Posted inଫୁରସତ

ଶ୍ରୀପୁରୁଷୋତ୍ତମ ଭଣ୍ଡାରର ଅବଦାନ

ଗତ ସଂଖ୍ୟାରେ କୋଣାର୍କଠାରେ ମନ୍ଦିର ଆରମ୍ଭ ଏବଂ ଶ୍ରୀମହାଭାସ୍କରଙ୍କ ବିଗ୍ରହ ନିର୍ମାଣ ସମୟରେ ଯଥାକ୍ରମେ ‘ଶ୍ରୀକାପଡ଼ା’ ଓ ଆଜ୍ଞାମାଳ ଦିଆଯାଇଥିବା ଆଲୋଚନା କରିଥିଲୁ। ବିଶେଷ ଭାବରେ ମହାପ୍ରଭୁଙ୍କ ଅଙ୍ଗଲାଗି ଏହା ଏକ ବସ୍ତ୍ର। ଖଦିର ଏହି ପତଳା ବସ୍ତ୍ର ମହାପ୍ରଭୁଙ୍କ ‘ଶିର’ରେ ଲାଗି ହେଉଥିବାରୁ କୁହାଯାଉଥିଲା ଶିର-କପଡ଼ା। ପୁରୀ ଭାଷାରେ ତାହା ‘ଶ୍ରୀକାପଡ଼ା’ ଶବ୍ଦରେ ତଇତି ହୋଇଯାଇଛି। ପୁରୀର ଶ୍ରୀଶଙ୍କରାନନ୍ଦ ମଠର ସ୍ବାମୀ କୋଣାର୍କରେ ପଦାର୍ପଣ କରିଥିଲେ। ତାହା ଆମେ ସ୍ପଷ୍ଟ କରିବା।
ଗଜପତି ଲାଙ୍ଗୁଳା ନରସିଂହଦେବ ଯେଉଁ ସ୍ବାମୀଙ୍କୁ ଆମନ୍ତ୍ରଣ କରିଥିଲେ, ଅର୍ଥାତ୍‌ ନରସିଂହ ସରସ୍ବତୀଙ୍କୁ, ତାଙ୍କ ନାମ ମଠର ସ୍ବାମୀମାନଙ୍କ ତାଲିକାରେ ନାହିଁ, ତେଣୁ ମଠରୁ ପୂର୍ବେ ଆମେ ଯେଉଁ ତାଲିକା ସଂଗ୍ରହ କରିଥିଲୁ, ତାହା ସ୍ବୟଂ ସମ୍ପୂର୍ଣ୍ଣ ବୋଲି ଜୋର ଦେଇ କହିପାରୁନାହୁଁ। ବାୟାଚକଡ଼ା ପୋଥିରେ ପୁରୁଷୋତ୍ତମର ବାଲିମଠ ନାମ ଆସୁଛି। ବାଲିମଠ ଗୋବର୍ଦ୍ଧନ ମଠର ପୂର୍ବ ନାମ ନା ଅଲଗା ମଠ ଥିଲା, ତାହା ବି ବିଚାର କରିବା କଥା। ଶ୍ରୀଗୋବର୍ଦ୍ଧନ ମଠର ପ୍ରତିଷ୍ଠାତା ଆଦିଶଙ୍କର ବିଗ୍ରହ ନିର୍ମାଣ କଥା ପ୍ରସଙ୍ଗରେ ଏହା ସ୍ଥାନ ପାଇଛି। ପୋଥି ଉଦ୍ଧାରବେଳେ ଏପଟସେପଟ କିଛି ହୋଇପାରେ। କାରଣ ଶ୍ରୀଗୋବର୍ଦ୍ଧନ ମଠର ସ୍ବାମୀଙ୍କ ନାମ ଶେଷରେ ‘ତୀର୍ଥ’ ରହିବାର ପରମ୍ପରା ଥିଲା। ଗୋବର୍ଦ୍ଧନ ଶ୍ରୀଶଙ୍କରାନନ୍ଦ ମଠର ସ୍ବାମୀଙ୍କ ନାମ ଶେଷରେ ‘ସରସ୍ବତୀ’ ରହିବାର ବିଧି ଅଛି। ୪୧ଜଣ ସ୍ବାମୀଙ୍କ ନାମ ତାଲିକାରେ ମଧ୍ୟ ସମସ୍ତଙ୍କ ନାମ ଶେଷରେ ‘ସରସ୍ବତୀ’ ଅଛି, ତେଣୁ ନରସିଂହ ସରସ୍ବତୀ ଥିଲେ ଶଙ୍କରାନନ୍ଦ ମଠର ସ୍ବାମୀ। ସେ ଲାଙ୍ଗୁଳା ନରସିଂହ ଦେବଙ୍କ ସମୟରେ ହିଁ ସ୍ବାମୀ ଥିଲେ।
ଆଦି ଶଙ୍କରଙ୍କ ମଠାମ୍ନାୟରେ ବାଲିମଠ ଶବ୍ଦ ନାହିଁ। ଆମେ ବାଲିମଠ ସମ୍ବନ୍ଧରେ ଅନୁସନ୍ଧାନ କଲା ପରେ ଅନେକ ଚମକପ୍ରଦ ଐତିହ୍ୟ ଆମକୁ ମିଳୁଛି। ଇତିହାସ କିନ୍ତୁ ନୀରବ। ଶ୍ରୀଗୋବର୍ଦ୍ଧନ ମଠରେ ପ୍ରଥମେ ଚାଳଛପର ଘର ଥିଲା। ବିସ୍ତୀର୍ଣ୍ଣ ବାଲିପ୍ରାନ୍ତର ମହୋଦଧିକୁ ଲାଗିଥିଲା। ତା’ ଭିତରେ ଏକ ପୋଖରୀ ଥିଲା। ପୋଖରୀର ପୂର୍ବ ଦିଗକୁ ବାଲିହୁଙ୍କା ଥିଲା। ସେଇଠାରୁ ଏକ ବିରାଟ ବାଲିବନ୍ତ ଆରମ୍ଭ ହୋଇଥିଲା। ବାଲିବନ୍ତର ଉତ୍ତର ଦିଗକୁ ବଡ଼ ଚାଳଘରଟିଏ ଥିଲା। ତା’ ପାଖକୁ ଲାଗି ଲାଗି ତାଳ ବରଡ଼ାରେ ଛୋଟ ଛୋଟ କୁଡ଼ିଆ ଥିଲା। କୁଡ଼ିଆରେ ସନ୍ନ୍ୟାସୀମାନେ ରହୁଥିଲେ। ଉକ୍ତ ଚାଳଘର କିଏ ନିର୍ମାଣ କରିଥିଲେ ଜଣାପଡ଼ୁନି, କିନ୍ତୁ ତାହା ବାଲିମଠ ଭାବରେ ଲୋକସମାଜରେ ଜଣାଶୁଣା ଥିଲା। ଏହାକୁ ୬୦/୭୦ ବର୍ଷ ତଳେ ପୁରୀର ପୁରୁଣା ଲୋକେ ଦେଖିଥିବାର ପ୍ରକାଶ କରନ୍ତି। ଏହି ମଠର କିଛି ଜମି ଶ୍ରୀଲୋକନାଥ ମନ୍ଦିର ପଛପଟେ ଥିଲା। ତାହା ବି ବାଲିମଠ ବଗିଚା ନାମରେ ପ୍ରସିଦ୍ଧ। କୌଣସି ଏକ ସମୟରେ ଶ୍ରୀଗୋବର୍ଦ୍ଧନ ମଠ ସହିତ ଏକାକାର ହୋଇଯିବା ପରେ ଶ୍ରୀଗୋବର୍ଦ୍ଧନ ମଠକୁ ଲୋକେ ବାଲିମଠର ନାମରେ ବୁଝିଲେ। ଜନଶ୍ରୁତି ଅଛି ବାଲିମଠରେ ଏକ ଗୋ-ଶାଳା ଥିଲା। ଯାହା ଭୋଗବର୍ଦ୍ଧନ ମଠ ଶ୍ରୀଶଙ୍କରାନନ୍ଦ ପୀଠ ପରିଚାଳନା କରୁଥିଲେ। ତେଣୁ ସମ୍ଭାବନା ହୁଏ, ଉକ୍ତ ଗୋଶାଳା ସଂଲଗ୍ନ ଚାଳଘର ଓ କୁଡ଼ିଆଗୁଡ଼ିକରେ ଶ୍ରୀଶଙ୍କରାନନ୍ଦ ମଠରେ ସନ୍ନ୍ୟାସୀମାନେ ରହୁଥିଲେ। ତେଣୁ କ’ଣ କୋଣାର୍କ ମନ୍ଦିର ନିର୍ମାଣବେଳେ ଶଙ୍କରାନନ୍ଦ ମଠ ସ୍ବାମୀଙ୍କୁ ବାଲିମଠ ସ୍ବାମୀ ଭାବରେ ଚିହ୍ନିତ କରାଯାଉଥିଲା? ନା ଶ୍ରୀନରସିଂହ ସରସ୍ବତୀ ସ୍ବାମୀ ସେ ସମୟରେ ବାଲିମଠରେ ଅବସ୍ଥାନ କରୁଥିଲେ? ତେଣୁ ପୋଥିରେ ଶଙ୍କରାନନ୍ଦ ମଠ ସ୍ବାମୀ ଓ ବାଲିମଠ ସ୍ବାମୀ ଶବ୍ଦ ଏକତ୍ର ଗୋଟିଏ ପ୍ରସଙ୍ଗରେ ବ୍ୟବହାର ହୋଇଛି!
ଗଜପତି କେବଳ ବାସ୍ତୁଶାସ୍ତ୍ର, ଆଗମଶାସ୍ତ୍ର ବିଶାରଦ ଶ୍ରୀଶଙ୍କରାନନ୍ଦ ସ୍ବାମୀଙ୍କୁ ଆମନ୍ତ୍ରଣ ଜଣାଇ ପୁରୁଷୋତ୍ତମ କ୍ଷେତ୍ରରୁ କୋଣାର୍କ ନେଇଥିଲେ ତାହା ନୁହେଁ, ପୁରୀରୁ ନାରାୟଣ ଚିତ୍ରକାର ନାୟକ (ଚିତ୍ରଶିଳ୍ପୀ), ପୁରୁଷୋତ୍ତମ ମନ୍ଦିରର ଚାମର ସେବକ ନରସିଂହ କୋଟର ଗୁରୁ ଓ ପୁରାତନ ମୂର୍ତ୍ତିକାର ମହେଶ୍ୱର ମୂର୍ତ୍ତିକାରଙ୍କୁ ପରାମର୍ଶ ପାଇଁ କୋଣାର୍କକୁ ଆମନ୍ତ୍ରଣ କରି ନେଇଥିଲେ। ଏମାନଙ୍କ ସହିତ କାଳହସ୍ତିଶ୍ୱର କ୍ଷେତ୍ର, ତିରୁପତିର ପଣ୍ଡିତ, କାଳିଂଜରକ୍ଷେତ୍ର (ଦାକ୍ଷିଣାତ୍ୟ)ର ଜଣେ ଶିଳ୍ପୀଙ୍କୁ ଦେଖିବା ପାଇଁ ଡକାଇଥିଲେ। ନାରାୟଣ ବରଦ କ୍ଷେତ୍ର (କର୍ନାଟକ)ର ବିଶ୍ୱକସେନ ଆଚାର୍ଯ୍ୟଙ୍କୁ ଡକାଇଥିଲେ। ଆଚାର୍ଯ୍ୟ ମହାଶୟ ଥିଲେ ଶ୍ରୀସମ୍ପ୍ରଦାୟର ଗୁରୁ, ଶ୍ରୀନାରାୟଣଙ୍କର ପ୍ରସିଦ୍ଧ ଉପାସକ। ଶ୍ରୀସୂର୍ଯ୍ୟନାରାୟଣଙ୍କ ମନ୍ଦିର ନିର୍ମାଣ ଦେଖିବା ପାଇଁ ତାଙ୍କୁ ବି ଆମନ୍ତ୍ରଣ କରାଯାଇଥିଲା। ଛଅଜଣ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଶିଳ୍ପୀ ଏମାନଙ୍କ ସହିତ ରହି କାର୍ଯ୍ୟର ଅଗ୍ରଗତି ଅବଗତ କରାଇଥିଲେ। କାର୍ତ୍ତିକ ମାସ ଅଁଳା ନବମୀ ଦିନ କୋଣାର୍କରୁ ଫେରିଥିଲେ ପୁରୀ। ଗଜପତିଙ୍କ ଆଦେଶ ଥିଲା ପୁରୀର ଆତ୍ମାରାମ ଗୋଛିକାର ମନ୍ଦିର ନିର୍ମାଣ ଦେଖାଇବେ ଓ ଶିଳ୍ପ ବିଷୟରେ ବୁଝାଇବେ। ତାହା ହିଁ ହୋଇଥିଲା। ସମସ୍ତେ ଶ୍ରୀପୁରୁଷୋତ୍ତମଙ୍କୁ ଦର୍ଶନ କରିଥିଲେ।
ଶ୍ରୀମନ୍ଦିର ଭଣ୍ଡାର
ଶ୍ରୀମନ୍ଦିର ଭଣ୍ଡାର ସେତେବେଳେ ‘ଶ୍ରୀପୁରୁଷୋତ୍ତମ ମନ୍ଦିର ଭଣ୍ଡାର’ ନାମରେ ପ୍ରସିଦ୍ଧ ଥିଲା। କୋଣାଦିତ୍ୟରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ସମୟରେ ଗଜପତିଙ୍କ ଆଦେଶ କ୍ରମେ ସାମ୍ରାଜ୍ୟର ବିଭିନ୍ନ ଦଣ୍ଡପାଟ, ଖମାର, ବିଷୟ ଓ ମନ୍ଦିର ଭଣ୍ଡାରରୁ ଅନେକ ସାମଗ୍ରୀ କୋଣାର୍କ ଭଣ୍ଡାରକୁ ଯୋଗାଇ ଦିଆଯାଇଥିଲା। ଆଢ଼ତିଆ କରଣ ବୀରବର ପଟ୍ଟନାୟକ ଅନ୍ୟ ଭଣ୍ଡାରରୁ କୋଣାର୍କ ଭଣ୍ଡାରକୁ ଆସିଥିବା ସମସ୍ତ ଜିନିଷର ତଦାରଖ କରିଥିଲେ। ତଦାରଖ ପରେ ଲିଖିତ ତାଲିକା ବି ଜାରି କରିଥିଲେ। ସେଥିରୁ ଜଣାପଡ଼େ- ଶ୍ରୀପୁରୁଷୋତ୍ତମ ମନ୍ଦିର ଭଣ୍ଡାରରୁ ୩,୪୭୨ ସଂଖ୍ୟକ ଛିଦ୍ରଯୁକ୍ତ ସୁନା ମୋହର ମନ୍ଦିର ନିର୍ମାଣରେ ଖର୍ଚ୍ଚ ହେବା ପାଇଁ କୋଣାର୍କକୁ ଯାଇଥିଲା। ପୋଥିର ଅନ୍ୟ ଏକ ସ୍ଥାନରୁ ମିଳେ ଯେ ବଡ଼ଦେଉଳ ଅଧୀକ୍ଷକ ମହାଦେବ ରାଜଗୁରୁ ମହାପାତ୍ର ମଧ୍ୟ ଥରେ ୩,୪୦୩ ସୁନା ମାଢ଼ ଦେଇଥିଲେ। ଦୁଇଥରରେ ସମୁଦାୟ ୬,୮୭୫ ସୁନା ମାଢ଼ କୋଣାର୍କକୁ ଯାଇଥିଲା।
କେବଳ ସୁନା ମୋହର ନୁହେଁ, ଶ୍ରୀଜଗନ୍ନାଥଙ୍କ ଭଣ୍ଡାରରେ ଧାନ ମଧ୍ୟ ଗଚ୍ଛିତ ରହୁଥିଲା। ୩,୪୦୮ ଭରଣ ଧାନ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରୀପୁରୁଷୋତ୍ତମଙ୍କ ଭଣ୍ଡାରରୁ କୋଣାର୍କକୁ ଯାଇଥିଲା। ମହାପ୍ରଭୁଙ୍କ ଭଣ୍ଡାରରୁ ଯେପରି ଖାଦ୍ୟ ଓ ପାରିଶ୍ରମିକ, ସହଯୋଗ କୋଣାର୍କକୁ ଯାଉଥିଲା, ଠିକ୍‌ ସେହିପରି ମହାପ୍ରଭୁଙ୍କ ମହାପ୍ରସାଦ ମଧ୍ୟ ଶିଳ୍ପୀଙ୍କ ପାଇଁ ଯାଉଥିଲା। ଏରବଙ୍ଗରେ ଶ୍ରୀଦଧିବାମନଙ୍କ ମନ୍ଦିରରେ ମହାପ୍ରସାଦ ସେବା କରିଥିଲେ ଶିଳ୍ପୀମାନେ। ଏରବଙ୍ଗ ଲେଖା ହେଲାବେଳେ ‘ଗଙ୍ଗେଶ୍ୱରୀ ମନ୍ଦିର ନିକଟ’ ବୋଲି ଚିହ୍ନିତ କରାଯାଇଛି ଏବଂ ଦେବୀ ଗଙ୍ଗେଶ୍ୱରୀ ଶିଳ୍ପୀଙ୍କର ଇଷ୍ଟ ବୋଲି ସ୍ପଷ୍ଟ ଲେଖାଯାଇଛି। ଏହି ଘଟଣା ଘଟିଥିଲା ମହାପ୍ରଭୁଙ୍କ ସ୍ନାନ ଉତ୍ସବ ସମୟରେ। ଏଥିରୁ ଜଣାଯାଉଛି, ମହାପୁରୁଷ ବଳରାମ ଦାସ ଏରବଙ୍ଗରେ (୧୫୨୦-୩୦ ମସିହା) ଶ୍ରୀଚତୁର୍ଦ୍ଧା ବିଗ୍ରହଙ୍କ ଉପାସନା ଆରମ୍ଭ କରିବାର ହାରାହାରି ୩୦୦ ବର୍ଷ ପୂର୍ବରୁ ଶ୍ରୀଜଗନ୍ନାଥଙ୍କର ଏରବଙ୍ଗରେ ଶ୍ରୀଦଧିବାମନ ରୂପେ ଉପାସନା ଆରମ୍ଭ ହୋଇ ସାରିଥିଲା। ପୁରୁଷୋତ୍ତମ ଭଣ୍ଡାରରୁ ଯିବା ତ ଆମେ ଜାଣିଲେ। ଆସିବାର ଉଦାହରଣ ବି ଆମକୁ ମିଳେ। ଗଜପତି ବଙ୍ଗଳା-ଲକ୍ଷ୍ନୌଟିର ନବାବଙ୍କୁ ପରାସ୍ତ କରିବା ପରେ ତାଙ୍କ ଉଆସରୁ ଧନଦରବ ୪ଟି ହାତୀରେ ଆଣିଥିଲେ। ତାହା କୋଣାର୍କ ଭଣ୍ଡାରକୁ ଆସିବା ପରେ ସେଥିରୁ ସୁନାବେଣ୍ଟ ଲାଗିଥିବା ଏକ ବାଘମାର୍କା ଛୁରି, ଯାହାର ଭିତରପଟେ ମାଣିକ୍ୟ ଓ ମୁକ୍ତା ଲାଗିଥିଲା, ତାହାକୁ ପୁରୁଷୋତ୍ତମ କୋଷାଗାରକୁ ପଠାଯାଇଥିଲା। ସେଥିରେ ୧୮ ମାଢ଼ ସୁନା ବ୍ୟବହାର ହୋଇଥିଲା।

ଡ. ସୁରେନ୍ଦ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

ଅକ୍ଟୋବର ୨୯ ପର୍ଯ୍ୟନ୍ତ ସାବଧାନ: ମେଷ ସମେତ ୩ ରାଶିଙ୍କ ଉପରେ ମାଡିଆସୁଛି ବଡ଼ ବିପଦ! ପାଖରୁ ପଳାଇବ ଧନ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହଙ୍କୁ ପ୍ରେମ, ସୁଖ-ସମୃଦ୍ଧି, ଐଶ୍ୱର୍ଯ୍ୟ ଓ ଆର୍ଥିକ ସ୍ଥିତିର କାରକ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ଶୁକ୍ର ନିଜ ରାଶି ତୁଳାରେ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?