Posted inଫୁରସତ

ଶ୍ରୀପୁରୁଷୋତ୍ତମ ଭଣ୍ଡାରର ଅବଦାନ

ଗତ ସଂଖ୍ୟାରେ କୋଣାର୍କଠାରେ ମନ୍ଦିର ଆରମ୍ଭ ଏବଂ ଶ୍ରୀମହାଭାସ୍କରଙ୍କ ବିଗ୍ରହ ନିର୍ମାଣ ସମୟରେ ଯଥାକ୍ରମେ ‘ଶ୍ରୀକାପଡ଼ା’ ଓ ଆଜ୍ଞାମାଳ ଦିଆଯାଇଥିବା ଆଲୋଚନା କରିଥିଲୁ। ବିଶେଷ ଭାବରେ ମହାପ୍ରଭୁଙ୍କ ଅଙ୍ଗଲାଗି ଏହା ଏକ ବସ୍ତ୍ର। ଖଦିର ଏହି ପତଳା ବସ୍ତ୍ର ମହାପ୍ରଭୁଙ୍କ ‘ଶିର’ରେ ଲାଗି ହେଉଥିବାରୁ କୁହାଯାଉଥିଲା ଶିର-କପଡ଼ା। ପୁରୀ ଭାଷାରେ ତାହା ‘ଶ୍ରୀକାପଡ଼ା’ ଶବ୍ଦରେ ତଇତି ହୋଇଯାଇଛି। ପୁରୀର ଶ୍ରୀଶଙ୍କରାନନ୍ଦ ମଠର ସ୍ବାମୀ କୋଣାର୍କରେ ପଦାର୍ପଣ କରିଥିଲେ। ତାହା ଆମେ ସ୍ପଷ୍ଟ କରିବା।
ଗଜପତି ଲାଙ୍ଗୁଳା ନରସିଂହଦେବ ଯେଉଁ ସ୍ବାମୀଙ୍କୁ ଆମନ୍ତ୍ରଣ କରିଥିଲେ, ଅର୍ଥାତ୍‌ ନରସିଂହ ସରସ୍ବତୀଙ୍କୁ, ତାଙ୍କ ନାମ ମଠର ସ୍ବାମୀମାନଙ୍କ ତାଲିକାରେ ନାହିଁ, ତେଣୁ ମଠରୁ ପୂର୍ବେ ଆମେ ଯେଉଁ ତାଲିକା ସଂଗ୍ରହ କରିଥିଲୁ, ତାହା ସ୍ବୟଂ ସମ୍ପୂର୍ଣ୍ଣ ବୋଲି ଜୋର ଦେଇ କହିପାରୁନାହୁଁ। ବାୟାଚକଡ଼ା ପୋଥିରେ ପୁରୁଷୋତ୍ତମର ବାଲିମଠ ନାମ ଆସୁଛି। ବାଲିମଠ ଗୋବର୍ଦ୍ଧନ ମଠର ପୂର୍ବ ନାମ ନା ଅଲଗା ମଠ ଥିଲା, ତାହା ବି ବିଚାର କରିବା କଥା। ଶ୍ରୀଗୋବର୍ଦ୍ଧନ ମଠର ପ୍ରତିଷ୍ଠାତା ଆଦିଶଙ୍କର ବିଗ୍ରହ ନିର୍ମାଣ କଥା ପ୍ରସଙ୍ଗରେ ଏହା ସ୍ଥାନ ପାଇଛି। ପୋଥି ଉଦ୍ଧାରବେଳେ ଏପଟସେପଟ କିଛି ହୋଇପାରେ। କାରଣ ଶ୍ରୀଗୋବର୍ଦ୍ଧନ ମଠର ସ୍ବାମୀଙ୍କ ନାମ ଶେଷରେ ‘ତୀର୍ଥ’ ରହିବାର ପରମ୍ପରା ଥିଲା। ଗୋବର୍ଦ୍ଧନ ଶ୍ରୀଶଙ୍କରାନନ୍ଦ ମଠର ସ୍ବାମୀଙ୍କ ନାମ ଶେଷରେ ‘ସରସ୍ବତୀ’ ରହିବାର ବିଧି ଅଛି। ୪୧ଜଣ ସ୍ବାମୀଙ୍କ ନାମ ତାଲିକାରେ ମଧ୍ୟ ସମସ୍ତଙ୍କ ନାମ ଶେଷରେ ‘ସରସ୍ବତୀ’ ଅଛି, ତେଣୁ ନରସିଂହ ସରସ୍ବତୀ ଥିଲେ ଶଙ୍କରାନନ୍ଦ ମଠର ସ୍ବାମୀ। ସେ ଲାଙ୍ଗୁଳା ନରସିଂହ ଦେବଙ୍କ ସମୟରେ ହିଁ ସ୍ବାମୀ ଥିଲେ।
ଆଦି ଶଙ୍କରଙ୍କ ମଠାମ୍ନାୟରେ ବାଲିମଠ ଶବ୍ଦ ନାହିଁ। ଆମେ ବାଲିମଠ ସମ୍ବନ୍ଧରେ ଅନୁସନ୍ଧାନ କଲା ପରେ ଅନେକ ଚମକପ୍ରଦ ଐତିହ୍ୟ ଆମକୁ ମିଳୁଛି। ଇତିହାସ କିନ୍ତୁ ନୀରବ। ଶ୍ରୀଗୋବର୍ଦ୍ଧନ ମଠରେ ପ୍ରଥମେ ଚାଳଛପର ଘର ଥିଲା। ବିସ୍ତୀର୍ଣ୍ଣ ବାଲିପ୍ରାନ୍ତର ମହୋଦଧିକୁ ଲାଗିଥିଲା। ତା’ ଭିତରେ ଏକ ପୋଖରୀ ଥିଲା। ପୋଖରୀର ପୂର୍ବ ଦିଗକୁ ବାଲିହୁଙ୍କା ଥିଲା। ସେଇଠାରୁ ଏକ ବିରାଟ ବାଲିବନ୍ତ ଆରମ୍ଭ ହୋଇଥିଲା। ବାଲିବନ୍ତର ଉତ୍ତର ଦିଗକୁ ବଡ଼ ଚାଳଘରଟିଏ ଥିଲା। ତା’ ପାଖକୁ ଲାଗି ଲାଗି ତାଳ ବରଡ଼ାରେ ଛୋଟ ଛୋଟ କୁଡ଼ିଆ ଥିଲା। କୁଡ଼ିଆରେ ସନ୍ନ୍ୟାସୀମାନେ ରହୁଥିଲେ। ଉକ୍ତ ଚାଳଘର କିଏ ନିର୍ମାଣ କରିଥିଲେ ଜଣାପଡ଼ୁନି, କିନ୍ତୁ ତାହା ବାଲିମଠ ଭାବରେ ଲୋକସମାଜରେ ଜଣାଶୁଣା ଥିଲା। ଏହାକୁ ୬୦/୭୦ ବର୍ଷ ତଳେ ପୁରୀର ପୁରୁଣା ଲୋକେ ଦେଖିଥିବାର ପ୍ରକାଶ କରନ୍ତି। ଏହି ମଠର କିଛି ଜମି ଶ୍ରୀଲୋକନାଥ ମନ୍ଦିର ପଛପଟେ ଥିଲା। ତାହା ବି ବାଲିମଠ ବଗିଚା ନାମରେ ପ୍ରସିଦ୍ଧ। କୌଣସି ଏକ ସମୟରେ ଶ୍ରୀଗୋବର୍ଦ୍ଧନ ମଠ ସହିତ ଏକାକାର ହୋଇଯିବା ପରେ ଶ୍ରୀଗୋବର୍ଦ୍ଧନ ମଠକୁ ଲୋକେ ବାଲିମଠର ନାମରେ ବୁଝିଲେ। ଜନଶ୍ରୁତି ଅଛି ବାଲିମଠରେ ଏକ ଗୋ-ଶାଳା ଥିଲା। ଯାହା ଭୋଗବର୍ଦ୍ଧନ ମଠ ଶ୍ରୀଶଙ୍କରାନନ୍ଦ ପୀଠ ପରିଚାଳନା କରୁଥିଲେ। ତେଣୁ ସମ୍ଭାବନା ହୁଏ, ଉକ୍ତ ଗୋଶାଳା ସଂଲଗ୍ନ ଚାଳଘର ଓ କୁଡ଼ିଆଗୁଡ଼ିକରେ ଶ୍ରୀଶଙ୍କରାନନ୍ଦ ମଠରେ ସନ୍ନ୍ୟାସୀମାନେ ରହୁଥିଲେ। ତେଣୁ କ’ଣ କୋଣାର୍କ ମନ୍ଦିର ନିର୍ମାଣବେଳେ ଶଙ୍କରାନନ୍ଦ ମଠ ସ୍ବାମୀଙ୍କୁ ବାଲିମଠ ସ୍ବାମୀ ଭାବରେ ଚିହ୍ନିତ କରାଯାଉଥିଲା? ନା ଶ୍ରୀନରସିଂହ ସରସ୍ବତୀ ସ୍ବାମୀ ସେ ସମୟରେ ବାଲିମଠରେ ଅବସ୍ଥାନ କରୁଥିଲେ? ତେଣୁ ପୋଥିରେ ଶଙ୍କରାନନ୍ଦ ମଠ ସ୍ବାମୀ ଓ ବାଲିମଠ ସ୍ବାମୀ ଶବ୍ଦ ଏକତ୍ର ଗୋଟିଏ ପ୍ରସଙ୍ଗରେ ବ୍ୟବହାର ହୋଇଛି!
ଗଜପତି କେବଳ ବାସ୍ତୁଶାସ୍ତ୍ର, ଆଗମଶାସ୍ତ୍ର ବିଶାରଦ ଶ୍ରୀଶଙ୍କରାନନ୍ଦ ସ୍ବାମୀଙ୍କୁ ଆମନ୍ତ୍ରଣ ଜଣାଇ ପୁରୁଷୋତ୍ତମ କ୍ଷେତ୍ରରୁ କୋଣାର୍କ ନେଇଥିଲେ ତାହା ନୁହେଁ, ପୁରୀରୁ ନାରାୟଣ ଚିତ୍ରକାର ନାୟକ (ଚିତ୍ରଶିଳ୍ପୀ), ପୁରୁଷୋତ୍ତମ ମନ୍ଦିରର ଚାମର ସେବକ ନରସିଂହ କୋଟର ଗୁରୁ ଓ ପୁରାତନ ମୂର୍ତ୍ତିକାର ମହେଶ୍ୱର ମୂର୍ତ୍ତିକାରଙ୍କୁ ପରାମର୍ଶ ପାଇଁ କୋଣାର୍କକୁ ଆମନ୍ତ୍ରଣ କରି ନେଇଥିଲେ। ଏମାନଙ୍କ ସହିତ କାଳହସ୍ତିଶ୍ୱର କ୍ଷେତ୍ର, ତିରୁପତିର ପଣ୍ଡିତ, କାଳିଂଜରକ୍ଷେତ୍ର (ଦାକ୍ଷିଣାତ୍ୟ)ର ଜଣେ ଶିଳ୍ପୀଙ୍କୁ ଦେଖିବା ପାଇଁ ଡକାଇଥିଲେ। ନାରାୟଣ ବରଦ କ୍ଷେତ୍ର (କର୍ନାଟକ)ର ବିଶ୍ୱକସେନ ଆଚାର୍ଯ୍ୟଙ୍କୁ ଡକାଇଥିଲେ। ଆଚାର୍ଯ୍ୟ ମହାଶୟ ଥିଲେ ଶ୍ରୀସମ୍ପ୍ରଦାୟର ଗୁରୁ, ଶ୍ରୀନାରାୟଣଙ୍କର ପ୍ରସିଦ୍ଧ ଉପାସକ। ଶ୍ରୀସୂର୍ଯ୍ୟନାରାୟଣଙ୍କ ମନ୍ଦିର ନିର୍ମାଣ ଦେଖିବା ପାଇଁ ତାଙ୍କୁ ବି ଆମନ୍ତ୍ରଣ କରାଯାଇଥିଲା। ଛଅଜଣ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଶିଳ୍ପୀ ଏମାନଙ୍କ ସହିତ ରହି କାର୍ଯ୍ୟର ଅଗ୍ରଗତି ଅବଗତ କରାଇଥିଲେ। କାର୍ତ୍ତିକ ମାସ ଅଁଳା ନବମୀ ଦିନ କୋଣାର୍କରୁ ଫେରିଥିଲେ ପୁରୀ। ଗଜପତିଙ୍କ ଆଦେଶ ଥିଲା ପୁରୀର ଆତ୍ମାରାମ ଗୋଛିକାର ମନ୍ଦିର ନିର୍ମାଣ ଦେଖାଇବେ ଓ ଶିଳ୍ପ ବିଷୟରେ ବୁଝାଇବେ। ତାହା ହିଁ ହୋଇଥିଲା। ସମସ୍ତେ ଶ୍ରୀପୁରୁଷୋତ୍ତମଙ୍କୁ ଦର୍ଶନ କରିଥିଲେ।
ଶ୍ରୀମନ୍ଦିର ଭଣ୍ଡାର
ଶ୍ରୀମନ୍ଦିର ଭଣ୍ଡାର ସେତେବେଳେ ‘ଶ୍ରୀପୁରୁଷୋତ୍ତମ ମନ୍ଦିର ଭଣ୍ଡାର’ ନାମରେ ପ୍ରସିଦ୍ଧ ଥିଲା। କୋଣାଦିତ୍ୟରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ସମୟରେ ଗଜପତିଙ୍କ ଆଦେଶ କ୍ରମେ ସାମ୍ରାଜ୍ୟର ବିଭିନ୍ନ ଦଣ୍ଡପାଟ, ଖମାର, ବିଷୟ ଓ ମନ୍ଦିର ଭଣ୍ଡାରରୁ ଅନେକ ସାମଗ୍ରୀ କୋଣାର୍କ ଭଣ୍ଡାରକୁ ଯୋଗାଇ ଦିଆଯାଇଥିଲା। ଆଢ଼ତିଆ କରଣ ବୀରବର ପଟ୍ଟନାୟକ ଅନ୍ୟ ଭଣ୍ଡାରରୁ କୋଣାର୍କ ଭଣ୍ଡାରକୁ ଆସିଥିବା ସମସ୍ତ ଜିନିଷର ତଦାରଖ କରିଥିଲେ। ତଦାରଖ ପରେ ଲିଖିତ ତାଲିକା ବି ଜାରି କରିଥିଲେ। ସେଥିରୁ ଜଣାପଡ଼େ- ଶ୍ରୀପୁରୁଷୋତ୍ତମ ମନ୍ଦିର ଭଣ୍ଡାରରୁ ୩,୪୭୨ ସଂଖ୍ୟକ ଛିଦ୍ରଯୁକ୍ତ ସୁନା ମୋହର ମନ୍ଦିର ନିର୍ମାଣରେ ଖର୍ଚ୍ଚ ହେବା ପାଇଁ କୋଣାର୍କକୁ ଯାଇଥିଲା। ପୋଥିର ଅନ୍ୟ ଏକ ସ୍ଥାନରୁ ମିଳେ ଯେ ବଡ଼ଦେଉଳ ଅଧୀକ୍ଷକ ମହାଦେବ ରାଜଗୁରୁ ମହାପାତ୍ର ମଧ୍ୟ ଥରେ ୩,୪୦୩ ସୁନା ମାଢ଼ ଦେଇଥିଲେ। ଦୁଇଥରରେ ସମୁଦାୟ ୬,୮୭୫ ସୁନା ମାଢ଼ କୋଣାର୍କକୁ ଯାଇଥିଲା।
କେବଳ ସୁନା ମୋହର ନୁହେଁ, ଶ୍ରୀଜଗନ୍ନାଥଙ୍କ ଭଣ୍ଡାରରେ ଧାନ ମଧ୍ୟ ଗଚ୍ଛିତ ରହୁଥିଲା। ୩,୪୦୮ ଭରଣ ଧାନ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରୀପୁରୁଷୋତ୍ତମଙ୍କ ଭଣ୍ଡାରରୁ କୋଣାର୍କକୁ ଯାଇଥିଲା। ମହାପ୍ରଭୁଙ୍କ ଭଣ୍ଡାରରୁ ଯେପରି ଖାଦ୍ୟ ଓ ପାରିଶ୍ରମିକ, ସହଯୋଗ କୋଣାର୍କକୁ ଯାଉଥିଲା, ଠିକ୍‌ ସେହିପରି ମହାପ୍ରଭୁଙ୍କ ମହାପ୍ରସାଦ ମଧ୍ୟ ଶିଳ୍ପୀଙ୍କ ପାଇଁ ଯାଉଥିଲା। ଏରବଙ୍ଗରେ ଶ୍ରୀଦଧିବାମନଙ୍କ ମନ୍ଦିରରେ ମହାପ୍ରସାଦ ସେବା କରିଥିଲେ ଶିଳ୍ପୀମାନେ। ଏରବଙ୍ଗ ଲେଖା ହେଲାବେଳେ ‘ଗଙ୍ଗେଶ୍ୱରୀ ମନ୍ଦିର ନିକଟ’ ବୋଲି ଚିହ୍ନିତ କରାଯାଇଛି ଏବଂ ଦେବୀ ଗଙ୍ଗେଶ୍ୱରୀ ଶିଳ୍ପୀଙ୍କର ଇଷ୍ଟ ବୋଲି ସ୍ପଷ୍ଟ ଲେଖାଯାଇଛି। ଏହି ଘଟଣା ଘଟିଥିଲା ମହାପ୍ରଭୁଙ୍କ ସ୍ନାନ ଉତ୍ସବ ସମୟରେ। ଏଥିରୁ ଜଣାଯାଉଛି, ମହାପୁରୁଷ ବଳରାମ ଦାସ ଏରବଙ୍ଗରେ (୧୫୨୦-୩୦ ମସିହା) ଶ୍ରୀଚତୁର୍ଦ୍ଧା ବିଗ୍ରହଙ୍କ ଉପାସନା ଆରମ୍ଭ କରିବାର ହାରାହାରି ୩୦୦ ବର୍ଷ ପୂର୍ବରୁ ଶ୍ରୀଜଗନ୍ନାଥଙ୍କର ଏରବଙ୍ଗରେ ଶ୍ରୀଦଧିବାମନ ରୂପେ ଉପାସନା ଆରମ୍ଭ ହୋଇ ସାରିଥିଲା। ପୁରୁଷୋତ୍ତମ ଭଣ୍ଡାରରୁ ଯିବା ତ ଆମେ ଜାଣିଲେ। ଆସିବାର ଉଦାହରଣ ବି ଆମକୁ ମିଳେ। ଗଜପତି ବଙ୍ଗଳା-ଲକ୍ଷ୍ନୌଟିର ନବାବଙ୍କୁ ପରାସ୍ତ କରିବା ପରେ ତାଙ୍କ ଉଆସରୁ ଧନଦରବ ୪ଟି ହାତୀରେ ଆଣିଥିଲେ। ତାହା କୋଣାର୍କ ଭଣ୍ଡାରକୁ ଆସିବା ପରେ ସେଥିରୁ ସୁନାବେଣ୍ଟ ଲାଗିଥିବା ଏକ ବାଘମାର୍କା ଛୁରି, ଯାହାର ଭିତରପଟେ ମାଣିକ୍ୟ ଓ ମୁକ୍ତା ଲାଗିଥିଲା, ତାହାକୁ ପୁରୁଷୋତ୍ତମ କୋଷାଗାରକୁ ପଠାଯାଇଥିଲା। ସେଥିରେ ୧୮ ମାଢ଼ ସୁନା ବ୍ୟବହାର ହୋଇଥିଲା।

ଡ. ସୁରେନ୍ଦ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri