ବିଲୁପ୍ତିକୁ ନେଇ ଚିନ୍ତା

ଡା.ନିତ୍ୟାନନ୍ଦ ସ୍ବାଇଁ

 

ପୃଥିବୀ ପୃଷ୍ଠରୁ ବିଭିନ୍ନ ପ୍ରଜାତିର ପ୍ରାଣୀ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିବାର ଖବର ଆମ ପାଇଁ ଆଉ ନୂଆ ନୁହେଁ। କାରଣ ବିଜ୍ଞାନ-ଗବେଷକମାନେ ଏ ସମ୍ପର୍କରେ ଆମକୁ ନିୟମିତ ଜଣେଇ ଆସୁଛନ୍ତି। କିନ୍ତୁ ସମ୍ପ୍ରତି ଯେଉଁ ପ୍ରଜାତିର ପ୍ରାଣୀମାନଙ୍କ ଜୀବନ ଅତି ବିପଦାପନ୍ନ ତା’ର ତାଲିକା ଖୁବ୍‌ ଲମ୍ବା। ହେଲେ କ’ଣ ଏହାର କାରଣ? ପ୍ରଜାତି ବିଲୁପ୍ତିର ପ୍ରଧାନ କାରଣ ହେଉଛି ବାୟୁମଣ୍ଡଳର ତାପମାତ୍ରାରେ କ୍ରମାଗତ ବୃଦ୍ଧି ଏବଂ ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନ। ମାତ୍ର ଠିକ୍‌ କେତେ ସଂଖ୍ୟାର ପ୍ରଜାତି ଆଜି ପର୍ଯ୍ୟନ୍ତ ଲୋପ ପାଇଯାଇଛନ୍ତି, ତା’ର ନିର୍ଦ୍ଦିଷ୍ଟ ତଥ୍ୟ ଆମକୁ ଜଣା ନ ଥିଲା। ଏବେ ବିଜ୍ଞାନୀମାନେ ତା’ର ତଥ୍ୟ ଦେବାରେ ସଫଳ ହୋଇଛନ୍ତି। ଏବକାର ଏକ ଅନୁଧ୍ୟାନରୁ ଜଣାପଡ଼ିଛି, ଗତ ଅଢ଼େଇ ଶହ ବର୍ଷରେ ପୃଥିବୀ ହରେଇ ବସିଛି ପ୍ରାୟ ଛଅଶହ ପ୍ରଜାତିର ଗଛ। ଏହି ସଂଖ୍ୟା ଏଯାବତ୍‌ ବିଲୁପ୍ତ ହୋଇଯାଇଥିବା ପକ୍ଷୀ, ସ୍ତନ୍ୟପାୟୀପ୍ରାଣୀ ଓ ସରୀସୃପ ପ୍ରଜାତିର ମୋଟ ସଂଖ୍ୟାର ଦୁଇଗୁଣ।
ବୃକ୍ଷ ପ୍ରଜାତିର ଏହି ବିଲୁପ୍ତି ସଂକ୍ରାନ୍ତ ତଥ୍ୟ ଭବିଷ୍ୟତର ବିଲୁପ୍ତିକୁ ଅଟକେଇଦେବାରେ ଯଥେଷ୍ଟ ସହାୟକ ହୋଇପାରେ ବୋଲି ମତ ଦେଇଛି ବିବିସି। ଷ୍ଟକ୍‌ହୋମ୍‌ ବିଶ୍ୱବିଦ୍ୟାଳୟର ଗବେଷକ ଡ. ଏଲିସ ହାମ୍‌ଫ୍ରିସ କହିଛନ୍ତି, ”କେଉଁ କେଉଁ ଉଦ୍ଭିଦ ପୃଥିବୀରୁ ପୂରାପୂରି ଲୋପ ପାଇଯାଇଛନ୍ତି। ତା’ର ନିର୍ଦ୍ଦିଷ୍ଟ ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏଇଟା ହିଁ ପ୍ରଥମ ଗବେଷଣା। କେବଳ ସେତିକି ନୁହେଁ, ବିଲୁପ୍ତ ହୋଇଥିବା ବୃକ୍ଷ ପ୍ରଜାତିଗୁଡ଼ିକୁ ନିର୍ଦ୍ଦିଷ୍ଟ ଭାବରେ ଜାଣିବା ସାଙ୍ଗକୁ, ବିଲୁପ୍ତ ପ୍ରଜାତିର ସ୍ଥାନ ଓ ତା’ର ବିଲୁପ୍ତି ପ୍ରକ୍ରିୟା କେତେଦୂର ଦ୍ରୁତ ତାହା ମଧ୍ୟ ଜଣାପଡ଼ିଛି।“
ଗବେଷଣାର ତଥ୍ୟ ଅନୁଯାୟୀ ଅଧିକାଂଶ ସଂଖ୍ୟକ ବିଲୁପ୍ତି ସଂଘଟିତ ହୋଇଛି ଦ୍ୱୀପାଞ୍ଚଳ ଓ ଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳରେ। ଏହି ଦୁଇଟି ଅଞ୍ଚଳରେ ବଡ଼ ବଡ଼ ଗଛ ପରିଲକ୍ଷିତ ହୋଇଥାଏ ଓ ସେଗୁଡ଼ିକ ମୁଖ୍ୟତଃ କାଠ ଗଛ। ପୁନଶ୍ଚ ଏହି ଦୁଇଟି ଅଞ୍ଚଳରେ ହିଁ ପରିଦୃଷ୍ଟ ହୁଏ ଅଧିକ ଜୈବ ବିବିଧତା। ବ୍ରିଟେନର ରୟାଲ ବଟାନିକ୍‌ ଗାର୍ଡେନ୍ସ, କିଉ ଓ ଷ୍ଟକ୍‌ହୋମ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମିଳିତ ଭାବରେ ଏହି ଗବେଷଣା କରିଛନ୍ତି। ସେମାନେ ଦେଖିଛନ୍ତି, ଗତ ଅଢ଼େଇଶହ ବର୍ଷରେ ପୃଥିବୀରୁ ବିଲୁପ୍ତ ହୋଇଯାଇଛନ୍ତି ପାଞ୍ଚଶହ ଏକସ୍ତରି ପ୍ରଜାତିର ଉଦ୍ଭିଦ। ସେହି ସମାନ ସମୟରେ ପଶୁ, ପକ୍ଷୀ ଓ ସରୀସୃପ ମିଶି ବିଲୁପ୍ତ ପ୍ରଜାତିର ସଂଖ୍ୟା ଦୁଇଶହ ସତର। ଏହି ସମ୍ପର୍କିତ ଗବେଷଣା ନିବନ୍ଧଟି ପ୍ରକାଶ ପାଇଛି ‘ନେଚର ଇକୋଲୋଜି ଆଣ୍ଡ୍‌ ଇଭୋଲ୍ୟୁଶନ୍‌’ ନାମକ ବିଜ୍ଞାନ ପତ୍ରିକାରେ।
ଗବେଷକମାନେ କହିଛନ୍ତି, ”ଏହି ବିଲୁପ୍ତି ପାଇଁ ମଣିଷ ହିଁ ମୁଖ୍ୟତଃ ଦାୟୀ। ପ୍ରାକୃତିକ ଭାବରେ ଦେଖିଲେ, ପ୍ରଜାତି ବିଲୁପ୍ତିର ହାର ପୃଥିବୀ ପୃଷ୍ଠରେ କେବଳ ମଣିଷର ଉପସ୍ଥିତି କାରଣରୁ ହିଁ ବଢ଼ିଯାଇଛି ପାଞ୍ଚଶହ ଗୁଣ।“ ଉଦାହରଣ ଦେଇ ସେମାନେ କହିଛନ୍ତି, ଦକ୍ଷିଣ ଆମେରିକାର ଦେଶ ଚିଲିରୁ ଚନ୍ଦନ ଗଛର ବଂଶ ବୁଡ଼ିଯାଇଛି କେବଳ ପ୍ରସାଧନ ସାମଗ୍ରୀରେ ଚନ୍ଦନର ଅତିମାତ୍ରାରେ ବ୍ୟବହାର ଯୋଗୁ। ସେମାନଙ୍କ ମତରେ ପ୍ରକୃତିକୁ ଧ୍ୱଂସ କରିବାରେ ମଣିଷର ଭୂମିକା ସଂପ୍ରତି ବୃଦ୍ଧି ପାଇଯାଇଛି ପୂର୍ବର ଯେକୌଣସି ସମୟର ତୁଳନାରେ। ତେବେ ରହିଛି କିଛି ଆଶାର ସୂଚନା ମଧ୍ୟ। ଏବେ ଏପରି ଅନେକ ପ୍ରଜାତିର ସନ୍ଧାନ ମିଳିଛି, ଯାହା ବିଲୁପ୍ତ ବୋଲି ପୂର୍ବରୁ ଧରି ନିଆ ହୋଇଥିଲା।
ଏମିତି ଦେଖିବାକୁ ଗଲେ ପାଞ୍ଚଶହ ଏକସ୍ତରିଟି ପ୍ରଜାତିର ଉଦ୍ଭିଦ ବିଲୁପ୍ତ ହୋଇଯିବାଟା କେବଳ ମାତ୍ର ଏକ ସଂଖ୍ୟା ବୋଲି ମନେ ହୋଇପାରେ। କିନ୍ତୁ ବାସ୍ତବରେ ଏହା ସାଙ୍ଗରେ ପୃଥିବୀର ଅନ୍ୟ ଜୀବନ୍ତ ବସ୍ତୁଗୁଡ଼ିକ ଜଡ଼ିତ ରହିଛି ସହାବସ୍ଥାନର କାରଣରୁ। ଉଦ୍ଭିଦ ଆମକୁ ଅମ୍ଳଜାନ ଯୋଗାଏ। ଉଦ୍ଭିଦ ଆମକୁ ଖାଦ୍ୟ ଯୋଗାଇଥାଏ ମଧ୍ୟ। ଫଳରେ ଉଦ୍ଭିଦର ବିଲୁପ୍ତ ଅନ୍ୟ ପ୍ରାଣୀଗୁଡ଼ିକୁ ଅମ୍ଳଜାନ ଓ ଖାଦ୍ୟରୁ ବଞ୍ଚିତ କରାଇ ସେମାନଙ୍କ ବିଲୁପ୍ତିକୁ ତ୍ୱରାନ୍ବିତ କରିଦେଉଥିବାର କାରଣ ଭାବରେ ବିବେଚିତ ହେଉଛି। ଗବେଷଣାଟିର ସହଗବେଷକ ରୟାଲ ବଟାନିକ୍‌ ଗାର୍ଡେନ୍ସ, କିଉର ଡ. ଇମିୟାର ନିକ ଲୁଗାଧା ବିବିସିକୁ କହିଛନ୍ତି, ”ଉଦ୍ଭିଦର ବିଲୁପ୍ତି ସବୁ ପ୍ରଜାତି ପାଇଁ ଏକ ବଡ଼ ଦୁଃସମ୍ବାଦ। କାରଣ କୋଟି କୋଟି ପ୍ରଜାତି ଏଇ ଉଦ୍ଭିଦ ଜାତିଟା ଉପରେ ହିଁ ନିର୍ଭରଶୀଳ। ଏହା ମଧ୍ୟରେ ବି ରହିଛି ମଣିଷ। ତେଣୁ କେଉଁ ଅଞ୍ଚଳରୁ କେଉଁ ପ୍ରଜାତି ଆମେ ହରେଇ ବସୁଛେ, ତାହା ଜାଣିବା ଜରୁରୀ। ବିଶେଷତଃ ବିପନ୍ନ ଓ ମହାବିପନ୍ନ ପ୍ରଜାତିଗୁଡ଼ିକର ସଂରକ୍ଷଣ ପାଇଁ ଆମେ ଦୃଢ଼ ବ୍ୟବସ୍ଥା ଗ୍ରହଣ କରିପାରିବା ଏବଂ ଏକା ସାଙ୍ଗରେ ଏହା ଉପରେ ନିର୍ଭରଶୀଳ ଅନ୍ୟ ପ୍ରଜାତିଗୁଡ଼ିକ ମଧ୍ୟ ବଞ୍ଚିଯାଇପାରିବେ।
ଉଦ୍ଭିଦ ପ୍ରଜାତିର ବିଲୁପ୍ତିକୁ ବ୍ୟାହତ କରିବା ନିମନ୍ତେ ବେଶ୍‌ କିଛି ପ୍ରସ୍ତାବ ରଖିଛନ୍ତି ଗବେଷକମାନେ। ଏହିସବୁ ପ୍ରସ୍ତାବ ମଧ୍ୟରେ ରହିଛି, ପୃଥିବୀର ସବୁ ଉଦ୍ଭିଦ ପ୍ରଜାତିର ରେଜିଷ୍ଟ୍ରେଶନ, ଉଦ୍ଭିଦର ନମୁନା ସଂରକ୍ଷଣ ପାଇଁ ବଳିଷ୍ଠ ବ୍ୟବସ୍ଥା ଗ୍ରହଣ, ଉଦ୍ଭିଦ ବିଜ୍ଞାନୀମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ସହଯୋଗିତା ଏବଂ ସ୍ଥାନୀୟ ଉଦ୍ଭିଦଗୁଡ଼ିକ ସହ ଶିଶୁମାନଙ୍କୁ ପରିଚିତ କରାଇଦେବା।
ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ, ଇଣ୍ଟର୍‌ଗଭର୍ନମେଣ୍ଟାଲ ସାଇନ୍‌ସ ପଲିସି ପ୍ଲାଟଫର୍ମ ଅନ୍‌ ବାୟୋଡାଇଭରସିଟି ଆଣ୍ଡ୍‌ ଇକୋସିଷ୍ଟମ୍‌ ସର୍ଭିସେସ୍‌ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ପୃଥିବୀର ଚାଳିଶ ଶତାଂଶରୁ ଅଧିକ ଉଭୟଚର ପ୍ରାଣୀ ବିଲୁପ୍ତ ହୋଇଯିବାର ଆଶଙ୍କା ଭିତରେ ଅବସ୍ଥାନ କରୁଛନ୍ତି। ଏକ ତୃତୀୟାଂଶ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ, ସାର୍କ ଓ କୋରାଲ୍‌ ବା ପ୍ରବାଳ ପାଇଁ ମଧ୍ୟ ମାଡ଼ି ଆସୁଛି ବିଲୁପ୍ତ ହୋଇଯିବାର ବିପତ୍ତି। ଏପରି କି ଦଶଶତାଂଶ କୀଟପତଙ୍ଗ ମଧ୍ୟ ବିଲୁପ୍ତିର ଦ୍ୱାରଦେଶରେ ଉପନୀତ। ବ୍ରିଟେନ୍‌ରୁ ପ୍ରକାଶିତ ପତ୍ରିକା ‘ଦ ଇକୋନୋମିଷ୍ଟ’ର ଏକ ନିବନ୍ଧରେ କୁହାଯାଇଛି, ବ୍ୟାକ୍ଟେରିଆ, ଫଙ୍ଗସ୍‌ ଓ ଆମିବା ଭଳି ଏକକୋଷୀ ପ୍ରାଣୀମାନଙ୍କୁ ହିସାବ ନ କଲେ ପୃଥିବୀରେ ପ୍ରାୟ ଅଶୀ ଲକ୍ଷ ପ୍ରଜାତିର ଜୀବଜନ୍ତୁ ଓ ଉଦ୍ଭିଦ ଅଛନ୍ତି ବୋଲି ବିଜ୍ଞାନୀମାନେ ଏକମତ।
‘ଇଣ୍ଟରନ୍ୟାଶନାଲ ୟୁନିୟନ୍‌ ଫର୍‌ କନ୍‌ଜର୍‌ଭେଶନ୍‌ ଅଫ୍‌ ନେଚର’ ବା ଆଇ.ୟୁ.ସି.ଏନ୍‌.ର ତଥ୍ୟକୁ ଉଦ୍ଧାର କରି କେତେ ଶତାଂଶ ଜୀବଜନ୍ତୁ ଓ ଉଦ୍ଭିଦ ବିଲୁପ୍ତି ଆଶଙ୍କାରେ ରହିଛନ୍ତି, ତାହା ହିଁ ଦେଖାଇବା ପାଇଁ ଚାହିଁଛନ୍ତି ଗବେଷକଗୋଷ୍ଠୀ। ଆଇ.ୟୁ.ସି.ଏନ୍‌.ର ଆଶଙ୍କା ଏବେଠାରୁ ସତର୍କ ନ ରହିଲେ ପ୍ରାୟ ଚାରି ଭାଗରୁ ଏକ ଭାଗ ପ୍ରଜାତି ବିଲୁପ୍ତ ହୋଇଯିବାର ସମ୍ଭାବନାକୁ ଏଡେଇ ଦେଇ ହେବନି। ବିଲୁପ୍ତି ଆଶଙ୍କାରେ ଥିବା ପ୍ରଜାତିଗୁଡ଼ିକ ମଧ୍ୟରେ ଅନେକ ମେରୁଦଣ୍ଡୀ ପ୍ରଜାତି ଥିଲେ ମଧ୍ୟ ସେଗୁଡ଼ିକ ମଧ୍ୟରେ ବେଶି ଭାଗ ହିଁ ଅମେରୁଦଣ୍ଡୀ। ସେହି ତୁଳନାରେ କୀଟପତଙ୍ଗ ଗୁଡ଼ିକ ବିଲୁପ୍ତ ହୋଇଯିବାର ହାର ଅନେକଟା କମ୍‌ ବୋଲି ମନେକରୁଛନ୍ତି ବିଜ୍ଞାନୀମାନେ। ପୃଥିବୀରେ ରହିଥିବା ଅଶୀ ଲକ୍ଷ ଜୀବଜନ୍ତୁ ଓ ଉଦ୍ଭିଦର ପ୍ରଜାତି ମଧ୍ୟରେ ପ୍ରାୟ ୫୫ ଲକ୍ଷ ପ୍ରଜାତି ହିଁ ପତଙ୍ଗ। ଏହି ୫୫ ଲକ୍ଷ ପ୍ରଜାତିର ପତଙ୍ଗ ମଧ୍ୟରୁ ଦଶ ଶତାଂଶ ବା ସାଢ଼େ ପାଞ୍ଚଲକ୍ଷ ପ୍ରଜାତିର ପତଙ୍ଗ ବିଲୁପ୍ତିର ଦ୍ୱାରପ୍ରାନ୍ତରେ ପହଞ୍ଚିଗଲେଣି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସୁତରାଂ, ଏହି ଦୁନିଆଟା ଯେ ଏକ ଭୟଙ୍କର ଶୂନ୍ୟତା ଦିଗରେ ଦ୍ରୁତ ଅଗ୍ରସର ହୋଇ ଚାଲିଛି, ଏହା ନିଃସନ୍ଦେହ।
‘ଅଭୀପ୍‌ସା’, ସେକ୍ଟର- ୬, ପ୍ଲଟ୍‌ ନଂ- ୧୧୩୧, ଅଭିନବ ବିଡ଼ାନାସୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri