ଭୁବନେଶ୍ୱର,୧୫।୧୧(ରବିନାରାୟଣ ଜେନା): କଂଗ୍ରେସ ଓ କେତେକ ବିରୋଧୀ ଦଳ ଦେଶର ପ୍ରଗତିକୁ ସହି ନ ପାରି ଅରାଜକତା ସୃଷ୍ଟି କରିବାର ଅପଚେଷ୍ଟା କରୁଛନ୍ତି। ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁଖ୍ୟ ଭୂମିକା ନିଭାଉଛନ୍ତି। ରାହୁଲ ବିଦେଶୀ ବିଭାଜନକାରୀ ଶକ୍ତିମାନଙ୍କ ଇସାରାରେ କାମ କରୁଛନ୍ତି। ‘ଏସ୍ଆଇଆର୍’କୁ ନେଇ ଅପପ୍ରଚାର କରାଯାଉଛି । ବାଲଟରେ ଭୋଟ କରିବା ପାଇଁ ଇଣ୍ଡିଆ ବ୍ଲକ ଦାବି କରୁଛନ୍ତି। ହେଲେ ଜାଣିରଖ, ବାଲଟ ଛାଡ଼ି ସିଲଟରେ ମଧ୍ୟ ଭୋଟକଲେ ଜିତିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଂଗ୍ରେସ ଓ ଇଣ୍ଡିଆ ବ୍ଲକକୁ ଟାର୍ଗେଟ କରି କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟରୁ ଶନିବାର ବାଣୀବିହାର ପର୍ଯ୍ୟନ୍ତ ଅନୁଷ୍ଠିତ ଗଣତନ୍ତ୍ର ବଞ୍ଚାଓ-ଅରାଜକତା ହଟାଅ ପଦଯାତ୍ରାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି,ଏସ୍ଆଇଆର୍କୁ ନେଇ ବିରୋଧୀଙ୍କ ଅପପ୍ରଚାର ଅତ୍ୟନ୍ତ ଅମୂଳକ, ଅଯୌକ୍ତିକ ଏବଂ ଭ୍ରମାତ୍ମକ। ବିରୋଧୀ ଦଳଗୁଡ଼ିକ ସାଧାରଣ ଜନତାଙ୍କ ଅଧିକାର ପାଇଁ ନୁହେଁ ବରଂ ମୃତବ୍ୟକ୍ତି, ଠିକଣା ବଦଳାଇଥିବା ବ୍ୟକ୍ତି ଏବଂ ବେଆଇନ ଅନୁପ୍ରବେଶକାରୀ ଓ ଜାଲ୍ ଭୋଟରଙ୍କୁ ନିଜର ଭୋଟ୍ ବ୍ୟାଙ୍କ ଭାବେ ବଞ୍ଚାଇ ରଖିବା ପାଇଁ ନିର୍ୱାଚନ ଆୟୋଗ ବିରୋଧରେ ଅପପ୍ରଚାର ଚଳାଇଛନ୍ତି। ଦେଶର ୧୪୦ କୋଟି ଜନସାଧାରଣଙ୍କ ଉପରେ ଆସ୍ଥା ନ ରଖି ନାଗରିକତା ନ ଥିବା ଲୋକଙ୍କୁ ସୁରକ୍ଷା ଦେବାର ଏହି ଷଡ଼ଯନ୍ତ୍ରକୁ କେବେ ବି ବରଦାସ୍ତ କରାଯିବ ନାହିଁ। ସୁରକ୍ଷିତ ଗଣତନ୍ତ୍ର ଆମର ପ୍ରତିବଦ୍ଧତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ବିକାଶ ଯାତ୍ରା ଅହରହ ଜାରି ରହିଛି ଏବଂ ଜନସାଧାରଣଙ୍କ ସହଯୋଗରେ ଅରାଜକତାବାଦୀଙ୍କ ସମସ୍ତ କୁଚକ୍ରାନ୍ତକୁ ଗଣତାନ୍ତ୍ରିକ ଉପାୟରେ ସମ୍ପୂର୍ଣ୍ଣ ମୂଳପୋଛ କରି ଏକ ସମୃଦ୍ଧ ଓଡ଼ିଶା ଗଠନ କରାଯିବ। ଓଡ଼ିଶାରେ ରାଜ୍ୟ ସଭା ନିର୍ୱାଚନରେ କଂଗ୍ରେସ ପ୍ରାର୍ଥୀକୁ ସମର୍ଥନ କରିବା ଏବଂ ଦିଲ୍ଲୀଠାରେ ଅନୁଷ୍ଠିତ ଇଣ୍ଡିଆ ବ୍ଲକ ରାଲିରେ ସାମିଲ ହେବା ଭଳି ଘଟଣା ବିଜୁ ଜନତା ଦଳର ସମଦୂରତ୍ୱ ସ୍ଲୋଗାନର ମିଛ ନାଟକର ଅସଲ ଚରିତ୍ରକୁ ପଦାରେ ପକାଇଛି। ଓଡ଼ିଶାର ସ୍ୱାଭିମାନ, ଅସ୍ମିତା ଏବଂ ଗଣତନ୍ତ୍ର ଓ ରାଷ୍ଟ୍ରବାଦର ସପକ୍ଷରେ ରାଜ୍ୟବାସୀ ସର୍ୱଦା ଠିଆ ହୋଇଥିବାର ଏହା ସ୍ପଷ୍ଟ ପ୍ରମାଣ କରୁଛି। ଗଣତନ୍ତ୍ର ବଞ୍ଚାଅ-ଅରାଜକତା ହଟାଅ ସ୍ଲୋଗାନକୁ ଗାଁ ଗଣ୍ଡାର ପ୍ରତିଟି ଘରେ ପହଞ୍ଚାଇବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ପଦଯାତ୍ରାରେ ସାମିଲ ହୋଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି, ଦେଶର ସେନା, ସାମ୍ୱିଧାନିକ ବ୍ୟବସ୍ଥା ଓ ଅନୁଷ୍ଠାନଗୁଡ଼ିକୁ ମିଛଟାରେ ବଦ୍ନାମ କରିବା ଭଳି ହୀନ କାର୍ଯ୍ୟରେ ରାହୁଲ ତଥା ଇଣ୍ଡିଆ ବ୍ଲକ ଦେଶ ବିରୋଧୀ ତତ୍ତ୍ୱ ସହ ହାତ ମିଳାଇ କାର୍ଯ୍ୟ କରିବା ଅତ୍ୟନ୍ତ ନିନ୍ଦନୀୟ। ଦେଶବାସୀ ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟ ସଭା ସଦସ୍ୟ ଡ. ସୁଧାଂଶୁ ତ୍ରିବେଦୀ କହିଛନ୍ତି, କଂଗ୍ରେସ ଯେଉଁଠି ନିର୍ୱାଚନ ଜିତୁଛି ସେଠାରେ ଇଭିଏମ୍ ଓ ନିର୍ୱାଚନ ଆୟୋଗ ଠିକ୍ ଲାଗୁଥିବା ବେଳେ ଭାଜପା ଜିତିଲେ ଭୋଟ୍ ଚୋରି ହେଉଛି ବୋଲି ଅଭିଯୋଗ ଆଣିବା ସେମାନଙ୍କ ଦୋମୁହଁା ନୀତିର ପ୍ରମାଣ ଦେଉଛି। କଂଗ୍ରେସର ନିରାଶାଭାବ ପଦାରେ ପଡ଼ିଛି। ନିଜର ବିଫଳତା ଲୁଚାଇବା ପାଇଁ ସେମାନେ ସଂସଦଠାରୁ ସଡ଼କ ପର୍ଯ୍ୟନ୍ତ ‘ଭୋଟ୍ ଚୋରି’ର ମିଥ୍ୟା ନାଟକ ରଚୁଛନ୍ତି ବୋଲି ତ୍ରିବେଦୀ କହିଛନ୍ତି। ଏହି ପଦଯାତ୍ରାରେ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ଜିଲା ସଭାପତି ନିରଞ୍ଜନ ମିଶ୍ରଙ୍କ ସମେତ ପୂର୍ୱତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ବାବୁ ସିଂ ପ୍ରମୁଖ ସାମିଲ ଥିଲେ।

