ଚିଲିକା ଚିନ୍ତା

ସୌନ୍ଦର୍ଯ୍ୟମୟୀ ଚିଲିକାର ସୌନ୍ଦର୍ଯ୍ୟ କାହାକୁ ବା ଆକର୍ଷିତ ନ କରିଛି। କିନ୍ତୁ ତା’ର ସୌନ୍ଦର୍ଯ୍ୟ ଏବେ ନଷ୍ଟ ହେବାରେ ଲାଗିଛି; ଯାହା ବର୍ତ୍ତମାନ ପରିବେଶବିତ୍‌ଙ୍କ ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ସରକାରୀ ସ୍ତରରେ କିଛି ଯୋଜନା ହେଉଥିବାବେଳେ କିଛି ବ୍ୟକ୍ତି ବିଶେଷ ନିଜସ୍ବ ଉଦ୍ୟମରେ ମଧ୍ୟ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି…
ଦିନକୁ ଦିନ ଚିଲିକାର ପ୍ରାକୃତିକ ପରିବେଶ ବିପନ୍ନ ହେଉଛି। ବହୁସଂଖ୍ୟକ ମେଶିନ ଚାଳିତ ଡଙ୍ଗାର ଚଳପ୍ରଚଳ ଯୋଗୁ ସେଥିରୁ ନିର୍ଗତ ତୈଳ ଚିଲିକା ଜଳରେ ମିଶି ବିଷାକ୍ତ ଆସ୍ତରଣ ସୃଷ୍ଟି କରୁଛି। ଏହାଛଡ଼ା ଚିଙ୍ଗୁଡ଼ି ଘେରି ଓ ଚିଲିକାର ଉପକୂଳବର୍ତ୍ତୀ ବିଭିନ୍ନ ଚାଷଜମିରେ ବ୍ୟବହୃତ କୀଟନାଶକ ଚିଲିକା ଜଳରେ ବି ମିଶୁଛି। ଏପରି ପ୍ରଦୂଷଣ ଦ୍ୱାରା ଚିଲିକା ଜଳରେ ଅମ୍ଳଜାନ ମାତ୍ରା ଦ୍ରୁତଗତିରେ ହ୍ରାସ ପାଉଛି। ଯାହାଫଳରେ ମାଛମାନଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାବାଦ୍‌ ଉପକୂଳବର୍ତ୍ତୀ ଜଙ୍ଗଲଗୁଡ଼ିକରୁ ବହୁଳ ମାତ୍ରାରେ ଗଛ କଟାଯାଉ ଥିବାରୁ ମୃତ୍ତିକା କ୍ଷୟ ହୋଇ ଚିଲିକାରେ ପଡ଼ିଥିବା ବିଭିନ୍ନ ନାଳ ଓ ନଦୀଗୁଡ଼ିକରୁ ପଟୁମାଟି ଯାଇ ଚିଲିକାକୁ ପୋତି ପକାଉଛି। ଫଳରେ ଚିଲିକାର ଆୟତନ କମି କମି ଆସୁଛି। ଅନେକ ନୂତନ କୁଦ ସୃଷ୍ଟି ହେବାରୁ ଚିଲିକା ସଙ୍କୁଚିତ ହେଉଛି। ଶିକାରୀଙ୍କ ଯୋଗୁ ପକ୍ଷୀଙ୍କ ସୁରକ୍ଷା ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବିରଳ ଇରିଓ୍ବାଡି ଡଲ୍‌ଫିନ୍‌ଙ୍କ ପ୍ରତି ମଧ୍ୟ ବିପଦ ଦେଖା ଦେଇଛି; ଯାହା ଏବେ ପରିବେଶବିତ୍‌ଙ୍କ ଚିନ୍ତାର କାରଣ ପାଲଟିଛି। ଯେଉଁଥିପାଇଁ ଏବେ ଅନେକ ପରିବେଶବିତ୍‌ ନିଜସ୍ବ ଉଦ୍ୟମରେ ଚିଲିକା ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି।
ପ୍ରଦୂଷଣମୁକ୍ତ ଚିଲିକା ପାଇଁ ପ୍ରୟାସ: ଏକାଧାରରେ ସେ ଜଣେ ଅଧ୍ୟାପକ, ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀର ଅଧିକାରୀ,ଦୁଃସାହସୀ ଅଭିଯାତ୍ରୀ,ସାମାଜିକ କର୍ମୀ, ଚିତ୍ରକର, ପରିବେଶବିତ୍‌ ଓ ଇତିହାସ ଲେଖକ l ସେ ହେଲେ ବାଲୁଗାଁ ମହାବିଦ୍ୟାଳୟର ଯୁବ ଅଧ୍ୟାପକ ଲ୍ୟୁଟ୍‌ନାଣ୍ଟ ଡ. ଅକ୍ଷୟ କୁମାର ମିଶ୍ର। ତାଙ୍କ ଘର ଚିଲିକା ନିର୍ବାଚନ ମଣ୍ଡଳୀରେ। ସେ କୁହନ୍ତି, ୨୦୦୨ରୁ ଚିଲିକା ସୁରକ୍ଷା ନେଇ ଚିଲିକା ବଞ୍ଚାଅ, ପକ୍ଷୀ ବଞ୍ଚାଅ ଆଦି ସଚେତନତା କାର୍ଯ୍ୟ କରିଆସୁଛି। ଚିଲିକା ଅଞ୍ଚଳରେ ପରିବେଶ ସମ୍ପର୍କିତ ବିବିଧ ପ୍ରକଳ୍ପର କାର୍ଯ୍ୟ କରିବା ସହ ପରିବେଶ ସଚେତନତା କାର୍ଯ୍ୟ ପାଇଁ ଗତବର୍ଷ ବାଲୁଗାଁ ମହାବିଦ୍ୟାଳୟକୁ ସମ୍ମାନଜନକ ପ୍ରକୃତି ମିତ୍ର ସମ୍ମାନ ମିଳିଛି। ଚଳିତବର୍ଷ ବ୍ୟକ୍ତିଗତ ଭାବରେ ଚିଲିକା ଅଞ୍ଚଳରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ପ୍ରକୃତିବନ୍ଧୁ ପୁରସ୍କାର ମିଳିଛି। ପ୍ରତିବର୍ଷ ଶୀତଦିନ ପୂର୍ବରୁ ଏବଂ ଶୀତଋତୁରେ ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ଚିଲିକା ଉପକୂଳବର୍ତ୍ତୀ ଗାଁରେ ଜନସଚେତନତା ଉଦ୍ଦେଶ୍ୟରେ ପ୍ରଚାରଧର୍ମୀ କାର୍ଯ୍ୟ କରିବା ସହ ବିଭିନ୍ନ ପ୍ରାଚୀନ ମନ୍ଦିର ଓ ସାଂସ୍କୃତିକ କ୍ଷେତ୍ରର ସୁରକ୍ଷା ପାଇଁ ଅନେକ ସଚେତନତା କାର୍ଯ୍ୟ କରିଆସୁଛି। ବିଶେଷକରି ଚିଲିକାର ଜଳକୁ ପ୍ରଦୂଷଣମୁକ୍ତ କରିବା ପାଇଁ ପଲିଥିନ୍‌କୁ ବାରଣ କରିବା ଓ ଚିଲିକା ଜଳକୁ ଆବର୍ଜନାରୁ ମୁକ୍ତ ରଖିବା ନେଇ ଆମ କଲେଜର ଛାତ୍ରୀଛାତ୍ରମାନଙ୍କୁ ଏକାଠି କରି ଏକ ସାଇକେଲ ରାଲି ଓ ପଥପ୍ରାନ୍ତ ସଭାର ଆୟୋଜନ କରିଆସୁଛି।
ପକ୍ଷୀଙ୍କ ପାଇଁ ତାଳଗଛ ଲଗାଉଛି : ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳ ସିପିଆ ଗାଁର ନକୁଳ ସୁନ୍ଦରା ଏବେ ଚିଲିକା ସୁରକ୍ଷା ଚିନ୍ତାରେ। ସେ କୁହନ୍ତି, ଚାରିଆଡ଼େ ବହୁସଂଖ୍ୟାରେ ଗଛକଟା ଯୋଗୁ ଜଙ୍ଗଲ ଧ୍ୱଂସ ହେଉଛି। ଏଥିଯୋଗୁ ପରିବେଶ ସନ୍ତୁଳନରେ ବାଧା ବି ଉପୁଜିଲାଣି। ଆମ ଚିଲିକା ଅଞ୍ଚଳରେ ପୁରୁଣା ତାଳଗଛ ସଂଖ୍ୟା କମି କମି ଯାଉଥିବାରୁ ଆଗଭଳି ଆଉ ବହୁ ସଂଖ୍ୟକ ଚିଲ ଓ କୁରବଳ ପକ୍ଷୀ ଦେଖିବାକୁ ମିଳୁନାହିଁ। ଏମିତି ପରିସ୍ଥିତିରେ କିପରି ଚିଲିକାର ପରିବେଶ ଭଲ ରହିବ, ତା’ର ସୌନ୍ଦର୍ଯ୍ୟ ବଢ଼ିବ ଓ ପକ୍ଷୀମାନେ ଅଧିକ ସଂଖ୍ୟାରେ ଆସିବେ, ଏଥିପାଇଁ ତାଳଗଛ ଲଗାଇବା ସହ ଚିଲିକାର ପରିବେଶ ସୁରକ୍ଷା ପାଇଁ ଚିନ୍ତା କରିଥିଲି। ମୋତେ ୫୫ବର୍ଷ ହେଲାଣି । ମୁଁ ଜଣେ ସାଧାରଣ ଦିନମଜୁରିଆ। ସ୍ତ୍ରୀ, ଗୋଟିଏ ପୁଅ ଓ ୨ଟି ଝିଅଙ୍କୁ ନେଇ ମୋ ପରିବାର। ଦୈନିକ ମୂଲମଜୁରି ଲାଗିଲେ ପରିବାର ପ୍ରତିପୋଷଣ ହୋଇଥାଏ। କିନ୍ତୁ ଚିଲିକାର ପରିବେଶ ଯଦି ଭଲ ରହିବ ତେବେ ଆମ ଅଞ୍ଚଳର ଶ୍ରୀ ବୃଦ୍ଧି ହେବ। ଏଥିପାଇଁ କିଛି ସମୟ ଦେବାକୁ ପଡ଼ିବଭାବି ମୁଁ ଚିଲିକା ଉପକୂଳ ଗାଁ ରାସ୍ତାକଡ଼ ଓ ଘେରିବନ୍ଧରେ ଆଜକୁ ପ୍ରାୟ ୩ ବର୍ଷ ହେବ ପ୍ରାୟ ୧୫ହଜାର ତାଳ ଟାକୁଆ ପକାଇଥିଲି । ସେସବୁରୁ ଗଜା ହୋଇ ଗଛ ହୋଇସାରିଲାଣି। ଗଛ ଲଗାଇବା ହେଉ କି ପରିବେଶ ସଫାସୁତୁରା ଆଦି କାମରୁ ମୋତେ ଆନନ୍ଦ ମିଳୁଛି।
ପକ୍ଷୀ ଶିକାରୀ ଏବେ ସୁରକ୍ଷାକାରୀ: ପ୍ରାକୃତିକ ପରିବେଶରେ ଜୀବଜନ୍ତୁମାନେ କିପରି ଭୟମୁକ୍ତ ଓ ନିରାପଦରେ ବିଚରଣ କରିବା ସହ ବଂଶବିସ୍ତାର କରିପାରିବେ, ଏଥିପାଇଁ କେବଳ ବନ କର୍ମଚାରୀଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ ବରଂ ଗ୍ରାମବାସୀଙ୍କ ସହଯୋଗ ଏବଂ ସାହାଯ୍ୟ ଜରୁରୀ । ଏମିତିି ଭାବକୁ ଥରେ ବୁଝିଗଲେ ଶିକାରୀ ବି ପାଲଟିଯାଏ ସୁରକ୍ଷାକାରୀ । ତାହାର ବାସ୍ତବ ଚିତ୍ର ତାଙ୍କୁ ଦେଖିବାକୁ ମିଳିଛି ବୋଲି କୁହନ୍ତି ପରିବେଶବିତ୍‌ ତଥା ପକ୍ଷୀପ୍ରେମୀ ନନ୍ଦକିଶୋର ଭୁଜବଳ। ସେ କୁହନ୍ତି, ଦିନେ ଯେଉଁମାନେ ପକ୍ଷୀ ଶିକାରୀ ଥିଲେ ସେମାନେ ଆଜି ସୁରକ୍ଷାକାରୀ। ଏମିତି କାର୍ଯ୍ୟକୁ ସଫଳ କରାଇବାରେ ଗାଁଲୋକଙ୍କ ଭୂମିକା ସବୁଠୁ ଅଧିକ । ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷା ପାଇଁ ମୁଁ କେବଳ ମୋ କର୍ତ୍ତବ୍ୟ କରିଛି । ୧୯୯୬ରୁ ଚିଲିକା ପକ୍ଷୀ ସୁରକ୍ଷା ନିମନ୍ତେ ପ୍ରଥମେ ସୋରଣ ମୁସଲମାନ ସାହିଠାରେ ଜଣେ ସାମ୍ବାଦିକ ବନ୍ଧୁଙ୍କ ସହଯୋଗରେ ଶିକାରୀଙ୍କୁ ବୁଝାଇବା ପାଇଁ ପ୍ରୟାସ କରାଯାଇଥିଲା। ମାତ୍ର ଏଠାକାର ଲୋକମାନେ ସେତେବେଳେ ସଚେତନ ହୋଇପାରି ନ ଥିଲେ। ଏହାପରେ ମଙ୍ଗଳାଯୋଡ଼ି ଗାଁରେ ପକ୍ଷୀ ସୁରକ୍ଷା ସମିତି ଗଠନ ହୋଇଥିଲା।
ଶିକାରୀମାନେ ପକ୍ଷୀ ସୁରକ୍ଷା ପାଇଁ ପ୍ରଥମେ ପ୍ରଥମେ ଆମକୁ ବିରୋଧ କରିଥିଲେ। ବିଭିନ୍ନ ବନ୍ୟପ୍ରାଣୀ ସୁରକ୍ଷା ସମ୍ପର୍କରେ ବାରମ୍ବାର ସଚେତନତା କରିବା ପରେ କେତେଜଣ ବୁଦ୍ଧିଜୀବୀ ଓ ପରିବେଶବିତ୍‌ ଏହାର ସମାଧାନ ଚିନ୍ତାକଲେ। କେତେଜଣ ଶିକାରୀ ସ୍ବତଃପ୍ରବୃତ୍ତଭାବେ ପକ୍ଷୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ । ସମୟକ୍ରମେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ହୋଇଥିଲା। ସମସ୍ତେ ଏବେ ପକ୍ଷୀ ସୁରକ୍ଷାରେ ସାମିଲ ହୋଇଛନ୍ତି। ଏଥିଯୋଗୁ ୨୦୦୬-୦୭ରେ ବନ୍ୟପ୍ରାଣୀ ସଂରକ୍ଷଣ ନିମନ୍ତେ ବିଜୁ ପଟ୍ଟନାୟକ ପୁରସ୍କାର ମିଳିଛି। ମହାବୀର ପକ୍ଷୀ ସୁରକ୍ଷା ସମିତିର ସଦସ୍ୟ ସୁରକ୍ଷା କମିଟିରେ ରହିଛନ୍ତି। ଆର୍‌ବିଏସ୍‌ ତରଫରୁ ଗ୍ରୀନ୍‌ ଯୋଦ୍ଧା ପୁରସ୍କାର-୨୦୧୧ରେ, ହଲ୍‌ ଅଫ୍‌ ଫେମ୍‌ ଓ୍ବାଇଲ୍ଡ ଲାଇଫ କଞ୍ଜରଭେଶନ-୨୦୧୪, ଆର୍‌ଟୁଲ୍‌ ଗ୍ରୀନ୍‌ ଯୋଦ୍ଧା ଓ୍ବେଷ୍ଟବେଙ୍ଗଲ-୨୦୨୦, ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ଓ୍ବାଇଲ୍ଡ ଲାଇଫ କଞ୍ଜରଭେଶନ ପୁରସ୍କାର-୨୦୨୧ ମିଳିଛି। ସ୍ଥାନୀୟ ଗ୍ରାମବାସୀଙ୍କ ଉଦ୍ୟମରେ ପକ୍ଷୀ ସୁରକ୍ଷା ଆଜି ଲୋକଙ୍କୁ ରୋଜଗାର ଦେଉଛି। ଚିଲିକା ଓ୍ବାଇଲ୍ଡ ଲାଇଫ ଡିଭିଜନ ତରଫରୁ ପକ୍ଷୀ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ଚିଲିକା ଡେଭେଲପମେଣ୍ଟ ଅଥରିଟି (ସିଡିଏ) ତରଫରୁ ବିଭିନ୍ନ ଜନସଚେତନତା କରାଯାଇଥାଏ। ତେବେ ଚିଲିକାର ପରିବେଶ ଓ ପକ୍ଷୀ ସୁରକ୍ଷାରେ ଏହା ନିଆରା ଉଦାହରଣ ପାଲଟିଛି।
ଗଛ ଓ ପରିବେଶ ପାଇଁ ୨ଘଣ୍ଟା: ଚିଲିକା କୃଷ୍ଣପ୍ରସାଦ ବ୍ଲକ ଅଧୀନ କମାଳସିଂ ଗ୍ରାମର ଅମିତା ତରେଇ ଜଣେ ଗୃହିଣୀ । ସେ କୁହନ୍ତି, ସ୍କୁଲ ବୟସରୁ ବିଭିନ୍ନ ଚାରାରୋପଣ କରିବା ମୋର ଅଭ୍ୟାସ ଥିଲା। ତେବେ ମୋ ବାପଘର କମାଳସିଂ ଓ ଶାଶୁଘର ଝାରକଟା ଗାଁର ସ୍କୁଲ ପରିସର, ମଠ, ଗ୍ରାମ୍ୟ ପାର୍କ ଓ ରାସ୍ତାକଡ଼ ଆଦି କେତେକ ସ୍ଥାନରେ ବର୍ଷାଦିନେ ନିମ୍ବ, ବେଲ, ଅଁଳା, ହରିଡ଼ା, ବାହାଡ଼ା, ଅର୍ଜୁନ, କଦମ, ବାଦାମ, ଆମ୍ବ, ଲେମ୍ବୁ, ପଣସ, ବଉଳକୋଳି ଆଦି ଗଛ ଲଗାଇଥିଲି। ୨୦୧୯ରେ ଆମ ଅଞ୍ଚଳରେ ବୃକ୍ଷରୋପଣ ଓ ତା’ର ସୁରକ୍ଷା ପାଇଁ ଗଠନ ହୋଇଥିବା ସଙ୍ଗଠନରେ ଯୋଗଦେଇଥିଲି। ଗତ ୫ ବର୍ଷ ଭିତରେ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ସଙ୍ଗଠନରେ ମିଶି ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ଚାରା ରୋପଣ କରିସାରିଛି। ସବୁଠୁ ବଡ଼ କଥା ହେଲା ଏସବୁ ଗଛ ଚିଲିକା ନାସି ଓ କୁଦ ଜାଗାରେ ଲାଗିଛି। ଏହାର ଯତ୍ନ ପାଇଁ ପ୍ରତିଦିନ ପ୍ରାୟ ୨ଘଣ୍ଟା ସମୟ ଦେଇଥାଏ। ଚିଲିକା ଉପକୂଳ ଗାଁର ପରିବେଶ ଯେମିତି ସବୁଜ ବନାନୀରେ ହସିଉଠିବ,ଏଥିପାଇଁ ଉଦ୍ୟମ ଜାରି ରହିଛି। ଅନ୍ୟପକ୍ଷେ ଚିଲିକା ଅଞ୍ଚଳରେ ଯେଉଁଠି ଯାନିଯାତ୍ରା ପଡ଼ିଥାଏ ସେଠାରୁ ପଲିଥିନ ଏବଂ ଅନ୍ୟାନ୍ୟ ଆବର୍ଜନାକୁ ସଫାକରିବା ସହ ଚିଲିକାର ପରିବେଶ ସୁରକ୍ଷା ପ୍ରତି ଜନସଚେତନତା କରାଇଥାଉ। ମୋ ସହ ଆଉ କେତେଜଣ ମହିଳା ମଧ୍ୟ ଏଥିରେ ସାମିଲ ହୋଇଥାନ୍ତି। ଏହା ଦେଖି ଅନ୍ୟମାନେ ଏପରି କାର୍ଯ୍ୟକରିବାକୁ ଆଗ୍ରହ ହୋଇଥାନ୍ତି। ଏହାମତେ ଅଧିକ ଆନନ୍ଦ ଦେଉଛି। କାରଣ ଚିଲିକା ଆମର ମା, ତା’ର ସୁରକ୍ଷା ପାଇଁ ମିଳିମିଶି କିଛି ସୁରକ୍ଷା କାମରେ ସମୟ ବିତାଇପାରୁଛି। ଏଥିପାଇଁ ବିଭିନ୍ନ ଅନୁଷ୍ଠାନରୁ ଅନେକ ପ୍ରଶଂସା ମିଳୁଛୁ ।
ଚିଲିକା ଜୈବ ବିବିଧତା ସୁରକ୍ଷା ଚିନ୍ତା: ସେ ଜଣେ ଇଞ୍ଜିନିୟରିଂ ଛାତ୍ରୀ , ଏକାଧାରରେ ଜଣେ ସାମାଜିକ କର୍ମୀ, ପରିବେଶ ପ୍ରେମୀ, ଖବରକାଗଜ ସଂଗ୍ରାହକ, ସେଲ୍ଫ ଡିଫେନ୍ସ ଟ୍ରେନର ଏବଂ ଓଡ଼ିଶାରେ ପ୍ରଥମକରି ପ୍ରତିଷ୍ଠା କରିଛନ୍ତି ବାଳିକା କଳିଙ୍ଗକନ୍ୟା ପାଇକ ଆଖଡ଼ା । ପରିବେଶ ସୁରକ୍ଷା, ସ୍ବଚ୍ଛତା , ପକ୍ଷୀ ଓ ବୁଲାଗୋରୁଙ୍କ ପାଇଁ ଜଳକୁଣ୍ଡରେ ପାଣିରଖିବା, ଆହତ ଜୀବଜନ୍ତୁଙ୍କ ସେବାରେ ସାହାଯ୍ୟ କରିବା, କଇଁଛ ସୁରକ୍ଷା ,ରକ୍ତଦାନ ଶିବିରରେ ଯୋଗଦେବା, ଫନୀ ବାତ୍ୟା ପୀଡ଼ିତ, ଘରପୋଡ଼ିରେ କ୍ଷତିଗ୍ରସ୍ତ ଅସହାୟଙ୍କୁ କମ୍ବଳ ବଣ୍ଟନ, କରୋନାଠାରୁ ସତର୍କ ରହିବା ପାଇଁ ମାସ୍କ ବଣ୍ଟନ ଆଦି ସାମାଜିକ ସେବାରେ ଜନସଚେତନତା ସୃଷ୍ଟି କରିଥାନ୍ତି। ଚିଲିକା ଅଞ୍ଚଳର ଏତିହ୍ୟ ଓ ପରିବେଶ ସୁରକ୍ଷା,ପ୍ରଦୂଷଣମୁକ୍ତ ନିମନ୍ତେ ପ୍ଲାଷ୍ଟିକ ହଟାଅ ଅଭିଯାନ କରିଛନ୍ତି। ଚିଲିକା ଖବରକାଗଜ ସଂଗ୍ରହାଳୟ ଗଢି ଏଠାରେ ଚିଲିକା ସମ୍ପର୍କରେ ବହୁ ଘଟଣାର ଖବରକୁ ସାଇତି ରଖିଛନ୍ତି। ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ପ୍ରକୃତିବନ୍ଧୁ ପୁରସ୍କାର, ଉତ୍କଳ ବିଶ୍ୱବିଦ୍ୟାଳୟ ସରସ୍ବତୀ ରାୟ ଗୋଲ୍ଡ ମେଡାଲ , ଏନ୍‌ଏସ୍‌ଏସ୍‌ ତରଫରୁ ଶ୍ରେଷ୍ଠ ଭଲ୍ୟୁଣ୍ଟର, ଟାଇମ୍ସ ପାଓ୍ବାର ଓମେନ ଆଓ୍ବାର୍ଡ ଆଦି ଅନେକ ପୁରସ୍କାର ମିଳିଛି। ସେ ହେଲେ ସୁନୀତା ବେହେରା । ସେ କୁହନ୍ତି, ଚିଲିକା ଉପକୂଳବତ୍ତୀ ରତନପୁରରେ ମୋର ଜନ୍ମ । ସ୍କୁଲ ବୟସରୁ ଚିଲିକା ବୁଲିଛି। ଚିଲିକା ଆମକୁ ଦାନାପାଣି ଦେଉଛି, ହେଲେ ତା’ର ସୁରକ୍ଷା ଉଦ୍ଦେଶ୍ୟରେ ବାଳିକାମାନଙ୍କୁ ନେଇ ସୋରଣ,ବରଡ଼ି, ବାଲିଆ,ନିମିନା ଆଦି ଉପକୂଳବର୍ତ୍ତୀ ଗାଁରେ ବିଭିନ୍ନ ବୃକ୍ଷରୋପଣ କରିଥିଲୁ । ଚିଲିକାକୂଳିଆ ଗାଁରେ ନାରୀଶିକ୍ଷା, ବାଳିକାମାନଙ୍କୁ ମାଗଣାରେ ବିଭିନ୍ନ ଆତ୍ମସୁରକ୍ଷା ରଣକୌଶଳ ତାଲିମ ପ୍ରଦାନ କରିଛି। ସରସ୍ବତୀ ଶିଶୁମନ୍ଦିର, କେତେକ ଶିକ୍ଷାନୁଷ୍ଠାନରେ ଚିଲିକାର ଐତିହ୍ୟ ଓ ତା’ର ସୁରକ୍ଷା ନେଇ କାର୍ଯ୍ୟ କରିଛି। ଶ୍ରୀଚଣ୍ଡିହରଦେବ ଏବଂ ଚିଲିକା କାଙ୍କଣକୁଦକୁ ସ୍ବତନ୍ତ୍ର ଭାବେ ଏକ ଆଧାତ୍ମିକ ସାଧନାପୀଠର ମାନ୍ୟତା ପାଇଁ ଖୋର୍ଦ୍ଧା ଜିଲାପାଳ, ଚିଲିକା ବିଧାୟକ ଏବଂ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଚିଲିକା ଜୈବ ବିବିଧତା ସୁରକ୍ଷା ପାଇଁ ୨୦୧୮ ରୁ ପ୍ଲାଷ୍ଟିକ ହଟାଅ, ଚିଲିକା ବଞ୍ଚାଅ ଅଭିଯାନ ଆରମ୍ଭ କରିଥିଲି।
ଡଲ୍‌ଫିନ୍‌ ସୁରକ୍ଷା ଓ ଜିରୋନେଟ୍‌କୁ ବାରଣ: ଚିଲିକା ହ୍ରଦରେ ବିରଳ ଇରିଓ୍ବାଡି ଡଲ୍‌ଫିନ୍‌ଙ୍କ ପ୍ରତି ବିପଦ ଦେଖାଦେଉଥିବାରୁ ଏହି ଜଳଚର ସ୍ତନ୍ୟପାୟୀ ପ୍ରାଣୀଙ୍କ ସୁରକ୍ଷା ନେଇ ଜନସଚେତନତାର ଆବଶ୍ୟକତା ରହିଛି। ଚିଲିକା ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟ କରୁଥିବା ସେମିତି ଜଣେ ବ୍ୟକ୍ତି ହେଲେ ପୁରୀ ଜିଲା ସାତପଡ଼ା ପଞ୍ଚାୟତ ଡିଗ୍ରୀ କଲେଜର ଇତିହାସ ବିଭାଗର ଅଧ୍ୟାପକ ପବିତ୍ର ମୋହନ ଦାସ। ବୃତ୍ତି ତାଙ୍କର ଶିକ୍ଷକତା, ମାତ୍ର ନିଶା ଚିଲିକା ପରିବେଶ, ପକ୍ଷୀ ଓ ଡଲ୍‌ଫିନ୍‌ ସୁରକ୍ଷା । ସେ କୁହନ୍ତି, ଚିଲିକାର ଏକ ଦ୍ୱୀପାଞ୍ଚଳରେ ମୋର ଗାଁ । ପିଲାଟି ଦିନରୁ ଚିଲିକାର ପରିବେଶରେ ବଢ଼ିଛି। କିନ୍ତୁ ଚିଲିକାର ସୁରକ୍ଷା ପାଇଁ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି। ବିରଳ ଇରିଓ୍ବାଡି ଡଲ୍‌ଫିନ୍‌ ସୁରକ୍ଷା ନେଇ ସାତପଡ଼ା, ଚଉବରବାବା,ମିର୍ଜାପୁର, ଗବକୁଣ୍ଡ,ସିପକୁଦ, ଗଙ୍ଗାଧରପୁର,ଆଳୁପାଟଣା ଆଦି ଗାଁର ବୋଟ୍‌ ଆସୋସିଏସନ ସଦସ୍ୟମାନଙ୍କୁ ଡଲ୍‌ଫିନ୍‌ଙ୍କ ନିରାପଦ ଚଳପ୍ରଚଳ ପାଇଁ ସତର୍କତା ଅବଲମ୍ବନ କରିବା ଆଦି ବିଷୟରେ ସଚେତନତା କରାଇଥାଏ। ୨୦୦୨ରୁ ଚିଲିକାର ଜୈବ ବିବିଧତା ସୁରକ୍ଷା ନେଇ କାର୍ଯ୍ୟ କରୁଛି। ଚିଲିକା ଓ୍ବାଇଲ୍ଡ ଲାଇଫ୍‌ ବିଭାଗର କର୍ମଚାରୀଙ୍କ ସହ ପ୍ରତିବର୍ଷ ଡଲ୍‌ଫିନ୍‌ ଗଣନା ଓ ପକ୍ଷୀଗଣନା କାର୍ଯ୍ୟରେ ଯୋଗଦେଇଥାଏ। ବିଭିନ୍ନ ସମୟରେ ଆମ ଅଞ୍ଚଳର ବହୁ ସ୍କୁଲ କଲେଜରେ ଚିଲିକା ସୁରକ୍ଷା ସଭାରେ ଯୋଗଦେଇଥାଏ। ଚିଲିକାରେ ଜିରୋନେଟ୍‌ ବ୍ୟବହାର ନ କରିବକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଇଥାଏ।
ଚିଲିକା ଏବଂ ଅଞ୍ଚଳବାସୀଙ୍କ ପାଇଁ ୯ ବର୍ଷ ବିତିଲାଣି : ଗୋଟିଏ ପଟେ ତାଙ୍କ ଅଞ୍ଚଳରେ ପାରମ୍ପରିକ ଲୋକକଳା ପୁନରୁଦ୍ଧାର ଚିନ୍ତା, ଅନ୍ୟପଟେ ଚିଲିକା ପରିବେଶ ସୁରକ୍ଷା ଏବଂ ଅଞ୍ଚଳର ଗରିବ ଲୋକଙ୍କ ପାଇଁ ବାତ୍ୟା ନିରୋଧକ ବାସଗୃହ ସହାୟତା ମିଳିବାରେ ପ୍ରୟାସ କରିଥାନ୍ତି। ଏମିତିରେ ନିଜର ପରିବାରକୁ ଅଣଦେଖାକରି ଦିନେ କି ୨ ଦିନ ନୁହେଁ, ପ୍ରାୟ୧୦ବର୍ଷ ହେଲା ଚିଲିକା ଓ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ସର୍ବଦା ଚିନ୍ତା କରିଥାନ୍ତି। ସେ ହେଲେ ସୁବାସ ଚନ୍ଦ୍ର ଜେନା। ସବୁବେଳେ ଗଠନମୂଳକ କାର୍ଯ୍ୟରେ ସାମିଲ ରହୁଥିବାରୁ ଚିଲିକା ଅଞ୍ଚଳର ଦରଦୀବନ୍ଧୁ ଭାବେ ତାଙ୍କୁ ସମସ୍ତେ ଜାଣନ୍ତି । ଏଥିରେ ତାଙ୍କର ଭିନ୍ନ ପରିଚୟ ସୃଷ୍ଟି ହୋଇଥିବାରୁ ବିଭିନ୍ନ ସଂସ୍ଥାରୁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର। ଚିଲିକା ସୁରକ୍ଷା ସମ୍ପର୍କରେ ସେ କୁହନ୍ତି, ଚିଲିକା ପାଣିଘେରରେ ମୋ ଗାଁ। ମୋ ପିଲାଦିନେ ଦେଖିଥିବା ଚିଲିକାର ପ୍ରାକୃତିକ ରୂପ ଏବେ ବଦଳିଯାଇଛି । ବିଭିନ୍ନ କାରଣରୁ ଚିଲିକାର ଜୈବ ବିବିଧତାରେ ବହୁ କ୍ଷତି ଘଟୁଛି। ପରିବେଶ ସନ୍ତୁଳନରେ ଅସମାନତା ପାଇଁ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟସ୍ତ ଯୋଗୁ ଅଞ୍ଚଳବାସୀଙ୍କ ଧନଜୀବନ କ୍ଷତିଗ୍ରସ୍ତ ହେଉଛି। ୨୦୧୪ମସିହାରୁ ଚିଲିକା ଫାଇଲିନ୍‌ କ୍ଷତିଗ୍ରସ୍ତଙ୍କୁ ବାତ୍ୟା ନିରୋଧକ ଗୃହ ସହାୟତା ପାଇଁ ଦୀର୍ଘ ୯ବର୍ଷ ଧରି ପ୍ରୟାସ ଜାରି ରହିଛି। ଚିଲିକା ଜଳ ପ୍ରଦୂଷଣ ମାତ୍ରା ବଢୁଥିବାରୁ ମାଛମାନଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାର ନିରାକରଣ ପାଇଁ ସାଧାରଣ ଲୋକଙ୍କ ସହଯୋଗରେ ଚିଲିକା ସୁରକ୍ଷା ନିମନ୍ତେ କେବେ ସଭା ତ କେବେ ଏତିହ୍ୟ ସୁରକ୍ଷା ପାଇଁ ଜନଜାଗରଣ ସୃଷ୍ଟିକରିଥାଏ। ଏଥିପାଇଁ ବିଭିନ୍ନ ସମୟରେ ଗାଁ ଗାଁ ବୁଲି ଭିନ୍ନ ଢଙ୍ଗରେ ଜନସଚେତନତା କାର୍ଯ୍ୟ କରିଆସୁଛି। ଚିଲିକାର ପରିବେଶ ସୁରକ୍ଷାରେ ଚିଲିକାପ୍ରେମୀ ତଥା ପରିବେଶବିତ୍‌ମାନେ ଅନେକ ପରିସ୍ଥିତିକୁ ସାମ୍ନା କରିଥାନ୍ତି। ତେବେ ଏମାନଙ୍କ ବ୍ୟତୀତ ଅନେକ ବ୍ୟକ୍ତି ଓ ସଂସ୍ଥା ଚିଲିକାର ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିଥାନ୍ତି। -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?