ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଥିଲା। ତେବେ କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା ଭିଜିଲାନ୍ସ ନଜରକୁ ଆସିବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ଭବାନୀପାଟଣା ଭିଜିଲାନ୍ସ ବିଭାଗ ତରଫରୁ ତଦନ୍ତ କରାଯାଇ ଭିଜିଲାନ୍ସ ଏସ୍ପିଙ୍କ ନିକଟକୁ ପଠାଯାଇଥିଲା। ଏସ୍ପି ଭିଜିଲାନ୍ସ ମଧ୍ୟ ରିପୋର୍ଟ ପାଇବା ପରେ ରାଜ୍ୟ ଭିଜିଲାନ୍ସ ଅଫିସକୁ ପଠାଇଥିବା ପ୍ରକାଶ। ତେବେ ସରକାରୀ ସ୍ତରରେ ଫାଇଲକୁ ଅଟକାଇ ରଖାଯାଇଥିବା କୁହାଯାଉଛି। ଜୁନାଗଡ଼ ବ୍ଲକର ସତ୍ୟ ନାରାୟଣ ବେହେରା ଦୁର୍ନୀତିର ନିରପେକ୍ଷ ତଦନ୍ତ ପାଇଁ ଚେଷ୍ଟା କରି ବିଫଳ ହେବାପରେ ଉଚ୍ଚ ନ୍ୟାୟାଳୟରେ ଗତ ଜାନୁଆରୀ ୭ରେ ଏକ ପିଆଇଏଲ୍ କରିଥିଲେ। ଷ୍ଟେଟ ଅଫ ଓଡ଼ିଶା ସମେତ ନିର୍ଦ୍ଦେଶକ ଭିଜିଲାନ୍ସ, ଏସ୍ପି କୋରାପୁଟ ଭିଜିଲାନ୍ସଙ୍କୁ ପକ୍ଷ କରିଥିଲେ। ତଥାପି ଫାଇଲକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଏ ସଂକ୍ରାନ୍ତରେ କୋରାପୁଟ ଭିଜିଲାନ୍ସ ଏସ୍ପି ରବୀନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, ଜୁନାଗଡ଼ ବିଡ଼ିଓଙ୍କ ବିରୋଧରେ ଏହି ଅଭିଯୋଗ ଥିବା କାରଣରୁ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ଅନୁମତି ଅର୍ଡର ପହଞ୍ଚତ୍ଲେ ପରବର୍ତ୍ତୀ କାର୍ଯ୍ୟ ଆରମ୍ଭ ହେବା ନିଶ୍ଚିତ।
ସୂଚନା ଅନୁସାରେ, ଗତବର୍ଷ ଅଗଷ୍ଟ ମାସରୁ ବ୍ଲକ ପ୍ରଶାସନ ଖେଳ ସାମଗ୍ରୀ କିଣାରେ ଅର୍ଥ ଆତ୍ମସାତ୍ କରାଯାଇଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ପହଞ୍ଚତ୍ଥିଲା। ପ୍ରାୟ ୮୪ଲକ୍ଷ ଟଙ୍କାର କ୍ରୀଡ଼ା ସାମଗ୍ରୀ କିଣାଯାଇଥିବା ବିଲରୁ ସୂଚିତ ହେଉଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ତଦନ୍ତ ସମୟରେ ପ୍ରାୟ ୪୦ଲକ୍ଷ ଟଙ୍କା ବାଟମାରଣା ହୋଇଥିବା ଜଣାପଡିଛି।
୨୦୨୩ରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରତି ଜିଲାରେ ଗ୍ରାମାଞ୍ଚଳର ଯୁବଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ କ୍ରୀଡ଼ା ଭିତ୍ତିଭୂମି ଓ କ୍ରୀଡା ସାମଗ୍ରୀ କ୍ରୟ ଦିଗରେ ଅର୍ଥରାଶି ପ୍ରଦାନ କରିଥିଲେ। ପଞ୍ଚାୟତ ପିଛା ୨ଲକ୍ଷ ୫୦ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଜୁନାଗଡ଼ ବ୍ଲକରେ କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ନେଇ ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ସରକାରଙ୍କ ନିର୍ଦ୍ଦେଶମତେ କ୍ରୀଡ଼ା ସାମଗ୍ରୀ ଯୋଗା ନ ଯାଇ ନିମ୍ନମାନର ସାମଗ୍ରୀ ବଣ୍ଟନ କରାଯାଇଥିବା ଅଭିଯୋଗକୁ ଭିଜିଲାନ୍ସ ଜୋର ଦେଇଥିଲେ ବି ଫଳ ଶୂନ୍ୟ ଅବସ୍ଥାରେ ଅଟକିରହିଛି। ବ୍ଲକର ୩୪ ପଞ୍ଚାୟତରେ ଅଢେଇ ଲକ୍ଷ ହିସାବରେ ପ୍ରାୟ ୮୪ ଲକ୍ଷ ଟଙ୍କାର କ୍ରୀଡା ସାମଗ୍ରୀ ଆସିଥିଲା ଓ ଏହାକୁ ସମସ୍ତ ପଞ୍ଚାୟତକୁ ବଣ୍ଟନ କରାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା କଳାହାଣ୍ଡି ଜିଲା ସମେତ ଓଡ଼ିଶାରେ ଅନେକ ଖେଳ ସାମଗ୍ରୀ ଦୋକାନ ରହିଥିବା ବେଳେ ଛତିଶଗଡ଼ ରାଜ୍ୟ ରାୟପୁରରୁ ଏହି ସାମଗ୍ରୀ କିଣାଯାଇଥିଲା। ଯାହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିଲା। ଖେଳ ସାମଗ୍ରୀର ଦାମ, ମାନକୁ ନେଇ ଭିଜିଲାନ୍ସ ଦ୍ବାରା ତଦନ୍ତ କରିବାକୁ ସାଧାରଣରେ ଦାବି ଉଠିଥିଲା। ଫଳରେ ଗତ ଜୁଲାଇରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି ଯୋଜନାରେ ଆସିଥିବା କ୍ରୀଡା ସାମଗ୍ରୀକୁ କଳାହାଣ୍ଡି ଭିଜିଲାନ୍ସ ତଦନ୍ତ କରିସାରିଛି। ଏବେ ଏହି କ୍ରୀଡା ସାମଗ୍ରୀ ବଣ୍ଟନ ଦୁର୍ନୀତିର ଗତି କୁଆଡ଼କୁ ଯିବ ତାହା ଜାଣିବା ପାଇଁ ସମସ୍ତେ ଅପେକ୍ଷାରେ ଅଛନ୍ତି।
Dharitri – Odisha’s No.1 Odia Daily

