ନୂଆଦିଲ୍ଲୀ, ୧୫ା୧୧ (ପି.ଟି.): ଦେଶରେ ଧାନ ଏବଂ ଚାଉଳର କୃତ୍ରିମ ଅଭାବ, କଳାବଜାରୀ ଏବଂ ଦରବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବ୍ୟବସାୟୀ, ଖୁଚୁରା ବିକ୍ରେତା, ହୋଲ୍ସେଲର୍, ପ୍ରୋସେସର୍ ଏବଂ ମିଲରମାନଙ୍କ ଦ୍ୱାରା ଧାନ ଓ ଚାଉଳ ମହଜୁଦ (ଷ୍ଟକ୍)ର ଅନ୍ଲାଇନ ଘୋଷଣା ପାଇଁ ସରକାର ଏକ ସ୍ୱତନ୍ତ୍ର ପୋର୍ଟାଲ ’ (foodstock.dfpd.gov.in) କାର୍ଯ୍ୟକ୍ଷମ କରିଛନ୍ତି।
ଗତ ନଭେମ୍ୱର ୬ର ନିର୍ଦ୍ଦେଶନାମା ଅନୁଯାୟୀ, ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବ୍ୟବସାୟୀ, ହୋଲ୍ସେଲର୍, ଖୁଚୁରା ବିକ୍ରେତା, ବଡ଼ ରିଟେଲ ଚେନ୍, ପ୍ରୋସେସର୍ ଏବଂ ମିଲରମାନଙ୍କୁ ଏହି ପୋର୍ଟାଲରେ ଷ୍ଟକ୍ ଘୋଷଣା କରିବାକୁ ପଡ଼ିବ। ଏଥିପାଇଁ ବାସ୍ମତୀ ଚାଉଳ, ଅଣ-ବାସ୍ମତୀ ପ୍ରିମିୟମ ଚାଉଳ, ଅଣ-ବାସ୍ମତୀ ଚାଉଳ, ସିଝା ଚାଉଳ, କ୍ଷୁଦ୍ର ଚାଉଳ ଏବଂ ଧାନ ଭଳି ମୋଟ ଛଅଟି ବର୍ଗରେ ତଥ୍ୟ ଦାଖଲ କରିବାକୁ ପଡ଼ିବ। ପ୍ରତ୍ୟେକ ୟୁନିଟ୍ ‘ଫୁଡ୍ ଷ୍ଟକ୍ ପୋର୍ଟାଲରେ ପ୍ରତି ଶୁକ୍ରବାର ଦିନ ଏହି ଷ୍ଟକ୍ ବିବରଣୀ ଅପ୍ଡେଟ୍ କରିବାକୁ ପଡ଼ିବ। ଯଦି କୌଣସି ୟୁନିଟ୍ ଏହି ପୋର୍ଟାଲରେ ପଞ୍ଜୀକୃତ ନ ହୁଏ କିମ୍ୱା ନିୟମ ଉଲ୍ଲଂଘନ କରେ, ତେବେ ସେମାନଙ୍କ ବିରୋଧରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ର ଧାରା ୬ ଏବଂ ୭ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବଜାରରେ ଚାଉଳର ଉପଲବ୍ଧତା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ‘ଭାରତ ଚାଉଳ’ ଭାବେ ବିକ୍ରି ନିମନ୍ତେ ନାଫେଡ୍, ଏନ୍ସିସିଏଫ୍ ଏବଂ କେନ୍ଦ୍ରୀୟ ଭଣ୍ଡାରକୁ ଅତିରିକ୍ତ ଚାଉଳ ଆବଣ୍ଟନ କରିଛନ୍ତି। ଏଥିସହ ୨୦୨୬-୨୭ ବର୍ଷ ପାଇଁ ‘ଓପନ ମାର୍କେଟ୍ ସେଲ୍ ସ୍କିମ୍’ ଜରିଆରେ ଇ-ନିଲାମ ମାଧ୍ୟମରେ ଚାଉଳ ବିକ୍ରି ଲକ୍ଷ୍ୟକୁ ୨୫ ଲକ୍ଷ ମେଟ୍ରିକ ଟନ୍ରୁ ଦ୍ୱିଗୁଣିତ କରି ୫୦ ଲକ୍ଷ ମେଟ୍ରିକ୍ ଟନ୍ କରାଯାଇଛି। ଅକ୍ଟୋବର ୩୧ ସୁଦ୍ଧା ଘରୋଇ ପକ୍ଷକୁ ପ୍ରାୟ ୨୫ ଲକ୍ଷ ଟନ୍ ଚାଉଳ ବିକ୍ରି କରାଯାଇଛି, ଯାହା ଗତବର୍ଷ ଏହି ସମୟରେ ୧୧ ଲକ୍ଷ ଟନ୍ ଥିଲା। ନିଅଣ୍ଟିଆ ଏବଂ ଅନିୟମିତ ବର୍ଷା ଯୋଗୁ ୨୦୨୬-୨୭ ବର୍ଷ ପାଇଁ ଖରିଫ ଧାନ ଚାଷ ଜମି ପ୍ରାୟ ୪ ପ୍ରତିଶତ ହ୍ରସ ପାଇ ୪୨.୬୮ ନିୟୁତ ହେକ୍ଟରରେ ପହଞ୍ଚିଛି। ୨୦୨୫-୨୬ର ରେକର୍ଡ ୧୫୪ ନିୟୁତ ମେଟ୍ରିକ ଟନ ତୁଳନାରେ ୨୦୨୬-୨୭ରେ ଚାଉଳ ଉତ୍ପାଦନ ପ୍ରାୟ ୧୪୭ ନିୟୁତ ମେଟ୍ରିକ ଟନ ରହିବ ବୋଲି ବାଣିଜି୍ୟକ ଆକଳନ କରାଯାଇଛି। ସେପ୍ଟେମ୍ୱରରେ ଖୁଚୁରା ଚାଉଳ ମୁଦ୍ରାସ୍ଫୀତି ବାର୍ଷିକ ଭିତ୍ତିରେ ବୃଦ୍ଧି ପାଇ ୮.୨୫ ପ୍ରତିଶତରେ ପହଞ୍ଚିଥିବାବେଳେ ହାରାହାରି ଖୁଚୁରା ମୂଲ୍ୟ ପ୍ରତି କି.ଗ୍ରା. ପ୍ରାୟ ୪୮.୨୩ ଟଙ୍କା ରହିଛି। ତଥାପି, ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟଶସ୍ୟ ମହଜୁଦ ଥିବାରୁ ଏହା କୌଣସି ଜାତୀୟ ସଙ୍କଟ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

