Posted inଫୁରସତ

ମୃତ୍ୟୁ ମିତ୍ରର ଚିଠି

ପାଠକେ, ଜଗତରେ ଯଦି ସତ୍ୟ ବୋଲି କ’ଣ କିଛି ଥାଏ ତେବେ ତାହା ହେଉଛି ଦୁଇଟି-ଜନ୍ମ ଆଉ ମୃତ୍ୟୁ। ଆଉ ସବୁ ମିଛ ହୋଇପାରେ କିନ୍ତୁ ଜନ୍ମ ହେବାଟା ସତ୍ୟ ଏବଂ ମରିବାଟା ବି ସତ୍ୟ। ଯଦି ଜନ୍ମ ଅଛି ତେବେ ମରଣ ବି ଅଛି। ଏହି ଅକାଟ୍ୟ ନିୟମକୁ ଆଜି ପର୍ଯ୍ୟନ୍ତ କେହି ବି ଏଡ଼ାଇ ପାରି ନାହାନ୍ତି କିମ୍ବା ଭବିଷ୍ୟତରେ ପାରିବେ ନାହିଁ ମଧ୍ୟ। କିନ୍ତୁ ଅନେକଙ୍କ କ୍ଷେତ୍ରରେ ଏହି ନିୟମର ବ୍ୟତିକ୍ରମ ଘଟିବାର ନଜିର ରହିଛି। ଯଥା-ହନୁମାନ, ବିଭୀଷଣ, କୃପ, ଅଶ୍ୱତ୍ଥମା, ବଳୀ, ବ୍ୟାସ ଏବଂ ପର୍ଶୁରାମ ଆଦି ୭ ଜଣ ଚିରଞ୍ଜିବୀ ବୋଲି ଶାସ୍ତ୍ର, ପୁରାଣରେ ବର୍ଣ୍ଣନା ରହିଛି। ଏମାନେ ତ ଧରାଧାମରେ ଜନ୍ମ ନେଇଥିଲେ। କିନ୍ତୁ ସେମାନଙ୍କୁ ମୃତ୍ୟୁ ଆଜି ପର୍ଯ୍ୟନ୍ତ ବି ସ୍ପର୍ଶ କରିନି। ମର୍ତ୍ତ୍ୟମଣ୍ଡଳେ ଦେହ ବହି। ଦେବତା ହେଲେ ବି ମରଇ- ଶ୍ରୀମଦ ଭାଗବତର ଏ ନିୟମଟି ଉପରୋକ୍ତ ୭ ଜଣଙ୍କ ପାଇଁ ଲାଗୁ ହୋଇନି। ଅନେକଙ୍କ ମନ ମଧ୍ୟରେ ବହୁ ସମୟରେ ପ୍ରଶ୍ନ ଉଠେ ଯେ ରାମ, କୃଷ୍ଣ, ବୁଦ୍ଧଙ୍କ ପରି ମହାନ ଅବତାରୀମାନଙ୍କର ଜନ୍ମ ଆଉ ମୃତ୍ୟୁ ଥିବାବେଳେ ଏହି ୭ ଜଣଙ୍କର ମୃତ୍ୟୁ କାହିଁକି ନାହିଁ? ପାଠକେ, ଏହା ଏକ ବିରାଟ ପ୍ରଶ୍ନ। ଏହା ଆଜିର ଆଲୋଚନାର ବିଷୟବସ୍ତୁ ନୁହେଁ। ଏହା ବାବଦରେ ପରେ କେବେ ଆଲୋଚନା କରିବା।
ତେବେ ଯାହାହେଉ ପ୍ରତ୍ୟେକ ପ୍ରାଣୀଙ୍କର ମରଣ ଅବଶ୍ୟମ୍ଭାବୀ। ମରଣ ପ୍ରତି ସମସ୍ତଙ୍କର ଅହେତୁକ ଭୟ। ମରଣର ପଞ୍ଝାରୁ ବର୍ତ୍ତିବା ପାଇଁ ଏ ମଣିଷ କେତେ କ’ଣ ପୂଜାପାଠ, ଯୋଗ, ପ୍ରାଣାୟାମ, କେତେ ଡାକ୍ତର, କେତେ ଔଷଧର ଉପଯୋଗ କରେ। ଏତେ ଉପାୟର ଅବଲମ୍ବନ ପରେ ବି ମରଣ କିନ୍ତୁ ମଣିଷର ପିଛା କେବେ ଛାଡ଼ିନି କି ଛାଡିବାର ପ୍ରଶ୍ନ ବି ଉଠୁନି। କେବଳ ଏହି ସତ୍ୟ ଯୋଗୁ ମଣିଷର ମରଣ ପ୍ରତି ଭୟ ଟିକକ ଯାହା ରହିଛି।

କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ମୃତ୍ୟୁ ମଣିଷର ଶତ୍ରୁ ନୁହେଁ। ଅସଲ ମିତ୍ର ସେ। ମୃତ୍ୟୁ ପରି ମିତ୍ର ସଂସାରରେ ଆଉ କେହି ନାହାନ୍ତି। ଏହା ମଣିଷକୁ ଦୁଃଖ, ଜଞ୍ଜାଳ, ଅବସାଦ, ଯନ୍ତ୍ରଣା ଆଦିରୁ ମୁକ୍ତି ଦେଇଥାଏ। ଆଉ ଗୋଟିଏ ନୂତନ ଶରୀର ଏବଂ ନୂଆ ଜୀବନଟିଏ ଭେଟି ଦେଇଥାଏ ଏ ମଣିଷକୁ। ସେଥିପାଇଁ ମୃତ୍ୟୁକୁ ଏକ ଉତ୍ସବ ନୁହେଁ ବରଂ ଏକ ମହୋତ୍ସବ ଭାବେ ପାଳନ କରିବା ଦରକାର।

ଇୟେତ ଗଲା ଶରୀର ଛାଡ଼ିବା ପରର କଥା। ଶରୀରରେ ଥିବାବେଳେ ବି ମୃତ୍ୟୁ ମଣିଷକୁ ଜଣେ ମଣିଷ ଭଳି ଚଳିବା ପାଇଁ ସବୁ ସମୟରେ ଶିକ୍ଷା ଦେଇଥାଏ। ମଣିଷ କିନ୍ତୁ ତା’ର ଶିକ୍ଷାକୁ ମାନେ ନା। ଜନ୍ମ ହେଲାପରେ ଆମ୍ଭମାନଙ୍କୁ ଯେ ଦିନେ ମରିବାକୁ ହେବ-ଏ କଥାକୁ ଅନେଶତ ଭାଗ ଲୋକ ପାସୋରି ଯାଆନ୍ତି। ଫଳରେ ମଣିଷ ମନରେ ଲୋଭ, ହିଂସା, କାମ ଓ କ୍ରୋଧ ଗୁଡିକ ବସାବାନ୍ଧି ରହିବା ପାଇଁ ସୁବିଧା ପାଇଯାଆନ୍ତି। ଆଜିର ଜୀବନ କାଲିକୁ ନାହିଁ। ଏଇନେ ଅଛି। ପରକ୍ଷଣକୁ ଯେ ଥିବ-ଏହାର ଗ୍ୟାରେଣ୍ଟି ବି କିଛି ନାହିଁ। ଏହା ସତ୍ୟ। ଏହାକୁ ମଣିଷ ବି ଜାଣେ। ନିଜ ଆଖି ଆଗରେ ଉଦାହରଣ ବି ଦେଖେ। ତଥାପି ସେ ବେପରବାୟ। ଯେଉଁ ମଣିଷ ପ୍ରତି ମୁହୂର୍ତ୍ତରେ ସମ୍ମୁଖରେ ଜୀବନ ଏବଂ ପଶ୍ଚାତରେ ମୃତ୍ୟୁ ଅଛି ବୋଲି ଭାବି ବାଟ ଚାଲୁଥାଏ, ସେଇମାନେ ହିଁ ମାନବରୁ ମହାନ ହୋଇଯାଇପାରନ୍ତି। ଯେଉଁମାନେ ଏ ତତ୍ତ୍ୱକୁ ଭୁଲି ଯାଆନ୍ତି, ସେମାନେ ରାକ୍ଷସ ପାଲଟି ଯାଆନ୍ତି। ଗୋଟିଏ ବାକ୍ୟରେ କହିବାକୁ ଗଲେ ମୃତ୍ୟୁ ଚେତନା ହିଁ ମଣିଷକୁ ମହାପୁରୁଷରେ ପରିଣତ କରିଥାଏ।

ମୃତ୍ୟୁକୁ ଢେର ଭୟ କରୁଥିବା ଲୋକଟିଏ ଦିନେ ମୃତ୍ୟୁ ସହିତ ମିତ ବସିଲା। ମୃତ୍ୟୁକୁ କହିଲା-ବୁଝିଲ ମଇତ୍ରେ! ଆମେ ଦୁହେଁ ଆଜିଠୁ ସାଙ୍ଗ ହେଲେ। କିନ୍ତୁ ମୋର ଗୋଟିଏ ବିଶେଷ ଅନୁରୋଧ ରଖିବ। ମୃତ୍ୟୁ ମିତ କହିଲେ-କ’ଣ କହୁନ? କି ଅନୁରୋଧ?? ଲୋକଟି କହିଲା, ତୁମେ ତ ଦିନେ ନା ଦିନେ ମୋତେ ସଙ୍ଖୋଳିବାକୁ ଆସିବ। ହେଲେ ଆସିବା ପୂର୍ବରୁ ମୋତେ ଟିକେ ଜଣେଇ କି ଆସିବ, ଯାହାଫଳରେ ଅଧୁରା ଥିବା କାମକୁ ମୁଁ ଚଞ୍ଚଳ ସାରିପାରିବି। ମୃତ୍ୟୁ ମିତ କହିଲେ, ଏଇ କଥା। ମୁଁ ପ୍ରତିଜ୍ଞା କରି କହୁଛି ବନ୍ଧୁ, ମୁଁ ଯେତେବେଳେ ବି ତୁମ ପାଖକୁ ଆସିବି ଖବର ପଠେଇକି ଆସିବି।
ଇତିମଧ୍ୟରେ ବହୁ ବର୍ଷ ବିତିଗଲା।

ଦିନେ ସକାଳୁ ସକାଳୁ ମୃତ୍ୟୁ ମିତ ଲୋକଟି ପାଖରେ ଆସି ହଠାତ୍‌ ପହଞ୍ଚତ୍ଗଲେ। କହିଲେ-ମଇତ୍ର! ସୁପ୍ରଭାତ। ଆଜି ତୁମକୁ ସଙ୍ଖୋଳିବାକୁ ଆସିଛି। ସଂସାରରୁ ଆଜିଠୁ ତୁମର ଛୁଟି। ଲୋକଟି ମୃତ୍ୟୁ ମିତ୍ରର ଏପରି ଧୋକାବାଜି ଦେଖି ରାଗିଯାଇ କହିଲା-ମିତ୍ର! ତୁମେ ଏଡ଼େ ବିଶ୍ୱାସଘାତକ ବୋଲି ମୁଁ ଏବେ ଜାଣୁଛି। ତୁମେ ପରା କହିଥିଲ ଆସିବା ପୂର୍ବରୁ ସୂଚନା ଦେଇ ଆସିବ ବୋଲି? ହେଲେ କ’ଣ କଲ?

ମୃତ୍ୟୁ ମିତ କହିଲେ-ମୁଁ ବଡ଼ ଦୁଃଖିତ ଯେ, ମୋତେ ତୁମେ ଅଯଥାରେ ଦୋଷ ଦେଉଛ। ତୁମେ ମୋ ସହିତ ପ୍ରଥମେ ମିତ୍ରତାର ହାତ ବଢ଼ାଇଥିଲ। କିନ୍ତୁ ପରେ ମୋତେ ସମ୍ପୂର୍ଣ୍ଣ ଭୁଲିଗଲ। ମୁଁ କିନ୍ତୁ ତୁମକୁ ଭୁଲିନି। ତୁମ ପାଖରେ ସର୍ବଦା ଛାଇପରି ରହିଛି। ବାକି ରହିଲା କଥା ଦେଇ ନ ରଖିବା ପ୍ରସଙ୍ଗ। ମୁଁ ତୁମକୁ ଆଜି ଆସିବାର ଦଶବର୍ଷ ପୂର୍ବରୁ ଥରେ ନୁହେଁ, ଚାରି ଚାରି ଥର ଚିଠି ପଠେଇଛି। କିନ୍ତୁ ତୁମେ ଚିଠିର ଉତ୍ତର ଦେବା ତ ଦୂରର କଥା ପ୍ରତିଥର ଚିଠିକୁ ଚିରି ଫୋପାଡି ଦେବା ପାଇଁ ଉଦ୍ୟମ କରିଛ।
ଲୋକଟି କହିଲା- ମୋ ପାଖକୁ ଚିଠି ପଠାଇଥିବାର କିଛି ପ୍ରମାଣ ତୁମ ପାଖରେ ଅଛି କି?

– ହେ ମିତ୍ର! ଚିଠିର ପ୍ରମାଣ ସବୁ ଏବେ ବି ତୁମ ପାଖରେ ମହଜୁଦ୍‌ ଅଛି। ତୁମ ମୁଣ୍ଡର ଚୁଟି ଗୁଡିକୁ ଧଳା କରିଦେଇ ପ୍ରଥମ ଚିଠି ପଠାଇଥିଲି। କିନ୍ତୁ ତୁମେ ରଙ୍ଗବୋଳି ତାକୁ କଳା କରିଦେଇ ସଂସାରରେ ପୁଣି ଡେଇଁଲ। ତୁମ ଆଖିର ଦୃଷ୍ଟିଶକ୍ତିକୁ କମ୍‌ କରିଦେଇ ଦ୍ୱିତୀୟ ସୂଚନା ଦେଲି। ଏହାକୁ ବି ତୁମେ ଜାଣିପାରିଲ ନାହିଁ। ସଚେତନ ହେବା ଅପେକ୍ଷା ତୁମେ ଡାକ୍ତରଙ୍କ ପାଖକୁ ଯାଇ ଚଷମା ପିନ୍ଧି ପକାଇଲ। ପ୍ରମାଣ ସ୍ବରୂପ ଏବେ ତୁମ ନିଜ ଆଖିକୁ ଦେଖ। ତା’ ପରେ ତୃତୀୟ ଚିଠି ପଠାଇଲି। ଦାନ୍ତଗୁଡ଼ିକ କାଢ଼ି ନେଲି। ଏ ସୂଚନାକୁ ବି ତୁମେ ଖାତିରି କଲ ନାହିଁ। କୃତ୍ରିମ ଦାନ୍ତ ଲଗାଇ ଭଲମନ୍ଦ ଖାଇ ସଂସାରରେ ଅୟସ କଲ।

ତୁମ ଚର୍ମଗୁଡ଼ିକୁ ଲୋଚାକୋଚା କରି ଏବଂ ଦେହରେ ଥିବା ବଳକୁ ଅପହରଣ କରି ଚତୁର୍ଥ ଚିଠି ପଠେଇଲି। ହେଲେ ଏହା ବି ଫେଲ୍‌ ମାରିଲା। ତୁମେ ମୋ ଆଡ଼କୁ ଟିକେମାତ୍ର ବି ଚାହିଁଲ ନାହିଁ। ଶେଷକୁ ବାଧ୍ୟ ହୋଇ ମୁଁ ନିଜେ ଆସିଲି। ମୁଁ ମୋର ମିତ୍ର ଧର୍ମ ଠିକ୍‌ ଭାବେ ନିର୍ବାହ କରୁଛି। ତୁମେ କିନ୍ତୁ ମାୟାମୋହରେ ପଡ଼ି ମୋତେ ଭୁଲି ଯାଇଛ। ଏବେ ଚାଲ। ଆଉ ଡେରି କରନା।
ଲୋକଟି ନିଜର ଭୁଲ ବୁଝିପାରି ବାଧ୍ୟହୋଇ ମୃତ୍ୟୁ ମିତ୍ରର ହାତଧରି ତାଙ୍କ ସଙ୍ଗରେ ଚାଲିଲା।

ପାଠକେ, ଆମମାନଙ୍କ ମଧ୍ୟରୁ କାହା ପାଖରେ ମୃତ୍ୟୁର ଯେକୌଣସି ଚିଠି ବି ପହଞ୍ଚତ୍ ସାରିବଣି। ବଡ଼କଥା ହେଉଛି ମୃତ୍ୟୁକୁ ସବୁବେଳେ ମନେ ରଖିବା। ମୃତ୍ୟୁ ମିତ୍ରକୁ ସ୍ବାଗତ କରିବା। ତାଙ୍କୁ ଭୁଲିଗଲେ ଆମେ ବାଟବଣା ହୋଇଯିବା। ମାୟାରେ ଘାଣ୍ଟି ହେବା। ମନ ମଧ୍ୟରେ ରଖିଲେ କେବଳ ସୁଖ ହିଁ ପାଇବା।

-ଶ୍ରୀ ସନ୍ନ୍ୟାସୀ
ରାମନଗର, ତେଲେଙ୍ଗାପେଣ୍ଠ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?