ଭୁବନେଶ୍ୱର,୧୨।୭ (ସୁନିତ୍ ମିଶ୍ର): ଚୌଦ୍ୱାର ମ୍ୟୁନିସିପାଲଟିର ୧୨ ନମ୍ବର ଓ୍ବାର୍ଡର କାଉନସିଲର୍ ସୁବ୍ରତ କୁମାର ସାମଲ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ସୁବ୍ରତ ଗୁରୁବାର ରାତିରେ ଦଳରୁ ଇସ୍ତଫା ଦେଇଥିବା ନେଇ ପ୍ରଥମେ ଘୋଷଣା କରିଥିଲେ। ଏହାପରେ ଦଳ ପକ୍ଷରୁ ସୁବ୍ରତଙ୍କ କାଉନ୍ସିଲର ପଦକୁ ରଦ୍ଦ କରିବା ପାଇଁ ଦାବି କରାଯାଇଥିଲା। ସେ ବିଜେଡି ଟିକେଟରୁ ଲଢ଼ିଛନ୍ତି ଏବଂ ବର୍ତ୍ତମାନ ଦଳ ଛାଡୁଥିବାରୁ ତାଙ୍କ କାଉନ୍ସିଲର ପଦ ରଦ୍ଦ ହେଉ ବୋଲି ବିଜେଡି ରାଜ୍ୟ ନିର୍ବାଚନ କମିଶନଙ୍କୁ ଲିଖିତ ଆକାରରେ ଜଣାଇଥିଲା। ଏହାର ଦିନକ ପରେ ଅର୍ଥାତ୍ ଶନିବାର ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରି ସୁବ୍ରତ ନିଜ ଇସ୍ତଫା ପ୍ରତ୍ୟାହର କରିନେଇଛନ୍ତି। ଅନ୍ୟପଟେ କଟକ ଜିଲାରେ ସଙ୍ଗଠନ ସୁଦୃଢ଼ ରଖିବାକୁ ବିଜେଡିର ବରିଷ୍ଠ ନେତାମାନେ ଘନଘନ ଗସ୍ତ କରି ସ୍ଥାନୀୟ ନେତୃବୁନ୍ଦଙ୍କୁ ବୁଝାଶୁଝା କରିବାରେ ଲାଗିପଡ଼ିଛନ୍ତି ବୋଲି ଶୁଣିବାକୁ ମିଳିଛି। ସୁବ୍ରତ ତାଙ୍କ ନୂତନ ଚିଠିରେ ଉଲ୍ଲେଖ କରିଛନ୍ତି, କିଛି ଭୁଲ୍ ବୁଝାମଣା ଲାଗି ଇସ୍ତଫା ଦେଇଥିଲେ। ଦଳରେ ନବୀନଙ୍କ ନେତୃତ୍ୱରେ କାର୍ଯ୍ୟ କରିବାକୁ ଚାହାନ୍ତି।

