ସୁନ୍ଦର ବିଶ୍ୱ ଗଠନର ଅଙ୍ଗୀକାର

ଗ୍ଲୋବାଲ ଅର୍ଡର’ ବା ବିଶ୍ୱର ଶୃଙ୍ଖଳା ବଦଳିଯାଉଛି। ଶୀତଳ ଯୁଦ୍ଧ ପରବର୍ତ୍ତୀ ୯୦ ଦଶକରେ ଆରମ୍ଭ ହୋଇଥିବା ନବ୍ୟ ଉଦାରବାଦୀ ଆର୍ଥିକ କାର୍ଯ୍ୟକ୍ରମ ଯୁଗରେ ଦ୍ରୁତ ଆର୍ଥିକ ବୃଦ୍ଧି ସତ୍ତ୍ୱେ ଗୋଟିଏ ପରେ ଗୋଟିଏ ବିଶ୍ୱବ୍ୟାପୀ ଆର୍ଥିକ ବିପର୍ଯ୍ୟୟ, କ୍ରମ ବର୍ଦ୍ଧମାନ ସାମାଜିକ ଓ ଆର୍ଥିକ ବୈଷମ୍ୟ ବଢ଼ିଚାଲିଛି। ଏହାସହ କୋଭିଡ୍‌ ମହାମାରୀ, ୟୁରୋପ ଓ ଏସିଆ ବ୍ୟାପୀ ସାମରିକ ସଂଘର୍ଷ, କୃତ୍ରିମ ବୁଦ୍ଧିମତ୍ତା ଏବଂ ଆମେରିକା ଓ ଚାଇନାର ଭୂରାଜନୈତିକ ଲଢ଼େଇ ବିଶ୍ୱର ଯାବତୀୟ ସମୀକରଣକୁ ବଦଳାଇଦେଉଛି। ଏହି ବିଶୃଙ୍ଖଳ ସ୍ଥିତିରୁ ଭବିଷ୍ୟତର ‘ଗ୍ଲୋବାଲ ଅର୍ଡର’ କ’ଣ ହେବାକୁ ଯାଉଛି, ତାହା ଅନୁମାନ କରିବା କଷ୍ଟକର। ଆଗାମୀ ଦିନର ଦିଗକୁ ଦୃଷ୍ଟିଦେଲେ ମନେହୋଇପାରେ ସାମଗ୍ରିକ ଭାବେ ସାରା ବିଶ୍ୱରେ ଆର୍ଥିକ ଓ ସାମରିକ ସଂଘର୍ଷ ବଢ଼ିବ। ଗଣତାନ୍ତ୍ରିକ ଦେଶଗୁଡ଼ିକ ଅସ୍ଥିରତା ଭୋଗିବେ, ବୈଷମ୍ୟତାର ପ୍ରକୋପ ଆହୁରି ବୃଦ୍ଧି ପାଇବ। କିନ୍ତୁ ଅନ୍ୟ ଦିଗରେ ବିକଳ୍ପ ସ୍ଥିତିଶୀଳ ବିଶ୍ୱର କଥା ମଧ୍ୟ ଆମେ ଭାବିପାରୁ ଯେଉଁଠି ଚାଇନା, ଆମେରିକା ସହ ଶକ୍ତିଶାଳୀ ଦେଶଗୁଡ଼ିକର ସମ୍ପର୍କରେ ମତାନ୍ତର ରହିଥିଲେ ମଧ୍ୟ ରଣକୌଶଳଗତ ସହଯୋଗିତା ରହିବ ଏବଂ ସାମରିକ ସଂଘର୍ଷ କମିବ। ଜନସ୍ବାସ୍ଥ୍ୟ ଉନ୍ନତି, ସାମାଜିକ ଓ ଅର୍ଥନୈତିକ ପ୍ରଗତିକୁ ଗୁରୁତ୍ୱ ଦେଇ ବୈଷମ୍ୟ କମାଇବାର ପ୍ରକଳ୍ପଗୁଡ଼ିକ ବାସ୍ତବାୟିତ ହେବ ଏବଂ ଶେଷରେ ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ତଥା ସନ୍ତ୍ରାସବାଦର ହାତରୁ ପୃଥିବୀକୁ ମୁକ୍ତକରିବେ। ଏହି ଗ୍ଲୋବାଲ ଅର୍ଡର ବାସ୍ତବରେ ପ୍ରୟୋଗ କରିବା କଠିନ ହେଲେ ମଧ୍ୟ ଅସମ୍ଭବ ନୁହେଁ। ବିକଳ୍ପ ବ୍ୟବସ୍ଥା ହେବ ଏକ ପ୍ରକାର ‘ମେଟା-ରିଜିମ୍‌’ ଅର୍ଥାତ୍‌ ଏପରି ଏକ ଫ୍ରେମ୍‌ୱାର୍କ ବା ବ୍ୟବସ୍ଥା ଯେଉଁଠି ଚରମ ଶତ୍ରୁ ଦେଶଗୁଡ଼ିକ ଏକ ଟେବୁଲରେ ବସି ଆଲୋଚନା ମାଧ୍ୟମରେ ଗଣତାନ୍ତ୍ରିକ ପ୍ରକ୍ରିୟାର ଯାବତୀୟ ସମସ୍ୟାର ସମାଧାନ କରିବାର ସୁଯୋଗ ପାଇବେ , ଯାହା ବର୍ତ୍ତମାନ ବିଶ୍ୱବାଣିଜ୍ୟ ସଂସ୍ଥା ଅଥବା ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ବ୍ୟବସ୍ଥାରେ ସମ୍ଭବ ନୁହେଁ। ଆଲୋଚନା ଆଗେଇ ନେଇଯିବା ସ୍ବାର୍ଥରେ ଏ କ୍ଷେତ୍ରରେ ସମସ୍ତଙ୍କ ଆଗରେ ଆମକୁ ବୁଝିବାକୁ ହେବ ବର୍ତ୍ତମାନର ବିଶ୍ୱ ଶୃଙ୍ଖଳାର ଦୁର୍ବଳତା କ’ଣ ସବୁ?
୧୯୯୦ ପରବର୍ତ୍ତୀ ନବ୍ୟ ଉଦାରବାଦୀ ବିଶ୍ୱାୟନର ଅର୍ଥନୈତିକ ମଡେଲ କ୍ରମଶଃ ଅଭ୍ୟନ୍ତରୀଣ ସମସ୍ୟା ସାମ୍ନା କରିବାରେ ଲାଗିଛି। ସୁପରପାୱାର ସହ ଅଧିକାଂଶ ବିକାଶଶୀଳ ଦେଶର ଆର୍ଥିକ ଅଭିବୃଦ୍ଧିର ସିଂହଭାଗ ବ୍ୟବହୃତ ହେଉଛି ସାମରିକ ଖର୍ଚ୍ଚ ବାବଦରେ। ଫଳରେ ରାଷ୍ଟ୍ରର ସାମାଜିକ କଲ୍ୟାଣକାରୀ ବ୍ୟବସ୍ଥା କ୍ରମଶଃ ବ୍ୟର୍ଥ ହେବାରେ ଲାଗିଛି।
ନୂତନ ବିଶ୍ୱ ବ୍ୟବସ୍ଥାର ଶକ୍ତିଶାଳୀ ଦେଶଗୁଡ଼ିକ ସକଳ ବିଷୟରେ ସହମତ ହେବା ଦରକାର। ଏହାସହ କିଛି ମୂଳଗତ ନିୟମ ଆଧରରେ ନୂଆ ବ୍ୟବସ୍ଥାକୁ ମାନି ଚଳିବାକୁ ହେବ। ବିବଦମାନ ଏକ ପକ୍ଷର ଲାଭ ହେଲେ ମଧ୍ୟ ଅପରପକ୍ଷର କ୍ଷତି ନ ହେବା ଏବଂ ସର୍ବଶେଷରେ ଏକାଧିକ ଦେଶର ମିଳିତ ପ୍ରଚେଷ୍ଟାରେ ସମସ୍ୟାର ସମାଧାନ କରିବାକୁ ପଡ଼ିବ। ପ୍ରଥମ ଶ୍ରେଣୀର ନିଷେଧାଦେଶ ଯୋଗ୍ୟ କାର୍ଯ୍ୟ ହେଲା ଯେକୌଣସି ପ୍ରକାର ଯୁଦ୍ଧ ବେସାମରିକ ଲୋକଙ୍କ ଉପରେ ମିଶାଇଲ ଚଳାଇବାଠାରୁ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣରୁ ବିରତ ରହିବା। ଦ୍ୱିତୀୟ ଶ୍ରେଣୀ(କାଟାଗୋରି)ରେ ଏଭଳି ବିଷୟଗୁଡ଼ିକୁ ରଖିବାକୁ ହେବ, ଯାହା ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପାରିଲେ ସମ୍ପୃକ୍ତ ଦେଶଗୁଡ଼ିକ ଉପକୃତ ହେବେ, ଯେପରି ସମ୍ପ୍ରତି ଆମେରିକା-ଚାଇନା ବାଣିଜ୍ୟ ବୁଝାମଣା। ଏହି ଚୁକ୍ତି ଅନୁଯାୟୀ ଚାଇନାଠାରୁ ଆମେରିକା ରେୟାର ଆର୍ଥ ମ୍ୟାଟେରିଆ (ବିରଳ ମୃତ୍ତିକା ଦ୍ରବ୍ୟ) ଆମଦାନୀ ସହଜରେ ହୋଇଛି ।
ସେହିପରି ଆମେରିକାରୁ ଚାଇନା ଉନ୍ନତ ପ୍ରଯୁକ୍ତି ରପ୍ତାନି ସମେତ କିଛି କିଛି ଅର୍ଥନୈତିକ ନିଷେଧାଦେଶ ଉଠାଇନେବାର ସିଦ୍ଧାନ୍ତ ହୋଇଛି।
ଯେଉଁ ପରିସ୍ଥିତିରେ ଆଲୋଚନା କରିବା କିମ୍ବା ସମାଧାନର ପଥ ଖୋଜି ପାଇବା ସମ୍ଭବ ନ ହେବ ସେଠାରେ ଆସିବ ତୃତୀୟ ଶ୍ରେଣୀ (କାଟାଗୋରି)ର ବିଷୟ, ଯାହାର ମୂଳନୀତି ହେବ ଅନ୍ୟ ଦେଶର ରାଜନୈତିକ, ସାମାଜିକ ଏବଂ ଭୌଗୋଳିକ ସାର୍ବଭୌମତ୍ୱ ଉପରେ ସିଧାସଳଖ ହସ୍ତକ୍ଷେପ ନ କରିବା। ଫଳରେ ଉପମହାଦେଶର ଆଖପାଖର ଦେଶଗୁଡ଼ିକ ସହ ବିଭିନ୍ନ କ୍ଷେତ୍ରରେ ବୈଷମ୍ୟ ବୃଦ୍ଧି ପାଇଲେ ମଧ୍ୟ ସେମାନଙ୍କ ସାର୍ବଭୌମତ୍ୱରେ କ୍ଷତି ହେବନାହିଁ। ଚତୁର୍ଥ ତଥା ଶେଷ ଶ୍ରେଣୀର ବିଷୟ ହେଲା କୋଭିଡ୍‌ ୧୯, ସନ୍ତ୍ରାସବାଦ, ପରମାଣୁ ଅସ୍ତ୍ରର ବ୍ୟବହାର ଏବଂ ଜଳବାୟୁ ପରିବର୍ତ୍ତନ ପରି ବିଷୟ, ଯେଉଁଠି ଏକାଧିକ ଦେଶର ସହଯୋଗିତା ଏକାନ୍ତ ପ୍ରୟୋଜନ। ସମ୍ପ୍ରତି ସଂଘର୍ଷମୟ ପରିବେଶରେ ଏହି ବ୍ୟବସ୍ଥାରେ ସୁଫଳଗୁଡ଼ିକୁ ବୁଝିହେବ ଯେପରି ନିରପେକ୍ଷ ସଂସ୍ଥା ଦ୍ୱାରା ଗାଜା ଭୂଖଣ୍ଡର ଖାଦ୍ୟ ସଙ୍କଟ ଓ ଶିଶୁ ମୃତ୍ୟୁର ସମୀକ୍ଷା କରାଯାଇଥିଲେ ହୁଏତ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇ ନ ଥାନ୍ତା।
ଆଉ ଏକ ଉଦାହରଣ ହୋଇପାରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ। ଏଥିରେ ଦୁଇ ଦେଶର ସାମଗ୍ରିକ କ୍ଷତି ହେବା ସହ ତୃତୀୟ ପକ୍ଷ ରୂପେ ସାରା ୟୁରୋପ ବିପଦରେ ପଡ଼ିଛି। ରୁଷିଆ ଉପରେ ଅଧିକ ନିଷେଧାଜ୍ଞା ଜାରିକରିବା ଫଳରେ ୟୁରୋପ ଏପରିକି ଆଫ୍ରିକା ଓ ଏସିଆର ଅନେକ ଦେଶରେ ଗ୍ୟାସ୍‌ ଏବଂ ପେଟ୍ରୋଲ ମୂଲ୍ୟ ବଢ଼ିଯାଇଛି। ଫଳରେ ସବୁଠାରୁ ବେଶି ଗରିବ ଓ ବିକାଶଶୀଳ ଦେଶଗୁଡ଼ିକ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହା ସହ ୟୁକ୍ରେନ୍‌ ଶସ୍ୟ ଉପରେ ରୁଷିଆର ଅବରୋଧ ଯୋଗୁ ବିଶ୍ୱର କିଛି ଦେଶରେ ଖାଦ୍ୟର ମୂଲ୍ୟ ଊର୍ଦ୍ଧ୍ୱମୁଖୀ। ଏହି ସ୍ଥିତିର ମୁକାବିଲା ପାଇଁ ଉପରେ ଉଲ୍ଲେଖ କରାଯାଇଥିବା ଦ୍ୱିତୀୟ ଓ ଚତୁର୍ଥ ଶ୍ରେଣୀ ବିଷୟରେ କୂଟନୀତି ପ୍ରୟୋଗ କରିବା ଉଚିତ ଥିଲା। ୟୁକ୍ରେନ୍‌ ଯଦି ରୁଷିଆର ପ୍ରଭାବରୁ ମୁକ୍ତ ରହିବାକୁ ଚାହେଁ ତା’ହେଲେ ସେହି କାର୍ଯ୍ୟ ନାଟୋର ଘାଟି ପ୍ରତିଷ୍ଠା ମାଧ୍ୟମରେ ନ କରି ଜାତିସଂଘର ନିରାପତ୍ତା ପରିଷଦ ମାଧ୍ୟମରେ ବେଶି ଗ୍ରହଣଯୋଗ୍ୟ ହୋଇଥାଆନ୍ତା।
ସମାନ କଥା ଏସିଆକୁ କେନ୍ଦ୍ରକରି ଚାଇନା- ଆମେରିକା ସଂଘାତ କ୍ଷେତ୍ରରେ ପ୍ରଯୁଜ୍ୟ। ଉଭୟ ଦେଶ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ସେମାନଙ୍କ ନୀତି ସମ୍ପର୍କରେ କିଛି କହିନାହାନ୍ତି। ଏହା ବଦଳରେ ମଝିରେ ମଝିରେ ମୂଳତଃ ତାଇୱାନ ଓ ବିଶ୍ୱ ବାଣିଜ୍ୟକୁ କେନ୍ଦ୍ରକରି ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି, ଯାହା କୌଣସି ଭାବେ ଦୁଇଟି ଶକ୍ତିଶାଳୀ ଦେଶ ମଧ୍ୟରେ ସମ୍ପର୍କ ବଢ଼ାଇ ପାରିବନାହିଁ।
ଏ ପର୍ଯ୍ୟନ୍ତ ଆମ ଆଲୋଚନାର କେନ୍ଦ୍ର ଥିଲା ରାଷ୍ଟ୍ର ସହ ରାଷ୍ଟ୍ରର (ଷ୍ଟେଟ ଟୁ ଷ୍ଟେଟ ରିଲେଶନ) ସମ୍ପର୍କ। ତେବେ କିଛି ନନ୍‌ଷ୍ଟେଟ୍‌ ଆକ୍ଟର (ଅଣସରକାରୀ ସଙ୍ଗଠନ) ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି। ଇଣ୍ଟରନେଟ୍‌ ଓ ସାମାଜିକ ଗଣମାଧ୍ୟମରେ ବଳୀୟାନ ସାରା ପୃଥିବୀର ଚିନ୍ତାଶୀଳ ବ୍ୟକ୍ତିମାନେ ଆଜି ଏକ ସୂତ୍ରରେ ଗୁନ୍ଥାହେବା ଫଳରେ ଆଗାମୀ ଦିନର ଗ୍ଲୋବାଲ ଅର୍ଡର କ’ଣ ହେବ ତାକୁ ନେଇ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଆଲୋଚନା ଆରମ୍ଭ ହେବା ଦରକାର। ନ ହେଲେ ଏହାଠାରୁ ଦୁର୍ବଳତର ଭବିଷ୍ୟତ ଆମେ ଦେଖିପାରିବା। କିନ୍ତୁ ସୁନ୍ଦର ପୃଥିବୀ ଗଢ଼ିତୋଳିବାର ଯେଉଁ ସୁଯୋଗ ଆମର ଅଛି, ସେହି ସୁଯୋଗକୁ ଗ୍ରହଣ କରିବା ପରବର୍ତ୍ତୀ ପ୍ରଜନ୍ମର ସ୍ବାର୍ଥ ପାଇଁ ଏକାନ୍ତ ପ୍ରୟୋଜନୀୟ।
ପ୍ରାଚୀ, ଉତ୍କଳମଣି ମାର୍ଗ, କଟକ
ମୋ: ୯୩୪୮୧୬୯୯୩୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?