ସ୍ତମ୍ଭ ଓ ସ୍ତମ୍ଭ ସାହିତ୍ୟ

ଖବରକାଗଜରେ କୌଣସି ଲେଖକର ଆଲେଖ୍ୟ ଯଦି ସ୍ତମ୍ଭ ରୂପରେ ମୁଦ୍ରିତ ହୋଇ ପ୍ରକାଶ ପାଏ ତାକୁ ସ୍ତମ୍ଭ କୁହାଯାଏ ଓ ସେହି ଲେଖକଙ୍କୁ ସ୍ତମ୍ଭକାର କୁହାଯାଏ। ସାଧାରଣତଃ ସ୍ତମ୍ଭଗୁଡ଼ିକରେ ସମସାମୟିକ ସମାଜର ରାଜନୀତିକ, ଅର୍ଥନୀତିକ, ସାଂସ୍କୃତିକ, ଧାର୍ମିକ ତଥା ବହୁବିଧ ସମସ୍ୟା ଆଲୋଚିତ ହୁଏ। ସମାଜର ବିଭିନ୍ନ ସମସ୍ୟା ଉତ୍‌ଥାପନ ଓ ଅନୁଶୀଳନ କଲାବେଳେ ସ୍ତମ୍ଭକାର ତା’ର ନିଜସ୍ବ ମତକୁ ପରିବେଷଣ କରେ। ମାତ୍ର ଖବରକାଗଜରେ ପ୍ରକାଶ ପାଉଥିବା ସମସ୍ତ ସ୍ତମ୍ଭ ସାହିତ୍ୟ ପଦବାଚ୍ୟ ହୋଇପାରେ ନାହିଁ। ଯଦି ସ୍ତମ୍ଭ ସାହିତ୍ୟର ମାନ ଓ ମୂଲ୍ୟବୋଧ ରକ୍ଷା ନ କରେ ତାହା ସାହିତ୍ୟ ନୁହେଁ। ତାହା କେବଳ ସ୍ତମ୍ଭ। ଅପର ପକ୍ଷରେ ସାହିତ୍ୟ ସର୍ବଦା ସାହିତ୍ୟ, ତାହା ସ୍ତମ୍ଭ ରୂପରେ ପ୍ରକାଶ ପାଉ ଅବା ଭିନ୍ନ ରୂପରେ ପ୍ରକାଶ ପାଉ। ଖବର ମଧ୍ୟ ସ୍ତମ୍ଭ ରୂପରେ ପ୍ରକାଶ ପାଏ, ମାତ୍ର ତାକୁ କେହି ସ୍ତମ୍ଭ ଖବର କହନ୍ତି ନାହିଁ। ତା’ହେଲେ ସାହିତ୍ୟ ସ୍ତମ୍ଭ ରୂପରେ ପ୍ରକାଶ ପାଇଲେ ତାକୁ କାହିଁକି ସ୍ତମ୍ଭ ସାହିତ୍ୟ କୁହାଯିବ, ତାହା ବିତର୍କର ବିଷୟ। ଏଣୁ ସ୍ତମ୍ଭ ସାହିତ୍ୟକୁ ଏବେ ଖବର ସାହିତ୍ୟ କୁହାଗଲାଣି କାରଣ ଏହା ଖବର ଆଧାରିତ।
ଏହି କିଛିବର୍ଷ ହେଲା ସ୍ତମ୍ଭ ସାହିତ୍ୟକୁ ଏକ ସାହିତି୍ୟକ ସଂରଚନା (literary form) ଭାବରେ ଗ୍ରହଣ କରାଯାଉଛି। ତା’ପୂର୍ବରୁ କେବଳ ସ୍ତମ୍ଭ ଶବ୍ଦଟି ବ୍ୟବହାର ହେଉଥିଲା। ତା’ପୂର୍ବରୁ ଆମେ ସ୍ତମ୍ଭ କହିଲେ ଆଜିକାଲି ଯାହା ବୁଝୁ ସେହିଭଳି ଆଲେଖ୍ୟ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶ ପାଉଥିଲା, ମାତ୍ର ସ୍ତମ୍ଭ ଶବ୍ଦ ବ୍ୟବହାର ହେଉ ନ ଥିଲା। ଅଷ୍ଟାଦଶ ଶତାବ୍ଦୀର ଆଦ୍ୟଭାଗରେ ଇଂଲଣ୍ଡରେ ସାମୟିକ ପତ୍ରିକା (periodical essay)ର ଉଦ୍ଭବ ହେଲା। ୧୭୦୯ ମସିହାରେ ରିଚାର୍ଡ ଷ୍ଟିଲ୍‌ ”ଦି ଟେଟ୍‌ଲର୍‌“ ନାମରେ ଗୋଟିଏ ସାମୟିକ ପତ୍ରିକା ପ୍ରକାଶ କଲେ ଓ ୧୭୧୧ରେ ଯୋଶେଫ୍‌ ଏଡିସନ୍‌ ଓ ରିଚାର୍ଡ୍‌ ଷ୍ଟିଲ୍‌ଙ୍କ ଯୁଗ୍ମ ପ୍ରଚେଷ୍ଟାରେ ‘ଦି ସ୍ପେକ୍ଟାଟର’ ନାମରେ ଏକ ପତ୍ରିକା ପ୍ରକାଶ ପାଇଲା। ସେମାନେ ଏହି ପତ୍ରିକାରେ ସମସାମୟିକ ଘଟଣାବଳୀ, ରାଜନୀତି, ଧର୍ମ, ନୀତିବୋଧ ଆଦି ସମ୍ପର୍କରେ ଆଲୋଚନା କରି ନିୟମିତ ଭାବରେ ପ୍ରବନ୍ଧ ପ୍ରକାଶ କଲେ। ପରବର୍ତ୍ତୀ କାଳରେ ସେଗୁଡିକ ସାହିତ୍ୟ ଭାବରେ ଗୃହୀତ ହେଲା। ସେତେବେଳେ ସେହି ପ୍ରବନ୍ଧଗୁଡିକ ସ୍ତମ୍ଭ ରୂପରେ ପ୍ରକାଶ ପାଉ ନ ଥିଲେ ମଧ୍ୟ ସେଗୁଡିକ ହେଉଛନ୍ତି ଆଜିର ଖବରକାଗଜରେ ପ୍ରକାଶ ପାଉଥିବା ସ୍ତମ୍ଭସାହିତ୍ୟର ଅଗ୍ରଦୂତ। ରିଚାର୍ଡ ଷ୍ଟିଲ୍‌ ଏହାର ମୂଳଦୁଆ ପକାଇଥିଲେ। ସେତେବେଳେ ଉଭୟ ଷ୍ଟିଲ୍‌ ଓ ଏଡିସନ୍‌ଙ୍କ ପ୍ରବନ୍ଧଗୁଡ଼ିକ ଜନମତକୁ ପ୍ରଭାବିତ କରୁଥିଲା। କ୍ରମେ ଏହିଭଳି ପ୍ରବନ୍ଧର ପାଠକୀୟତା ବଢ଼ିଲା। ଊନବିଂଶ ଶତାବ୍ଦୀରେ ଉଇଲିଅମ୍‌ ହାଜଲିଟ୍‌ ଓ ଚାର୍ଲାସ୍‌ ଲେମ୍ବ୍‌ଙ୍କ ପ୍ରବନ୍ଧ ନିୟମିତ ଭାବରେ ପ୍ରକାଶ ପାଇଲା। ହାଜଲିଟ୍‌ଙ୍କ ପ୍ରବନ୍ଧଗୁଡ଼ିକ ଦି ଏକ୍‌ଜାମିନର, ଦି ଲଣ୍ଡନ୍‌ ମାଗାଜିନ ଓ ଦି ଏଡିନ୍‌ବର୍ଗ ରିଭ୍ୟୁରେ ଏବଂ ଲେମ୍ବ୍‌ଙ୍କ ପ୍ରବନ୍ଧଗୁଡିକ ଲଣ୍ଡନ ମାଗାଜିନ୍‌ରେ ପ୍ରକାଶ ପାଇ ଆଦୃତ ହେଲା। ସେତେବେଳେ ସ୍ତମ୍ଭ ଶବ୍ଦଟି ଆଜିର ଅର୍ଥରେ ବ୍ୟବହାର ହେଉ ନ ଥିଲା, ମାତ୍ର ସେଗୁଡିକ ଆଜି ଖବରକାଗଜରେ ପ୍ରକାଶ ପାଉଥିବା ସ୍ତମ୍ଭ ସାହିତ୍ୟର ବିକଶିତ ରୂପ।
ଊନବିଂଶ ଶତାବ୍ଦୀର ଶେଷ ଦଶକରେ ଆଧୁନିକ ଖବରକାଗଜର ପ୍ରସାରଣ ବଢ଼ିବା ପରେ ପୃଷ୍ଠାଗୁଡ଼ିକୁ ସ୍ତମ୍ଭ ଭାବରେ ବିଭାଜନ କରି ମୁଦ୍ରଣ କରାଗଲା ଓ ତା’ପରେ ସ୍ତମ୍ଭ ଶବ୍ଦ ବ୍ୟବହାର ହେଲା। ଭାରତରେ ବ୍ରିଟିଶ ସାମ୍ବାଦିକତାର ପ୍ରଭାବରେ ଖବରକାଗଜଗୁଡିକ ସ୍ତମ୍ଭ ମୁଦ୍ରଣ ଆରମ୍ଭ କଲେ ଓ ବିଂଶ ଶତାବ୍ଦୀର ଆଦ୍ୟଭାଗରେ ସ୍ତମ୍ଭଲିଖନ ଆରମ୍ଭ ହେଲା। ଦି ହିନ୍ଦୁ, ଅମୃତ ବଜାର, ୟଙ୍ଗ୍‌ ଇଣ୍ଡିଆ, ହରିଜନ ଇତ୍ୟାଦି ପତ୍ରିକାରେ ସ୍ତମ୍ଭ ଏକ ସ୍ପଷ୍ଟ ବିଭାଗ ଭାବରେ ମୁଣ୍ଡଟେକିଲା ଓ ସେହି ସ୍ତମ୍ଭଗୁଡ଼ିକରେ ଲେଖକମାନେ ନିଜର ସ୍ପଷ୍ଟ ମତ ପ୍ରକାଶ କଲେ। ସ୍ବାଧୀନତା ପରବର୍ତ୍ତୀ ସମୟରେ ରାଜନୀତି, ସମାଜ ସଂସ୍କାର, ଅର୍ଥନୀତି, ପର୍ଯ୍ୟାବରଣ, ଖେଳ ଆଦି ବିବିଧ ବିଷୟରେ ସ୍ତମ୍ଭ ଲେଖାହେଲା। କୁଲଦୀପ ନାୟାର, ଖୁସ୍‌ୱନ୍ତ ସିଂ, ଏମ୍‌ .ଜେ. ଆକବର ଆଦି ସ୍ତମ୍ଭ ଲେଖି ଆଦୃତ ହେଲେ। ସମ୍ପ୍ରତି ରାମଚନ୍ଦ୍ର ଗୁହା, ଇତିହାସ, ରାଜନୀତି, ପର୍ଯ୍ୟାବରଣ ଉପରେ, ଯୋଗେନ୍ଦ୍ର ଯାଦବ ରାଜନୀତି, ଗଣତନ୍ତ୍ର ଭଳି ବିଷୟ ଉପରେ, ଶେଖର ଗୁପ୍ତା ସମସାମୟିକ ଶାସନ ଓ ଘଟଣାବଳୀ ଉପରେ, ପି ସାଇନାଥ ସାମାଜିକ ନ୍ୟାୟ, ଗ୍ରାମୀଣ ଭାରତ ଉପରେ, ସ୍ବାମୀନାଥନ୍‌ ଅର୍ଥନୀତି, ସାମାଜିକ ଜୀବନ, ଶିକ୍ଷା ଉପରେ ଓ ବିବେକ ଦେବରାୟ ଅର୍ଥନୀତି, ଶାସନ ପଦ୍ଧତି, ଆଇନ ଆଦି ଉପରେ ସ୍ତମ୍ଭ ଲେଖୁଛନ୍ତି।
ଓଡ଼ିଶାରେ ସାମ୍ବାଦିକତା ଆରମ୍ଭ ହେଲା ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ। ଉକତ୍ଳ ଦୀପିକା (୧୮୬୬)ରେ ସମସାମୟିକ ସାମାଜିକ ସମସ୍ୟା, ସାହିତ୍ୟ, ସଂସ୍କୃତି ଆଧାରିତ ମନନଶୀଳ ପ୍ରବନ୍ଧ ପ୍ରକାଶ ପାଇଲା। ସେତେବେଳେ ସ୍ତମ୍ଭ ଶବ୍ଦ ବ୍ୟବହୃତ ହେଉ ନ ଥିଲେ ମଧ୍ୟ ଏହି ପତ୍ରିକା ସ୍ତମ୍ଭ ଲିଖନର ମୂଳଦୁଆ ପକାଇଥିଲା, କାରଣ ଏହା ତତ୍କାଳୀନ ଜାତୀୟ ସମସ୍ୟାକୁ ବ୍ୟକ୍ତିଗତ ମତ ସହ ପ୍ରକାଶ କରୁଥିଲା। ସମାଜ ୧୯୧୯ରେ ପ୍ରତିଷ୍ଠା ହେବା ପରେ ସାମ୍ବାଦିକତାର ପରିସର ବୃଦ୍ଧିପାଇଲା। ଅନେକ ଲେଖକ ସମାଜ ସଂସ୍କାର, ଜାତୀୟତା, ରାଜନୀତିକ ପରିସ୍ଥିତି, ଭାଷା, ଅସ୍ମିତା ଆଦି ବିଷୟରେ ସ୍ତମ୍ଭ ଲେଖିଲେ। ପରବର୍ତ୍ତୀ ସମୟରେ ପ୍ରଜାତନ୍ତ୍ର, ଧରିତ୍ରୀ, ପ୍ରଗତିବାଦୀ ଆଦି ଖବରକାଗଜରେ ପ୍ରତ୍ୟେକ ଦିନ ବିବିଧ ବିଷୟକ ସ୍ତମ୍ଭ ପ୍ରକାଶ ପାଇ ଜନାଦୃତ ହେଲା। ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ହରେକୃଷ୍ଣ ମହତାବ, ସୁରେନ୍ଦ୍ର ମହାନ୍ତି, ସାତକଡି ହୋତା, ବିଭୂତି ପଟ୍ଟନାୟକ, ଚିତ୍ତରଞ୍ଜନ ଦାସ, ମନୋଜ ଦାସ ଆଦି ସ୍ତମ୍ଭ ରଚନା କରି ଜନମତକୁ ପ୍ରଭାବିତ କରିବାରେ ସଫଳ ହେଲେ। ପରବର୍ତ୍ତୀ ସମୟରେ ସେଗୁଡିକ ସଂକଳିତ ହୋଇ ସାହିତ୍ୟର ମର୍ଯ୍ୟାଦା ଲାଭକଲା। ହରେକୃଷ୍ଣ ମହତାବଙ୍କ ‘ଗାଁ ମଜ୍‌ଲିସ’, ସୁରେନ୍ଦ୍ର ମହାନ୍ତିଙ୍କ ‘ଶେଷସ୍ତମ୍ଭ’, ଚିତ୍ତରଞ୍ଜନ ଦାସଙ୍କ ‘ବିଶ୍ୱକୁ ଗବାକ୍ଷ’ ଓ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ସ୍ତମ୍ଭ ସାହିତ ଭାବରେ ବହୁଜନାଦୃତ।
ଖବରକାଗଜଗୁଡ଼ିକରେ ଗଳ୍ପ, କବିତା, ରମ୍ୟରଚନା ଆଦି ନିର୍ଦ୍ଦିଷ୍ଟ ଦିନରେ ସ୍ତମ୍ଭ ଆକୃତିରେ ପ୍ରକାଶ ପାଉଥିଲେ ମଧ୍ୟ ତାକୁ ସ୍ତମ୍ଭ ସାହିତ୍ୟ କୁହାଯାଏ ନାହିଁ। ତାହା କେବଳ ସାହିତ୍ୟ ଅନ୍ତର୍ଭୁକ୍ତ। ସ୍ତମ୍ଭ ସାହିତ୍ୟ ମୂଳତଃ ସାମ୍ବାଦିକତାର ଗୋଟିଏ ସଂରଚନା ଭାବରେ ଉଦ୍ଭବ ହୋଇଛି। ମାତ୍ର ସବୁ ସ୍ତମ୍ଭ ସାହିତ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନାହିଁ। ସାହିତ୍ୟର ଆତ୍ମା ହେଉଛି ରସ। ବ୍ୟବହୃତ ଶବ୍ଦାବଳୀ ଓ ପରିବେଷଣ ଶୈଳୀ ଯଦି ପାଠକ ହୃଦୟରେ କଳାତ୍ମକ ଆନନ୍ଦ ସୃଷ୍ଟି କରି ନ ପାରେ ତାହା ସାହିତ୍ୟ ପଦବାଚ୍ୟ ନୁହେଁ। ସାହିତ୍ୟ ପାଠକର କଳ୍ପନା ଓ ଭାବାବେଗକୁ ସ୍ପର୍ଶ କରେ। ଏହା ମଣିଷ ଜୀବନର ବିଭିନ୍ନ ଦିଗକୁ ଅନୁଶୀଳନ କରେ, ମାତ୍ର ସିଧାସଳଖ ଉପଦେଶଧର୍ମୀ ନ ହୋଇ ଜୀବନ ପ୍ରତି ଏକ ନୈତିକ ଓ ଦାର୍ଶନିକ ଦୃଷ୍ଟିଭଙ୍ଗୀ ପ୍ରଦାନ କରେ। ଯେଉଁ ସ୍ତମ୍ଭ କେବଳ ସମସାମୟିକ ତଥ୍ୟଭିତ୍ତିକ ତା’ର ସ୍ଥାୟିତ୍ୱ ବେଶିଦିନ ରହେ ନାହିଁ। ସମୟ ଗଡିଗଲେ ତଥ୍ୟ ପ୍ରାସଙ୍ଗିକତା ହରାଏ। ମାତ୍ର ଯେତେବେଳେ ସ୍ତମ୍ଭକାର ତଥ୍ୟକୁ ତତ୍ତ୍ୱ ସହ ମିଶାଇ ସାହିତ୍ୟର ପୁଟ ଦେଇ ଆକର୍ଷଣୀୟ ଶବ୍ଦ ସଂଯୋଜନା ଓ ଶୈଳୀରେ ପରିବେଷଣ କରେ ସେତେବେଳେ ସ୍ତମ୍ଭ ସାହିତ୍ୟ ପଦବାଚ୍ୟ ହୁଏ ଓ କାଳଜୟୀ ହୁଏ। ସ୍ଥାନ, କାଳ ନିର୍ବିଶେଷରେ ଆବେଗିକ ଆବେଦନ ସୃଷ୍ଟି କରିବା, ସାର୍ବଜନୀନ ସତ୍ୟ ପରିବେଷଣ କରିବା ଓ ସୌନ୍ଦର୍ଯ୍ୟବୋଧଯୁକ୍ତ ଆନନ୍ଦ ସୃଷ୍ଟି କରିବା ହେଉଛି ସାହିତ୍ୟର ଧର୍ମ। ଯେଉଁ ସ୍ତମ୍ଭ ଏହା ସୃଷ୍ଟି କରିପାରେ ନାହିଁ ତାହା କେବଳ ସ୍ତମ୍ଭ ହୋଇ ରହେ, ସ୍ତମ୍ଭ ସାହିତ୍ୟ ହୋଇପାରେ ନାହିଁ। ଏବେ ସ୍ତମ୍ଭ ସାହିତ୍ୟକୁ ଖବର ସାହିତ୍ୟ କୁହାଗଲାଣି ଏବଂ ତାହା ପାଇଁ ପୁରସ୍କାର ପ୍ରଦାନ କରାଯାଉଛି। ସମ୍ପ୍ରତି ବହୁ ପ୍ରତିଭାବାନ୍‌ ଓ ପ୍ରତିଷ୍ଠିତ ଲେଖକ ସ୍ତମ୍ଭ ଲେଖୁଛନ୍ତି। ସେମାନଙ୍କ କେଉଁ ଆଲେଖ୍ୟ ସ୍ତମ୍ଭ ପଦବାଚ୍ୟ ଓ କେଉଁ ଆଲେଖ୍ୟ ସ୍ତମ୍ଭ ସାହିତ୍ୟ ପଦବାଚ୍ୟ ତାହା ପାଠକମାନେ ବିଚାର କରିବେ।
ପ୍ରାକ୍ତନ ଅଧ୍ୟକ୍ଷ, ଡି.ଏ.ଭି
ସ୍ବୟଂଶାସିତ କଲେଜ, ଟିଟିଲାଗଡ଼
ମୋ: ୭୦୦୮୩୬୯୯୨୦

ଡ.ଛାୟାକାନ୍ତ ଷଡ଼ଙ୍ଗୀ

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?