
କଟକ,୪ା୨ (କାର୍ତ୍ତିକ ସାହୁ): ବାରବାଟୀ ଏକଦିବସୀୟ କ୍ରିକେଟ ମ୍ୟାଚ୍ ପାଇଁ ସମୟ ପାଖେଇ ଆସୁଛି। ସବୁଠି ତତ୍ପରତା, ପ୍ରସ୍ତୁତିପର୍ବ ଚଳଚଞ୍ଚଳ। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏସବୁକୁ ପରଖିବା ପାଇଁ ବିସିସିଆଇ କ୍ୟୁରେଟର ପ୍ରକାଶ ଯାଦବ ଓ ରାଜ୍ୟ କ୍ରୀଡ଼ା ସଚିବ ଭାସ୍କରଜ୍ୟୋତି ଶର୍ମା ସୋମବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ପଡ଼ିଆର ସ୍ଥିତି, ପିଚ୍, ଗ୍ୟାଲେରିଠାରୁ ଆରମ୍ଭ କରି ପାରିପାର୍ଶ୍ୱିକ ବ୍ୟବସ୍ଥା ଆଦିକୁ ନଜର ପକାଇଛନ୍ତି। ଶୃଙ୍ଖଳିତ ଭାବେ ମ୍ୟାଚ ପରିଚାଳନା ଆଦି ସଂକ୍ରାନ୍ତରେ ଓସିଏ କର୍ମକର୍ତ୍ତାଙ୍କଠାରୁ ସେମାନେ ପଚାରି ବୁଝିଛନ୍ତି। ପ୍ରସ୍ତୁତିକୁ ନେଇ ଉଭୟେ ସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି। ଅପରପକ୍ଷରେ ଆସନ୍ତା ୯ ତାରିଖରେ ହେବାକୁଥିବା ବାରବାଟୀ ଲଢ଼େଇ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ। ମ୍ୟାଚ ପାଇଁ ରବିବାର ଅନଲାଇନ ଟିକେଟ ବିକ୍ରି ଶେଷ ହୋଇଛି।
ପୁଣି ସୋମବାରଠାରୁ ଓସିଏ ସହିତ ଅନୁବନ୍ଧିତ ସଂସ୍ଥାଗୁଡ଼ିକୁ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଏଥିପାଇଁ ଓସିଏ ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଓସିଏ ଅନୁବନ୍ଧିତ ହୋଇଥିବା ଜିଲା କ୍ରୀଡା ସଂଘ ତଥା ସ୍କୁଲ, କଲେଜ ଓ କ୍ଳବ ଇତ୍ୟାଦିଙ୍କୁ ସେମାନଙ୍କ ଧାର୍ଯ୍ୟ କୋଟା ମୁତାବକ ଟିକେଟ ବିକ୍ରି କରାଯାଇଛି। ସୋମବାର ଏବଂ ମଙ୍ଗଳବାର ଏହି ଦୁଇ ଦିନ ଓସିଏ ସହିତ ଅନୁବନ୍ଧିତ ମୋଟ ୭୧ଟି ସଂଗଠନକୁ ପାଖାପାଖି ୯୦୦୦ ଟିକେଟ ବିକ୍ରି କରାଯିବ। ତେବେ ଅନଲାଇନ ଟିକେଟ କିଣିବା ପାଇଁ ଆଶା ବାନ୍ଧିଥିବା ହଜାର ହଜାର କ୍ରିକେଟପ୍ରେମୀ ନିରାଶ ହୋଇ ଅପେକ୍ଷା କରିଛନ୍ତି କାଉଣ୍ଟରରେ ଟିକେଟ ବିକ୍ରିକୁ ନେଇ।
ସୂଚନା ଅନୁସାରେ, ଅନ୍ଲାଇନରେ ମାତ୍ର ୪୦୦୦ ଟିକେଟ ବିକ୍ରି ହେବାକୁ ଥିବାବେଳେ ୬୦ରୁ ୭୦ ହଜାର ଲୋକ ଅନ୍ଲାଇନ କ୍ୟୁ’ରେ ରହିଥିଲେ। ତେଣୁ ଅନ୍ଲାଇନରେ ଅଧିକ ଟିକେଟ ବିକ୍ରି ପାଇଁ ଦାବି ମଧ୍ୟ ହୋଇଛି। ଆସନ୍ତା ୫ ଓ ୬ ତାରିଖରେ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ।