ରତ୍ନଭଣ୍ଡାରକୁ ନେଇ ସଂଶୟ

ଅନିଲ ବିଶ୍ୱାଳ

ଆଜକୁ ୪ ବର୍ଷ ହେଲାଣି ମହାପ୍ରଭୁ ଶ୍ରୀଗଜନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ଚାବି ହଜିଥିବା କଥା ସାମ୍ନାକୁ ଆସିଲାଣି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗର ସମାଧାନ କରିବା ପାଇଁ ୪ ବର୍ଷ କିଛି କମ୍‌ ସମୟ ଅବଧି ନୁହେଁ। ରତ୍ନଭଣ୍ଡାରକୁ ଖୋଲି ଏହା ଭିତରେ ଥିବା ସମସ୍ତ ରତ୍ନ, ସୁନା, ରୁପା, ହୀରା ଏସବୁ ସୁରକ୍ଷିତ ଅଛିକି ନାହିଁ ଏହାର ଯାଞ୍ଚ କରିବା ପାଇଁ ବିଭିନ୍ନ ସ୍ତରରେ ଲଗାତର ଦାବି ହୋଇଆସୁଛି। କାରଣ ରତ୍ନଭଣ୍ଡାର ଶେଷଥର ପାଇଁ ଖୋଲାଯିବାର ଆଜକୁ ୩୮ବର୍ଷ ବିତିସାରିଲାଣି। ସ୍ବାଭାବିକ ଭାବରେ ସମସ୍ତଙ୍କ ମନରେ ଏନେଇ ସନ୍ଦେହ ଉଠୁଛି ଯେ କାହିଁକି ରତ୍ନଭଣ୍ଡାର ଖୋଲାଯାଉନାହିଁ ଓ ଏହାର ସମ୍ପତ୍ତିକୁ ଆଉ ଥରେ ହିସାବ କରାଯାଉ ନାହିଁ। ଏବେ କିଛିଦିନ ତଳେ ଶ୍ରୀମନ୍ଦିର ପ୍ରଶାସନର ପରିଚାଳନା କମିଟି ବସିଥିଲା। ଏହା ପୂର୍ବରୁ ଗଣମାଧ୍ୟମରେ ଚର୍ଚ୍ଚା ମଧ୍ୟ ହୋଇଥିଲା ଯେ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ କିଛି ନିଷ୍ପତ୍ତି ହୋଇପାରେ। ଗଣମାଧ୍ୟମରେ ଏପରି ଚର୍ଚ୍ଚା ପଛରେ କାରଣ ଥିଲା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଅଧୀକ୍ଷକଙ୍କର ରତ୍ନଭଣ୍ଡାରର ସୁରକ୍ଷା ସମ୍ପର୍କିତ ରାଜ୍ୟ ସରକାରଙ୍କୁ ଏକ ଚିଠି। ହେଲେ ବଡ଼ ଆଶ୍ଚର୍ଯ୍ୟର ବିଷୟ ପରିଚାଳନା ବୈଠକରେ ରତ୍ନଭଣ୍ଡାର ସମ୍ପର୍କିତ କୌଣସି ଆଲୋଚନା ହେଲା ନାହିଁ। ଏହା ବୈଠକର କାର୍ଯ୍ୟସୂଚୀରେ ନ ଥିଲା ବୋଲି ପରିଚାଳନା ସମିତିର ସଭାପତି କହିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୪ର ଧାରା ୧୫ ଅନୁସାରେ ରତ୍ନଭଣ୍ଡାରର ସୁରକ୍ଷା ଦାୟିତ୍ୱ ଶ୍ରୀମନ୍ଦିର ପରିଚାଳନା କମିଟିର ଯାହାର ସଭାପତି ଗଜପତି ମହାରାଜା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଜଣେ ପ୍ରଶାସନିକ ଅଧିକାରୀ।
ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ରତ୍ନଭଣ୍ଡାରର ଭିତର କାନ୍ଥ ଓ ଛାତ ବିପଦରେ ଅଛି ବୋଲି ଚିଠି ମାଧ୍ୟମରେ ଜଣାଇବା ପରେ ଏବେ ଏହାକୁ ଖୋଲିବା ନେଇ ଏକ ଦାବି ଉଠିଥିଲା। ବର୍ତ୍ତମାନର ସ୍ଥିତିରେ ରତ୍ନଭଣ୍ଡାର ଖୋଲିବା ପାଇଁ କେବଳ ଚାବି ହଜିବା ବା ସେଥିରେ ଥିବା ସମ୍ପତ୍ତିର ସୁରକ୍ଷା ଏକମାତ୍ର କାରଣ ନୁହେଁ। ଏହି କାରଣ ସହିତ ଏବେ ଆଉ ଏକ ବଳିଷ୍ଠ କାରଣ ଯୋଡ଼ିହୋଇଯାଇଛି ତାହା ହେଉଛି ଭଣ୍ଡାର ଘରର ସ୍ଥାୟିତ୍ୱ। ହେଲେ ସରକାର ସେହି ଦୁଇଟି ଯାକ ସମ୍ବେଦନଶୀଳ କାରଣକୁ ଅଣଦେଖା କରିଛନ୍ତି। କେଉଁ କାରଣ ପାଇଁ ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ ଚାହୁଁନାହାନ୍ତି ଏହା ଆଲୋଚନାର ବିଷୟ। ଯଦି ଚାବି ହଜିଯାଇଛି ତା’ହେଲେ ତାଲା ଭଙ୍ଗାଯାଇ ଏହାର ଗଣନା କରିବାରେ ଅସୁବିଧା କେଉଁଠି ଅଛି ?
୨୦୧୮ରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ୧୬ ଜଣିଆ ଦଳ ଯାଇଥିଲେ ରତ୍ନଭଣ୍ଡାର ଯାଞ୍ଚ କରିବାକୁ। ସେତେବେଳେ ହିଁ ରତ୍ନଭଣ୍ଡାର ଚାବି ହଜିବା ଘଟଣା ସାମ୍ନାକୁ ଆସିଥିଲା। ସେବେଠାରୁ ଏହି ଘଟଣା ଦିନକୁ ଦିନ ଏତେ ଅଡୁଆ ଭିତରକୁ ଚାଲିଯାଉଛି ଯେ ଓଡ଼ିଶାର ଲୋକମାନେ ଏକଥା ଦୃଢ଼ ନିଶ୍ଚିତ ହେଲେଣି ଯେ ବୋଧହୁଏ ରତ୍ନଭଣ୍ଡାରରୁ କିଛି ସମ୍ପତ୍ତି ଚୋରି ହୋଇଯାଇଛି ଯେଉଁଥିପାଇଁ ସରକାର ଏହାକୁ ଖୋଲିବା ପାଇଁ ଡରୁଛନ୍ତି। ଚାବି ହଜିବା ଘଟଣା ସିନା ୨୦୧୮ ରେ ସାମ୍ନାକୁ ଆସିଲା ହେଲେ ଚାବି କେବେ ହଜିଛି ତାହା କହିବା କଷ୍ଟକର। ତେଣୁ କିଛିବି ଘଟିଥାଇପାରେ। ଯଦିବି ରତ୍ନଭଣ୍ଡାରରୁ କିଛି ଧନ ସମ୍ପତ୍ତି ଚୋରି ହୋଇଥାଏ ତାହା ସରକାରଙ୍କ ଜ୍ଞାତସାରରେ ହୋଇଛି ବୋଲି ଦୃଢ଼ତାର ସହିତ କହିବା ଭୁଲ୍‌ ହେବ। କିନ୍ତୁ ଏଠାରେ ସରକାରଙ୍କ ଦୋଷତ୍ରୁଟି ରହିଛି ଏହା ସ୍ପଷ୍ଟ। ଯେହେତୁ ଗୋଟିଏ ଦଳର ସରକାର ଅନେକ ଦିନ ଧରି ରହିଛି ତେଣୁ ଦୋଷ ଆଉ କାହା ମୁଣ୍ଡରେ ଲଦି ସରକାର ଖସିଯାଇପାରିବେନାହିଁ।
ଶ୍ରୀମନ୍ଦିର ଉପରେ ଆଗରୁ ଯେତେଥର ଆକ୍ରମଣ ହୋଇଛି ଏହା ପଛରେ ମୁଖ୍ୟତଃ ଦୁଇଟି କାରଣ ରହୁଥିଲା। ଗୋଟିଏ ହେଲା ଶ୍ରୀଜଗନ୍ନାଥ ବିଗ୍ରହର କ୍ଷତି ପହଞ୍ଚାଇବା ଓ ଅନ୍ୟଟି ଥିଲା ରତ୍ନଭଣ୍ଡାରରୁ ଲୁଟ କରିବା। କିନ୍ତୁ ଏହା ଏକ ଗୁପ୍ତ ସ୍ଥାନରେ ଥିବାରୁ ଏହାକୁ ଲୁଟ କରିବା ଆକ୍ରମଣକାରୀଙ୍କ ଦ୍ୱାରା ସମ୍ଭବ ହୋଇ ନ ଥିଲା। ବିଭିନ୍ନ ଐତିହାସିକଙ୍କ ମତରେ ମାତ୍ର ଥରେ ରତ୍ନଭଣ୍ଡାର ଲୁଟ ହୋଇଥିଲା ତାହା ପୁଣି ବାହାର ରତ୍ନଭଣ୍ଡାର। ଶ୍ରୀମନ୍ଦିର ଭିତରେ ରତ୍ନଭଣ୍ଡାର ଏକ ଗୁପ୍ତ ସ୍ଥାନରେ ଅଛି ଯାହା ଆଜିବି ବହୁ ଭକ୍ତ ଜାଣନ୍ତି ନାହିଁ। ତେବେ ରତ୍ନଭଣ୍ଡାରର ଚାବି ହଜିବା ପରେ ଏଥିରେ ଥିବା କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ସବୁ ବାସ୍ତବରେ ସୁରକ୍ଷିତ ଅଛି କି ନାହିଁ ତାହାକୁ ନେଇ ସାଧାରଣରେ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା ତାହା ଆଜିବି ସେମିତି ରହିଛି। ରତ୍ନଭଣ୍ଡାରର ଭିତର ଗୃହର ଅଳଙ୍କାରର ଏକ ତାଲିକା ୧୯୭୮ରେ ପ୍ରସ୍ତୁତ ହୋଇଥିଲା। ସେହିପରି ୧୯୮୪ ରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା। ୩୮ ବର୍ଷ ହେଲାଣି ଗୋଟିଏ ବଡ଼ ଗମ୍ଭୀରା ଘର ବନ୍ଦ ରହିବାର ଅର୍ଥ ଏହାର ସ୍ଥାୟିତ୍ୱ ପ୍ରତି ବିପଦ। ଘର ଭିତରର ଆଦର୍‌ରତା ବଢ଼ିଯିବଣି, ତଳ ଚଟାଣ ଦବିଯିବାର ଆଶଙ୍କା ମଧ୍ୟ ରହିଛି। ଛାତ ମରାମତି କରା ନ ଗଲେ ସେଥିରୁ ଖସି ତଳେ କ୍ଷତିକାରିବାର ଆଶଙ୍କା ରହିଛି। ତେଣୁ ବର୍ତ୍ତମାନ ଭଣ୍ଡାରଘର ଖୋଲି କେବଳ ସୁନା, ରୁପା, ମୋତିକୁ ଗଣନା କରିବା ଯେତିକି ଆବଶ୍ୟକ ଭଣ୍ଡାରଘରର ସ୍ଥାୟିତ୍ୱକୁ ଯାଞ୍ଚ କରିବା ମଧ୍ୟ ସେତିକି ଜରୁରୀ।
ରାଜ୍ୟ ସରକାର ୮ଜୁନ୍‌ ୨୦୧୮ରେ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ଘୋଷଣା କରିଥିଲେ। ୩ ମାସ ଭିତରେ ରିପୋର୍ଟ ପ୍ରଦାନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ରାଜ୍ୟ ସରକାର ଏହାର କାର୍ଯ୍ୟକାଳକୁ ଆଉ ୩ମାସ ବୃଦ୍ଧି କଲେ। ୬ ମାସ ପରେ ୩୦ନଭେମ୍ବର, ୨୦୧୮ ରେ କମିଶନ ରିପୋର୍ଟ ପ୍ରଦାନ କରିଛନ୍ତି। ହେଲେ ଏହି ରିପୋର୍ଟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ। ସେହି ସମୟରେ ପୁରୀ ଜିଲାପାଳ ଏକ ଲଫାପା ଦେଖାଇ ସେଥିରେ ରତ୍ନଭଣ୍ଡାରର ନକଲି ଚାବି ମିଳିଲା ବୋଲି କହିଥିଲେ। ଲଫାପାରେ ଡୁପ୍ଲିକେଟ ଚାବି ଅଛି ବୋଲି କୁହାଯାଇଥିଲା। ଏବେ ୨୦୨୨ରେ ସୂଚନା ଅଧିକାର ଆଇନରେ ଜଣାପଡୁଛି ଯେ ଆଜି ପର୍ଯ୍ୟନ୍ତ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସେଭଳି କୌଣସି ଚାବିକୁ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଦିଆଯାଇଛି ନା ତଦନ୍ତ କରୁଥିବା କମିଶନଙ୍କୁ ଜଣାଯାଇଛି। ତେଣୁ ତତ୍କାଳ ଜିଲାପାଳ ଏହି ନକଲି ଚାବିକୁ କେଉଁଠି ରଖିଲେ ତାହା ଏବେ ଏକ ବଡ଼ ପ୍ରଶ୍ନ।
ରତ୍ନଭଣ୍ଡାର ଖୋଲାଯିବା ନେଇ ଅନେକ ଆନ୍ଦୋଳନ ହୋଇଛି। ବିରୋଧୀ ଦଳମାନେ ଏହି ପ୍ରସଙ୍ଗ ବାରମ୍ବାର ଉଠାଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଜାତିପ୍ରାଣ। ରତ୍ନଭଣ୍ଡାର କେବଳ କିଛି ସୁନା, ରୁପା, ମୋତି, ମାଣିକର ଏକ ବସ୍ତୁ ଭଣ୍ଡାର ନୁହେଁ ବଂର ଏହା ହେଉଛି ଆମ ପୂର୍ବପୁରୁଷଙ୍କର ଶୌର୍ଯ୍ୟ, ବୀରତ୍ୱ ଓ ପାରିବା ପାଣିଆର ପ୍ରମାଣ। ଆମର ଅସ୍ମିତାର ସନ୍ତକ ହେଉଛି ରତ୍ନଭଣ୍ଡାର। ତେଣୁ ସରକାର ଏହାକୁ କେବେବି ରାଜନୈତିକ ଲାଭ କ୍ଷତିରେ ନ ଦେଖନ୍ତୁ । ରତ୍ନଭଣ୍ଡାର ଖୋଲିଦେଲେ କାଳେ କିଛି ଚୋରି କଥା ସାମ୍ନାକୁ ଆସିବ ଏବଂ ଏହାଦ୍ୱାରା ସରକାର ବା ଶାସକ ଦଳର ରାଜନୈତିକ କ୍ଷତି ହେବ ଏହି ମନସ୍ତତ୍ତ୍ୱର ଉପରକୁ ଉଠିଯିବା ଭଲ। କାରଣ ଶ୍ରୀଜଗନ୍ନାଥ ହେଉଛନ୍ତି ରାଜନୀତିର ବହୁ ଉପରେ। ତେଣୁ ସରକାର ଉଚ୍ଚ ମନ କରନ୍ତୁ। ଯଦି ଆବଶ୍ୟକ ପଡୁଛି ଏକ ସର୍ବଦଳୀୟ ବୈଠକ ମଧ୍ୟ ଏନେଇ ଡକାଯାଉ। ରାଜନୈତିକ ଲାଭକ୍ଷତିଠାରୁ ଓଡ଼ିଆ ଅସ୍ମିତାକୁ ପ୍ରାଥମିକତା ଦିଅନ୍ତୁ, ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ।
ହରିରାଜପୁର, ପୁରୀ
ମୋ: ୯୪୩୮୫୭୯୨୯୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri