Posted inଫୁରସତ

ପଣ୍ଡିତ କିଏ? କୁହ ଜ୍ଞାନୀ କିଏ?

ଆମେ ଦେଖୁ ଯେ ସଂସାରରେ ଯିଏ ଭଲ ଦି’ପଦ କହିପାରିଲା, କଥା କଥାକେ ଶାସ୍ତ୍ର ପୁରାଣର ଉଦାହରଣ ଦେଇ ପ୍ରସଙ୍ଗ ସହିତ ଜଡ଼ିତ ଥାଉ କି ନ ଥାଉ ଗଣ୍ଡାଏ ଛ’ଟା ଶ୍ଳୋକ ବୋଲି ଦେଇପାରିଲା, ତାଙ୍କୁ ସାଧାରଣତଃ ଲୋକେ ପଣ୍ଡିତ ବା ଜ୍ଞାନୀ ବୋଲି କହିଥାଆନ୍ତି। ଏହାକୁ ବିଚାର କଲେ, ପାଲା ବା ସଂକୀର୍ତ୍ତନ ଗାୟକମାନଙ୍କୁ ଲୋକେ ଢେର ସମ୍ମାନ ଦେଇଥା’ନ୍ତି l କାରଣ ସେମାନେ ବହୁତ କିଛି ଶାସ୍ତ୍ର ଘୋଷି ଥାଆନ୍ତି । ଅବଶ୍ୟ ଏ କ୍ଷେତ୍ରରେ ଯିଏ ଅଧିକ ଘୋଷିବ ସେ ଶ୍ରେଷ୍ଠ ଭାବେ ବିବେଚିତ ହେବ । ପିଲାଦିନେ ମୁଁ ପାଲା ଦେଖିବାକୁ ବହୁତ ଯାଏ । ଆଖପାଖରେ ଯେଉଁଠି ପାଲା ହେଉଥିବାର ଖବର କାନରେ ପଡ଼େ, ମୁଁ ନିଶ୍ଚିତ ଯାଇ ପହଞ୍ଚେ । ପାଲା ଗାୟକମାନେ ଶ୍ଳୋକ, ମନ୍ତ୍ର, ଛାନ୍ଦ, ଚଉପଦୀ, କବିତା ଆଦି ଅନର୍ଗଳ ଗାୟନ କରୁଥିବାର ଏ କାନ ଶୁଣେ । ମୁଁ ଭାବେ, ଏଇମାନେ ହିଁ ହେଉଛନ୍ତି ଦୁନିଆର ଜଣେ ଜଣେ ଶ୍ରେଷ୍ଠ ଜ୍ଞାନୀ । ବାସ୍ତବିକ କଥାଟି ମଧ୍ୟ ସେଇୟା l ସଂସ୍କୃତରେ ପଦ ଟିଏ ଅଛି- ଶତ ଶ୍ଳୋକେନ ପଣ୍ଡିତ । ଯିଏ ମାତ୍ର ଶହେଟି ଶ୍ଳୋକକୁ ମୁଖସ୍ଥ କରିଦେବ, ସେ ପଣ୍ଡିତ ବୋଲାଇବ। ଜଣେ ଜଣେ ପାଲା ଗାୟକ ତ ହଜାରେ ଦି’ ହଜାରରୁ ଊର୍ଦ୍ଧ୍ୱ ଶ୍ଳୋକ ମନେରଖିଥା’ନ୍ତି । ତା’ପରେ ଆଉ ଗୋଟେ ବଡ଼ କଥା ହେଉଛି ଜଣେ ସାଧାରଣ ପାଲା ଗାୟକ ବର୍ଷରେ ଅତିକମ୍‌ରେ ଦୁଇ ଶହରୁ ବେଶୀ ରାତ୍ରି ପାଲା ଗାଇଥାଆନ୍ତି । ତେଣୁ ବିଭିନ୍ନ ମଞ୍ଚରେ ଶ୍ଳୋକ ବା ଉଦ୍ଧୃତିଗୁଡ଼ିକ ବାରମ୍ବାର ଗାୟନ ଫଳରେ ସେଥିରେ ସେମାନଙ୍କର ପଟୁତା ଆସି ଯାଇଥାଏ ।

ତେବେ ପାଠକେ! ଆମେ ଯଦି ଗୀତା, ଭାଗବତ, ବେଦ ପୁରାଣ ବା ଶ୍ଳୋକ ବୋଲୁଥିବା ଲୋକମାନଙ୍କୁ ପଣ୍ଡିତ ବୋଲି ମାନିନେବା, ତେବେ ଆମେ ଗୋଟିଏ ଭୁଲ କରି ବସିବା । ଏମାନେ ଯେ ଜ୍ଞାନୀ ବା ପଣ୍ଡିତ ନୁହନ୍ତି ସେକଥା ନୁହେଁ, କିନ୍ତୁ ଜ୍ଞାନୀ ହେବା ପାଇଁ କେବଳ ଶାସ୍ତ୍ର ଘୋଷି ମନେରଖିବାଟା ଏକମାତ୍ର ଲକ୍ଷଣ, ତାହା ବି ନୁହେଁ l ଜଣେ ଶାସ୍ତ୍ର ପୁରାଣର କଥା କହିପାରେ, ଡଗ ଡଗ କରି ଶ୍ଳୋକ ଆବୃତ୍ତି କରିପାରେ, ଜ୍ଞାନ କଥା କହିପାରେ, କିନ୍ତୁ ବୃହତ୍‌ ଏବଂ ବିସ୍ତୃତ ଅର୍ଥରେ ବିଚାର କଲେ ଏହା ଅନୁମିତ ହୁଏ ଯେ ଏମାନେ ଜ୍ଞାନୀ ନୁହନ୍ତି, ଜ୍ଞାନ କୁହାଳିଆ ।କଥାରେ ପରା ଅଛି- କହିବା ବୋଲିବା ଜ୍ଞାନ ନୁହେଁ କି ଆଖି ତରାଟିବା ଧ୍ୟାନ ନୁହେଁ। ସ୍ଥଳ ବିଶେଷରେ ପ୍ରାୟତଃ ଦେଖାଯାଏ, ଏଇ ଧରଣର ଲୋକମାନେ ପୁଳାଏ ଘୋଷିଥାଆନ୍ତି ବୋଲି ତାଙ୍କ ପାଟି ଖାଲି ଖଲଖଲ ହେଉଥାଏ, କେଉଁଠି ସୁବିଧା ପାଇଲେ କ’ଣ ଦି’ପଦ କହିବେ ବୋଲି । କେବଳ ସେତିକି ନୁହେଁ, ଏମାନଙ୍କର ଆଚରଣ ଆଉ ଉଚ୍ଚାରଣରେ ବିଭିନ୍ନତା ଥାଏ । କଥନୀ ଥାଏ ଗୋଟିଏ, କରନି ଆଉ ଗୋଟିଏ ପ୍ରକାର ।

ଜ୍ଞାନୀଟିଏ ହେବା କ’ଣ ଛୋଟିଆ କଥା! ଏହା ହେଉଛି ଜନ୍ମଜନ୍ମାନ୍ତର ସାଧନାର ଫଳ। ଶ୍ରୀମଦ୍‌ଭଗବଦ୍‌ ଗୀତାରେ ଯୋଗେଶ୍ୱର ଶ୍ରୀକୃଷ୍ଣ କହିଲେ- ‘ବାହୁନାମ ଜନ୍ମନାମନ୍ତେ ଜ୍ଞାନାନ ମାମ ପ୍ରପଦ୍ୟତେ, ବାସୁଦେବମିତି ସର୍ବ ସ ମହାତ୍ମା ସୁଦୁର୍ଲଭ ।’ ଅର୍ଥାତ୍‌ ବହୁ ସାଧନା ବଳରେ ଜଣେ ଜ୍ଞାନୀ ବା ପଣ୍ଡିତ ହୁଏ । ଏପରି ଜ୍ଞାନୀ ମହାତ୍ମା ବହୁତ ଦୁର୍ଲଭ । ଖୋଜିଲେ ବି ମିଳିବା କଷ୍ଟ । କୋଟି କରେ ଗୋଟିଏ l ଏମାନଙ୍କୁ ଦେଖିଲେ ଆଖି ପବିତ୍ର ହୋଇଯାଏ। ଜୀବନ ଧନ୍ୟ ହୋଇଯାଏ । ନିଜଠାରେ ଏବଂ ଅନ୍ୟ ସବୁଠି ଭଗବତ୍‌ ସତ୍ତାକୁ ଅନୁଭବ କରିପାରୁଥିବାରୁ ସଂସାରର ସମସ୍ତ ଦୁଃଖ ସୁଖ ବି ତାଙ୍କ ନିଜର ଦୁଃଖ ସୁଖ ପାଲଟିଯାଏ । ନଚେତ୍‌ ନିଜର କେହି ଜଣେ ଅନ୍ତରଙ୍ଗ ଭକ୍ତକୁ ଅଦୂରରେ କୋଉଠି ଡକାୟତମାନେ ନିସ୍ତୁକ ପ୍ରହାର କରୁଥିବା ବେଳେ ଏଣେ ରାମକୃଷ୍ଣ ଏକ ଦଉଡ଼ିଆ ଖଟିଆ ଉପରେ ପଡ଼ି ଚିତ୍କାର କରୁ ନ ଥା’ନ୍ତେ। ନିଜର ଏକନିଷ୍ଠ ଭକ୍ତଙ୍କ ରୋଗ ବ୍ୟାଧିକୁ ନିଜ ଦେହକୁ ଆଣି ଯନ୍ତ୍ରଣା ଭୋଗିଥିବା ବହୁ ସାଧୁସନ୍ଥଙ୍କ ଉଦାହରଣ ବି କମ୍‌ ନାହିଁ ଆମ ଭାରତବର୍ଷରେ l ଜଣେ ଭକ୍ତର ଦୁରାରୋଗ୍ୟ କୁଷ୍ଠ ରୋଗକୁ ନିଜେ ଭୋଗିଲେ ଜନୈକ ସନ୍ଥ । ପାଠକେ! ଟିକେ ଚିନ୍ତା କଲେ ସନ୍ଥଙ୍କୁ କ’ଣ ଯନ୍ତ୍ରଣାର ଅନୁଭବ ହେଉ ନ ଥିବ। ଆମ ଦେହରେ ଛୁଞ୍ଚତ୍ କିମ୍ବା ବାଟରେ ଚାଲୁଚାଲୁ କଣ୍ଟାଟିଏ ଫୁଟିଗଲେ ଆମକୁ ଯନ୍ତ୍ରଣା ହେଉଛି। ତେବେ ଜ୍ଞାନୀ ମହାପୁରୁଙ୍କୁ କିପରି ହେଉ ନ ଥିବ ମ!

ଜଣେ ଅସଲ ଜ୍ଞାନୀ ବା ପଣ୍ଡିତଙ୍କ ପାଖରେ ଥିବା ଅନେକ ଲକ୍ଷଣ ଭିତରୁ ଇଏ ଏକ ସଚ୍ଚା ଲକ୍ଷଣ ଯେ, ସେମାନଙ୍କର ଦେହବୋଧ ନ ଥାଏ l ଦେହବୋଧର ଅର୍ଥ ହେଉଛି ଶରୀରୁକୁ ନିଜର ବୋଲି ଭାବିବା। ଯେ ପର୍ଯ୍ୟନ୍ତ ନିଜକୁ ଶରୀର ବୋଲି ଭାବୁଥିବା, ସେତେବେଳ ପର୍ଯ୍ୟନ୍ତ ଯନ୍ତ୍ରଣା ରହିବ ହିଁ ରହିବ । ମୁଁ ଅଲଗା- ଶରୀର ଅଲଗା ବୋଲି ଥରେ, ହଁ କେବଳ ଥରେମାତ୍ର ବୋଧ ହୋଇଗଲେ ତେଣିକି ଆମ ଶରୀରକୁ ଖଣ୍ଡାରେ ହାଣିଲେ ବି କିଛି ଯନ୍ତ୍ରଣା ଅନୁଭବ ହେବନି।
ଆମେ ଯେତେବେଳେ କହୁ ମୋ କାର ବୋଲି, ସେତେବେଳେ ଏହା ସ୍ପଷ୍ଟ ଯେ କାର ବୋଲି ବସ୍ତୁଟି ଅଲଗା । ମୁଁ ଅଲଗା । କାରକୁ ଆଘାତ ଦେଲେ ଆପଣଙ୍କୁ କାଟେ କି? ଆଦୌ ନୁହେଁ । କାରଣ? ଆପଣ ମୂଳରୁ ହିଁ ଭାବି ନେଇଛନ୍ତି ଯେ କାର ଏବଂ ଆପଣ ସମ୍ପୂର୍ଣ୍ଣ ଅଲଗା l କିନ୍ତୁ ଆପଣକୁ ଯଦି ପଚରାଯିବ, ଏ ଶରୀରଟା କାହାର? ଆପଣ କହିବେ ‘ମୋର’ l ମୋ ଶରୀର ମାନେ ହିଁ ହେଉଛି ମୁଁ ଶରୀରଠାରୁ ସମ୍ପୂର୍ଣ୍ଣ ଅଲଗା । କିନ୍ତୁ ଆମ ଭାବନା ରହିଯାଇଛି ଯେ ମୁଁ ଶରୀରଠାରୁ ଭିନ୍ନ ନୁହେଁ l ସେଥିପାଇଁ ଶରୀରରେ କଣ୍ଟା ଫୁଟିଗଲେ ଆମକୁ କାଟୁଛି। ମୁଁ ଏବଂ ଶରୀର- ଏ ଦୁଇଟି ଅଲଗା ବୋଲି ବଦ୍ଧମୂଳ ଧାରଣା ହୋଇଗଲେ ଶରୀରର ଦୁଃଖ କଷ୍ଟ ଆଉ ଜଣାପଡ଼ିବ ନାହିଁ । ଗୋଟିଏ ମଣିଷ ଏହି ଅବସ୍ଥାରେ ପହଞ୍ଚତ୍ଗଲା ପରେ ହିଁ ପଣ୍ଡିତ ବା ଜ୍ଞାନୀ ପଦବାଚ୍ୟ ହୋଇଥାଏ ।

ସାରଦା ମା’ଙ୍କ ଗୋଡ଼ରେ ବଥଟିଏ ହେଲା l ନିଶ୍ଚେତକ ପ୍ରୟୋଗ କରି ଅପରେଶନ କରିବାକୁ ଡାକ୍ତରମାନେ ଯେତେ ବୁଝାଇଲେ ବି ମା’ ଆଦୌ ରାଜି ହେଲେନି l ବିନା ନିଶ୍ଚେତକରେ ବଥର ଅପରେଶନ ହେଲା l ଏହି ସମୟରେ ମା’ଙ୍କ ଶାନ୍ତ ସ୍ନିଗ୍ଧ ମୁଖମଣ୍ଡଳକୁ ଦେଖି ସ୍ବୟଂ ଡାକ୍ତରମାନେ ମଧ୍ୟ ସେଦିନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ l
ଯିଶୁଙ୍କୁ କ୍ରୁଶବିଦ୍ଧ କରାଗଲା । ତାଙ୍କ ଆଖିରୁ ଟୋପାଏ ଲୁହ ଝରିବା କେହି ବି ଦେଖି ନ ଥିବେ। ଏହା ହେଉଛି ଦେହାତିତ ଅବସ୍ଥା । ଏହା ହେଉଛି ପ୍ରକୃତରେ ଜଣେ ଜ୍ଞାନୀର ଲକ୍ଷଣ। ମହାପୁରୁଷର ଲକ୍ଷଣ ଆମ ସମାଜରେ ଆତଯାତ ହେଉଥିବା ଯେଉଁ ମଣିଷମାନଙ୍କ ପଛରେ ‘ପଣ୍ଡିତ’ ବା ଜ୍ଞାନୀ ଉପାଧି ଯୋଡ଼ାଯାଉଛି ବା ଯାଇଛି ବା ଯେଉଁ ସମ୍ମାନ ଆଶାୟୀ ମନକୁ ମନ ନିଜେ ପଣ୍ଡିତ ବିଶେଷଣ ଲଗାଇ ଦେଇ ମହାଖୁସି ଅନୁଭବ କରୁଛନ୍ତି ଅବା ଯେଉଁମାନେ ଦାଢି ଜଟା ଛାଡି, ଗେରୁଆ ପିନ୍ଧି ନିଜକୁ ସନ୍ଥ, ଭଗବାନ ବା ଇଶ୍ୱରଙ୍କ ପ୍ରତିନିଧି ବୋଲି ଚିତ୍କାର ଛାଡ଼ୁଛନ୍ତି, ସେମାନଙ୍କ ଅସଲି ପଣିଆକୁ ଜାଣିବା ପାଇଁ ସେମାନଙ୍କ ଚାଲିଚଳନକୁ ଖୁବ ନିକଟରୁ ଅନୁଧ୍ୟାନ କରାଯାଉ । ସେମାନଙ୍କ ମୁହଁରୁ ରୋଗ ବୈରାଗଜନିତ ଯନ୍ତ୍ରଣାର ଆର୍ତ୍ତନାଦର ସାମାନ୍ୟ ଅସ୍ପଷ୍ଟ ସ୍ବର କେବେ ଯଦି ପ୍ରକାଶିତ ହୁଏ, ତେବେ ଜାଣିବେ ସେମାନେ ବେଙ୍ଗି ପିତ୍ତଳ। ଆଉ ଯଦି ଯାବତୀୟ ଶାରୀରିକ ଯାତନାରେ ତାଙ୍କ ମୁହଁର ଭାବ ଭଙ୍ଗୀ ଯଦି ସ୍ଥିର ଆଉ ନିଶ୍ଚଳ, ତେବେ ସେ ହେଉଛନ୍ତି ବାଇଶି କ୍ୟାରେଟ ହଲ ମାର୍କା ସୁନା । ଏଇମାନେ ହିଁ ହେଉଛନ୍ତି ଜ୍ଞାନୀ ଆଉ ପଣ୍ଡିତ । ‘ଆତ୍ମବତ୍‌ ସର୍ବଭୂତେଷୁ ଯଃ ପଶ୍ୟତି ସ ପଣ୍ଡିତ’
ଭାବାର୍ଥ ଟିକକ ହିଁ ମହାପୁରୁଷଙ୍କ ନିକଟରେ ଥାଏ। ଗାନ୍ଧୀଙ୍କ ପଦଯାତ୍ରା ବେଳେ କେହି ଜଣେ ବିରୋଧୀ ତାଙ୍କ ରାସ୍ତାରେ ପୁଳାଏ କଣ୍ଟା ପକାଇ ଯାତ୍ରାକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କଲା। ଗାନ୍ଧୀ ସେ କଣ୍ଟାକୁ ଭୃକ୍ଷେପ ନ କରି ଖାଲି ପାଦରେ ତା’ ଉପରେ ଚାଲିବା ଆରମ୍ଭ କରିଦେଲେ ।

ଗୋଡ଼ରେ ମୁନିଆ କଣ୍ଟା ଗୁଡିକ ଟପ ଟାପ ହୋଇ ଫୁଟି ଗଲା। ରକ୍ତର ଧାର ବୋହିଲା l ଗାନ୍ଧୀ ତଥାପି ଅବିଚଳିତ। ଦେହ ବୋଧରୁ ଉର୍ଦ୍ଧ୍ୱକୁ ନ ଉଠିଲେ ଏପରି ପ୍ରତିଫଳନ ମନୁଷ୍ୟଠାରେ ଦେଖାଯାଏନା ।

-ଦିବ୍ୟାଲୋକ ସଂଧାନେ, ରାମନଗର, ତେଲେଙ୍ଗା ପେଣ୍ଠ, କଟକ

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?