ବଞ୍ଚୋ (ପ୍ରଦୋଷ କୁମାର ବିଶ୍ୱାଳ ) ୨୦।୫: ଅନଲାଇନ ଔଷଧ ବିକ୍ରିକୁ ବିରୋଧ କରି ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଆଜି ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ବିଶେଷ କରି ବଡପଦନା ଛକରେ ଥିବା ସମସ୍ତ ଔଷଧ ଦୋକାନ ସ୍ବଇଚ୍ଛାରେ ବନ୍ଦ ରହିଥିଲା। ଔଷଧ ବ୍ୟବସାୟୀମାନେ କହିଛନ୍ତି ଯେ, ଅନଲାଇନ ମାଧ୍ୟମରେ ଅନିୟନ୍ତ୍ରିତ ଔଷଧ ବିକ୍ରି ହେବା ଫଳରେ ସ୍ଥାନୀୟ ଔଷଧ ବ୍ୟବସାୟ ମଧ୍ୟ ଗୁରୁତର ପ୍ରଭାବିତ ହେଉଛି। ଏହାକୁ ବିରୋଧ କରି ଦେଶସାରା ଆନ୍ଦୋଳନର ଅଂଶ ଭାବେ ଆଜି ଦୋକାନ ବନ୍ଦ ରଖାଯାଇଥିବା ସେମାନେ ପ୍ରକାଶ କରିଛନ୍ତି। ଦୋକାନ ବନ୍ଦ ଥିବାରୁ କିଛି ରୋଗୀ ଓ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖାଯାଇଛି। ତେବେ ଜରୁରୀକାଳୀନ ସେବା ପାଇଁ କିଛି ସ୍ଥାନରେ ବିକଳ୍ପ ବ୍ୟବସ୍ଥା ରଖାଯାଇଥିବା ସୂଚନା ମିଳିଛି। ଆନନ୍ଦପୁର ଉପଖଣ୍ଡର ଅନ୍ୟାନ୍ୟ ବଜାର ଅଞ୍ଚଳରେ ମଧ୍ୟ ଏହି ବନ୍ଦର ପ୍ରଭାବ ରହିଛି।

