ବଡବିଲ/ଯୋଡ଼ା,୭ା୧(ଡି.ଏନ.ଏ): ଲେଖକମାନେ ଆତ୍ମାର କମ୍ପନରୁ ଶବ୍ଦ ଆଣି ଲେଖନୀ ଚଳାଇଥାନ୍ତି। ସ୍ଥିର ଚିତ୍ତ ପୁସ୍ତକ ରଚନା ଲେଖକଙ୍କୁ ଶୀର୍ଷ ସ୍ଥାନକୁ ପହଞ୍ଚାଇ ଥାଏ। ଓଡ଼ିଶାର ଲେଖକଙ୍କ ଉପରେ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି। ଶତକଡ଼ା ୯୦ ଭାଗ ସାହିତି୍ୟକ, ଲେଖକ ମୁଖ୍ୟତଃ ଭାରତବର୍ଷରେ ନୀତିଶାସ୍ତ୍ର, ସମ୍ବନ୍ଧ ଶାସ୍ତ୍ର, ଅତମ୍ବିକା ଶାସ୍ତ୍ର ସମେତ ନେତୃତ୍ୱ ସମ୍ବନ୍ଧରେ ରଚନା କରନ୍ତି। ଲେଖକ ସର୍ବଦା ସର୍ବଧର୍ମ ପ୍ରିୟ ବୋଲି କେନ୍ଦୁଝର ଜିଲା ଯୋଡ଼ାଠାରେ ଭ୍ୟାଲିସିଟି ପୁସ୍ତକମେଳାର ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଗଣେଣୀ ଲାଲ ଅଭିଭାଷଣରେ କହିଥିଲେ।
ଯୋଡ଼ା ଇଷ୍ଟ ଦୁର୍ଗାପୂଜା ପେଣ୍ଡାଲଠାରେ ଆୟୋଜିତ ପୁସ୍ତକମେଳାରେ ମା’ତାରିଣୀଙ୍କ ଫଟୋଚିତ୍ର ସମ୍ମୁଖରେ ରାଜ୍ୟପାଳ ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ରାଜପାଳ ବିଳମ୍ବରେ ସଭାରେ ପହଞ୍ଚତ୍ଥିବାରୁ ଉଦାରତା ସହ କ୍ଷମାପ୍ରାର୍ଥନା କରିଥିଲେ। ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଅଧ୍ୟାପିକା ଲେଖିକା ଡଃ ଆଭା ବଳଙ୍କ ଦ୍ୱାରା ଲିଖିତ ‘ତୁଳସୀ ମୁଣ୍ଡାଙ୍କ ସ୍ମୃତି’ ପୁସ୍ତକର ଉନ୍ମୋଚନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା, ଯୋଡ଼ା ପୌରାଧ୍ୟକ୍ଷ ଜଗଦିଶ ପ୍ରସାଦ ସାହୁ, ପୁସ୍ତକ ମେଳାର ଆୟୋଜନ କମିଟି ଆବାହକ ତାରିଣୀ ପ୍ରସାଦ ମହାନ୍ତି ଯୋଗଦେଇଥିଲେ। ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ପୁସ୍ତକମେଳାରେ ବିଭିନ୍ନ ପ୍ରକାଶନ ସଂସ୍ଥା ପକ୍ଷରୁ ବିଶିଷ୍ଟ ଳେଖିକା, ଲେଖକଙ୍କ ପୁସ୍ତକମାନ ସ୍ଥାନ ପାଇଥିଲା। ପରେ ରାଜ୍ୟପାଳ, ପଦ୍ମଶ୍ରୀ ଡ.ତୁଳସୀମୁଣ୍ଡାଙ୍କ ବଡବିଲ ସେରେଣ୍ଡାସ୍ଥିତ ଆଦିବାସୀ ବିକାଶ ସମିତି ଆଶ୍ରମ ପରିଦର୍ଶନ କରିଥିଲେ। ଅନ୍ତେବାସୀଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ସହ ବାର୍ତ୍ତାଳାପ କରିଥିଲେ।


