ବିଚାରରେ ଗାଈ

ନିକଟରେ ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଶେଖର କୁମାର ଯାଦବ ଖାଦ୍ୟ ପାଇଁ ଗୋହତ୍ୟା କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ଜାମିନ ଆବେଦନକୁ ଖାରଜ କରିଦେଇ କହିଥିଲେ ଯେ, ଗାଈକୁ ଜାତୀୟ ପ୍ରାଣୀ ଭାବେ ଘୋଷଣା କରାଯିବା ଉଚିତ। କୌତୂହଳର ବିଷୟ ଯେ, ଏବର ଆଧୁନିକ ଭାରତରେ ମହିଳାଙ୍କୁ ବଳାତ୍କାର କରି ଆଇଆଇଟି ଛାତ୍ର ଜାମିନ ପାଇପାରୁଥିବା ବେଳେ ଗୋହତ୍ୟା ଅଭିଯୋଗରେ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ଆବେଦନକାରୀଙ୍କ ଜାମିନ ଖାରଜ କରିଦିଆଯାଉଛି। ଏଥିରୁ ଆଜିର ଭାରତର ବିଚାରପତିମାନଙ୍କର ମାନସିକ ଭାରସାମ୍ୟ ସମ୍ପର୍କରେ ସାଧାରଣରେ ପ୍ରଶ୍ନ ଉଠୁଛି। ଜଷ୍ଟିସ୍‌ ଶେଖର ଆହୁରି କହିଥିଲେ, ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଗାଈ ହେଉଛି ଏକମାତ୍ର ପ୍ରାଣୀ ଯିଏ କି ପ୍ରଶ୍ୱାସ ଓ ନିଃଶ୍ୱାସରେ କେବଳ ଅମ୍ଳଜାନ ନେଇଥାଏ ଓ ଛାଡ଼ିଥାଏ। ଏଭଳି ଅବାଞ୍ଛିତ ମନ୍ତବ୍ୟ ଦେଇ ଏହି ବିଚାରପତି ନିଜ ପେସାରେ ଦୁର୍ନାମ ଆଣିଛନ୍ତି। ବିଶ୍ୱାସ ହେଉନାହିଁ ଯେ, ଜଣେ ବିଚାରପତି ଏହି ମୌଳିକ ବିଷୟରେ ଅବଗତ ନ ଥିବେ। ତାଙ୍କର ମନ୍ତବ୍ୟ ପଢ଼ିଲେ ମନେହେଉଛି ଯେପରି ଗଣମାଧ୍ୟମ ଦୃଷ୍ଟିକୁ ଆସିବା ତାଙ୍କର ଲକ୍ଷ୍ୟ। ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ର ମଧ୍ୟ କହିପାରିବେ ଯେ, କୌଣସି ଜୀବ ବିନା ଅମ୍ଳଜାନରେ ବଞ୍ଚତ୍ପାରେ ନାହିଁ। ଗଛ ବ୍ୟତୀତ ଅନ୍ୟ ସବୁ ପ୍ରାଣୀ ଅଙ୍ଗାରକାମ୍ଳ (କାର୍ବନ ଡାଇଅକ୍ସାଇଡ୍‌) ଛାଡ଼ିଥାଆନ୍ତି। ସେଥିପାଇଁ ଆଶ୍ଚର୍ଯ୍ୟ ହେବାକୁ ପଡ଼ିଥାଏ ଯେ ଏଭଳି ଉଚ୍ଚଶିକ୍ଷିତ ଓ ଉଚ୍ଚ ପଦବୀରେ ଥିବା ବ୍ୟକ୍ତିମାନେ କାହିଁକି ନିଜର ଓ ନିଜ ବିରାଦରିର ନାମ ମାଟିରେ ମିଶାଇବାକୁ ଉତ୍କଣ୍ଠିତ ହୋଇଥାଆନ୍ତି।
ବିଚାରପତି ଶେଖର ଅନ୍ୟ ଯେଉଁ ବିନ୍ଦୁଟି ଉପରେ ଉଲ୍ଲେଖ କରିଛନ୍ତି ତାହା ଆହୁରି ହାସ୍ୟାସ୍ପଦ ମନେହେଉଛି। ତାଙ୍କ କହିବା ଅନୁଯାୟୀ ଗାଈଠାରୁ ମିଳୁଥିବା କ୍ଷୀର, ଦହି, ଘିଅ, ମୂତ୍ର ଓ ଗୋବରକୁ ମିଶାଇଲେ ଯେଉଁ ପଞ୍ଚଗବ୍ୟ ସୃଷ୍ଟି ହୁଏ, ତାହା ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ। ଏପରି ମାରାତ୍ମକ ମନ୍ତବ୍ୟ ଦେଇ ଏହି ବିଚାରପତି କେତେ ଯେ ସାମାଜିକ କ୍ଷତି କରୁଛନ୍ତି, ତାହାର ଆକଳନ କରିବା କଷ୍ଟକର। କାରଣ ଭାରତର ଅସଂଖ୍ୟ ଅଶିକ୍ଷିତ ନାଗରିକଙ୍କ ପାଇଁ ଏହି ଉଚ୍ଚପଦବୀଧାରୀ ବ୍ୟକ୍ତିଙ୍କ ମନ୍ତବ୍ୟ ଯଥେଷ୍ଟ ଗୁରୁତ୍ୱ ରଖିଥାଏ। ସେମାନଙ୍କ ପାଖରେ ମୌଳିକ ବୈଜ୍ଞାନିକ ଶିକ୍ଷାର ଅଭାବ ଥିବାରୁ ଏହି ନାଗରିକମାନେ ଡାକ୍ତରଙ୍କ ପାଖକୁ ଯିବା ପରିବର୍ତ୍ତେ ପଞ୍ଚଗବ୍ୟ ଭଳି ପଦାର୍ଥକୁ ନେଇ ନିଜ ରୋଗ ଦୂର କରିବାକୁ ଚେଷ୍ଟା କରିଥାଆନ୍ତି। ଏହାଦ୍ୱାରା ଯେଉଁ ଅସଂଖ୍ୟ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି, ସେଥିପାଇଁ ଏହି ବିଚାରପତିଙ୍କ ଭଳି ପଦସ୍ଥ କର୍ମକର୍ତ୍ତାଙ୍କୁ ଦୋଷୀ ଭାବେ ବିବେଚନା କରିବା ଦରକାର। ନୈତିକତା ଦୃଷ୍ଟିରୁ ଏଭଳି ଜଜ୍‌ଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରିବା ସହିତ ତାଙ୍କ ଦ୍ୱାରା ଦିଆଯାଇଥିବା ରାୟଗୁଡ଼ିକର ପୁନର୍ବିଚାର କରାଯିବା ଅତ୍ୟନ୍ତ ଆବଶ୍ୟକ।
ଭାରତରେ ସରକାର ପରିବର୍ତ୍ତନ ଘଟି ନୂଆ ପାର୍ଟି କ୍ଷମତାକୁ ଆସିଲେ ପୂର୍ବରୁ ଶାସନ କରିଥିବା ଦଳ ଓ ତାହା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ ଖାରଜ କରିଦେଇଥାଏ। ବିଗତ କିଛି ବର୍ଷ ହେବ ଦେଶର ବିଭିନ୍ନ ସ୍ଥାନ, ଷ୍ଟାଡିୟମ, ପାର୍କ ଏପରି କି ନୀତି ନିର୍ଦ୍ଧାରଣ ସକାଶେ ରହି ଆସିଥିବା ବୈଧାନିକ ସଂସ୍ଥାଗୁଡ଼ିକର ନାମ ପରିବର୍ତ୍ତନ କରାଯିବାରେ ଶାସକମାନେ ଆନନ୍ଦ ପାଉଛନ୍ତି। ଉଦାହରଣ ସ୍ବରୂପ, ଯୋଜନା କମିଶନ ହେଲା ନୀତି (ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ) ଆୟୋଗ, ଯେଉଁଥିରେ ନୀତିର ଅର୍ଥ ବୁଝିବାକୁ ହେଲେ ଇଂଲିଶ ଭାଷାର ସାହାଯ୍ୟ ନେବାକୁ ପଡ଼ୁଛି। ନିଜ ଦଳ କିମ୍ବା ବ୍ୟକ୍ତିବିଶେଷଙ୍କୁ ସୁହାଇଲା ଭଳି ନାମ ବଛାଯାଇ ଏହି ପ୍ରକ୍ରିୟା ଚାଲୁରହିଛି। ସମ୍ଭବତଃ ଏଭଳି ରାଜନୈତିକ ବ୍ୟକ୍ତି କିମ୍ବା ଗୋଷ୍ଠୀଗୁଡ଼ିକର କାର୍ଯ୍ୟରୁ ଉତ୍ସାହିତ ହୋଇ ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଶେଖର ଗାଈକୁ ଜାତୀୟ ପ୍ରାଣୀ ମାନ୍ୟତା ମିଳିବା ଉଚିତ ବୋଲି କହିଛନ୍ତି। ଦେଖିବାକୁ ଗଲେ ଗାଈ ଏକ ଗୃହପାଳିତ ପ୍ରାଣୀ। ଅନ୍ୟପକ୍ଷରେ ବାଘକୁ ଜାତୀୟ ପ୍ରାଣୀ କରାଯାଇଥିବାରୁ ତାହାର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇପାରୁଛି। ମନେ ରଖିବାକୁ ହେବ ଯେ, ବିଶ୍ୱ ବାଘସଂଖ୍ୟାର ପ୍ରାୟ ୭୦ ପ୍ରତିଶତ ଭାରତରେ ଥିଲା। ଏବେ ଏହି ସଂଖ୍ୟା ଦିନକୁ ଦିନ ବହୁମାତ୍ରାରେ କମି ଯାଉଥିବାରୁ ତାହାର ସୁରକ୍ଷାକୁ ଅଗ୍ରପ୍ରାଧାନ୍ୟ ଦିଆଯିବା ଉଚିତ। ଖାଦ୍ୟଶୃଙ୍ଖଳ ରକ୍ଷା ଲାଗି ଶୀର୍ଷରେ ଥିବା ପ୍ରାଣୀଙ୍କ ସଂଖ୍ୟା ପରିବେଶଗତ କାରଣ ଯୋଗୁ ସୁରକ୍ଷିତ ରହିବା ମଧ୍ୟ ଦରକାର। ଏହି ଦୃଷ୍ଟିରୁ ଦେଖିଲେ ବାଘର ସୁରକ୍ଷା ଓ ଭବିଷ୍ୟତ ଭାରତର ଗୁରୁଦାୟିତ୍ୱ ଭାବେ ଧରି ନେବାକୁ ହେବ। ଏପରି ଜଟିଳ ପରିବେଶ ସମ୍ପର୍କିତ ପ୍ରସଙ୍ଗରେ ବିଚାରପତିମାନେ ହାଲୁକା ମତ ଦେଇ ନିଜ ଆସନର ଭାବମୂର୍ତ୍ତି କ୍ଷୁଣ୍ଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?