ପ୍ରଶ୍ନୋପନିଷଦ୍‌ର ପ୍ରତିପାଦ୍ୟ ସିଦ୍ଧାନ୍ତ

ଡା. ଗୋପାଳ ଚନ୍ଦ୍ର ଦାଶ

ଛଅଜଣ ଜିଜ୍ଞାସୁ ଋଷିପୁତ୍ର-ସୁକେଶା, ସତ୍ୟକାମ, ସୌର୍ଯ୍ୟାୟଣୀ, କୌଶଲ୍ୟ, ବୈଦର୍ଭି ଓ କବନ୍ଧୀ- ମହର୍ଷି ପିପ୍ପଳାଦଙ୍କ ଆଶ୍ରମକୁ ଆସି ବ୍ରହ୍ମ ସମ୍ବନ୍ଧରେ ଛଅଗୋଟି ପ୍ରଶ୍ନ ପଚାରିଛନ୍ତି। ଋଷି ପିପ୍ପଳାଦଙ୍କ ପ୍ରଶ୍ନୋତ୍ତର ମାଧ୍ୟମରେ ସେମାନଙ୍କର ଶଙ୍କା ସମାଧାନ କରିଛନ୍ତି, ଯାହା ପ୍ରଶ୍ନୋପନିଷଦ୍‌ର ବିଷୟବସ୍ତୁ। ଏହି ଉପନିଷଦ୍‌ଟି ଅଥର୍ବ ବେଦର ପିପ୍ପଳାଦ ଶାଖା ଅନ୍ତର୍ଗତ। ଏହା ଛଅଗୋଟି ବିଭାଗ ଓ ସତଷଠି ମନ୍ତ୍ରକୁ ନେଇ ରଚିତ।
ପ୍ରଥମ ପ୍ରଶ୍ନରେ ଶିଷ୍ୟ କବନ୍ଧୀ ସମସ୍ତ ପ୍ରଜାଗଣ କାହାଠାରୁ ଓ କିପରି ଭାବରେ ସୃଷ୍ଟି ସମ୍ବନ୍ଧରେ ଜିଜ୍ଞାସା କରିଛନ୍ତି। ଉତ୍ତରରେ ମହର୍ଷି ପିପ୍ପଳାଦ କହିଛନ୍ତି ଯେ, ପରମାତ୍ମା ପ୍ରଜାପତି ନିଜର ତପ ବଳରେ ସର୍ବ ପ୍ରଥମେ ଯେଉଁ ଦୁଇଗୋଟି ତତ୍ତ୍ୱ ନିର୍ମାଣ କଲେ, ତାହା ହେଉଛି- ପ୍ରାଣ ଓ ରୟି। ଋଷିଙ୍କ ମତରେ ସୃଷ୍ଟି ଏକତ୍ୱରୁ ନୁହେଁ, ଦ୍ୱୀତ ବା ମିଥୁନରୁ ଜାତ। ତେଣୁ ସୃଷ୍ଟିର ପ୍ରତ୍ୟେକ କ୍ଷେତ୍ରରେ ପ୍ରାଣ ଓ ରୟି ଏହି ଦୁଇଗୋଟି ତତ୍ତ୍ୱ ଦେଖାଯାଏ। ଋଷି ପିପ୍ପଳାଦ ସୃଷ୍ଟି ବିଦ୍ୟାରେ ପ୍ରଜାପତି, ପ୍ରାଣ ଓ ରୟି ବିଷୟକ ତଥ୍ୟ ପ୍ରଦାନ କରି ପ୍ରଜାପତି ଶବ୍ଦକୁ ପରମେଶ୍ୱରଙ୍କ ଭିନ୍ନ ବ୍ୟାପକ ଭାବରେ ସମ୍ବତ୍ସର, ମାସ, ଅହୋରାତ୍ର ଓ ଅନ୍ନ ସହିତ ପ୍ରଯୁକ୍ତ କରି ଉତ୍ତରାୟଣ-ଦକ୍ଷିଣାୟନ, ଶୁକ୍ଳପକ୍ଷ-କୃଷ୍ଣପକ୍ଷ, ସୂର୍ଯ୍ୟ-ଚନ୍ଦ୍ର, ଦିବା-ରାତ୍ର, ପୁରୁଷ-ନାରୀ, ବୀର୍ଯ୍ୟ-ରଜକୁ ଦ୍ୱୈତ ଭାବରେ ପ୍ରତିପାଦନ କରି, ଯଥାକ୍ରମେ ପ୍ରାଣ ଓ ରୟିର ସଂଜ୍ଞା ପ୍ରଦାନ କରିଛନ୍ତି। ତାଙ୍କ ମତରେ ପ୍ରାଣ ଭୋକ୍ତା ଓ ରୟି ଭୋଜ୍ୟ। ପ୍ରାଣ ଚେତନ, ପୁରୁଷତତ୍ତ୍ୱ ଓ ରୟି ଜଡ଼ ପ୍ରକୃତି ତତ୍ତ୍ୱ। ପ୍ରାଣ ପ୍ରକାଶମୟ ଓ ମୁକ୍ତି (ନିର୍ବାଣ)ର ପ୍ରତୀକ। ରୟି ଧୁମ୍ରମୟ ଓ ବନ୍ଧନ (ପୁନର୍ଜନ୍ମ)ର ପ୍ରତୀକ। ସଂକ୍ଷେପରେ କହିବାକୁ ଗଲେ ଈଶ୍ୱରଙ୍କର ଇଚ୍ଛାଶକ୍ତି ଦ୍ୱାରା ଜଡ଼ ଓ ଚେତନର ମିଳନ ଦ୍ୱାରା ସମଗ୍ର ଜୀବଜଗତର ସୃଷ୍ଟି।
ଦ୍ୱିତୀୟ ପ୍ରଶ୍ନରେ ଶିଷ୍ୟ ବୈଦର୍ଭି କେଉଁ ଦେବତାମାନେ ସୃଷ୍ଟିର ଧାରଣ କର୍ତ୍ତା ଓ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ ଦେବତା ଭାବରେ କାହାକୁ ଓ କାହିଁକି ମାନ୍ୟତା ପ୍ରଦାନ କରାଯାଇଛି ବୋଲି ଜିଜ୍ଞାସା କରିଛନ୍ତି।
ଉତ୍ତରରେ ମହର୍ଷି ପିପ୍ପଳାଦ ପଞ୍ଜଭୂତ, (ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ), ପଞ୍ଚପ୍ରାଣ (ପ୍ରାଣ, ଅପାନ, ସମାନ, ବ୍ୟାନ, ଉଦାନ) ଏକାଦଶ ଇନ୍ଦ୍ରିୟ (ପଞ୍ଚ ବିକେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ମନ)କୁ ସୃଷ୍ଟି ତଥା ଶରୀରର ଦେବତା ଭାବରେ ପ୍ରତିପାଦନ କରିଛନ୍ତି। କାରଣ ଏମାନେ ପିଣ୍ଡ ଓ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି। ପ୍ରାଣ ସକଳ ଇନ୍ଦ୍ରିୟର ଆଧାର ହୋଇଥିବାରୁ ପ୍ରାଣକୁ ସର୍ବଶ୍ରେଷ୍ଠ ଦେବତା ଭାବରେ ଦର୍ଶାଯାଇଛି। ରାଣୀ ମହୁମାଛି ପରି ପ୍ରାଣ ସମସ୍ତ ଇନ୍ଦ୍ରିୟକୁ ଆକର୍ଷିତ କରି ନିଜ ଅଧୀନରେ ରଖିଥାଏ। ସୂର୍ଯ୍ୟ-ଚନ୍ଦ୍ରଠାରୁ ପ୍ରାଣଶକ୍ତି ବିଚ୍ଛିନ୍ନ ହେଲେ ସୃଷ୍ଟି ନିଷ୍କ୍ରିୟ ହୁଏ ଓ ଶରୀରରୁ ପ୍ରାଣଶକ୍ତି ପ୍ରୟାଣ ହେଲେ ଇନ୍ଦ୍ରିୟ ନିଷ୍କ୍ରିୟ ହୋଇଯାଏ। ମାତା ପୁତ୍ରର ରକ୍ଷାକର୍ତ୍ତା ଭଳି ପ୍ରାଣ ଇନ୍ଦ୍ରିୟଗୁଡ଼ିକର ରକ୍ଷାକର୍ତ୍ତା। ତେଣୁ ପ୍ରାଣ ସର୍ବଶ୍ରେଷ୍ଠ।
ତୃତୀୟ ପ୍ରଶ୍ନରେ ଶିଷ୍ୟ କୌଶଲ୍ୟ ପ୍ରାଣ ସମ୍ବନ୍ଧରେ ଅଧିକ ଜିଜ୍ଞାସା କରି, ପ୍ରାଣର ଉତ୍ପତ୍ତି, ଆଗମନ (ଶରୀର ମଧ୍ୟରେ ପ୍ରବେଶ) ବିଭକ୍ତୀକରଣ, ଉତ୍‌କ୍ରମଣ (ବହିର୍ଗମନ) ତଥା ବାହ୍ୟ ଓ ଅନ୍ତଃ ଜଗତର ଶାସନ ସମ୍ବନ୍ଧରେ ପ୍ରଶ୍ନ କରିଛନ୍ତି। ଉତ୍ତରରେ ମହର୍ଷି ପିପ୍ପଳାଦ କହିଛନ୍ତି ଯେ, ପରମେଶ୍ୱର ପ୍ରାଣର ଉତ୍ପନ୍ନକର୍ତ୍ତା। ମହାପ୍ରାଣ ଆତ୍ମାରୁ ଉତ୍ପନ୍ନ ହୋଇ ମନର ସଂକଳ୍ପ ଦ୍ୱାରା ଶରୀରରେ ପ୍ରବେଶ କଲା ପରେ ନିଜକୁ ପାଞ୍ଚଭାଗ (ପ୍ରାଣ, ଅପାନ, ସମାନ, ବ୍ୟାନ, ଉଦାନ)ରେ ବିଭକ୍ତ କରି ଶରୀରର ବିଭିନ୍ନ ଅଂଶରେ ଅବସ୍ଥାପନ କରି କାର୍ଯ୍ୟ ସମ୍ପାଦନ କରିଥାଏ। ଆତ୍ମା ଶରୀରର ହୃଦୟ କ୍ଷେତ୍ରରେ ଅବସ୍ଥିତ। ହୃଦୟରୁ ଅଂସଖ୍ୟ ସୂକ୍ଷ୍ମ ପ୍ରବାହ ଧାରା ନାଡ଼ି ଭାବରେ ସମଗ୍ର ଶରୀରରେ ବିଛୁରିତ ହୋଇଥାଏ। ଚେତନ ପ୍ରାଣ ଏହି ନାଡ଼ି ମଧ୍ୟରେ ପ୍ରବାହିତ ହୋଇଥାଏ। ରାଜା ନିଜର ଅଧିକାରୀମାନଙ୍କୁ ରାଜ୍ୟ ଶାସନ ପାଇଁ ବିଭିନ୍ନ କ୍ଷେତ୍ରରେ ସ୍ଥାପିତ କରିବା ପରି ମୁଖ୍ୟପ୍ରାଣ ପଞ୍ଚ ପ୍ରାଣକୁ ଶରୀରର ବିଭିନ୍ନ ଅଙ୍ଗରେ ସ୍ଥାପିତ କରି ଶରୀରକୁ କ୍ରିୟାଶୀଳ କରାଇଥାଏ। ପ୍ରାଣବାୟୁ ଶରୀରର ଉପରିଭାଗ ଆଖି, ନାକ, ମୁଖ ଓ କର୍ଣ୍ଣରେ ଅବସ୍ଥାନ କରି ଅନ୍ୟପ୍ରାଣଗୁଡ଼ିକର କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ। ଅପାନବାୟୁ ଶରୀରର ନିମ୍ନଭାଗ ଉତ୍ସଜନ ଓ ପ୍ରଜନନ ଅଙ୍ଗରେ ଅବସ୍ଥାନ କରି ନିଷ୍କାସନ ପ୍ରକ୍ରିୟା, ଉଦାନ ବାୟୁ ଶରୀରର ମଧ୍ୟଭାଗ ଉଦରରେ ଅବସ୍ଥାନ କରି ଜଠରାଗ୍ନି ଭାବରେ ପାଚନ କ୍ରିୟା, ବ୍ୟାନବାୟୁ ହୃଦୟରେ ଅବସ୍ଥାନ କରି ରକ୍ତ ସଂଚାଳନ କାର୍ଯ୍ୟ ଆଦି ସମ୍ପାଦନ କରିଥାଆନ୍ତି। ହୃଦୟରୁ ମସ୍ତିଷ୍କକୁ ସଂଯୋଗ କରୁଥିବା ସୁଷୁମ୍ନା ନାଡ଼ିରେ ଉଦାନ ବାୟୁ ପ୍ରବାହିତ ହୋଇ ଜୀବର କର୍ମଫଳ ଅନୁସାରେ ଉଚ୍ଚ, ନୀଚ ଓ ମନୁଷ୍ୟ ଯୋନୀ ପ୍ରଦାନରେ ସାହାଯ୍ୟ କରିଥାଏ। ଏହା ପଞ୍ଚ ପ୍ରାଣର ଅନ୍ତଃ ଜଗତ (ଆଧ୍ୟାତ୍ମିକ ଜଗତ)ର ଶାସନ ପ୍ରକ୍ରିୟା। ଶରୀର ବାହାରେ ସୂର୍ଯ୍ୟ, ପୃଥିବୀ, ଆକାଶ, ବାୟୁ ଓ ଅଗ୍ନି ଯଥାକ୍ରମେ ପ୍ରାଣ, ଅପାନ, ସମାନ, ବ୍ୟାନ ଓ ଉଦାନ ରୂପରେ ଦ୍ୱୈଲୋକ, ଅନ୍ତରୀକ୍ଷ ଲୋକ ଓ ପୃଥିବୀ ଲୋକକୁ ଶାସନ କରିଥାଏ। ଏହା ହେଉଛି ପଞ୍ଚପ୍ରାଣ ଶକ୍ତିର ବାହାର ଜଗତର ରୂପ। ଏହି ପ୍ରାଣ ବିଦ୍ୟା ଦ୍ୱାରା ଚେତନ ଓ ଜଡ଼ ଜଗତର ଭେଦକୁ ଜ୍ଞାତ ହେଲେ ବ୍ୟକ୍ତି ସାଂସାରିକ ଦୁଃଖରୁ ଉଦ୍ଧାର ପାଇ ଅଜୟ ପ୍ରାପ୍ତ କରିଥାଏ। ଏଣୁ ପ୍ରାଣ ବିଦ୍ୟା ମୁକ୍ତିଲାଭର ମାର୍ଗ ଅଟେ। (କ୍ରମଶଃ)
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

ବଜେଟରେ ସାଧାରଣ ଜନତା

ଲାଇ ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

ତାଳଗଛ ଓ ବଜ୍ରପାତ

ଇଂ. ମାୟାଧର ସ୍ବାଇଁ ଓଡ଼ିଶା ସରକାର ଏହି ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ତାଳଗଛ କାଟିବାରେ କଟକଣା ଲଗାଇଛନ୍ତି। ବନ ବିଭାଗର ବିନା ଅନୁମତିରେ...

ଗୀତାରେ ପରିବାର

ଦେବଦତ୍ତ ପଟ୍ଟନାୟକ ଭଗବଦ୍‌ ଗୀତାରେ ସମସ୍ୟା କଥାକୁ ଅତି ସ୍ପଷ୍ଟ ଭାବେ ଦର୍ଶାଯାଇଛି ଓ ଏହାର ବର୍ଣ୍ଣନା ପ୍ରଥମ ଅଧ୍ୟାୟରେ ଦେଖିବାକୁ ମିଳେ। ପରିବାରର କିଏ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri