କୋଲକାତା,୨୯।୩: ପଶ୍ଚିମବଙ୍ଗରେ କୋଇଲା ଖଣି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଟିଏମ୍ସି ଏମ୍ପି ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ଇଡି ସମନ ପଠାଇଛି। ମାର୍ଚ୍ଚ ୩୦ରେ ଇଡି କାର୍ଯ୍ୟାଳୟରେ ରୁଜିରାଙ୍କୁ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି। ଗତ ସପ୍ତାହରେ ଅର୍ଥାତ୍ ମାର୍ଚ୍ଚ ୨୨ରେ ମଧ୍ୟ ରୁଜିରାଙ୍କୁ ପଚରାଉଚରା ପାଇଁ ଇଡି ସମନ ପଠାଇଥିଲା। କିନ୍ତୁ ସେ ହାଜର ହୋଇ ନ ଥିଲେ। ସୂଚନାଯୋଗ୍ୟ, ଦିଲ୍ଲୀ ହାଇକୋର୍ଟରୁ ଟିଏମ୍ସି ଏମ୍ପି ଅଭିଷେକ ଓ ତାଙ୍କ ପତ୍ନୀଙ୍କୁ କୌଣସି ଆଶ୍ୱସ୍ତି ନ ମିଳିବା ପରେ ରୁଜିରାଙ୍କୁ ଇଡି ପକ୍ଷରୁ ସମନ ପଠାଯାଇଥିଲା। ଏହି ଆବେଦନରେ ଇଡିଙ୍କ ନୋଟିସକୁ ଚ୍ୟାଲେଞ୍ଜ କରାଯାଇଥିଲା। ଯେଉଁଥିରେ ବାନାର୍ଜୀଙ୍କୁ କୋଲକାତା ବଦଳରେ ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା। ତେବେ ମଙ୍ଗଳବାର ଅର୍ଥାତ୍ ମାର୍ଚ୍ଚ ୨୯ରେ ମଧ୍ୟ ଅଭିଷେକ ବାନାର୍ଜୀଙ୍କୁ ହାଜର ହେବାକୁ ସମନ ଜାରି କରାଯାଇଥିଲା। କିନ୍ତୁ ସେ ହାଜର ହୋଇ ନ ଥିବା ଜଣାପଡ଼ିଛି।