ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍’ କାର୍ଯ୍ୟକ୍ରମରେ ହାସ୍ୟାଭିନେତା ପୁଲକିତ୍ ମଣି ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନକଲ କରିଥିଲେ । ଉକ୍ତ ପ୍ରଦର୍ଶନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜନୈତିକ ବିବାଦ ଜୋର୍ ଧରିଛି। ଶନିବାର ଉକ୍ତ କାର୍ଯ୍ୟକ୍ରମ ହୋଇଥିଲା, ଯେଉଁଠି ରାହୁଲଙ୍କ ସହ ମଣି ଏକାଠି ମଞ୍ଚରେ ଉପସ୍ଥିତ ଥିଲେ। ବିଦେଶୀ ନେତାମାନଙ୍କୁ ଭେଟିବା ବେଳେ ମୋଦିଙ୍କ କହିବା ଶୈଳୀକୁ ମଣି ନକଲ କରୁଥିବା ଦେଖାଯାଇଥିଲା।
ରାହୁଲଙ୍କ କାର୍ଯ୍ୟକ୍ରମରେ ଷ୍ଟାଣ୍ଡଅପ୍ କମେଡିଆନ୍ ପ୍ରଧାନମନ୍ତ୍ରୀଙ୍କୁ ବ୍ୟଙ୍ଗ କରିବା ଘଟଣାକୁ ଭାଜପା ତୀବ୍ର ନିନ୍ଦା କରିଛି। କଂଗ୍ରେସ ଦଳ ହାସ୍ୟାଭିନେତା ଓ ଜୋକରମାନଙ୍କ ଦଳରେ ପରିଣତ ହୋଇଛି ଓ ଦଳ ସବୁଦିନ ପାଇଁ ବିଦାୟ ନେଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ Xରେ ଲେଖିଛନ୍ତି । ଏହା ନୀଚ, ଅଶ୍ଳୀଳ ଟୋଲମାନଙ୍କ ଦ୍ୱାରା ପ୍ରଦର୍ଶିିତ ଅଶାଳୀନ କାରନାମା ବୋଲି ଭାଜପା ମୁଖପାତ୍ର ସି.ଆର୍. କେଶବନ୍ କହିଛନ୍ତି।

