ବ୍ରହ୍ମପୁର, ୧୯।୭ (ଅଶୋକ ସାହୁ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) କାର୍ଯ୍ୟକ୍ରମ ସଂଯୋଜକ, ଆସିଷ୍ଟାଣ୍ଟ ପ୍ରଫେସର ଡ. ଜୟନ୍ତ କୁମାର ପଣ୍ଡାଙ୍କୁ ରବିବାର ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସେହିପରି ନବନିଯୁକ୍ତ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ସଂଯୋଜକ ଆସିଷ୍ଟାଣ୍ଟ ପ୍ରଫେସର ଡ. ଶଙ୍କର୍ଷଣ ମଲ୍ଲିକଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା।
ଏହି ଅବସରରେ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଗଞ୍ଜାମ ଜିଲା ଜାତୀୟ ସେବା ଯୋଜନା ଅଧିକାରୀ ଗଣେଶ ସାହୁ ଅଧ୍ୟକ୍ଷତା କରିବା ସହ ସଭା ପରିଚାଳନା କରିଥିଲେ। ବ୍ୟୁରୋ କାର୍ଯ୍ୟାଳୟର କର୍ମଚାରୀ ଚିରଞ୍ଜୀବୀ ବାଡ଼ତ୍ୟା ସ୍ୱାଗତ ଭାଷଣ ଦେଇଥିଲେ।

ବିଦାୟୀ ସଂଯୋଜକ ଡ. ଜୟନ୍ତ କୁମାର ପଣ୍ଡା ଏନ୍ଏସ୍ଏସ୍ ସହ ଜଡ଼ିତ ତାଙ୍କର ଚାରି ବର୍ଷର ଅନୁଭୂତି ବାଣ୍ଟିଥିଲେ। ନବନିଯୁକ୍ତ ସଂଯୋଜକ ଡ. ଶଙ୍କର୍ଷଣ ମଲ୍ଲିକ କହିଥିଲେ ଯେ, ସମସ୍ତ ଯୋଜନା ଅଧିକାରୀଙ୍କ ସହଯୋଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍କୁ ଆହୁରି ସଶକ୍ତ ଓ ଉଚ୍ଚସ୍ତରକୁ ନେବା ପାଇଁ ସେ ପ୍ରୟାସ କରିବେ।
ସଭାରେ ବିଶ୍ୱବିଦ୍ୟାଳୟ ଏନ୍ଏସ୍ଏସ୍ ଶାଖାର ଅବସରପ୍ରାପ୍ତ ସେକ୍ସନ ଅଫିସର ଏସ୍.ଓ. ସୁଶାନ୍ତ କୁମାର ସାହୁ, ବର୍ତ୍ତମାନର ସେକ୍ସନ ଅଫିସର ସରିଫ୍ କୁମାର ପ୍ରଧାନ, ସୋରଡ଼ା କଲେଜର ଯୋଜନା ଅଧିକାରୀ ହୃଷୀକେଶ ମିଶ୍ର, କେନ୍ଦୁପଦର କଲେଜର ପୂର୍ବତନ ଯୋଜନା ଅଧିକାରୀ ସିଲୁ ସେଠୀ, ନରେନ୍ଦ୍ରପୁର କଲେଜର ଯୋଜନା ଅଧିକାରୀ ପ୍ରକାଶ ଚନ୍ଦ୍ର ଶତପଥୀ ଓ ନୂଆପଡ଼ା କଲେଜର ଯୋଜନା ଅଧିକାରୀ ସରୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।
ବକ୍ତାମାନେ କହିଥିଲେ ଯେ, ବିଗତ କିଛି ବର୍ଷ ଧରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ରାଜ୍ୟ ଏବଂ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସମସ୍ତଙ୍କ ସହଯୋଗରେ ଆଗାମୀ ଦିନରେ ଏହି ସଫଳତାକୁ ଆହୁରି ଆଗକୁ ନିଆଯିବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ।

