ଷଣ ମଧ୍ୟ ରହିବା ସମ୍ଭବ ହେବ ନାହଁି। ଆକଳନ ଅନୁଯାୟୀ କେନ୍ଦ୍ରୀୟ ସରକାରୀ କ୍ଷେତ୍ରରେ ପାଖାପାଖି ୧୦ ଲକ୍ଷ କର୍ମଚାରୀ କାର୍ଯ୍ୟ କରନ୍ତି। ସେଥିମଧ୍ୟରୁ ୧.୫ ଲକ୍ଷ ଅନୁସୂଚିତ ଜାତି, ୧ ଲକ୍ଷ ଅନୁସୂଚିତ ଜନଜାତି ଏବଂ ୨ ଲକ୍ଷ ପଛୁଆବର୍ଗ ଅନ୍ତର୍ଭୁକ୍ତ। ୩୦ ରୁ ୪୦ ବର୍ଷର ଲମ୍ବା ଅବଧି ପାଇଁ ଏଇ ସରକାରୀ କ୍ଷେତ୍ରଗୁଡ଼ିକ ଘରୋଇ କମ୍ପାନୀକୁ ଚାଲିଗଲେ ସରକାରୀ ଚାକିରି କରୁଥିବା ଓ ସଂରକ୍ଷିତ କର୍ମଚାରୀଙ୍କ ଭବିଷ୍ୟତ ସଙ୍କଟରେ ପଡ଼ିଯାଇପାରେ। ସେହିପରି ଲାଭକୁ ହିସାବକୁ ନ ନେଇ ସରକାର କ୍ଷେତ୍ରସବୁର ରକ୍ଷଣାବେକ୍ଷଣ ଓ ପରିଚାଳନାକୁ ସମାନ ଭାବରେ ଦେଖନ୍ତି। ଉଦାହରଣ ସ୍ବରୂପ ରେଳ ଚଳାଚଳ ଓ ସଡ଼କର ଟୋଲ୍‌-ଗେଟ୍‌ରୁ ସମପରିମାଣ ଲାଭ ନ ମିଳିଲେ ବି ସେସବୁ ପରିଚାଳିତ ହେଉଛି। ଘରୋଇ କମ୍ପାନୀ ଦ୍ୱାରା ଏହା ସମ୍ଭବ ନୁହେଁ। ଯେପରି ଷ୍ଟାଡିୟମ୍‌ରେ କେବଳ ଯଦି ଲାଭ ଜନତା କ୍ରିକେଟ୍‌ ଖେଳେଇବାର ସିଦ୍ଧାନ୍ତ ନିଆଯାଏ ତେବେ ହକି, ଫୁଟବଲ ପରି ଅନ୍ୟାନ୍ୟ ଖେଳର ବିକଳ୍ପ ବ୍ୟବସ୍ଥା ଓ ଭବିଷ୍ୟତ କ’ଣ ହେବ। ଏଥିସହିତ ‘ଫୋର-ଲେନ୍‌’ ତଳକୁ ଥିବା ରାଷ୍ଟ୍ରୀୟ ରାଜମାର୍ଗକୁ ଲିଜ୍‌ରେ ନେବାପାଇଁ ଘରୋଇ କମ୍ପାନୀମାନେ ଅନିଚ୍ଛା ପ୍ରକାଶ କରିବେ। ଏହିପରି ଅନେକ ଅସମାହିତ ପ୍ରଶ୍ନ ଏ ପ୍ରକଳ୍ପ ସହ ରହିଛି।
ଏସବୁ ସତ୍ତ୍ୱେ ମୁଦ୍ରୀକରଣ ପାଇପଲାଇନ କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଏକ ବିକାଶମୁଖୀ ଏବଂ ଜନକଲ୍ୟାଣ ଯୋଜନା। ଯଦି ଏହାର ନୀତି ଓ ନିୟନ୍ତ୍ରଣ ପଦ୍ଧତିକୁ ଠିକ୍‌ ରୂପରେଖ ଦେଇ ତୃଣମୂଳ ସ୍ତରରେ ରୂପାୟନ କରାଯାଏ ତେବେ ‘ସର୍ବଶ୍ରେଷ୍ଠ ସଂସାଧନ’ କେବଳ ସାଧାରଣ ନାଗରିକଙ୍କ ପାଇଁ ସହାୟକ ହେବନାହିଁ, ଅପରପକ୍ଷେ ଏହା ବ୍ୟାପକ ଭାବେ ତଥା ଦୀର୍ଘକାଳୀନ ‘ସମାବେଶୀ ଓ ସଶକ୍ତୀକରଣ’ ସ୍ବପ୍ନକୁ ମଧ୍ୟ ସାକାର କରିପାରିବ। ଏକ ଉଜ୍ଜ୍ୱଳ ଭିିତ୍ତିଭୂମି ଦେଶରେ ନୂତନ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ।
ଅଧ୍ୟକ୍ଷା, ଏସ.ସି.ବି. ଡିଗ୍ରୀ ମହାବିଦ୍ୟାଳୟ, ରାଗ୍ଧା, ମୟୂରଭଞ୍ଜ
ମୋ:୯୪୩୭୩୮୦୭୭୦


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri